Thursday, February 24, 2022

ପିତା ପୁତ୍ର

                    ଅସମୟରେ ଶାଶୁଙ୍କ ଦେହାନ୍ତ ଖବର ଶୁଣି ଜୁହି ଯେତେ ଦୁଃଖୀ ନଥିଲା,ତା'ଠାରୁ ଅଧିକ ଦୁଃଖୀ ଥିଲା ଯେତେବେଳେ ସତ୍ୟ ସବୁଦିନପାଇଁ ଶ୍ୱଶୁରଙ୍କୁ ସେମାନଙ୍କ ପାଖକୁ ନେଇ ଆସିବାର ନିଷ୍ପତ୍ତି ତାକୁ ଶୁଣାଇଲା |ନିଷ୍ପତ୍ତି ନୁହେଁ ତ ଏହା ଜୁହି ପାଇଁ  ଏକପ୍ରକାର ଚରମବାଣୀ ଥିଲା | 

                     ଜୁହି,ସତ୍ୟ ଓ କୁନିପୁଅ ପାର୍ଥକୁ ନେଇ ସେମାନଙ୍କର ଏକ ସୁଖୀସଂସାର ଥିଲା  |ନୂଆ ବାହାହେଲାପରେ ସେମାନଙ୍କ ପାଖକୁ ଆସି ବୁଲିଯିବାପାଇଁ ଜୁହି  ଶାଶୁ ଶ୍ୱଶୁରଙ୍କୁ କେତେ ନେହୁରା ହୋଇଥିଲା |କିନ୍ତୁ ସେମାନେ ଆସିନଥିଲେ |ଏପରିକି ପାର୍ଥ ଜନ୍ମ ହେବାବେଳେବି ନୁହେଁ |ଶାଶୁ କହିଥିଲେ,ଯଦି ଆମର ସାହାଯ୍ୟ ପାଇବାକୁ ଆଶା କରୁଛ ,ତାହେଲେ ଆମ ପାଖକୁ ଆସ | ତାର ନିଜ ମାଆଙ୍କୁ ଆସିବା ପାଇଁ ସେ କହିଥିଲା |ଘରେ ଜେଜେମାଙ୍କ ଅସୁସ୍ଥତା ଯୋଗୁଁ ମାଆ କେବଳ ମାସେ ତା'ପାଖରେ ରହି ଚାଲିଗଲେ |ବାଧ୍ୟହୋଇ ଶେଷରେ ପୁଅ ପାଇଁ ତା'କୁ  ଚାକିରି  ଛାଡିବାକୁ ପଡିଥିଲା |ଏବେ କିଛିମାସ ହେବ ତାକୁ ନୂଆ ଚାକିରିରେ ଯୋଗ ଦେଇଛି |ପୁଅକୁ ପାଖରେ ଥିବା ପ୍ରି ସ୍କୁଲ କମ ଡେ କେଆରରେ ଛାଡି ସେ ଅଫିସ ଯାଏ ଓ ଫେରିବାବେଳେ ତାକୁ ନେଇ ଆସେ |ପୁଅର ଅସୁସ୍ଥତା ସମୟରେ ସେ ଛୁଟି ନେଇଯାଏ କିମ୍ବା ୱାର୍କ ଫ୍ରମ ହୋମ କରେ |ସେ ସ୍ୱାବଲମ୍ବୀ ହେବାକୁ ଚାହୁଁଥିଲା ଓ ପୁନର୍ବାର ଚାକିରି ହରାଇବାକୁ ଚାହୁଁ ନଥିଲା |ତା' ମନକଥା ଜାଣିବାପରି ସତ୍ୟ କହିଲା,ମୋ ବାପା ତମ ଉପରେ ବୋଝ ହେବେ ନାହିଁ,ତାଙ୍କ କଥା ମୁଁ ବୁଝିବି |ତମେ ତମ କାମ ଯେମିତି କରୁଛ ,ବାପା ଆସିବା ପରେ ସେମିତି କରିବ |କିନ୍ତୁ ଜୁହି ଭଲଭାବେ ଜାଣିଥିଲା,ତା'କୁ ହିଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ |ଆଉ ବି ସେ ଭଲଭାବେ ଜାଣିଥିଲା ସତ୍ୟ ଭାରି ଜିଦ୍ଦିଖୋର ,ଯାହା ଥରେ କହିଥିବ,ତା'କୁ କାର୍ଯ୍ୟରେ ପରିଣତ କରି ଦେଖେଇଦେବ | ତଥାପି ସେ ଶେଷ ଅସ୍ତ୍ର ପ୍ରୟୋଗ କରି କହିଲା,ବାପା ଏତେଦିନ ଗାଆଁରେ ରହିଲେ,ତାଙ୍କୁ କଣ ଏଇ ସହରୀ ହାୱା  ଭଲ ଲାଗିବ ?ସତ୍ୟ ବିରକ୍ତ ହୋଇ କହିଲା,ଭଲ ଲାଗୁ କି ନ ଲାଗୁ,ଅନ୍ୟମାନଙ୍କ ଭରସାରେ ମୁଁ ତାଙ୍କୁ ଏକୁଟିଆ ଛାଡି ପାରିବି ନାହିଁ | ତା'ପରେ ସେ କହିଲା,ତମେ ଆଉ ଏଥିରେ ମୁଣ୍ଡ ଖେଳାଅ ନାହିଁ,ତମେ ତମ କଥା ବୁଝ ,ମୁଁ  ମୋ'କଥା ବୁଝିବି |

