Tuesday, August 16, 2016

ଜୁଆଖେଳ

               ଆକାର ଓ ଶୌର୍ଯ୍ୟ ଦୁଇ ବନ୍ଧୁ ଥିଲେ |ଦୁହେଁ ଏକା କ୍ଲାସ୍ ଓ ଏକା ସ୍କୁଲରେ ପାଠ ପଢୁଥିଲେ |ଆକାର ଭଲ ପାଠ ପଢୁଥିଲା |ଶୌର୍ଯ୍ୟ ମଧ୍ୟ ଭଲ ପଢୁଥିଲା,କିନ୍ତୁ ଆକାର ପରି ସେ କ୍ଲାସରେ ପ୍ରଥମ ହୋଇ ପାରୁ ନ ଥିଲା |ଏଇ ସାମାନ୍ୟ ଭିନ୍ନତା ସେମାନଂକ ବନ୍ଧୁତ୍ତ୍ୱ  ରେ କୌଣସି ଆଞ୍ଚ  ଆଣି ପାରି ନ ଥିଲା |ଦୁହେଁ ଏକାଠି ଖେଳୁଥିଲେ,ପାଠ ଅଭ୍ୟାସ କରୁଥିଲେ,ଏକା ଭଳି ସାର୍ଟ ,ପ୍ୟାଣ୍ଟ ପିନ୍ଧୁଥିଲେ ଓ ଏକା ଭଳି କେଶ ବିନ୍ୟାସ ମଧ୍ୟ କରୁଥିଲେ |ଏମିତି ଦେଖିବାକୁ ଗଲେ ,ଆକାର ର ପିତା ସଚିବାଳୟ ର ଜଣେ ତୃତୀୟ ଶ୍ରେଣୀ କର୍ମଚାରୀ ଥିଲେ ଓ ଶୌର୍ଯ୍ୟ ର ପିତା ଥିଲେ ଜଣେ ପ୍ରଖ୍ୟାତ ଶିଳ୍ପପତି |ଖୋଲା ହାତରେ ଖର୍ଚ୍ଚ କରିବା ପାଇଁ ଶୌର୍ଯ୍ୟ ପାଖରେ ଧନ ର ଅଭାବ ନ ଥିଲେହେଁ,ସେ ପାଠ ପଢା କୁ ବେଶୀ ଗୁରୁତ୍ତ୍ୱ  ଦେଉଥିଲା |ଯୁକ୍ତ ଦୁଇ ପରୀକ୍ଷା ରେ ଦୁହେଁ ଭଲ ନମ୍ବର ରଖି ପାଶ କରିଥିଲେ |ଏଣ୍ଟ୍ରାନ୍ସ ପରୀକ୍ଷା ରେ ଆକାର ଉଭୟ ଡାକ୍ତରୀ ଓ ଇଂଜିନିୟରିଂରେ କୃତକାର୍ଯ୍ୟ ହୋଇଥିବାବେଳେ ଶୌର୍ଯ୍ୟ କେବଳ ଇଂଜିନିୟରିଂ ରେ କୃତକାର୍ଯ୍ୟ ହୋଇଥିଲା |ଜୀବନରେ ଜଣେ ଭଲ ଡାକ୍ତର ହେବାପାଇଁ ଆକାର ର ବହୁତ ଇଚ୍ଛା ଥିଲା,କିନ୍ତୁ ସାଂଗ  ମୋହ ଛାଡି ନ ପାରି ସେ ଶୌର୍ଯ୍ୟ ସହିତ ଏକା କଲେଜରେ ଇଂଜିନିୟରିଂ ପଢିବା ପାଇଁ ନିଷ୍ପତ୍ତି ନେଲା |ଦୁହେଁ କଲେଜ ରାଜନୀତି ରୁ ଦୁରରେ ରହି ଭଲ ପାଠ ପଢୁଥିଲେ |
