Tuesday, October 24, 2017

ତିନିଟି ମିନି କାହାଣୀ

                  (୧)  ସହନଶୀଳତା
                ଉମା ବାହାହୋଇ ଶାଶୁଘରକୁ ଯିବାବେଳେ ମାଆ ମାଳତୀ ତାକୁ ବୁଝାଇ କହିଥିଲେ,ଶାଶୁଘରକୁ ତୁ ଆଜିଠାରୁ ନିଜଘର ବୋଲି ଭାବିବୁ |କ୍ରୋଧକୁ ଅକ୍ରୋଧରେ,ହିଂସାକୁ ଅହିଂସାରେ,ଘୃଣାକୁ ପ୍ରେମରେ ଓ କୃପଣକୁ ଦାନରେ ସନ୍ତୁଷ୍ଟ କରିବୁ |ତାହାଲେ ତୋର ଜୟ ହେବ,ତୁ ସମସ୍ତଂକ ପ୍ରିୟ ହେବୁ |ମାଳତୀଂକ କଥା ଅକ୍ଷରେ ଅକ୍ଷରେ ମାନିଥିଲା ଉମା |ଯେ  କୌଣସି ବିଷୟରେ ନିଜ ଉତ୍ତର ରଖିବା ପୂର୍ବରୁ ସେ ଦଶଥର ଚିନ୍ତା କରୁଥିଲା |ଅଧିକାଂଶ ସମୟରେ ସେ ବିବାଦିତ ବିଷୟରେ ନୀରବ ରହିବା ଶ୍ରେୟସ୍କର ମଣୁଥିଲା |ଉମାର ପୁଅଟିଏ ହେଲା |ପୁଅ ବିଶୁକୁ ଅତି ଆଦରଯତ୍ନରେ ସେ ବଡ଼ କଲା |ପୁଅ ବାହା କଲାବେଳେ ଭାବିଲା,ବହୁତ ସହିବା ହୋଇଗଲା |ବୋହୂ ଆସିଲେ ସେ ଏଥର ନିଜର ଶାଶୁପଣିଆ ଜାହିର କରିବ |ନିଜ ମନକଥା ସେ ମାଳତୀଂକୁ କହିଲା |ମାଳତୀ କହିଲେ,ସେ ଭୁଲ ତୁ କେବେହେଲେବି କରିବୁନି ମା |ଏମିତିକି ସେ ଭାବନା ମଧ୍ୟ ତୋ ମନକୁ  ଆଣିବୁ ନାହିଁ |ଶାଶୁର ଅନ୍ୟ ଅର୍ଥ ହେଲା,'ସହନଶୀଳତା' |ବୋହୂର କଥା ତୁ ଯେତେ ସହିଯିବୁ,ସେତିକି ତାର ସ୍ନେହଶ୍ରଦ୍ଧା ପାଇବୁ,ଘରେ ସେତିକି ସୁଖଶାନ୍ତି ଆସିବ |ଉମା କହିଲା,ଇଏ କେମିତି କଥା ମା' |ବୋହୂ ହୋଇ ସହିଲି,ଏବେ ଶାଶୁ ହୋଇ ବି ସହିବାକୁ ପଡିବ ?ମାଳତୀ କହିଲେ,ସହିବାର ଆଉ ଗୋଟିଏ ଅର୍ଥ ଅଛି,ତାହାହେଲା,ସକାରାତ୍ମକ ମନୋଭାବ |ଏହା ସବୁବେଳେ ମଣିଷକୁ ଘୃଣା ବଦଳରେ ପ୍ରେମ କରିବାକୁ ଶିଖାଏ |ମଣିଷ ଯେତେବେଳେ ନକାରାତ୍ମକ ଭାବକୁ ଛାଡି ସକାରାତ୍ମକ ଭାବକୁ ଆପଣେଇ ନିଏ,ସେତେବେଳେ ସବୁ ସମସ୍ୟାର ସମାଧାନ ଆପେ ଆପେ ହୋଇଯାଏ |
                  (୨ )ମୋକ୍ଷ