                 ଶନିବାର ,ରବିବାର ଅଫିସ ଛୁଟି |ଗୁରୁବାର ଓ ଶୁକ୍ରବାର ଦୁଇଦିନ ଛୁଟି ନେଇ ସତ୍ୟ ଗାଆଁକୁ ଗଲା ଓ ରବିବାର ସନ୍ଧ୍ୟାରେ ବାପାଙ୍କୁ ଆଣି ଘରେ ପହଞ୍ଚିଗଲା  | ବାପାଙ୍କୁ ରାଜି କରି ନେଇଆସି ଥିବାରୁ.ତା' ମନ ବହୁତ ଖୁସି ଥିଲା | ସବୁଠାରୁ ବେଶି  ଖୁସି ଥିଲା,ପାର୍ଥ  |ସେ ତା' ଜେଜେଙ୍କ ପାଖ ଛାଡ଼ୁନଥିଲା |ଜୁହିକୁ କିନ୍ତୁ ଲାଗୁଥିଲା,ତା'ର ସତ୍ୟାନାଶ କରିବାପାଇଁ ଯେପରି ଏକ ବିରାଟ ଷଡଯନ୍ତ୍ରର ଆୟୋଜନ ହୋଇଛି !!

                ସତ୍ୟ ଯିବାବେଳେ ଫ୍ଲାଇଟରେ ଯାଇଥିଲା,ଫେରିବାବେଳେ ଟ୍ରେନରେ ଫେରିଥିଲା |ଦୀର୍ଘ ସମୟ ଟ୍ରେନ ଯାତ୍ରା କରି,ବାପା ବହୁତ କ୍ଲାନ୍ତ ହୋଇ ପଡ଼ିଥିଲେ |ସତ୍ୟ ବାପାଙ୍କ ପାଇଁ ନାଲି ଚା' ତିଆରି କରିବାକୁ ଜୁହିକୁ କହିଲା |ନାଲି ଚା' କଥା ଶୁଣି ଜୁହିର ଶାଶୁଙ୍କ କଥା ମନେ ପଡିଗଲା |ସେ ଅଦା ,ତେଜପତ୍ର , ଜୁଆଣି,କଳା ଲୁଣ ,ଗୁଡ଼,ଲେମ୍ବୁ ଓ କେଇବୁନ୍ଦା ଗୁଆଘିଅ  ପକାଇ ସୁସ୍ୱାଦୁ ଚା' ତିଆରି କରନ୍ତି |ଚା' ପିଇବାବେଳେ ସେ ହସି ହସି କହନ୍ତି,ବିନା ଗୁଆଘିଅରେ ନାଲି ଚା' ର ସ୍ୱାଦ ନାହିଁ |ଜୁହି ଯଥାସମ୍ଭବ ସେହିପରି ଚା' ତିଆରି କରି ଶ୍ୱଶୁରଙ୍କୁ ଦେଲା |ତାଙ୍କୁ ବୋଧେ ଭଲ ଲାଗିଲା,ସେ କହିଲେ,ଆଉ କପେ ଦେଲୁ ମା' |ଜୁହି ଖୁସିରେ ଆଉ କପେ  ଚା' ଶ୍ୱଶୁରଙ୍କୁ ଦେଲା | ରାତିରେ ଶ୍ୱଶୁର  ଆଉ କିଛି ଖାଇବାକୁ ରାଜି ହେଲେନାହିଁ,ବେଳା ବେଳି  ଶୋଇପଡିଲେ |ପରଦିନ ସୋମବାର ଥିଲା |ଶ୍ୱଶୁର  