           କଲେଜ ର ତୃତୀୟ ବର୍ଷରେ ଆକାର ଜୀବନ କୁ ଆସିଲା ହର୍ଷିତା |ପାଠରେ ତେଜ,ଦେଖିବାକୁ ଅପ୍ସରା ପରି ଚେହେରା |ଆକାର ର ଖୁସି ର ସୀମା ନ ଥିଲା,ସତେକି ସେ ଲଟେରୀ ରେ ପ୍ରଥମ ପୁରସ୍କାର ପାଇଥିଲା |ହର୍ଷିତା ସେମାନଂକ ଠାରୁ ଦୁଇ ବର୍ଷ ଜୁନିଅର ଥିଲା |ପାଠ ପଢାରେ ତାର ଯେଉଁଠି କିଛି ଅସୁବିଧା ହେଉଥିଲା,ସେ ଆକାର ଠାରୁ ବୁଝି ଯାଉଥିଲା |ଖାଲି ସମୟ ପାଇଲେ ତିନିଜଣ ଏକାଠି ଖାଉଥିଲେ,ଖୁବ ଗପୁଥିଲେ |ଚତୁର୍ଥ ବର୍ଷରେ ଆକାର ଅନୁଭବ କଲା,କେଉଁଠି ଯେମିତି କଣ ଗଡବଡ ହୋଇ ଯାଇଛି |ଶୌର୍ଯ୍ୟ ଓ ହର୍ଷିତା ବିଭିନ୍ନ କାମର ବାହାନା ଦେଖାଇ ତା ଠାରୁ କ୍ରମେ ଦୂରେଇ ଯାଉଛନ୍ତି |ସେ ଏହାର କାରଣ ଅନୁସନ୍ଧାନ କରି ଜାଣିଲା,ହର୍ଷିତା ,ଶୌର୍ଯ୍ୟର ନିକଟତର ହୋଇଛି |ହୁଏତ ବର୍ଷକର ବନ୍ଧୁତା ଭିତରେ ସେ ଦୁହିଁକର ସାମାଜିକ ପ୍ରତିପତ୍ତି ର ତୁଳନା କରି ଆକାର ଅପେକ୍ଷା ଶୌର୍ଯ୍ୟକୁ ଅଧିକ ଯୋଗ୍ୟ ମନେ କରିଥିଲା |ଆକାର ମନେ ମନେ ଖୁବ ଆଘାତ ପାଇଲେ ବି ନିଜକୁ ସମ୍ଭାଳି ନେଇ ମନଯୋଗ  ଦେଇ ପାଠ ପଢିଲା,ବି.ଟେକ୍.ପରେ ଏମ.ବି.ଏ.କଲା |ଭଲ କମ୍ପାନୀ ରେ ଚାକିରୀ ପାଇଲା |ଏହି ସମୟ ମଧ୍ୟରେ ସେ ଜାଣିଶୁଣି ହର୍ଷିତା ଓ ଶୌର୍ଯ୍ୟ ବିଷୟରେ କୌଣସି ଖବର ରଖି ନ ଥିଲା |ସେମାନଂକ ବିଷୟରେ ଯେଉଁଠାରେ ଆଲୋଚନା ହେଉଥିଲା,ସେ ସ୍ଥାନ ଛାଡି ସେ ଚାଲି ଯାଉଥିଲା |କିନ୍ତୁ ନିଜ ମନକୁ ସେ ବୁଝାଇ ପାରୁ ନ ଥିଲା |ମନେ ମନେ ସେମାନଂକୁ ଝୁରି ହେଉଥିଲା |ଏହା ଭିତରେ କମ୍ପାନୀ ତରଫରୁ ସେ ଅନସାଇଟ ରେ ଲଣ୍ଡନ ଚାଲିଗଲା  |ତିନି ବର୍ଷ ପରେ ତାର ପ୍ରୋଜେକ୍ଟ ସରିବା ପରେ ସେ ଭାରତ ଫେରିଆସି ବାଙ୍ଗାଲୋରରେ  ତାର ମୂଳ କମ୍ପାନୀରେ ଯୋଗ ଦେଲା |ଅଫିସ ଯିବା ଆସିବା କରିବାରେ ସୁବିଧା ପାଇଁ,ସେ କାର୍ଯ୍ୟାଳୟ ପାଖାପାଖି ଏକ କୋଠରୀ ବିଶିଷ୍ଟ ଘର ଭଡାରେ ନେଇ ରହିଲା  |
