Saturday, May 23, 2020

ବାପଘର

ଵାପଘର
--------
ନଣନ୍ଦ ଭାଉଜଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ।ଦୁହେଁ ଦୁହିଁଙ୍କୁ ପ୍ରାଣଭରି ଭଲ ପାଆନ୍ତି । ଶାଢ଼ୀ ହେଉ ବା ଡ୍ରେସ ହେଉ ବା ଯେ କୌଣସି ସୌକିନ ଜିନିଷ ହେଉ ନଣନ୍ଦ ନିଜ ପାଇଁ କିଣିଲେ ଭାଉଜ ପାଇଁ କିଣିବା ଟା ନିଶ୍ଚିତ ।ଭାଉଜ ମଧ୍ୟ ସେଇଆ କରେ ।ଉଭୟଙ୍କ ଗୋଟିଏ ଲେଖାଏଁ ପୁଅ ।ଦୁହେଁ ଭୁବନେଶ୍ବରରେ ରହନ୍ତି ।ନଣନ୍ଦ ଘର ନୟାପଲ୍ଲୀ ରେ ଓ ଭାଇ ଭାଉଜଙ୍କ ଘର ଶୈଳଶ୍ରୀବିହାରରେ ।ରବିବାର ହେଲେ ଭାଉଜ ନଣନ୍ଦ ଘରକୁ ବୁଲି ଆସେ ।ନଣନ୍ଦ ଭଳିକି ଭଳି ସୁସ୍ୱାଦୁ ବ୍ୟଞ୍ଜନ ରାନ୍ଧେ ।ସମସ୍ତେ ଏକାଠି ଖାଆନ୍ତି ।ନଣନ୍ଦ ଯେତେବେଳେ ଯେଉଁ ସ୍ଥାନକୁ ବୁଲିବାକୁ ଯାଏ, ତା ସାଙ୍ଗରେ ଭାଉଜକୁ ନିଏ ।ଭାଉଜ କହେ ନଣନ୍ଦ ମୋର ନିଶ୍ୱାସ ଆଉ ନଣନ୍ଦ କହେ ଭାଉଜ ମୋର ପୂର୍ଵ ଜନ୍ମର ଭଉଣୀ ।
ସେଥର ରଜ ପର୍ବ ସମସ୍ତେ ଏକାଠି ଧୁମ୍ ଧାମ ରେ ପାଳିବାକୁ ମନସ୍ଥ କଲେ ।
ଭାଉଜଙ୍କ ଏକାନ୍ତ ଅନୁରୋଧରେ ନଣନ୍ଦ ପୁଅକୁ ନେଇ ଭାଇ ଭାଉଜଙ୍କ ଘରେ ରଜ ମନେଇବାକୁ ଆସିଲା ।ଦୁହିଁଙ୍କର ସାଙ୍ଗ ସାଥୀ ଏକଜୁଟ ହୋଇ ଅନେକ ମଉଜ କଲେ ।ରଜ ଦ୍ବିତୀୟ ଦିନ ଅଳ୍ପ ଅଳ୍ପ ବର୍ଷା ହେଉଥାଏ ।ଦୁହେଁ ମିଶି ପକୁଡ଼ି ଛାଣିଲେ ।ପକୁଡ଼ି ଖାଉ ଖାଉ ନଣନ୍ଦ କହିଲା,ଭାଉଜ ,ମୋ ପୁଅ ମତେ ସବୁବେଳେ କହେ,ମାମୁଁଘର ଲୋକ ସମସ୍ତେ ଭଲ, ଡାଡିଙ୍କ ଘର ଲୋକ କେହି ଭଲ ନୁହନ୍ତି ।କଥା ଶେଷ କରି ସେ ମୁରୁକି ହସି ଭାଉଜ ମୁଁହକୁ ଚାହିଁଲା ।ଭାଉଜ ସେମିତି ମୁରୁକି ହସି କହିଲା, କାହିଁକି ସେକଥା କହୁଛ ।ମୋ ପୁଅ ପରା ମତେ ସବୁବେଳେ କହେ,ଚାଲ ଆମେ ମାମୁଁ ଘରେ ରହିବା, ଜେଜେ ଜେଜେମା ଙ୍କ ଘର ଲୋକ କେହି ଭଲ ନୁହନ୍ତି ।କଥା ଶେଷ କରି ସେ ଜିଭ କାମୁଡ଼ି ପକାଇଲା ।ଦୁହେଁ ଦୁହିଙ୍କ ମୁହଁକୁ କିଛି ସମୟ ନିର୍ବାକ ହୋଇ ଚାହିଁ ରହିଲେ ।