ଆସିଥିବାରୁ ଜୁହି କିଛିଦିନ ୱାର୍କ ଫ୍ରମ ହୋମ କରିବାପାଇଁ ମନସ୍ଥ କରିଥିଲା | ସକାଳ ଆଠଟାରେ ତାର ମିଟିଂ ଥିଲା |ସମସ୍ତେ ଖାଇ ସାରିବାପରେ,ପୁଅକୁ ଶୁଆଇ,ସକାଳର ବ୍ରେକଫାଷ୍ଟ ଇତ୍ୟାଦି ପାଇଁ ଯୋଗାଡ଼ କରି,ସେ ଶୋଇବାକୁ ଯିବା ବେଳକୁ ରାତି ବାରଟା ବାଜି ଯାଇଥିଲା | ବିଛଣାରେ ପଡୁ ପଡୁ ତାକୁ ଗାଢ଼ ନିଦ ଆସିଗଲା |

            ଭୋର ସାଢେ ଚାରିଟା ବେଳକୁ କିଛି ଅସ୍ୱାଭାବିକ ଶବ୍ଦ ଶୁଣି ତା'ର  ନିଦ ଭାଙ୍ଗିଗଲା |ମନର ଭ୍ରମ ଭାବି,ସେ କଡ଼ ଲେଉଟାଇ ଶୋଇବାକୁ ଚେଷ୍ଟା କଲା  |କିନ୍ତୁ ପୁଣି ଆଉଥରେ ସେହି ଶବ୍ଦ ଶୁଣି,ସେ ଉଠି ଆସି ଦେଖିଲା,ଶ୍ୱଶୁର ଏପଟ ସେପଟ ହୋଇ,ରୋଷେଇ ଘର ଆଡେ ଯାଇ ପୁଣି ଫେରି ଆସୁଛନ୍ତି |ସେ ପଚାରିଲା,ବାପା,କଣ ହୋଇଛି ?ଶ୍ୱଶୁର କହିଲେ ,ନାଇଁ କିଛି ନାହିଁ ମା',ତୁ କାହିଁକି ଉଠିଲୁ?ଯା ଶୋଇବୁ |ଜୁହି ଫେରି ଆସୁଥିଲା |କିନ୍ତୁ ତା'ର ମନେ ପଡିଲା,ଭୋରରୁ ଉଠି,ଚା' ପିଇବା ଶ୍ଵଶୁରଙ୍କ ଅଭ୍ୟାସ |ସେ ତାଙ୍କ ପାଖକୁ ଯାଇ ପଚାରିଲା,ବାପା,ଚା' ପିଇବେକି ?ଶ୍ୱଶୁର ଖୁସି ହୋଇ କହିଲେ,ହଁ,ମା' ଟିକେ ଦେ' |ଜୁହି ସାଙ୍ଗେ ସାଙ୍ଗେ ରୋଷେଇ ଘରକୁ ଯାଇ,ଚା' ତିଆରି କଲା |ଯେତେବେଳେ ସେ ଚା' କପ ଶ୍ଵଶୁରଙ୍କ ହାତକୁ ବଢ଼ାଇ ଦେଲା, ସେତେବେଳେ ତାଙ୍କ ମୁହଁରେ ଫୁଟି ଉଠୁଥିବା ପରିତୃପ୍ତିର ହସ ଦେଖି,ଅଜାଣତରେ ତା'ର ଓଠକୁ ମଧ୍ୟ ସେଇ  ହସ ସଂକ୍ରମିତ ହୋଇ ଆସିଲା  |ତା'କୁ ଲାଗୁଥିଲା,ସତେ ଯେପରି ସେ ଏକ ମହାନ କାମ କରି ଦେଇଛି !

