Monday, October 16, 2023

ନାମ

                     ରୁଦ୍ର ତାର ମାଆଙ୍କୁ ବହୁତ ଭଲ ପାଉଥିଲା |ପାଠପଢା ,ଖେଳକୁଦ କିଣାକିଣି ବା ଯାହା  କିଛି ବି ହେଉ ତାକୁ ପ୍ରଥମେ ତାର ମାଆଙ୍କର ଭରପୁର ସମର୍ଥନ ମିଳୁଥିଲା | ଭଉଣୀ ଶ୍ରେୟା  ବାପାଙ୍କର ଗେହ୍ଲି ଥିବାବେଳେ ସେ ଥିଲା ତା ମାଆଙ୍କର ଅତି ଗେହ୍ଲା ପୁଅ |ସେହି ହିସାବରେ ତାର ଦୃଢ଼ ଆଶା  ଥିଲା, ମାଆ ନିଶ୍ଚିତ ଭାବରେ  ବାନ୍ଧବୀ ରିୟା ସହିତ ଥିବା ତାର ସମ୍ପର୍କକୁ ସ୍ୱୀକୃତି ଦେବେ |ସେଦିନ ବାପା ଅଫିସ ଓ ଶ୍ରେୟା  କଲେଜ ଯାଇଥିବା ବେଳେ ସେ ରିୟାକୁ ନେଇ ଘରକୁ ଯାଇଥିଲା |କିନ୍ତୁ ତାର ଆଶାର ବିପରୀତ ,ମାଆ ତା ସହିତ ରିୟାକୁ ଦେଖିବାକ୍ଷଣି ପ୍ରଚଣ୍ଡ କ୍ରୋଧରେ ଫାଟି ପଡି କଣ ନାହିଁ କଣ ବକି ଦେଇଗଲେ ଓ ରିୟାକୁ ସେ କେବେହେଲେ ସ୍ୱୀକାର କରିବେ ନାହିଁ ବୋଲି ପରୋକ୍ଷରେ ତାକୁ ଚେତାବନୀ ଦେଇଥିଲେ | | ମାଆଙ୍କର ଏପରି ଚଣ୍ଡୀ ରୂପ ରୁଦ୍ର ପୂର୍ବରୁ କେବେ ବି ଦେଖି ନଥିଲା | ଅନ୍ଧ ପରି ତାର ସବୁ କଥାକୁ ସମର୍ଥନ କରୁଥିବା ମାଆ କିପରି ଏତେ ନିଷ୍ଠୁର ହୋଇ ପାରିଲେ ବୋଲି ସେ ଭାବି ପାରୁ ନଥିଲା  |ମାଆଙ୍କ ଉଦାରତା ବିଷୟରେ ରିୟାକୁ ଅତୀତରେ କହିଥିବା ସବୁ  ବଡ଼ ବଡ଼ କଥା  ମୁହୂର୍ତ୍ତକେ ମିଥ୍ୟା  ପ୍ରମାଣିତ ହୋଇ ଯାଇଥିଲା  !!   ସେତେବେଳେ ତାର ଦୟନୀୟ ଅବସ୍ଥା କଥା କହିଲେ ନ ସରେ  |ସବୁଠାରୁ ବଡ଼ କଥା ହେଲା,ତାଙ୍କ କଥା ଶୁଣି ରିୟା ଏପରି ଭୟଙ୍କର ଭାବେ ରାଗି ଯାଇଥିଲା ଯେ,ସେହିଦିନ ତାଙ୍କର ବ୍ରେକଅପ ହେବା ପରି ପରିସ୍ଥିତି ଉପୁଜି  ଯାଇଥିଲା |  |କିନ୍ତୁ ଠିକଣା ସମୟରେ ରୁଦ୍ର ମାଆଙ୍କ ତରଫରୁ ରିୟାକୁ ସହସ୍ରବାର କ୍ଷମା ମାଗି ପରିସ୍ଥିତିକୁ କୌଣସିମତେ ସମ୍ଭାଳି ନେଇଥିଲା |

                 ଏହାପରେ ରୁଦ୍ର ସତର୍କ ହୋଇ ଯାଇଥିଲା  ଓ ରିୟା ସହିତ ଥିବା ତାର ସମ୍ପର୍କକୁ ସମ୍ପୂର୍ଣ୍ଣ ଗୁପ୍ତ ରଖିଥିଲା |ମାଆ ଭାବୁଥିଲେ,ପୁଅ ମୋର ସୁଧୁରି ଗଲାଣି !କିନ୍ତୁ ରୁଦ୍ରର ଭିନ୍ନ ଯୋଜନା ଥିଲା | ପଢା ଶେଷ କରି ଚାକିରୀ କରିବା କ୍ଷଣି ସେ ତା କାର୍ଯ୍ୟସ୍ଥଳୀକୁ ଚାଲି ଆସିଲା |ସେତେବେଳେ  ରିୟା ତା ପାଖକୁ ଚାଲି ଆସିଲା ଓ ଦୁହେଁ ଏକାଠି ରହିବାକୁ ଲାଗିଲେ |ମାନସିକ ଭାବେ ସେ କେବେଠାରୁ ପରିବାର ସହିତ ତାର ସମ୍ପର୍କ ଛିନ୍ନ କରି ସାରିଥିଲା | 

             ସର୍ବାଙ୍ଗ ସୁନ୍ଦରୀ  ରିୟାକୁ ବିବାହ କରିବାପରେ ରୁଦ୍ର ବହୁତ ଖୁସି ଥିଲା |ସେ ରିୟାକୁ ସାଙ୍ଗରେ ନେଇ ଯୁଆଡେ ଯାଉଥିଲା,ସମସ୍ତଙ୍କର ନଜର ରିୟା ଉପରେ ଅଟକି ଯାଉଥିଲା |ଏଥିରେ ରୁଦ୍ରର ଛାତି କୁଣ୍ଢେମୋଟ ହୋଇ ଯାଉଥିଲା |ରିୟାକୁ ସକଳ ସୁଖ ସ୍ଵାଚ୍ଛନ୍ଦ୍ୟ ଦେବାପାଇଁ ସେ ଟିକିଏ ବି କାର୍ପଣ୍ୟ କରୁ ନ ଥିଲା |

               ବର୍ଷକ ପରେ ରିୟା ଗର୍ଭବତୀ ହେଲା |ସେତେବେଳେ ସେ ଯାହା କିଛି କାମ କରୁଥିଲା,ସେତକ ବି ବନ୍ଦ ହୋଇଗଲା |ସେତେବେଳେ ରୁଦ୍ର ଘରୁ କାମ କରି ଏକୁଟିଆ ଘର ଓ ବାହାରର ସବୁ କାମ ସମ୍ଭାଳି ନେଲା |ପ୍ରସବର ଦୁଇ ମାସ ପୂର୍ବରୁ ରିୟାର ମାଆ ଆସିବାରୁ ରୁଦ୍ରକୁ ଟିକିଏ ବିଶ୍ରାମ ମିଳିଲା | ପରେ ପରେ ରିୟାର ସାନ ଭଉଣୀ ପ୍ରିୟା ମଧ୍ୟ ସେଠାକୁ ଯିବା ଆସିବା କଲା |ଏଥରକ ଘର ଟି ପ୍ରକୃତ ଘର ପରି ରୁଦ୍ରକୁ ଲାଗୁଥିଲା ଓ ସେ ବହୁତ ଖୁସି ଥିଲା  |ଯେତେବେଳେ ଡୁବୁଲୁ ସେମାନଙ୍କର ପ୍ରଥମ ପୁତ୍ର ସନ୍ତାନ ଭାବେ ଦୁନିଆଁରେ ପାଦ ରଖିଲା,ଖୁସିରେ ଆତ୍ମହରା ହୋଇ ତା  ଆଖିରୁ ଲୁହ ଝରି ପଡିଥିଲା |ସେତେବେଳେ ପ୍ରଥମ ଥର ପାଇଁ  ମାଆଙ୍କ କଥା ତାର ବହୁତ ମନେ ପଡିଥିଲା |

            ପୁଅକୁ ପ୍ରଥମ ଛଅ ମାସ କେବଳ ମାଆ କ୍ଷୀର ଦେବାପାଇଁ ଡାକ୍ତର ପରାମର୍ଶ ଦେଇଥିଲେ |କିନ୍ତୁ ନିକିମା ହୋଇ ପିଲାକୁ ବାରମ୍ବାର  କ୍ଷୀର ଖୁଆଇବା ପାଇଁ ରିୟାର ଧୈର୍ଯ୍ୟ ନଥିଲା |ବାଧ୍ୟ ହୋଇ ତାକୁ ଡବା କ୍ଷୀର ପିଆଇବାକୁ ପଡିଲା |କୌଣସିମତେ ବର୍ଷେ ବିତିଗଲା |ଏଥରକ  ପୁଅକୁ ଡେ କେୟାରରେ ଛାଡିବା ପାଇଁ ରିୟା ରୁଦ୍ରକୁ ଅନୁରୋଧ କଲା |କିନ୍ତୁ ରୁଦ୍ର ରାଜି ହେଲାନାହିଁ |ସେ କହିଲା,କର୍ମଜୀବି ମହିଳା ମାନେ ସିନା ବାଧ୍ୟବାଧ୍ୟକତାରେ ପିଲାକୁ ଡେ କେୟାରରେ ଛାଡ଼ୁଛନ୍ତି,ତମର କଣ ଅସୁବିଧା ଅଛି ?ବାସନ ମଜା,ଘର ଓଳା ପୋଛା ଓ ରୋଷେଇ କରିବା ପାଇଁ ଲୋକ ଖଞ୍ଜା ହୋଇଛନ୍ତି,କେବଳ ମାତ୍ର ପିଲାକୁ ସମ୍ଭାଳିବା କଥା,ତା ପୁଣି ତମ ନିଜ ପିଲା,ଏତକ ତମ ଦ୍ୱାରା ହୋଇ ପାରିବ ନାହିଁ ?ସେଦିନ ଏଇ କଥାକୁ ନେଇ ଦୁହିଁଙ୍କ ଭିତରେ ବହୁତ ଝଗଡା ହୋଇଥିଲା |

         ରିୟା ପାଖକୁ ଅଧିକାଂଶ ସମୟରେ ପ୍ରିୟା ଆସୁଥିଲା |ତା ସହିତ ତାର ପୁରୁଷ ବନ୍ଧୁ ପିୟୁଷ ବି ଆସୁଥିଲା |ବେଳେ ବେଳେ ପିୟୁଷ ଏକୁଟିଆ ଆସି କିଛିଦିନ ରହି ଚାଲି ଯାଉଥିଲା |ଇଚ୍ଛା ନ ଥିଲେ ବି ରୁଦ୍ର ଏହାକୁ ବିରୋଧ କରି ପାରୁନଥିଲା |ଦିନେ ଅଫିସରେ ଥିବାବେଳେ ସାମନା ଘର ପଡୋଶୀ ଫୋନ କରି କହିଲେ,ଆପଣଙ୍କ ଘର ବାହାରୁ ବନ୍ଦ ଅଛି,ଭିତରେ ପୁଅ ଅନେକ ବେଳୁ ରାହା ଧରି  କାନ୍ଦୁଛି  |ଏକଥା ଶୁଣି ରୁଦ୍ର ତୁରନ୍ତ ଘରକୁ ଛୁଟି ଆସିଲା | ବାଇକ ରଖିବାବେଳେ ସିକ୍ୟୁରିଟି କହିଲା,ମାଡାମ ତାଙ୍କ ଫ୍ରେଣ୍ଡଙ୍କ ସାଙ୍ଗରେ ଯାଇଛନ୍ତି,ଏ ପର୍ଯ୍ୟନ୍ତ ଫେରି ନାହାନ୍ତି |ତା କଥା ଶୁଣିବାକୁ ରୁଦ୍ରର ଧୈର୍ଯ୍ୟ ନଥିଲା |ସେ ତୁରନ୍ତ ଲିଫ୍ଟ ଯୋଗେ ଉପରକୁ ଚାଲିଆସିଲା |ସେତେବେଳେ ତାର ଘର ସମ୍ମୁଖରେ ଅନେକ ଲୋକ ଜମା ହୋଇଥିଲେ |ସେ ସେମାନଙ୍କୁ ନଜର ଅନ୍ଦାଜ କରି ଚାବି ଖୋଲି ଭିତରକୁ ପଶିଗଲା ଓ ଡୁବୁଲୁ କୁ ଟେକି ନେଇ ଛାତିରେ ଜାବୁଡି ଧରିଲା |ପିତାଙ୍କୁ ଦେଖି ଡୁବୁଲୁର କାନ୍ଦ ବନ୍ଦ ହୋଇ ଯାଇଥିଲା |କିନ୍ତୁ ରୁଦ୍ର ଆଖିରୁ ସେମିତି ଲୁହଧାର ଝରି ଚାଲିଥିଲା |ଏତିକିବେଳେ ତାର ନଜର ସମ୍ମୁଖସ୍ଥ ବ୍ଲାକ ବୋର୍ଡ ଉପରେ ପଡିଲା,ଯେଉଁଥିରେ ରିୟା ଦୁଇ ଧାଡି ଲେଖି ଯାଇଥିଲା ,"ମୁଁ ସବୁଦିନ ପାଇଁ ଯାଉଛି,ମତେ ଖୋଜିବାକୁ ଚେଷ୍ଟା କରିବନି" |ରୁଦ୍ରର ପିଞ୍ଜରା ଥରେଇ ଅନ୍ତର ଭିତରୁ ପ୍ରବଳ ବେଗରେ କୋହ ବାହାରି ଆସିଲା |ସେ କାନ୍ଦୁ କାନ୍ଦୁ କହିଲା,'ମାଆ ଲୋ,ତୋ କଥା ନମାନି ମୁଁ ବହୁତ ବଡ଼ ନାମ ନେଲି,ମତେ କ୍ଷମା କରିଦେ |

          ରିୟା ଯାହା ସହିତ ପଳାୟନ କରିଥିଲା,ସେ ତାର ସାନ ଭଉଣୀ ପ୍ରିୟାର ପୁରୁଷ ବନ୍ଧୁ ପିୟୁଷ ଥିଲା ବୋଲି ପରେ ଜଣା ପଡିଲା !!

          

Tuesday, October 3, 2023

ଶେଷ ତୀର

                                                                 ଶେଷ ତୀର 

                  ଅନେକ ବର୍ଷ ପରେ ପ୍ରଦର୍ଶନୀ ପଡିଆରେ ଅଚାନକ ପ୍ରଣବ ସହିତ ଶାଶ୍ୱତର ଦେଖା ହୋଇଗଲା  |ଦୁହେଁ  ସ୍କୁଲ ବେଳର ବନ୍ଧୁ ଥିଲେ | ଦ୍ୱାଦଶ ଶ୍ରେଣୀ ପରେ କ୍ୟାରିଅର ପାଇଁ ଯିଏ ଯାହା ଲକ୍ଷ୍ୟରେ ଚାଲିଗଲେ,ଏଣୁ ଏତେ ଖାସ ନଥିଲେ,ସମସ୍ତେ ସମସ୍ତଙ୍କର ଖବର ରଖିବା ସମ୍ଭବପର  ନଥିଲା   |ପ୍ରଣବ ଇଞ୍ଜିନିଅର ହୋଇଥିବାବେଳେ ଶାଶ୍ୱତ ଅଧ୍ୟାପକ ଥିଲା |ଏତେ ବର୍ଷ ପରେ ବି  ଶାଶ୍ୱତକୁ ଚିହ୍ନିବାରେ ପ୍ରଣବର ଭୁଲ ହେଲାନାହିଁ |ସେ କହିଲା,ତୁ ଯେମିତି ଥିଲୁ ଆଜିଯାଏଁ ସେମିତି ଅଛୁ,ଟିକିଏ ବି ବଦଳି ନାହୁଁ |ଶାଶ୍ୱତ ଅଳ୍ପ ହସି କହିଲା,ତୁ କିନ୍ତୁ ଆଗ ଅପେକ୍ଷା ଟିକିଏ ଝଡି ଯାଇଛୁ |ପ୍ରଣବ ଉଦାସ ହୋଇ କହିଲା,ମୋ କଥା ଜାଣୁ,ମୁଁ ସବୁବେଳେ କିଛି ନା କିଛି ଦୁଶ୍ଚିନ୍ତାରେ ଥାଏ  |ଶାଶ୍ୱତ କହିଲା,ଭଲ ଚାକିରୀ କରିଛୁ,ବାହା ହୋଇ ଆରାମରେ ଜୀବନ ବିତେଇବା କଥା,ତୋର ପୁଣି କି ଦୁଶ୍ଚିନ୍ତା  ?ନିଶ୍ଚେ ତୋ ମୁଣ୍ଡରେ କିଛି ଦୁଷ୍ଟ ବୁଦ୍ଧି ଖେଳୁଥିବ,ସତ କହିଲି ନା ? ପ୍ରଣବ ପ୍ରତିବାଦ କରି କହିଲା,ଭାରି ଗୋଟେ ବଡ଼ ଜ୍ୟୋତିଷ ପରି ବାଣୀ ଶୁଣେଇ ଦେଲା !ମୁହେଁ ମୁହେଁ କହି ମନରେ ଦୁଃଖ ଦେବା ଅଭ୍ୟାସ ତୋର ଆଜି ଯାଏଁ ଗଲା ନାହିଁ |ଶାଶ୍ୱତ ତା ହାତ ଧରି ପକେଇ କହିଲା,ଭାଇ ,ମତେ କ୍ଷମା କର,କହୁ କହୁ କହିଦେଲି |ଚାଲ,କଫି ପିଇବା |