ତାପରେ ନଣନ୍ଦ କିଛି ନକହି ନିଜ ଘରକୁ ଚାଲି ଆସିଲା |ସେ ହୃଦୟଙ୍ଗମ କରୁଥିଲା ,ଶାଶୁଘରେ ଅଖଣ୍ଡ ସୁଖ ସୌଭାଗ୍ୟ ପ୍ରାପ୍ତ ହେଲେବି, ଜଣେ ନାରୀ ପାଇଁ ସବୁବେଳେ ବାପଘର ହିଁ ସର୍ବଶ୍ରେଷ୍ଠ ହୋଇଥାଏ |ମମତା ମହାନ୍ତି |

Wednesday, May 20, 2020

ପସନ୍ଦ

ପସନ୍ଦ 
-------
ସୀମା ବାହାଘର ଚୂଡ଼ାନ୍ତ ପର୍ଯ୍ୟାୟ ରେ ପହଂଚି ଥିଲା ।ପୁଅ ଇଂଜିନିୟରିଂ ପରେ ଏମ.ବି.ଏ.କରି ଏକ ବଡ଼ କମ୍ପାନୀରେ ଚାକିରୀ କରୁଥିଲା  ।ଦେଖିବାକୁ ସୁନ୍ଦର ।ସୀମା ମଧ୍ୟ ଅତ୍ୟନ୍ତ ସୁନ୍ଦରୀ ।ଇଂଜିନିୟରିଂ ପରେ ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରୀ କରୁଥିଲା  ।ତାର ଏକ ସର୍ତ୍ତ ଥିଲା, ଯେ ବିବାହ ଫାଇନାଲ ହେବା ପୂର୍ବରୁ ସେ ପୁଅ ସହିତ ପଦେ କଥା ହେବ ।ତାହାହିଁ ହେଲା ।ଦୁହିଁଙ୍କୁ ସୁବିଧା ହେବା ପରି ସ୍ଥାନ ଓ ସମୟ ନିରୂପଣ କରାଗଲା ।ପୁଅ ସୁବ୍ରତ ଆସିବା ପରେ ସୀମା ପଚାରିଲା,ଆପଣଙ୍କର ମତେ କିଛି ପଚାରିବାର ଅଛି ?ସୁବ୍ରତ କହିଲା,ନାଁ ।ଆପଣଙ୍କର ଯାହା ପଚାରିବା କଥା ପଚାରନ୍ତୁ ।ସୀମା କହିଲା,ଆପଣ ମଦ ପିଅନ୍ତି ?ସୁବ୍ରତ ସାବଲୀଳ କଣ୍ଠରେ ଉତ୍ତର ଦେଲା,ହଁ ।ତେବେ ସବୁବେଳେ ନୁହେଁ ।କେବେ କେମିତି ପାର୍ଟିରେ ଗୋଟେ ପେଗ୍ ପିଇ ଦିଏ ।ସୁବ୍ରତର  ଉତ୍ତର ଶୁଣି ସୀମାର ମୁଣ୍ଡ ଗରମ ହୋଇଗଲା ।ସେ ଏକ୍ସକ୍ୟୁଜ୍ ମି କହି ସେଠାରୁ ଉଠି ଚାଲି ଆସିଲା ।ସେ ମଦ୍ୟପାନ ତଥା ମଦୁଆମାନଙ୍କୁ ଅତ୍ୟନ୍ତ ଘୃଣା କରୁଥିଲା ।ପୁଅ ବିଷୟରେ କିଛି ନବୁଝି ବାହାଘର ଠିକ୍ କରିଥିବାରୁ ବାବା ମାଆଙ୍କ ଉପରେ ଭୀଷଣ ବିରକ୍ତ ହେଲା ।ସେ ବାହାଘର ଭାଙ୍ଗିଗଲା ।