              ସତ୍ୟ ବାପାଙ୍କୁ ଆଣିବା ପୂର୍ବରୁ ରୀତିମତ ଯୋଜନା ପ୍ରସ୍ତୁତ କରିଥିଲା |ସେଇ ଅନୁସାରେ ତାର ପ୍ରଥମ କାମ ଥିଲା,ଘରେ ରୋଷେଇଆ ରଖିବା |କିନ୍ତୁ ରୋଷେଇଆ ରଖିବା ମାନେ ଅଧିକ ତେଲ ମସଲାଯୁକ୍ତ ଅଖାଦ୍ୟ ଖାଇ ବେମାରୀକୁ ହୁଇସିଲ ମାରି ନିମନ୍ତ୍ରଣ କରିବାକୁ ପଡିବ ,ସେକଥା ସେ ଭଲଭାବେ ଜାଣିଥିଲା |ବାପା ତା'ର ସେହି ସମସ୍ୟାର ସମାଧାନ କରିଦେଲେ |ରୋଷେଇଆ ରୋଷେଇ କରିବା ବେଳେ,ସେ ତା ପାଖରେ ରହି ରୋଷେଇ କାର୍ଯ୍ୟ ତଦାରଖ କରିବା ଦାୟିତ୍ତ୍ୱ ନେଲେ  |ଦ୍ୱିତୀୟ ସମସ୍ୟା ଥିଲା,ଟିଭି |ବାପା ଟିଭିରେ ଭଜନ,କୀର୍ତ୍ତନ ଓ ପାଲା ଇତ୍ୟାଦି ଦେଖିବାକୁ ଭଲ ପାଉଥିବାରୁ ,ବାପା ରହୁଥିବା ରୁମରେ ସେ ଆଉ ଗୋଟିଏ ଟିଭି ରଖିଥିଲା |ତୃତୀୟ ସମସ୍ୟା ଥିଲା,ସେମାନଙ୍କ ପୁଅ,ପାର୍ଥ |ବାପାଙ୍କୁ ଦେଖି ସେ ଆଉ ଡେ କେଆର ଯିବାପାଇଁ ରାଜି ହେଉ ନଥିଲା |ବାପା ଏକୁଟିଆ ପାର୍ଥକୁ ସମ୍ଭାଳିବା ସହଜ ନଥିଲା | ଏ ସମସ୍ୟାର ସମାଧାନ ବାପା କରିଦେଲେ |ସେ କହିଲେ,ବାରଟାବେଳେ ପାର୍ଥର  ସ୍କୁଲ ଛୁଟି ହେବାପରେ,ସେ ତାକୁ ଘରକୁ ନେଇ ଆସିବେ |ଦୁହେଁ,ସାଙ୍ଗହୋଇ ଖାଇ ଶୋଇ ପଡିବେ |ତା'ପରେ ଆଉ ଅଳ୍ପ ସମୟର କଥା,ସେ ତାକୁ ସମ୍ଭାଳିଦେବେ |ସେଇଆ ହେଲା |ଆବଶ୍ୟକୀୟ ଔପଚାରିକତା ପରେ ବାପା ପାର୍ଥକୁ ସ୍କୁଲରୁ ଆଣିବା ଚୂଡାନ୍ତ ହେଲା |ଏଥିରେ ଉଭୟ ବାପା ଓ ପାର୍ଥ,ଦୁହେଁ ଖୁସି ଥିଲେ |