         ଦୁହେଁ କଫି ପିଉ ପିଉ କଥା ପ୍ରସଙ୍ଗରେ ପ୍ରଣବ କହିଲା, ତୋ କଥା ଅବଶ୍ୟ କେତେକାଂଶରେ ସତ |ଚାଲ,ମୁଁ ତତେ ଗୋଟିଏ କଥା ଦେଖାଇବି |ଦୁହେଁ ଚାଲି ଚାଲି କିଛି ଦୂର ଯିବାପରେ ପ୍ରଣବ  ଶାଶ୍ୱତକୁ ଦୂରରେ ବସିଥିବା ଦୁଇଜଣ ମହିଳାଙ୍କୁ ଇଙ୍ଗିତ କରି କହିଲା,ନୀଳ ଶାଢ଼ୀ ପିନ୍ଧିଥିବା ଝିଅର ନାଁ ମିନୁ,ମାଷ୍ଟ୍ରାଣୀ ଚାକିରୀ କରୁଛି,ଆଉ ତା ପାଖରେ ଯିଏ ବସିଛନ୍ତି,ସେ ତାର ଭାଉଜ |ଶାଶ୍ୱତ ଆଶ୍ଚର୍ଯ୍ୟ ହୋଇ କହିଲା,ସେମାନଙ୍କ ସହିତ ତୋର କି ସମ୍ପର୍କ ?ପ୍ରଣବ ତାକୁ ସେଠାରୁ ନେଇଯାଇ କହିଲା,କହୁଛି ,ଶୁଣ |ମିନୁର ଭାଉଜ ମୋର ଦୂର ସମ୍ପର୍କୀୟା ଭଉଣୀ |ଇଞ୍ଜିନିଅରିଂ ପଢିବା ବେଳେ ମୁଁ ପ୍ରାୟ ବେଳେ ତାଙ୍କ ଘରକୁ ଯାଉଥିଲି |ସେତେବେଳେ  ମିନୁ  ଅଲଗା ସହରରେ ତାର ବାପା ମାଆଙ୍କ ପାଖରେ ରହି ପଢୁଥିଲା ଓ ଛୁଟିରେ କେବେ କେବେ ତା ଭାଇଭାଉଜଙ୍କ  ଘରକୁ ବୁଲି ଆସୁଥିଲା |ପ୍ରଥମ ଦେଖାରେ ମୁଁ ମିନୁ  ପ୍ରତି ଆକୃଷ୍ଟ ହୋଇ ଯାଇଥିଲି |କିନ୍ତୁ ମିନୁ ମତେ ଟିକେ ବି ଭାଉ ଦେଉ ନଥିଲା |ଦିନେ ଘରେ କେହି ନଥିବାର ସୁଯୋଗ ନେଇ ମୁଁ ତା କାନ୍ଧରେ ହାତ ରଖିଦେଲି |ବାସ,ମୁଁ ଆଉ ଯାଏ କୁଆଡେ |ଢ଼ୋ ଢ଼ୋ କରି ଦୁଇ/ଚାରି ଚଟକଣା ସେ ମୋ ଗାଲରେ କଷି ଦେଇଗଲା |ଏତିକିରେ ସନ୍ତୁଷ୍ଟ ନହୋଇ ସେ ତାର ଭାଇ ଆଗରେ ଫେରାଦ ହେଲା |ମତେ ବାଧ୍ୟ ହୋଇ କ୍ଷମା ମାଗିବାକୁ ପଡିଲା ଓ ସବୁଦିନ ଲାଗି  ଘରର କବାଟ ମୋ ପାଇଁ ବନ୍ଦ ହୋଇଗଲା |ଏତିକି ଟିକିଏ ଅପରାଧର ଏତେ ବଡ଼ ଶାସ୍ତି ମୁଁ ଆଦୌ ବରଦାସ୍ତ କରି ପାରି ନଥିଲି ଓ ତା ଉପରେ କଡା ଗଣ୍ଡା ହିସାବରେ ପ୍ରତିଶୋଧ ନେବାପାଇଁ  ସେହିଦିନ ଶପଥ ନେଇଥିଲି |