ତାପରେ ସୀମାର ମନକୁ ପାଇବା ପରି ଏକ ପ୍ରସ୍ତାବ ଚୂଡ଼ାନ୍ତ ହେଲା ।ସେ ମଦ ସିଗାରେଟ ଦୂରର କଥା, ଚା କଫି ମଧ୍ୟ ପିଉ ନଥିଲା ଓ ସଂପୂର୍ଣ୍ଣ ନିରାମିଷାସି ଥିଲା ।ଏଇ ବାହାଘରରେ ସୀମା ବହୁତ ଖୁସି ଥିଲା ।ତାକୁ ଲାଗୁଥିଲା ସତେକି ଆକାଶର ଚାନ୍ଦ ତା ହାତରେ ଖସି ପଡ଼ିଛି ।କିନ୍ତୁ ବାହାଘର ପରେ ତାର ସବୁ ଆନନ୍ଦରେ ଭଟ୍ଟା ପଡ଼ିଗଲା ।ସ୍ୱାମୀ ପିୟୁଷ ଅତ୍ୟନ୍ତ କ୍ଷଣକୋପି ଓ ସନ୍ଦେହୀ ଥିଲେ ।ରାଗିଗଲେ ସେ ତା ଉପରକୁ ହାତ ଉଠାଇ ଦେଉଥିଲେ ।ଅଫିସର କୌଣସି ପୁରୁଷ ସହକର୍ମୀ  ତା ସହିତ କଥା ହେଲେ ସେ ଆଦୌ ବରଦାସ୍ତ କରିପାରୁ ନଥିଲେ ।କ୍ରମେ ପିୟୁଷଙ୍କ ସହ ତାର ବୈବାହିକ ଜୀବନ ନର୍କରେ ପରିଣତ ହୋଇଗଲା ।ବର୍ଷ ଦୁଇଟା ରେ ପରସ୍ପରଙ୍କ  ସହମତିରେ ଦୁହିଁଙ୍କର ଛାଡପତ୍ର ହୋଇଗଲା ।
ଆଜି ଫେସବୁକ ରେ ସୁବ୍ରତ ସହ ତାର ସ୍ତ୍ରୀ ଓ ପୁଅକୁ ଦେଖି ସେ କ୍ଷଣକ ପାଇଁ ଅଟକି ଗଲା ।ତା ସ୍ତ୍ରୀ ଏକ ମଡେଲ ପରି ଦିଶୁଥିଲା ।ଦିନେ ସେ ତାର ସରଳ ସ୍ଵୀକାରୋକ୍ତି  କୁ ଚରିତ୍ରହୀନତା ର ଆଖ୍ୟା ଦେଇ ସେ ଆଡେ଼ଇ ଦେଇଥିଲା,ଅଥଚ ଯାହାଙ୍କୁ  ଦେବତା ଭାବି ବିବାହ କରିଥିଲା, ସେ ତା ପାଇଁ ଦାନଵ ପାଲଟି ଯାଇଥିଲେ ।ସେ ହୃଦୟଙ୍ଗମ କରୁଥିଲା, ମଦ୍ୟପାନ କରିବା ନକରିବା କିମ୍ବା ନିରାମିଷ।ସି ହେବା ନହେବା ଉପରେ କେବେହେଲେ ମଣିଷର ଚରିତ୍ର ଓ ସ୍ଵଭାଵ  ନିର୍ଭର କରେନାହିଁ ।ମମତା ମହାନ୍ତି |

Monday, May 18, 2020

ଷେଣ୍ଢ (ଷଣ୍ଢ) ର ଛୁଆ

                    ସନ୍ତୋଷ ଏକ ସରକାରୀ କାର୍ଯ୍ୟାଳୟରେ କିରାଣୀ ଚାକିରୀ କରୁଥିଲେ | ସୀମିତ ଆୟ ବ୍ୟତୀତ ତାଙ୍କର  କିଛି ଉପୁରି ମଧ୍ୟ ଥିଲା |ସେଥିରେ ସେମାନେ ଭଲରେ  ଚଳି ଯାଉଥିଲେ |ଯେଉଁଦିନ ତାଙ୍କର ଦୁଇଝିଅ ମିଲି ଓ ଜୁଲିଙ୍କ ପରେ ପୁଅଟିଏ ଜନ୍ମ ହେଲା ସେଦିନ ତାଙ୍କ ସ୍ତ୍ରୀ ରୂପା ଖୁସିରେ ଫାଟି ପଡ଼ିଥିଲେ |ଅତି ଶ୍ରଦ୍ଧାରେ ସେ ତାକୁ ଚାନ୍ଦ,ସୂରଜ ,ରାଜା,ଗୁଡୁଲୁ,କୁନୁ,ମୁନୁ,ଚୁନୁ,ସୁନୁ ଡାକୁ ଡାକୁ ଶେଷରେ  'ସୁନୁ' ନାମଟି ସ୍ଥାୟୀ ଭାବରେ ରହିଗଲା |