             ପ୍ରତିଦିନ  ରାତିରେ ଶୋଇବା ପୂର୍ବରୁ ଜୁହି ବାପାଙ୍କ ମୁଣ୍ଡ ପାଖରେ ଥିବା  ଟେବଲ ଉପରେ ଫ୍ଲାସ୍କରେ ଦୁଇକପ ଚା' ,ଚା' ପିଇବା ପାଇଁ କପ ,ଜଗରେ  ପିଇବାପାଣି ଓ ଗ୍ଲାସ ରଖିଦେଉଥିଲା |ବାପା ଭୋରରୁ ଉଠି ପାଣି ପିଇବା ପରେ ଚା' ପିଉଥିଲେ |ତା'ପରେ ସେ ତାଙ୍କ ନିତ୍ୟକର୍ମ ଶେଷକରି ତଳକୁ ଯାଇ ବୁଲି ଆସୁଥିଲେ | ଆଉ ରୋଷେଇଆର ବ୍ରେକଫାଷ୍ଟକୁ ଅପେକ୍ଷା ନକରି ସେ ତାଙ୍କର ପ୍ରିୟ ଛତୁଆ ,ଚୁଡା କଦଳୀ ଚକଟା ଓ କେତେବେଳେ କେମିତି ଚୁଡାଘଷା ଖାଉଥିଲେ |

               ଆମିଷ ହେଉ ବା ନିରାମିଷ,କମ ତେଲ ମସଲାଯୁକ୍ତ ଖାଦ୍ୟ ତାଙ୍କର ପସନ୍ଦ ଥିଲା |ରୋଷେଇଆକୁ ସେ ଜଗିବା ଯୋଗୁଁ,ସମସ୍ତେ ସୁଖାଦ୍ୟ ସହିତ ପୁଷ୍ଟିକର ଖାଦ୍ୟ ଖାଉଥିଲେ |ଏଥିରେ ସମସ୍ତଙ୍କ ଅପେକ୍ଷା ଜୁହି ବେଶି ଖୁସି ଥିଲା |କାରଣ ସିଏ ବି' ବାପାଙ୍କ ପରି ଅଳ୍ପ ତେଲ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ଭଲ ପାଉଥିଲା |