                  ରାମ ଏକ ସରକାରୀ କାର୍ଯ୍ୟାଳୟରେ ରାତ୍ରୀ ଜଗୁଆଳୀ ରୂପେ କାର୍ଯ୍ୟ କରୁଥିଲା |ମୋଟା ସୋଟା ହୋଇ ସୁସ୍ଥସବଳ ଯୁବକ ଟିଏ |ଚେହେରା ଦେଖିବାକୁ ରାଜାପିଲା ପରି |ପ୍ରାୟ ପ୍ରତିଦିନ ସେ ଆମିଷ ଆହାର କରୁଥିଲା ଓ ମାଲ ପିଉଥିଲା |ସେ ଗାଡି ଚଲାଇବା ଶିଖିଥିଲା |ଉପରିସ୍ଥ ହାକିମ କେତେବେଳେ କେମିତି କହିଲେ,ତାଂକ ବ୍ୟକ୍ତିଗତ ଗାଡି ଚଲାଉଥିଲା |ଥରେ ତାଂକ କାର୍ଯ୍ୟାଳୟରେ ଜଣେ ନୈଷ୍ଠିକ ବ୍ରାହ୍ମଣ କାର୍ଯ୍ୟାଳୟ ମୁଖ୍ୟ ରୂପେ ଯୋଗଦେଲେ |ସେ ଜଣେ ପ୍ରତିଷ୍ଠିତ ସାଧୁଂକ ଠାରୁ ଦୀକ୍ଷାଗ୍ରହଣ କରି ଆମିଷ ଖାଉନଥିଲେ କିମ୍ବା  ଦେବାଦେବୀଂକୁ ପୂଜା କରୁନଥିଲେ |ରାମକୁ ସେ ଭାରି ଭଲପାଉଥିଲେ |ଯେତେବେଳେ କାର୍ଯ୍ୟାଳୟ ଡ୍ରାଇଭର ଛୁଟିରେ ଯାଉଥିଲା,ରାମ ଅଫିସ ଗାଡି ଚଲାଉ ଥିଲା |ଗାଡିରେ ଯିବାବେଳେ ଅଫିସର ତାକୁ ବିଭିନ୍ନ ଉପଦେଶ ଦିଅନ୍ତି,ଭଲମନ୍ଦ ,ପାପପୁଣ୍ୟ ବିଷୟରେ ବୁଝାନ୍ତି |ତାଂକ ସଂସ୍ପର୍ଶରେ ଆସି ରାମ ଆମିଷ ଖାଇବା ଓ ମଦ୍ୟପାନ କରିବା ଛାଡିଦେଲା |ତାପରେ ସେହି ସାଧୁଂକ ନିକଟରୁ ଦୀକ୍ଷା ମଧ୍ୟ ନେଲା |ବର୍ଷକ ଭିତରେ ରାମ ଶୁଖି କଣ୍ଚା ହୋଇଗଲା |ତାର ପୂର୍ବ ଚେହେରା କୁଆଡେ ଚାଲିଗଲା |ଘରେ ସ୍ତ୍ରୀ ଓ ପିଲାମାନେ ଆମିଷ ଖାଇବାକୁ ଯେତେ ଅନୁରୋଧ କଲେ ମଧ୍ୟ ସେ ସେମାନଂକ କଥା ଶୁଣିଲା ନାହିଁ |ଖେଳ କସରତ ଛାଡି ସେ ସେହି ବାବାଂକ ପ୍ରବଚନ ଶୁଣିବାକୁ ଭଲ ପାଉଥିଲା |ଯେତେବେଳେ ବାବା ଭୁବନେଶ୍ବର ଆସୁଥିଲେ,ସେ ସବୁକାମ ଛାଡି ତାଂକ ସେବାରେ ମଜ୍ଜି ଯାଉଥିଲା |ଥରେ ତାର ପ୍ରବଳ ଅଣ୍ଟାବିନ୍ଧା ହେଲା |ତା ସହିତ ଜ୍ବର ଲାଗି ରହିଲା |ସେ ଡାକ୍ତରଂକ ପାଖକୁ ଗଲା |ସବୁ ପରୀକ୍ଷା ନିରୀକ୍ଷା ପରେ ଜଣା ପଡିଲା,ତାକୁ ବୋନ କ୍ୟାନସର ହୋଇଛି |ଛଅମାସ ଭିତରେ ସେ ଚାଲିଗଲା ଆରପୁରକୁ |ତା ସ୍ତ୍ରୀ ରାଣୀ ଗଗନ ଫଟାଇ କାନ୍ଦିକାନ୍ଦି କହିଲା,ସେ  ଶହେ ବର୍ଷ ବଂଚିଥାନ୍ତେ , ଅଫିସରଂକ ଭୁଲ ଉପଦେଶ ଯୋଗୁଁ , ଅକାଳରେ ମରିଗଲେ   |ଅଫିସର ସବୁଶୁଣି ଶାନ୍ତ ଭାବରେ ରାଣୀକୁ  ଆଶ୍ବାସନା ଦେଇ କହିଲେ,ତୁ ବ୍ୟସ୍ତ ହୁଅନା,ରାମ ସତପଥରେ ଯାଇ ମୋକ୍ଷ ପାଇଗଲା  |
                 (୩ )ଅବ୍ୟକ୍ତ