        ଶାଶ୍ୱତ ଉତ୍ସୁକ ହୋଇ ପଚାରିଲା,ତାପରେ ? ପ୍ରଣବ କହିଲା,ମିନୁ ସୁନ୍ଦରୀ ଓ ଉପାର୍ଜନକ୍ଷମ |ତାକୁ ଦେଖି ଯିଏ ନାହିଁ ସିଏ ବାହା ହେବାକୁ ରାଜି ହୋଇଯିବେ ,କିନ୍ତୁ ମୁଁ ତାହା ସମ୍ଭବ କରାଇ ଦେଉନାହିଁ |ଶାଶ୍ୱତ ଆଶ୍ଚର୍ଯ୍ୟ ହୋଇ କହିଲା,କେମିତି ?ପ୍ରଣବ ସହଜ ସ୍ୱରରେ କହିଲା,ଅତି ସିମ୍ପଲ |ପୁଅ ଘରକୁ ଫୋନ କରି ଝିଅ ମତେ ପ୍ରେମ କରୁଛି ବୋଲି କହି ଦଶ ବର୍ଷ ହେଲାଣି ମୁଁ ତାର ବାହାଘର ଭାଙ୍ଗି ଚାଲିଛି |ଶାଶ୍ୱତ ପଚାରିଲା,କିନ୍ତୁ ପୁଅ ଘର ନମ୍ବର ତତେ କେମିତି ମିଳି ଯାଉଛି ?ପ୍ରଣବ ଗର୍ବରେ କହିଲା,ଏଇ ଟିକକ ଆଗରୁ ତାର ଭାଉଜ ମୋର ଦୂର ସମ୍ପର୍କୀୟା ଭଉଣୀ ବୋଲି କହିଥିଲି ନା ?ସେ ମତେ ଆଜି ପର୍ଯ୍ୟନ୍ତ ସାହାଯ୍ୟ ଓ ସହଯୋଗ କରି ଆସିଛନ୍ତି  ଓ ଆଗକୁ କରିବେ ମଧ୍ୟ |କିନ୍ତୁ ବାରମ୍ବାର ବାହାଘର ପ୍ରସ୍ତାବ ଭାଙ୍ଗି ଯାଉ ଥିବାରୁ ମିନୁ ଆଜି ଶେଷଥର ପାଇଁ ଝିଅ ଦେଖା ପାଇଁ ରାଜି ହୋଇଛି  ଓ ଏକଥା ମଧ୍ୟ କହିଛି ଯେ,ଏଇଠି ପ୍ରସ୍ତାବ ଭାଙ୍ଗିଗଲେ ,ଆଉ ସେ ବାହା ହେବ ନାହିଁ |ବାପା କେବେଠାରୁ ଗଲେଣି ,ମାଆ ଏକୁଟିଆ |ଶାଶୁ ବୋହୂ ପଡୁ ନଥିବାରୁ ମିନୁ ତା ମାଆକୁ ପାଖରେ ରଖିଛି |ଆଗର ଫୁଟାଣି ଆଉ ନାହିଁ ,ସବୁ ଭାଙ୍ଗି ଚୁରମାର ହୋଇ ଯାଇଛି  |ତାର ଶେଷ ଇଣ୍ଟରଭିଉ ଦେବାପାଇଁ ସେ କେମିତି ବେଶରେ  ଆସିବ,ଓ ସେ ଟୋକା ସାଙ୍ଗରେ ସେ କେମିତି ମୁଖଭଙ୍ଗୀ କରି କଥା ହେବ,ତାହା ଦେଖିବାକୁ ଆଜି ଚାଲି ଆସିଲି |ଆଗପରି ଚେହେରା ନାହିଁ,ମୁହଁରେ ବୟସରେ ଛାପ ପଡ଼ିଲାଣି,କେଉଁ ହତଭାଗା ତାକୁ ରାଜି ହେବ କେଜାଣି ?ଶାଶ୍ୱତ କହିଲା,ତା ମାନେ,ଏଇଟା ତୋ ତୁଣୀରର ଶେଷ ତୀର ?ପ୍ରଣବ ଟିକିଏ ଚିନ୍ତା କରି କହିଲା,ସେଇଟା ସମୟ  କହିବ,ଏବେଠାରୁ ମୁଁ କିଛି କହି ପାରିବିନି |

         ଶାଶ୍ୱତ କହିଲା,ହଉ ତୁ ଥା,ମୁଁ  ଯାଉଛି |ପ୍ରଣବ କହିଲା,ମୁଁ ମୋ କଥା କହିଲି,ତୁ ତୋ କଥା କିଛି କହିଲୁନି ତ !ଶାଶ୍ୱତ କହିଲା,କଣ ଆଉ କହିବି ?ବଲାଙ୍ଗୀରରେ ଥିଲି,ମାସେ ହେବ ଏଠାକୁ ଆସିଛି |ପଛେ କଥା ହେବା ,ମୁଁ ଚାଲିଲି |ଯିବା ପୂର୍ବରୁ ଦୁହେଁ ଦୁହିଁଙ୍କ ଫୋନ ନମ୍ବର ମୋବାଇଲରେ ସେଭ କରିଦେଲେ |ଘଣ୍ଟାଏ /ଦୁଇଘଣ୍ଟା ଅପେକ୍ଷା କରି ପୁଅଘର ନ ଆସିବାରୁ ମିନୁ ଓ ତାର ଭାଉଜ ବିରକ୍ତ ହୋଇ ଚାଲିଗଲେ |ପରେ ପରେ ପ୍ରଣବ ମଧ୍ୟ ଚାଲିଗଲା |