                   ସୁନୁ ରୂପାଙ୍କର ଅତି ପ୍ରିୟ ଥିଲା |ସେ ତାକୁ ଅନ୍ଧ ଭାବରେ ଭଲ ପାଉଥିଲେ ଓ କେବେବି ଆକଟ କରୁ ନଥିଲେ |ତାର ସବୁ ପ୍ରକାର ଦୁଷ୍ଟାମୀକୁ ସେ ତାର ପ୍ରଖର ବୁଦ୍ଧିମତ୍ତା ବୋଲି ଭାବୁଥିଲେ |ସୁନୁ ଯେତେ ଯେତେ ବଡ଼ ହେବାକୁ ଲାଗିଲା,ତାର ପାଠ କମ ,ଦୁଷ୍ଟାମୀ ଅଧିକ ହେବାରେ ଲାଗିଲା ଓ ତା ନାଆଁରେ ନିତି  ଅଭିଯୋଗ ଆସିବାକୁ ଲାଗିଲା  |ପୁତ୍ର ସ୍ନେହରେ ଅନ୍ଧ ରୂପା  ସୁନୁ ବିରୁଦ୍ଧରେ ଯେ କୌଣସି ଅଭିଯୋଗ ଶୁଣିଲେ, କ୍ରୋଧରେ ପାଗଳ ପ୍ରାୟ ହୋଇ ସୁନୁକୁ ସୁରକ୍ଷା ଦେବାକୁ ଆଗେଇ ଆସୁଥିଲେ |ସେ ଗୋଟିଏ ବାକ୍ୟ ବାରମ୍ବାର କହୁଥିଲେ,'ସେ ଷେଣ୍ଢର ଛୁଆ,ଯାହା କରିଛି,ଠିକ କରିଛି' |ସୁନୁ କୁସଙ୍ଗରେ ପଡି କ୍ରମେ ବଦଖର୍ଚ୍ଚ କରିବାରେ ଲାଗିଲା |ସେଥିପାଇଁ ସେ ରୁପାଙ୍କ ଠାରୁ ପକେଟ ମନି ନେଉଥିଲା ଓ ମଝିରେ ମଝିରେ ସନ୍ତୋଷଙ୍କ ପକେଟରୁ ମଧ୍ୟ ଟଙ୍କା ନେଇ ଯାଉଥିଲା |କେବେ କେବେ ସନ୍ତୋଷ ଜାଣିପାରି ପଚାରିଲେ,ରୂପା ପୁଅ ଦୋଷ ନିଜ ମୁଣ୍ଡ ଉପରକୁ ନେଇ ଯାଉଥିଲେ | ମିଲି ବି.ଏ.ପାଶ କରିବା ପରେ କମ୍ପ୍ୟୁଟର କୋର୍ସ କରି  ଇଣ୍ଟରଭିଉ ଦେଲା ଓ ଏକ ସରକାରୀ କାର୍ଯ୍ୟାଳୟରେ ଚାକିରୀ ପାଇଗଲା |ଶିକ୍ଷୟିତ୍ରୀ ହେବା ଲକ୍ଷ୍ୟରେ  ଜୁଲି ବି.ଏ.ପରେ ବି.ଇଡି କଲା |କିନ୍ତୁ ସୁନୁ ବାରମ୍ବାର ପରୀକ୍ଷା ଦେବା ସତ୍ତ୍ୱେ  ମାଟ୍ରିକ ପାଶ କରି ପାରୁ ନଥିଲା  |ତା ପାଇଁ ଅନେକ ଜ୍ୟୋତିଷ ଓ ପଣ୍ଡିତଙ୍କ ପରାମର୍ଶ ନେଇ ରୂପା ଅନେକ ଓଷା,ଯଜ୍ଞ ଇତ୍ୟାଦି କରିବାକୁ ଲାଗିଲେ |କ୍ରମଶଃ ଏହା ତାଙ୍କର ଏକ ଅଭ୍ୟାସରେ ପରିଣତ ହୋଇଗଲା  | ସେ ସବୁ କାମ ପଛକୁ ଫୋପାଡ଼ି ପୁଅର ଭଲ ପାଇଁ ଠାକୁର ପୂଜା ,ଓଷା ଓ ବ୍ରତରେ ସମୟ ବିତାଇବାକୁ ଲାଗିଲେ |ଶେଷରେ ସେହି ଶୁଭଦିନ ଆସିଗଲା ; ସୁନୁ ମାଟ୍ରିକ ପରୀକ୍ଷାରେ  ତୃତୀୟଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଗଲା |ତାର ପାଶ ହେବା ଖବର ଶୁଣି ଅତି ଆନନ୍ଦରେ ରୁପାଙ୍କ ଆଖିରୁ ଧାର ଧାର ଲୁହ ଝରି ପଡୁଥିଲା | ତାଙ୍କ ଡାକ ଠାକୁର ଶୁଣି ଥିବାରୁ ସେ ମନେ ମନେ ଈଶ୍ୱରଙ୍କୁ କୋଟି କୋଟି କୃତଜ୍ଞତା ଜଣାଉ ଥିଲେ |
                  ପୁଅକୁ ଇଞ୍ଜିନିୟରିଂ ପଢ଼ାଇବାକୁ ରୁପାଙ୍କର ବହୁତ ଇଛା ଥିଲା |କିନ୍ତୁ ଶିକ୍ଷା ପ୍ରତି ସୁନୁର  ଅନାଗ୍ରହ ଦେଖି ସେ ତାଙ୍କ ଇଛାକୁ ଦମନ କରି ଡୋନେସନ ଦେଇ ହେଉ ପଛକେ,ତାକୁ ଡିପ୍ଲୋମା ଇଞ୍ଜିନିୟରିଂ ପଢ଼ାଇବାକୁ ମନେ ମନେ ସ୍ଥିର କରିଥିଲେ |ଏ ବିଷୟରେ ଘରେ  ଅଧିକ ଆଲୋଚନା ହେବା  ପୂର୍ବରୁ ଦିନେ ମିଲି ତାଙ୍କ କଲୋନୀର ପ୍ରିୟବ୍ରତକୁ ବାହା ହେବ ବୋଲି ରୁପାଙ୍କୁ କହିଲା |ପ୍ରିୟବ୍ରତ ଉଚ୍ଚଶିକ୍ଷିତ ଥିଲା ଓ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲା |ସେ ସବୁବେଳେ ତାଙ୍କ ଘରକୁ ଯିବା ଆସିବା କରୁଥିଲା  ଓ ସମୟ ଅସମୟରେ ତାଙ୍କ ପାଖରେ ଛିଡା ହେଉଥିଲା |ତା ସହିତ ମିଲିର ଦୀର୍ଘ ଦିନର ସମ୍ପର୍କ କଥା ରୂପା ଭଲଭାବେ ଜାଣିଥିଲେ |କିନ୍ତୁ ମିଲି ବାହା ହୋଇଗଲେ ପୁଅର ଡୋନେସନ ଦେଇ ପାଠ ପଢାଇବାର ସ୍ୱପ୍ନ ସାର୍ଥକ ହେବନାହିଁ ଭାବି  ସେ କ୍ରୋଧରେ ଅଗ୍ନିଶର୍ମା ହୋଇ କହିଲେ,ପୁଅ ମୋର ପାଠ ପଢିବା ବେଳକୁ ତୋର ବାହା ହବାକୁ ମନ ହେଲା ?ଏଇନା ପାଞ୍ଚ ବର୍ଷ ଯାଏଁ ତୁ ବାହାଘର କଥା ଭୁଲିଯା |ଯଦିବା କେବେ ତୋ ବାହାଘର ହେବ,ଆଉ କାହା ସାଙ୍ଗରେ ହେବ,ସେ ଟୋକା ସାଙ୍ଗରେ କଦାପି ହେବନି |ମିଲି କହିଲା,ସୁନୁ ମୋ ପାଖରେ ରହି ପଢିବ,ଯାହା ଟଙ୍କା ଦରକାର ହେବ,ମୁଁ ଖର୍ଚ୍ଚ କରିବି |କିନ୍ତୁ ରୂପା  ତାଙ୍କ ମତରେ ଅଟଳ ଥିଲେ |ଏହି ଘଟଣାର ମାସକ ପରେ ଦିନେ ସୁନୁ ଧଇଁ ସଇଁ ହୋଇ ଆସି କହିଲା,ଅପା ରେଜିଷ୍ଟ୍ରି ମ୍ୟାରେଜ କରିଛି,ଏବେ ସେମାନେ ତାଙ୍କ ଘରେ ପହଞ୍ଚିଲେ  |ଏକଥା ଶୁଣି ସତେକି ରୁପାଙ୍କ ମୁଣ୍ଡରେ ଚଡ଼କ ପଡିଲା |ସେ ବାହାରକୁ ଯାଇ ଦେଖିଲେ,ପ୍ରିୟବ୍ରତ ଓ ମିଲି ଟାକ୍ସିରୁ ଓହ୍ଲାଇ ପ୍ରିୟବ୍ରତର ଘରକୁ ଯାଉଛନ୍ତି |ସଂଗେ ସଂଗେ ସନ୍ତୋଷ ଓ ରୂପା  ଦୁହେଁ ପ୍ରିୟବ୍ରତର ଘରେ ପହଂଚିଲେ |ତାଙ୍କୁ ଦେଖି ଉଭୟ ପ୍ରିୟବ୍ରତ ଓ ମିଲି ସେ ଦୁହିଁଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ |ସନ୍ତୋଷ ଓ ରୂପା ପ୍ରିୟବ୍ରତର ପିତାମାତାଙ୍କୁ କହିଲେ,ମିଲି ଆମର ବଡ଼ଝିଅ,ଆମେ ଖୁବ ଧୁମଧାମରେ ତା ବାହାଘର କରିବୁ |ଆମକୁ ଆଉ ମାତ୍ର ପନ୍ଦରଦିନ ସମୟ ଦିଅନ୍ତୁ |ସେମାନଙ୍କ କଥାରେ ବିଶ୍ୱାସ କରି ମିଲି ଘରକୁ ଫେରି ଆସିଲା |କିନ୍ତୁ ଘରକୁ ଫେରିବା ପରେ ଅସଲ ପାଲା ଆରମ୍ଭ ହୋଇଗଲା |ପ୍ରିୟବ୍ରତ ସହିତ ସମ୍ପର୍କ ତୁଟାଇ ଦେବାକୁ ରୂପା ମିଲିକୁ ବାରମ୍ବାର ବାଧ୍ୟ କଲେ |ତା ସହିତ ସମ୍ପର୍କ ନ ତୁଟାଇଲେ,ତାକୁ ଆଉ ଅଫିସ ଯିବାକୁ ଦିଆଯିବ ନାହିଁ ବୋଲି,ରୂପା ସଫା ସଫା ଶୁଣାଇଦେଲେ |ଏତିକି ନୁହେଁ,ପ୍ରିୟବ୍ରତ ଘରକୁ ଆସିଲେ,ତାକୁ ଗେଟ ପାଖରୁ ଘଉଡ଼ାଇ ଦିଆଗଲା |ଦିନେ ଯୁକ୍ତିତର୍କ ବେଳେ ସୁନୁ ରାଗିଯାଇ ମିଲିକୁ ଜୋରରେ ଏକ ଚଟକଣା ମାରିଲା |ସହଜେ ମିଲିକୁ ରାତିରେ ନିଦ ହେଉ ନଥିବାରୁ ସେ  ନିଦ ବଟିକା ଖାଇ ଶୋଉଥିଲା |ତା ଉପରେ ଏ ପ୍ରକାର ନିର୍ଯ୍ୟାତନା ତା ପାଇଁ ଅସହ୍ୟ ହୋଇଗଲା  |ଦୁଃଖ,ଶୋକ ଓ ଅନୁଶୋଚନାରେ ମ୍ରିୟମାଣ ହୋଇ  ଶେଷରେ ଏକାସାଙ୍ଗରେ ପୁଳାଏ ନିଦ ବଟିକା ଖାଇ ସେ  ଆତ୍ମହତ୍ୟା କଲା |
                   ମିଲିର  ମୃତ୍ୟୁ ଖବର ପାଇ ,ପ୍ରିୟବ୍ରତ ପାଗଳ ପରି ହୋଇ ତାଙ୍କ ଘରକୁ ଛୁଟି ଆସିଥିଲା |କିନ୍ତୁ ଗେଟ ପାଖରେ ତାକୁ ଏକ ବଡ଼ ଠେଙ୍ଗା ଦେଖାଇ ସୁନୁ ଧମକ ଦେଲା,ଆଉଦିନେ ତାର ମୁହଁ ଦେଖିଲେ,ସେ ତାକୁ ମାରି ଏମିତି ଜାଗାରେ ଫିଙ୍ଗିଦେବ,ତା ଡେଡ ବଡି କାହାକୁ ମିଳିବନି |ପ୍ରିୟବ୍ରତ ଅତି ଦୁଃଖରେ ଚାକିରୀ ଛାଡି ସବୁଦିନ ପାଇଁ କୋରାପୁଟରେ ଥିବା ତାର ମାମୁଁଘର ଗାଆଁକୁ ଚାଲିଗଲା |ଅପା ମୃତ୍ୟୁରେ ମର୍ମାହତ ଜୁଲି,ବାହା ନହୋଇ , ଚିରକୁମାରୀ ରହିବାର ପ୍ରତିଜ୍ଞା କଲା |
                    ସୁନୁ ତାଙ୍କ ଘରଠାରୁ ବହୁତ ଦୂରରେ ଥିବା ଏକ ଘରୋଇ କଲେଜରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା ପଢିବାକୁ ଗଲା |କିନ୍ତୁ ସେଠାରେ କେବଳ ବୁଲାବୁଲି କରି ସମୟ ବିତାଇ,ବର୍ଷ ଶେଷକୁ ଘରକୁ ଫେରି ଆସିଲା  |ଯେତେ ଯାହା ହେଉ ନିଜ ପୁଅ ତ !ତାକୁ କଣ ଆଉ ପର କରି ପାରିବେ ? କୁହାବୋଲା  କରି ତାକୁ ଏକ ଚତୁର୍ଥ ଶ୍ରେଣୀ ପଦବୀରେ ସନ୍ତୋଷ ରଖିଦେଲେ |ଗୋଟିଏ ବୋଲି ପୁଅ ପାଇଁ କଣ ଆଶା କରିଥିଲେ,ଆଉ କଣ ହେଲା ଭାବି ରୂପା ମନେ ମନେ ଦୁଃଖ ଶୋକରେ ଘାଣ୍ଟି ହେଉଥିଲେ  |ଦିନେ ସୁନୁ ରୁପାଙ୍କ ପାଖରେ ଜିଦ୍ଦି କରି କହିଲା,ସେ ପାଖ ବସ୍ତିର ଗୋଟିଏ ଝିଅକୁ ଭଲ ପାଉଛି,ତାକୁ ହିଁ ବାହା ହେବ |ରୂପା କହିଲେ,ଝିଅର କୁଳ ,ଗୋତ୍ର,ସାମାଜିକ ମର୍ଯ୍ୟାଦା  ଜଣା ନାହିଁ,ତୁ କେମିତି ଏ କାମ କଲୁ ?ମୁଁ ସମସ୍ତଙ୍କୁ କି ଉତ୍ତର ଦେବି ?କିନ୍ତୁ ସୁନୁର କଥା ଚୂଡାନ୍ତ ଥିଲା |ପୁଅର ମତ ପରିବର୍ତ୍ତନ କରିବା ପାଇଁ ରୂପା ଅନେକ ଗୁଣି ଗାରିଡି ର ଆଶ୍ରୟ ନେଲେ |କିନ୍ତୁ କିଛି କାଟୁ କଲା ନାହିଁ |ବାହା ହେବାପାଇଁ ସୁନୁ ପ୍ରତିଦିନ ନୂଆ ନୂଆ ବାହାନା କରି ଘରେ ଗଣ୍ଡଗୋଳ କରୁଥିବାରୁ ବାଧ୍ୟ ହୋଇ ରୂପା ଓ ସନ୍ତୋଷ  ମନ୍ଦିରରେ ସୁନୁର  ବାହାଘର କଲେ  ଓ  କିଛି ପରିଚିତ ଲୋକଙ୍କୁ ଭୋଜିଦେଇ  ନିଜ କର୍ତ୍ତବ୍ୟ ସମାପନ କଲେ |