          ଦିନେ ସତ୍ୟର ଜଣେ ସାଙ୍ଗର ଝିଅ ଜନ୍ମଦିନ ଉପଲକ୍ଷେ ସେମାନଙ୍କୁ ଲଞ୍ଚ ପାର୍ଟି ଆଟେଣ୍ଡ କରିବାର ଥିଲା |ବାର୍ଥ ଡେ ପାର୍ଟିକୁ ବାପାଙ୍କୁ ନେଇ ଯିବାକୁ,ସତ୍ୟର ଭାରି ଇଚ୍ଛା ଥିଲା |କିନ୍ତୁ ବାପା ଯିବାପାଇଁ,ଆଦୌ ରାଜି ହେଲେ ନାହିଁ | ତେଣୁ ସତ୍ୟ ତା'ର ଯିବା ପ୍ରୋଗ୍ରାମ ବାତିଲ କରିବାକୁ ବସିଥିଲା |କିନ୍ତୁ ବାପା ବିରକ୍ତ ହୋଇ କହିଲେ,ମୁଁ ଏମିତି ଅଶାନ୍ତିରେ ରହି ପାରିବିନି,,ମତେ ନେଇ,ଗାଆଁରେ ଛାଡି ଦେଇ ଆସ |ବାଧ୍ୟ ହୋଇ ସତ୍ୟକୁ ବାପାଙ୍କ କଥାରେ ରାଜି ହେବାକୁ ପଡିଲା |ସେଦିନ ରବିବାର,ରୋଷେଇଆର ଛୁଟିଦିନ ଥିଲା |ତେଣୁ ଜୁହି ବାପାଙ୍କୁ ପଚାରି, ତାଙ୍କପାଇଁ  ପଖାଳ ଭାତ,ବଡ଼ିଚୁରା,ସଜନା ଛୁଇଁ ଆଳୁ ଭଜା  ଓ ବାଇଗଣ ଭର୍ତ୍ତା କଲା |ସତ୍ୟର ବାର୍ଥ ଡେ ପାର୍ଟିକୁ ଯିବାର ଆନନ୍ଦ ଫିକା ପଡି ଯାଇଥିଲା |କିନ୍ତୁ ଜୁହି ତାକୁ ବୁଝାଇ କହିଲା,ବାପାଙ୍କୁ ଆମ ଅନୁସାରେ ନୁହେଁ,ବରଂ ଆମକୁ ତା'ଙ୍କ ଅନୁସାରେ ଚଳିବାକୁ ପଡିବ |ମୁଁ ଭାବିଥିଲି ,ଆମ ପାଖରେ ବାପା ଖାପ ଖୁଆଇ ଚଳି ପାରିବେ ନାହିଁ |କିନ୍ତୁ ଆମ ଆଶାର ବିପରୀତ ସେ ଆମର କେଡେ କେଡେ ସମସ୍ୟାର ସମାଧାନ କରିଦେଲେ |ସିଏ ବି'ଆମକୁ ଆଦୌ ଅସୁବିଧାରେ ପକାଇବାକୁ ଚାହୁଁ ନାହାନ୍ତି |ତେଣୁ ତାଙ୍କୁ ଯାହା ଭଲ ନ ଲାଗୁଛି,ଆମେ ତାହା କରିବା ଉଚିତ ନୁହେଁ  |କିନ୍ତୁ,ଏଇଟା ଶେଷ,ଆଉ କଦାପି ବାପାଙ୍କୁ ଏକୁଟିଆ ଛାଡିବା ନାହିଁ |ସତ୍ୟ କହିଲା,ତମେ ଠିକ କହିଛ |ଏଠିକା ପରିବେଶରେ ଚଳିବା ପାଇଁ,ଆମେ ବାପାଙ୍କୁ କିଛି ସମୟ ଦେବା ଦରକାର |

     ବାର୍ଥ ଡେ ପାର୍ଟି ପାଇଁ ପାର୍ଥ କିନ୍ତୁ ବହୁତ ଖୁସି ଥିଲା |ସେମାନେ ଫେରୁ ଫେରୁ ଅପରାହ୍ନ ପାଞ୍ଚଟା ବାଜି ଯାଇଥିଲା |ଲିଫ୍ଟରେ ଉଠିବା ସମୟରେ ଏକ ସୁନ୍ଦର ପରିଚିତ ବାସ୍ନା ବାରମ୍ବାର ସେମାନଙ୍କ ନାକକୁ ଛୁଇଁ ଚାଲି ଯାଉଥିଲା |ସତ୍ୟ ଜୁହିକୁ କହିଲା,ତମକୁ ବାଦାମ ଭଜା ହେବାର ବାସନା ଆସୁଛି କି  ??ଜୁହି  ସୁଗନ୍ଧକୁ ଆଉଥରେ ଆଘ୍ରାଣ କରି କହିଲା,ହଁ,କିନ୍ତୁ ତା ସାଙ୍ଗରେ ଆଉ  କିଛି ଭଜା ହେବାର ବାସ୍ନା ବି' ଆସୁଛି  |ଏମିତି କଥା ହେବା ଭିତରେ ସେମାନେ ଘରେ ପହଞ୍ଚି ଯାଇଥିଲେ |କଲିଂ ବେଲ ଚିପିବା ପୂର୍ବରୁ ବାପା ସେମାନଙ୍କ କଥା  ଶୁଣି କବାଟ ଖୋଲି ସେମାନଙ୍କ ଆଡକୁ ସୁନ୍ଦର ହସଟିଏ ଫିଙ୍ଗି ଭିତରକୁ ଚାଲିଗଲେ |ତାଙ୍କ ପଛେ ପଛେ ସତ୍ୟ ଓ  ଜୁହି ଯାଇ ଦେଖିଲେ,ବାପା ଚୁଡା ଓ ବାଦାମ ଭାଜି ତାକୁ ଡବାରେ ପୁରାଉଛନ୍ତି !!ତାଙ୍କର ଏପରି କାର୍ଯ୍ୟକଳାପ ଦେଖି ଦୁହିଁଙ୍କର ଆଶ୍ଚର୍ଯ୍ୟର ସୀମା ନଥିଲା |ସତ୍ୟ ରାଗିଯାଇ କହିଲା,ବାପା,ଆମେ ଘରେ ନାହୁଁ,ତମେ ଗ୍ୟାସ ଜଳେଇ ଏତେ କାଣ୍ଡ କରି ସାରିଲଣି ??ଯଦି କିଛି ଅସୁବିଧା ହୋଇଥାନ୍ତା,ତା'ହେଲେ ?ବାପା ନିର୍ବିକାର ହୋଇ କହିଲେ,କିଛି ହୋଇ ନଥାନ୍ତା |ତୁ କଣ ଭାବୁଛୁ,ମୁଁ ଗ୍ୟାସରେ ନୂଆ ରାନ୍ଧୁଛି ??ଗାଆଁରେ ଗ୍ୟାସରେ କିଏ ରୋଷେଇ କରେ ?ତୋ ବୋଉକୁ ଭୟ ଲାଗେ ବୋଲି, ଗ୍ୟାସ ରୋଷେଇ ତକ ମୁଁ କରେ |ତମେ ଆସିଲେ,ମୁଁ ରୋଷେଇରେ ହାତ ଦିଏନା |ସେଇଥିପାଇଁ ତୁ ଭାବୁଛୁ ମୁଁ ଅନାଡ଼ି ,ମତେ କିଛି ଆସେନି |ମନେ ରଖିଥା,ଭଲ ଖାଇବା ଲୋକ ହିଁ ଭଲ ରାନ୍ଧିପାରେ | ସତ୍ୟ କହିଲା,କିନ୍ତୁ ତମେ ଏଇଠି ଏସବୁ  କରିବା କଣ ଦରକାର ଥିଲା ?ଜୁହି ତ ୟାକୁ କରିପାରିଥାନ୍ତା !ବାପା କହିଲେ,ଜୁହି ଥରେ କରିଥିଲା |କିନ୍ତୁ ତରତର ହୋଇ ବୋଧେ କରିଥିଲା,ମୁଡୁ ମୁଡୁ ଲାଗୁନଥିଲା |ଏବେ ଚାଖିକରି,କେମିତି ଲାଗୁଛି କହ |ତିନିଜଣ ଯାକ ମୁଠାଏ ମୁଠାଏ ଭଜା ନେଇ ପାଟିରେ ପକେଇଲେ |ପ୍ରକୃତରେ ଜୁହି ଭାଜିଥିବା ଚୁଡା ବାଦାମ ଭଜା,ଓ ବାପା ଭାଜିଥିବା ଚୁଡା ବାଦାମ ଭଜା ଭିତରେ ଆକାଶ ପାତାଳ ପାର୍ଥକ୍ୟ ଥିଲା |ସତ୍ୟ ଗର୍ବିତ ହୋଇ ଜୁହିକୁ ଚାହିଁଲା |

                 ଜୁହି ହସି ହସି କହିଲା,ବାପା,ପ୍ରକୃତରେ ଆପଣଙ୍କର ତୁଳନା ନାହିଁ |କିନ୍ତୁ ସତ କୁହନ୍ତୁ,ଆପଣ ଏଇଥିପାଇଁ ବାହାନା କରି,ଘରେ ରହିଥିଲେ ନା ?ବାପା ହସିକରି କହିଲେ,ହଁ |ତା'ନହେଲେ ତମେମାନେ କଣ ମତେ ରୋଷେଇଘରେ ପୁରେଇ ଦେଇଥାଆନ୍ତ ?ବାପାଙ୍କ କଥା ଶୁଣି ସତ୍ୟ ମୁଣ୍ଡରେ ହାତ ଦେଲା | 

            

         

            

           

                  

                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                             

No comments:

Post a Comment