               କହ୍ନେଇ  ଏକ ଖୋଲା ହୃଦୟର ମଣିଷ ଥିଲା |ଘରେ ତାହାର ସୋରିଷ ଫୁଟିଲେ ଅଫିସ ଲୋକେ ଜାଣି ପାରୁଥିଲେ |କାରଣ ଭଲ ହେଉ ବା ମନ୍ଦ ହେଉ,କେହି ପଚାରୁ ନପଚାରୁ ତାର ସବୁ ସୁବିଧା ଅସୁବିଧା ସେ ପ୍ରତିଦିନ ଅଫିସକୁ ଆସି ବଖାଣୁ ଥିଲା |ତାର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲେ |ଝିଅ ବଡ଼,ପୁଅ ସାନ |ଝିଅଟି ଅତ୍ୟନ୍ତ ସୁନ୍ଦରୀ |ଭଲପାତ୍ର ଦେଖି ଅତି କମ୍ ବୟସରେ ସେ ତାର ବିବାହ କରିଦେଲା |ପୁଅ ପାଇଁ ତାର ଆଦୌ ଚିନ୍ତା ନଥିଲା |ପିଲାମାନେ ଗାଁ ରେ ଥିଲେ |ସେ ମାସକରେ ଥରେ, ଦରମା ପାଇବା ପରଦିନ ଗାଁକୁ ଯାଇ ସେମାନଂକ ଭଲମନ୍ଦ ବୁଝି ଆସୁଥିଲା |ତା ଅନୁପସ୍ଥିତି ରେ ସ୍ତ୍ରୀ ରମା ବିଲକାମ ବୁଝିବା ସହ ଘରର ସମସ୍ଥ ଦାୟିତ୍ତ୍ବ ସୁଚାରୁ ରୂପେ ତୁଲାଉ  ଥିଲା |ଦିନେ ରମା ଅସୁସ୍ଥ ହୋଇ ପଡିଲା |କବିରାଜି,ହୋମିଓପାଥି,ଏଲୋପାଥି ଯେତେ ଯାହା ଔଷଧ ଖାଇଲେବି ସେ ସୁସ୍ଥ ହେଲାନାହିଁ |ମୃତ୍ୟୁ ଆସନ୍ନ  ଜାଣି ଦିନେ ରମା କହ୍ନେଇକୁ  କହିଲା,ମୁଁ ତ ମରିଯିବି |ଗୋଟିଏ କଥା ମୁଁ ତମକୁ କହିଯାଉଛି ,ଯାହାକୁ ଆଜିପର୍ଯ୍ୟନ୍ତ ନକହି ,ଲୁଚାଇ ରଖିଥିଲି  | ରମା କହ୍ନେଇର  ଅଗୋଚରରେ ଗାଁ ଲୋକଂକ ଠାରୁ  ଗହଣା ଓ ବାସନକୁସନ ବନ୍ଧାରେ ରଖି ଟଂକା ଉଧାର ଦେଉଥିଲା |ସେମାନଂକ ଭିତରୁ ପ୍ରାୟ ଅଧିକାଂଶ ଧାର ଶୁଝୁ ନଥିଲେ |ଫଳରେ ବନ୍ଧା ରଖିଥିବା ଜିନିଷ ର ମାଲିକ ରମା ହୋଇଯାଉଥିଲା |ଏହିପରି ଭାବରେ ତା ପାଖରେ ଅନେକ ସୁନାଗହଣା ଓ ବାସନକୁସନ  ଜମା ହୋଇଗଲା  |ଯେଉଁ ସିନ୍ଦୁକରେ ସେସବୁ ରଖିଥିଲା,ତାହା ସେ କହ୍ନେଇକୁ  ଦେଖାଇଲା |ଏକାସାଂଗରେ ଏତେଗୁଡାଏ  ଜିନିଷ ଦେଖି କହ୍ନେଇ  ଅବାକ ହୋଇଗଲା |କିନ୍ତୁ ଆଶ୍ଚର୍ଯ୍ୟର କଥା,ନିଜ ମନକଥା ଖୋଲି କହିଦେବା ପରେ ରମା କ୍ରମେ ସୁସ୍ଥ ହେବାରେ ଲାଗିଲା ଓ କିଛିଦିନ ଭିତରେ ସମ୍ପୂର୍ଣ୍ଣଭାବେ ରୋଗମୁକ୍ତ ହୋଇଗଲା |କିନ୍ତୁ କହ୍ନେଇ  ସବୁବେଳେ ସେହି ସୁନାଗହଣା ଓ ବାସନକୁସନ କଥା ଭାବିବାରେ ଲାଗିଲା |ସେକଥା ସେ ଅଫିସରେ କାହାକୁ କହିପାରୁ ନଥିଲା |ସବୁବେଳେ ବକରବକର ହେଉଥିବା ଲୋକଟା ହଠାତ୍ ଯେମିତି ମୂକ ପାଲଟି ଯାଇଥିଲା |କ୍ରମେ ରମାର ରୋଗ ତାକୁ ମାଡିବସିଲା ଓ ସେ ଦିନେ ସେହି ରୋଗରେ ଶେଷନିଃଶ୍ବାସ ତ୍ୟାଗ କଲା |ମମତା ମହାନ୍ତି |

No comments:

Post a Comment