                      କଥା ଏତିକିରେ ସରିଲା ନାହିଁ |ସୁନୁର ସ୍ତ୍ରୀ ଚାନ୍ଦିନୀ ଶାଶୁ ଶ୍ଵଶୁରଙ୍କ ପାଖରେ ରହିବାକୁ ଇଛା କରୁନଥିଲା |ସେ ସବୁବେଳେ ସୁନୁକୁ ସେଇକଥା କହୁଥିଲା |କିନ୍ତୁ ଘରୁ ବାହାରି ଅଲଗା ରହି ଖର୍ଚ୍ଚାନ୍ତ ହେବାପାଇଁ  ସୁନୁ ଚାହୁଁ ନଥିଲା |ଦିନେ ଘରେ ସନ୍ତୋଷୀ ମାତାଙ୍କ ପୂଜା ଚାଲିଥିବା ବେଳେ ସେଠାରେ ବସି ପୂଜା ଦେଖୁଥିବା ଚାନ୍ଦିନୀ ହଠାତ ଚେତା ହରାଇ ପଡିଗଲା |ସୁନୁ ତା ମୁହଁରେ ପାଣି ଛିଞ୍ଚି ଚେତା ଫେରାଇ ଆଣିବାକୁ ଚେଷ୍ଟା କରୁଥିବା ବେଳେ ସେ ମନକୁ ମନ ଉଠି ବାଉଳି ଚାଉଳି ହେଲା |ଜଣାପଡୁଥିଲା,ସତେକି ତା ଉପରେ ଭୂତ ସବାର ହୋଇଛି |ସୁନୁ ବସ୍ତି ଭିତରେ ଝଡା ଫୁଙ୍କା କରୁଥିବା ଏକ ବ୍ୟକ୍ତିଙ୍କୁ ଡାକି ଆଣିଲା |ତାଙ୍କୁ ଦେଖୁ ଦେଖୁ ଚାନ୍ଦିନୀ ମୁଣ୍ଡ ପିଟି କହିଲା,ଶାଶୁ ବୁଢ଼ୀ ଚାନ୍ଦିନୀକୁ ମାରିବାକୁ ମତେ ପଠେଇଛି |ମୁଁ ଯେମିତି ହେଲେ ତା ଜୀବନ ନେଇକି ଯିବି |ଏକଥା ଶୁଣି ନିଜେ ରୂପା ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ  |ସେ ଜାଣି ପାରିଲେ ଚାନ୍ଦିନୀ ନାଟକ କରୁଛି |କିନ୍ତୁ ସେ ତାହାକୁ ମିଥ୍ୟା ବୋଲି ପ୍ରମାଣିତ କରି ପାରିଲେ ନାହିଁ  |କାରଣ ସମସ୍ତେ ଜାଣିଥିଲେ,ରୂପା ଗୁଣି  ଗାରିଡିରେ ବିଶ୍ୱାସ କରନ୍ତି ଓ ସୁନୁର ପ୍ରେମ ସମ୍ପର୍କ ଭାଙ୍ଗିବା ପାଇଁ ସେ ଗୁଣିର ସାହାରା ନେଇଥିଲେ  |ଗୁଣିଆ ପ୍ରେତ ଛଡାଇ ଯିବାପରେ ସୁନୁ ଆଉ ସେ ଘରେ ରହିବାକୁ ରାଜି ହେଲାନାହିଁ ଓ ରୁପାଙ୍କର ସମସ୍ତ କାକୁତି ମିନତିକୁ ଆଡେଇ ଦେଇ ସେ ଚାନ୍ଦିନୀକୁ ନେଇ ଅଲଗା ରହିଲା |
                        ଏହି ଘଟଣାର ବର୍ଷକ ପରେ ରୁପାଙ୍କ ଅନୁରୋଧ କ୍ରମେ ଏକ ଛୁଟିଦିନରେ ସନ୍ତୋଷ ସୁନୁ ପାଖକୁ ଗଲେ ଓ ତାକୁ ବହୁତ ବୁଝାଇ ଘରକୁ ଫେରିବା ପାଇଁ କହିଲେ  |ସୁନୁ କହିଲା,ପୃଥିବୀ ପ୍ରଳୟ ହେଲେବି ମୁଁ ସେଠିକି ଯିବି ନାହିଁ |ତେବେ ମାଆଙ୍କ  ଅନ୍ତେ ମୁଁ ସେଠାକୁ ଯିବା କଥା ଚିନ୍ତା କରିପାରେ  |ମମତା ମହାନ୍ତି |