             ଲଣ୍ଡନରେ ଯେତିକି ଦିନ ଥିଲା,ଗୋଟିଏ ପ୍ରକାର ଥିଲା |ଭାରତ କୁ ଫେରିଆସି ଶୌର୍ଯ୍ୟ୍ କଥା ସବୁବେଳେ ମନେପଡିଲା |ତା ମନ କହୁଥିଲା ,ଶୌର୍ଯ୍ୟ ଏଇ ବାଙ୍ଗାଲୋରରେ  ହିଁ କେଉଁଠି ଚାକିରୀ କରୁଥିବ |କାର୍ଯ୍ୟାଳୟ ରେ ଯୋଗ ଦେବାର ତୃତୀୟ ଦିନର କଥା |ସେଦିନ କାର୍ଯ୍ୟାଳୟରୁ ବିଳମ୍ବ ରେ ଫେରି ସେ ବାଲକୋନିରେ ଛିଡା ହୋଇ ବାହାରକୁ ଚାହିଁଥିଲା |ଶୌର୍ଯ୍ୟ ସହିତ ବିତାଇ ଥିବା ପିଲାଦିନର ଘଟଣା ଗୋଟି ଗୋଟି ହୋଇ ତା ଆଖି ଆଗରେ ନାଚି ଯାଉଥିଲା  ଓ ଅଧିକ ଭାବପ୍ରବଣ ହୋଇ ତା ଆଖିରୁ ଧାର ଧାର ଲୁହ ଝରି ଯାଉଥିଲା |ହଠାତ ତାର ମନେହେଲା,ତା ନାମ ଧରି କେହି ଯେପରି ଡାକୁଛି |ସେ 'ହଁ ଯାଉଛି' କହି ,ଆଖିରୁ ଲୁହ ପୋଛି  ସେଠାରୁ ଚାଲିଆସି ଦେଖିଲା,କେହି କୁଆଡେ ନାହାନ୍ତି |ମନର ଭ୍ରମ ଭାବି ସେ ପୁଣି ଫେରିଯାଇ ,ବାଲକୋନି ରେ ଛିଡା ହେଲା |ଏଥର ପୁଣି ତାକୁ ଶୁଭିଲା,'ଅକି' |ଆକାର ଡରିଗଲା |ପରମୂହୁର୍ତ୍ତରେ ମନରେ ସାହସ ବାନ୍ଧି କବାଟ ଖୋଲି ବାହାରକୁ ଚାହିଁ ଦେଖିଲା |ବାହାରେ ବାତାବରଣ ସମ୍ପୂର୍ଣ୍ଣ ଶାନ୍ତ ,କେହି କୁଆଡେ ନ ଥିଲେ |ଘରେ ବାପା ମାଆଂକ ବ୍ୟତୀତ ଶୌର୍ଯ୍ୟ ତାକୁ 'ଅକି' ନାମରେ ଡାକୁଥିଲା |ଏଇ କଣ୍ଠସ୍ୱର  ଶୌର୍ଯ୍ୟ ର ହିଁ ଥିଲା |କିନ୍ତୁ ସେ ଏଠିକି କଣ ପାଇଁ ଆସିବ |ନିଜର ଦୁର୍ବଳତା ପାଇଁ ନିଜକୁ ସେ ଧିକ୍କାର କଲା |ଏତେଦିନ ଯିଏ ତାକୁ ଭୁଲି ରହି ପାରିଲା,ସେ ଏ ଅସମୟରେ ତାକୁ ଅବା କାହିଁକି ଖୋଜିବ |ତା ମନ ଭଲ ଲାଗୁ ନ ଥିଲା,ଖାଇବାକୁ ମଧ୍ୟ ଇଛା ହେଉ ନ ଥିଲା |ଚୁପ୍ ଚାପ୍ ଆସି ସେ ବିଛଣାରେ ଲୋଟି ପଡିଲା |କିନ୍ତୁ ତା ଆଖିକୁ ନିଦ ଆସୁ ନ ଥିଲା |ଚିତ ହୋଇ ଶୋଇ ଛାତକୁ ଅନାଇ ସେ ଅନାବନା ଅନେକ କଥା ଭାବି ଯାଉଥିଲା |ହଠାତ ତାର ନଜର ଦର୍ପଣ ତଳେ ଥିବା ପିଣ୍ଡି ଉପରେ ପଡିଲା |ତାର ନିର୍ମାଣ ପ୍ରଣାଳୀ ତାକୁ କେମିତି ଅସ୍ୱାଭାବିକ ମନେ ହେଲା |ଘର ର ଉଚ୍ଚକୋଟୀ ର ସାଜସଜ୍ଜା ସହ ତାହା ଆଦୌ ଖାପ୍ ଖାଉ ନ ଥିଲା |ସେ ସେଠାକୁ ଉଠିଯାଇ ପିଣ୍ଡି ଉପରେ ହାତ ମାରିଲା |ଭଲ କରି ପରୀକ୍ଷା କରିବା ବେଳେ,ସେଥିରୁ ଖଣ୍ଡିଏ ଟାଇଲ ଭାଂଗିଯାଇ ତଳେ ପଡିଗଲା |ଭଂଗା ଅଂଶ ରୁ ପଚା ଦୁର୍ଗନ୍ଧ ବାହାରି ଘର ସାରା ଖେଳିଗଲା |ନାକରେ ରୁମାଲ ଚାପି ସେ ଆହୁରି ନିକଟକୁ ଯାଇ ଦେଖିଲା,ତା ଭିତରେ ଅଖା ବସ୍ତା ମୁହଁ ରଶିରେ ବନ୍ଧା ହୋଇ ରହିଛି |ତୁରନ୍ତ ସେ ପୋଲିସ କୁ ଖବର ଦେଲା | ଘଣ୍ଟାଏ  ପରେ ପୋଲିସ ପହଂଚିଲା |ସେମାନେ ଅଖାବସ୍ତା ଖୋଲି ଦେଖିଲା ବେଳକୁ ତା ଭିତରେ ଏକ ମୃତ ବ୍ୟକ୍ତି ର ସଢ଼ା ପଚା ଅଂଶ ବିଶେଷ |ଆହୁରି ପରୀକ୍ଷା କରିବା ପରେ ଜଣା ପଡିଲା,ଶବକୁ ଖଣ୍ଡ ଖଣ୍ଡ କରି କାଟି ,ଅଖା ଭିତରେ ରଖି ,ଉପରେ ଟାଇଲ ପଲସ୍ତରା କରା ଯାଇଛି |ଏହା ଏକ ଜଘନ୍ୟ ହତ୍ୟାକାଣ୍ଡ ଥିଲା |ପୋଲିସ ଆକାରକୁ ଜେରା କଲା |ତାକୁ କିଏ ଘରଭଡା ଦେଲା,ଘର ମାଲିକଙ୍କ ପରିଚୟ କଣ,ଇତ୍ୟାଦି ଇତ୍ୟାଦି |ବ୍ରୋକର୍ ଜରିଆରେ ଆକାର ଘରଭଡା ନେଇଥିଲା |ଘର ମାଲିକଂକୁ ସେ ପ୍ରତ୍ୟକ୍ଷ ଭାବେ ଜାଣି ନାହିଁ ,କେବଳ ତାଂକ ନାମ ଦିବ୍ୟାଂକ କୁମାର ବୋଲି ଜାଣିଛି ,ଏକଥା ବିଶଦ ଭାବେ ପୋଲିସ କୁ କହିଲା |ଦିନକ ପରେ ଆକାର କୁ ପୋଲିସ ଥାନା କୁ ଡକାଇଲା |ଆକାର ତୁରନ୍ତ ଯାଇ ଥାନାରେ ହାଜର ହେଲା |ସେଠାରେ ହର୍ଷିତାକୁ ଦେଖି ତାର ଆଶ୍ଚର୍ଯ୍ୟ ର ସୀମା ରହିଲା ନାହିଁ |ତା ସହିତ ଆଉ ଜଣେ ଯୁବକ ଥିଲା |ସେ ଥିଲା ଦିବ୍ୟାଂକ କୁମାର |ନିଜେ ହର୍ଷିତା ସବୁ ଘଟଣା ବର୍ଣ୍ଣନା କଲା |ସେ ଓ ଶୌର୍ଯ୍ୟ ଦୁହେଁ ବାଂଗାଲୋରରେ ଚାକିରୀ କରୁଥିଲେ |ପାରିବାରିକ ବିରୋଧ ସତ୍ତ୍ବେ ସେମାନେ କୋର୍ଟରେ ବିବାହ କରିଥିଲେ |ଶୌର୍ଯ୍ୟ ଥିଲା ଭାରି ସନ୍ଦେହୀ |ହର୍ଷିତା ର  ପୁରୁଷ ସହକର୍ମୀଂକ ସହ ମିଳାମିଶାକୁ ସେ ଆଦୌ ପସନ୍ଦ କରୁ ନ ଥିଲା |କଥା କଥାକେ ବିରକ୍ତ ହୋଇ ତାକୁ ମାଡ ମଧ୍ୟ ମାରୁଥିଲା |ତା ବ୍ୟବହାରରେ ଅତିଷ୍ଠ ହୋଇ ତାକୁ ଛାଢପତ୍ର ଦେବାପାଇଁ ସେ ସ୍ଥିର କରିଥିଲା |ଦିବ୍ୟାଂକ ଥିଲା ତାର ଘନିଷ୍ଠ ସହକର୍ମୀ |ଦିନେ ଅଫିସ ଛୁଟି ପରେ ଦିବ୍ୟାଂକ ତାକୁ ତାର ଘରକୁ ଡାକି ନେଇଥିଲା |ସେଠାରେ ଦୁହେଁ ଗପ ସପ ହେଉଥିବା ବେଳେ ,ସେଠାରେ ଶୌର୍ଯ୍ୟ ଝଡ ପରି ଆସି ପହଂଚି ଗଲା |ଦିବ୍ୟାଂକ କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରି ମୁଥ ପରେ ମୁଥ ମାରି ଚାଲିଲା |ଦିବ୍ୟାଂକ ଉତକ୍ଷିପ୍ତ ହୋଇ ପାଖରେ ଥିବା ଫୁଲଦାନୀରେ ତା ମୁଣ୍ଡରେ ଜୋରରେ ଆଘାତ କରିବାରୁ  ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଗଲା |ଘଟଣାକୁ ଲୁଚାଇବାକୁ ସେମାନେ ମୃତ ଦେହକୁ ଖଣ୍ଡ ଖଣ୍ଡ କରି କାଟି ଅଖାବସ୍ତାରେ ପୁରାଇ ଦେଇଥିଲେ |ଭାବିଥିଲେ ବାହାରେ ଫିଙ୍ଗି  ଦେବେ କିନ୍ତୁ ସୁବିଧା ନ ହେବାରୁ ତାକୁ ଦର୍ପଣ ତଳେ ଥିବା ପିଣ୍ଡି ରେ ଭର୍ତ୍ତି କରି ପଲସ୍ତରା କରି ଦେଇଥିଲେ |ସବୁ ଶୁଣି ଆକାର ଆଖିରୁ ଅନବରତ ଲୁହ ଝରୁଥିଲା |ସେ ଭାବୁଥିଲା,ଜୀବନସାଥୀ ଚୟନ ଏକ ଜୁଆ ଖେଳ ପରି,ଯିଏ ଜିତିଯାଏ ସେ ମାଲାମାଲ ହୋଇଯାଏ,ଆଉ ଯିଏ ହାରିଯାଏ ,ସେ ହୋଇଯାଏ ବରବାଦ |
ମମତା ମହାନ୍ତି |

No comments:

Post a Comment