          ମିନୁ ସ୍କୁଲ ଯିବାପରେ ତାର ଭାଉଜ ପ୍ରଣବ ସହିତ କଥା ହୁଅନ୍ତି |ପରଦିନ ପ୍ରଣବ ଫୋନ କରିବା ପୂର୍ବରୁ ମିନୁର ଭାଉଜ ଫୋନ କଲେ |ପ୍ରଣବ ପଚାରିଲା,ସେମାନେ କାଲି କାହିଁକି ଆସିଲେନି ?ମିନୁର ଭାଉଜ କହିଲେ,ନ ଆସିଲେ କଣ ହେଲା,ଏ ପ୍ରସ୍ତାବରେ ରାଜି ବୋଲି ୟାଙ୍କୁ କାଲି ସେମାନେ ଜଣେଇ ଦେଇଛନ୍ତି |ପନ୍ଦରଦିନ ପରେ ନିର୍ବନ୍ଧ ହେବ |ତାଙ୍କ କଥା ଶୁଣି ପ୍ରଣବ ହତବାକ ହୋଇଗଲା |ସେ କହିଲା,ତାଙ୍କ ନମ୍ବର ମତେ ଦେଇ ପାରିବ ?ସେମାନେ ଦୁଇଟା ନମ୍ବର ଦେଇଛନ୍ତି,ମୁଁ ଦୁଇଟାଯାକ ତୋ ପାଖକୁ ପଠେଇ ଦେଉଛି ,ଏହା କହି ମିନୁର ଭାଉଜ ଫୋନ କାଟିଦେଲେ  |ପ୍ରଣବକୁ ବେଶୀ ସମୟ ଅପେକ୍ଷା କରିବାକୁ ପଡିଲା ନାହିଁ,ମୋବାଇଲରେ ଟୁଂ ଆବାଜ ଶୁଣି ସେ ସଙ୍ଗେ ସଙ୍ଗେ ହ୍ୱାଟସ ଆପ ଖୋଲିଲା |କିନ୍ତୁ  ନମ୍ବର ଦୁଇଟି ଦେଖୁ ଦେଖୁ  ତା ଆଖି ଆଗରେ ଅନ୍ଧକାର ଘୋଟିଗଲା ଓ ସେ ନିରୁପାୟ ହୋଇ ମୁଣ୍ଡରେ ଦୁଇ ହାତ ଦେଇ ବସି ପଡିଲା | ଅନେକ ଆଶା ରଖି ପ୍ରସ୍ତୁତ କରିଥିବା ତାର ତୁଣୀରର ଶେଷ ତୀର ପ୍ରୟୋଗ ହେବା ପୂର୍ବରୁ ଅକାମୀ ହୋଇ ଯାଇଥିଲା  |କାରଣ,ମିନୁର ଭାଉଜ ପଠେଇଥିବା ଦୁଇଟି ନମ୍ବର ମଧ୍ୟରୁ ଗୋଟିଏ ନମ୍ବର ଶାଶ୍ୱତର ଥିଲା,ଯାହା ଆଗରେ  କାଲି ସିଏ ବିସ୍ତୃତ ଭାବରେ ତାର ପ୍ରତିଶୋଧ ନେବାର କଳା ଚିଠା ଖୋଲି ଦେଇଥିଲା !!!!(ସମାପ୍ତ) ମମତା ମହାନ୍ତି ସାମନ୍ତରାୟ