ଅନେକ ବର୍ଷ ତଳେ ରାଜଧାନୀ ଠାରୁ ବେଶ କିଛି ଦୂରରେ ଥିବା,ମଧୁପୁର ଏକ ଅପନ୍ତରା ଗାଆଁ ଥିଲା |ସେତେବେଳେ ଗମନାଗମନର ସୁବିଧା ନଥିଲା ଓ ଜମିର ମୂଲ୍ୟ ବହୁତ କମ ଥିଲା | ଅନେକ ପ୍ରକାର ବ୍ୟବସାୟ କରି ,ସେଥିରେ ତିଷ୍ଠି ନପାରି କୌଣସି କାରଣ ବଶତଃ ବିପତ୍ନୀକ ଗୋପାଳବାବୁ ମଧୁପୁରକୁ ଆସିଥିଲେ |ସେହି ଗାଆଁ ତାଙ୍କୁ ବହୁତ ଭଲ ଲାଗିଥିଲା |ସେ ସେଠାରେ ପାଞ୍ଚଗୁଣ୍ଠ ଜମି କିଣି ଘର କରିଥିଲେ ଓ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ, ଘର ସାମ୍ନାରେ 'ଅନ୍ନପୂର୍ଣ୍ଣା ଷ୍ଟୋର' ନାମରେ ଏକ ତେଜରାତି ଦୋକାନ କରିଥିଲେ |
ତାଙ୍କ ତେଜରାତି ଦୋକାନର ଏକ ବିଶେଷତ୍ତ୍ୱ ଥିଲା |ତାହା ହେଲା, ଦିନ ହେଉ ବା ରାତି ହେଉ ,ଗ୍ରାହକ ଯେ କୌଣସି ସମୟରେ ଆସି ତାଙ୍କ ଦୋକାନରୁ ଆବଶ୍ୟକୀୟ ସାମଗ୍ରୀ କିଣି ପାରୁଥିଲା |ରାତିରେ ଗୋପାଳବାବୁ ଶୋଇ ପଡ଼ିଥିଲେ ବି କବାଟରେ ମୃଦୁ ଆଘାତ ଶୁଣିଲେ,ସାଙ୍ଗେ ସାଙ୍ଗେ ନିଦରୁ ଉଠି ଜିନିଷ ଦେବାରେ ତାଙ୍କର କୌଣସି ଆପତ୍ତି ନଥିଲା | ସେ ଗ୍ରାହକଙ୍କ ମନ ବୁଝି,ଚା' ,ବିସ୍କୁଟଠାରୁ ଆରମ୍ଭ କରି ବିଡ଼ି ସିଗାରେଟ ପର୍ଯ୍ୟନ୍ତ ସବୁକିଛି ତାଙ୍କ ଦୋକାନରେ ରଖୁଥିଲେ |କେବେ କେଉଁ ଜିନିଷ ନାହିଁ ବୋଲି ସେ କହୁନଥିଲେ |ବରଂ କହୁଥିଲେ, ସରିଯାଇଛି,କାଲି ଆଣିବି |ସତକୁ ସତ ସେ ସେହି ଜିନିଷ ସେ ସେହିଦିନ ଆଣି ତା ପରଦିନ ଗ୍ରାହକଙ୍କୁ ଯୋଗାଇ ଦେଉଥିଲେ |ଏଥିପାଇଁ ଆଖପାଖ ଅଞ୍ଚଳରେ ସେ ବହୁତ ଲୋକପ୍ରିୟ ଥିଲେ |
ଇତି ମଧ୍ୟରେ ରାଜଧାନୀର କଳେବର ବୃଦ୍ଧି ପାଇଲା ଓ ତାହା କ୍ରମେ ମଧୁପୁର ଓ ତାର ଆଖପାଖ ଗାଆଁକୁ ବ୍ୟାପିଗଲା |ଚତୁର ସହରୀ ଲୋକେ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେଠାରେ ଜମି କିଣିବାକୁ ଲାଗିଲେ | ବିଲ୍ଡର ମାନେ ସିମ୍ପ୍ଲେକ୍ସ,ଡୁପ୍ଲେକ୍ସ,ଓ ଆପାର୍ଟମେଣ୍ଟ ଆଦି ତିଆରି କରି ଆଗ୍ରହୀ ଲୋକଙ୍କୁ ବିକ୍ରୀ କରିବାକୁ ଲାଗିଲେ |ମୋଟ ଉପରେ କହିବାକୁ ଗଲେ,ଅତି ଦ୍ରୁତ ଗତିରେ ମଧୁପୁର ଗାଆଁର ସହରୀକରଣ ହେବାରେ ଲାଗିଥିଲା ଓ ଗାଆଁ ଲୋକଙ୍କ ଭାଗ୍ୟ ଖୋଲି ଯାଇଥିଲା |ସୌଭାଗ୍ୟ କ୍ରମେ ଗୋପାଳବାବୁ ରହୁଥିବା ଆଖପାଖ ଅଞ୍ଚଳରେ ବିଲ୍ଡର ମାନଙ୍କ ଦ୍ୱାରା ଗୃହ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଗଲା ଓ ତାଙ୍କ ଘର ଆଗ ଦେଇ ଯାଉଥିବା ସଂକୀର୍ଣ୍ଣ ଗୋଡି ମାଟି ରାସ୍ତାଟି ବେଶ ପ୍ରଶସ୍ତ ଓ ଉନ୍ନତ ମାନର ହୋଇଗଲା |ସେଠାରେ ଗୋପାଳବାବୁଙ୍କର ଏକମାତ୍ର ଦୋକାନ ଥିବାରୁ ଓ ଗ୍ରାହକମାନଙ୍କର ମନ ବୁଝିବାର କଳା ତାଙ୍କୁ ଜଣା ଥିବାରୁ,ତାଙ୍କ ଦୋକାନର କାଟତି ବେଶ ବଢ଼ିଗଲା |
ଗୃହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକମାନେ ଭୋରରୁ ଉଠି ସେମାନଙ୍କ ନିତ୍ୟକର୍ମ ଶେଷ କରି ଗୋପାଳବାବୁଙ୍କ ଦୋକାନରୁ ଚା' ବିସ୍କୁଟ ଖାଉଥିଲେ |ସେମାନଙ୍କର ବିଡ଼ି ଇତ୍ୟାଦି ଯେତେବେଳେ ଯାହା ଦରକାର ହେଉଥିଲା,ସବୁ ଗୋପାଳବାବୁଙ୍କ ଦୋକାନରୁ ମିଳି ଯାଉଥିଲା |ଗୋପାଳବାବୁଙ୍କ ଏକମାତ୍ର ପୁଅ ବରୁଣ ବି.କମ ପାଶ କରି ଏମ.ବି.ଏ. କରିଥିଲା |ବେପାର ବଢ଼ିବାରୁ ସେ ଆଉ ଚାକିରୀ ପ୍ରତି ମନ ନବଳାଇ,ତାର ବାପାଙ୍କୁ ସାହାଯ୍ୟ କରୁଥିଲା |ହାତରେ ଭଲ ପଇସା ହେବାରୁ,ଗୋପାଳବାବୁ ଵନ୍ଦନା ନାମ୍ନୀ ଏକ ସୁନ୍ଦରୀ ଝିଅ ସହିତ ବରୁଣର ବିବାହ କରିଦେଲେ |
ବନ୍ଦନା ଯେପରି ସୁନ୍ଦରୀ ସେପରି ଗୁଣବତୀ ଥିଲା |ମାସ କେଇଟା ଭିତରେ ସେ ଘରକୁ ଲକ୍ଷ୍ମୀନିବାସରେ ପରିଣତ କରିଦେଲା |ଘରର ସବୁକାମ କରିବା ସହିତ,ବାପପୁଅ ଦୋକାନରେ ନଥିବା ବେଳେ ସେ ଦୋକାନ ସମ୍ଭାଳୁ ଥିଲା |ଦରକାର ପଡିଲେ, ନିଜ ସ୍କୁଟି ନେଇ ନିକଟସ୍ଥ ହାଟରୁ ଘରପାଇଁ ଜିନିଷ କିଣି ଆଣୁଥିଲା | ଖାଲି ଏତିକି ନୁହେଁ,ବିଭିନ୍ନ ସମୟରେ ଆସୁଥିବା ଝଡ଼ ,ବାତ୍ୟା ସମୟରେ,ସେହି ଅଞ୍ଚଳରେ ରହୁଥିବା ବୟସ୍କ ନାଗରିକଙ୍କ ଘରକୁ ଯାଇ ସେମାନଙ୍କର ଯାହା ଦରକାର ପଚାରି,ସ୍କୁଟି ଯୋଗେଁ ନିଜେ ନେଇ ଘରେ ଦେଇ ଆସୁଥିଲା |
'ଅନ୍ନପୂର୍ଣ୍ଣା ଷ୍ଟୋର'ରେ ମହିଳାମାନେ ବ୍ୟବହାର କରୁଥିବା ସାମଗ୍ରୀ ନଥିବାରୁ ବନ୍ଦନା ଏକ ଲେଡ଼ିଜ କର୍ଣ୍ଣର ଖୋଲିବାକୁ ମନସ୍ଥ କଲା |ନିଜ ମନକଥା ଗୋପାଳବାବୁଙ୍କୁ କହିବାରୁ ସେ ସଙ୍ଗେ ସଙ୍ଗେ ରାଜି ହୋଇଗଲେ |ଲେଡ଼ିଜ କର୍ଣ୍ଣରରେ ଶାଢ଼ୀ,ଶାୟା,ବ୍ଲାଉଜ,ଚୁଡ଼ି ଓ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ସହିତ ଯେତେବେଳେ ଯାହାର ଯାହା ଦରକାର ହେଉଥିଲା,ସବୁ ଆଣି ବନ୍ଦନା ତା ଦୋକାନରେ ରଖୁଥିଲା |କିଛି ମାସ ଭିତରେ ତାର 'ବନ୍ଦନା ଲେଡ଼ିଜ କର୍ଣ୍ଣର"କୁମାରୀ ଓ ବିବାହିତା ମହିଳା ମାନଙ୍କର ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଗଲା |ଇତି ମଧ୍ୟରେ ବରୁଣ ଏକ ଲୋଭନୀୟ ଚାକିରୀ ପାଇଯିବାରୁ, ଚାକିରୀ କରିବା ପାଇଁ ସେ ରାଜ୍ୟ ବାହାରକୁ ଚାଲିଗଲା |
ମଧୁପୁର ଗାଆଁର ଅଧିକାଂଶ ଲୋକ ମୂଲ୍ୟବାନ ଜମି ବିକି କୋଟିପତି ହୋଇ ବିଳାସବ୍ୟସନରେ ମାତିଥିଲେ |ଭବିଷ୍ୟତ ପ୍ରତି ତାଙ୍କର ଆଦୌ ଦୃଷ୍ଟି ନଥିଲା |ସେମାନଙ୍କର ଆଖି ଖୋଲିଲା ବେଳକୁ ଗୋପାଳବାବୁ ବହୁତ ଆଗେଇ ଯାଇଥିଲେ |ଜଣେ ପରଦେଶୀ ଆସି ତାଙ୍କ ଗାଆଁରେ ସାମ୍ରାଜ୍ୟ ବିସ୍ତାର କରିବ,ଏକଥା ସେମାନଙ୍କୁ ଭଲ ଲାଗିଲାନାହିଁ |ତେଣୁ ସେମାନେ ନାନା ଉପାୟରେ ଗୋପାଳବାବୁଙ୍କୁ ହଇରାଣ କରିବାକୁ ଲାଗିଲେ |
ଗୋପାଳବାବୁ ଯାହାଙ୍କ ଠାରୁ ଜମି କିଣିଥିଲେ,ତାଙ୍କ ନାତି ଦିନେ ଆସି ତାଙ୍କୁ କହିଲା,ଆପଣ ମୋ ଜେଜେଙ୍କୁ ଠକି ମୂଲ୍ୟବାନ ଜମି ହାତେଇଛନ୍ତି |ତେଣୁ କ୍ଷତି ପୂରଣ ବାବଦକୁ ମତେ ଏତିକି ଲକ୍ଷ ଦିଅନ୍ତୁ |ସେମାନଙ୍କ ଅଗ୍ରଗତିରେ ଅତିଷ୍ଠ ହୋଇ,ସୂର୍ଯ୍ୟ ଓ ଭୀମ ନାମକ ଦୁଇଜଣ ବ୍ୟକ୍ତି ଗୋପାଳବାବୁଙ୍କ ଘର ସାମ୍ନାରେ,ସେମାନଙ୍କ ଯିବା ଆସିବା ବାଟରେ ବେଆଇନ ଭାବେ ଦୁଇଟି କ୍ୟାବିନ ପକାଇ ତାଙ୍କ ଜିନିଷ ବିକ୍ରି କଲେ |କେବଳ ଏତିକି ନୁହେଁ, ସେମାନେ ବନ୍ଦନାକୁ ଅଶ୍ଳୀଳ ଇଙ୍ଗିତ କରିବା ସଙ୍ଗେ ସଙ୍ଗେ ସେ ତାର ସ୍କୁଟିରେ ଏକୁଟିଆ ଦୋକାନ ବଜାର ବୁଲି,ଜିନିଷ ନେବା ଆଣିବା କରୁଥିବାରୁ ତାକୁ ଦୋଚାରୁଣୀ ବୋଲି କହିବାକୁ ପଛେଇଲେ ନାହିଁ |ବ୍ୟବସାୟରେ ଏମିତି ଶତ୍ରୁ ଉତ୍ପନ୍ନ ହୁଅନ୍ତି ବୋଲି ବନ୍ଦନା ଜାଣିଥିଲା |ତେଣୁ ସେ ସେମାନଙ୍କ କଥା ନଶୁଣି କେବଳ ନିଜ କାମରେ ମନ ଦେଉଥିଲା ଓ ତା ଦୋକାନରେ କେବଳ ଲାଭ ହିଁ ଲାଭ ଚାଲିଥିଲା |
ଚାକିରୀ କରିବାର ଦୁଇମାସ ପରେ ବରୁଣ ଆସିଲା |କିଛିଦିନ ତା ସହିତ ସମୟ କାଟିବା ପାଇଁ,ବନ୍ଦନାର ବହୁତ ଇଛା ହେଲା |ସେ ଗୋପାଳବାବୁଙ୍କ ଅନୁମତି ନେଇ ତା ସାଙ୍ଗରେ ଦିଲ୍ଲୀ ବୁଲିବାକୁ ଗଲା |ବନ୍ଦନା ଘରର ସବୁକାମ ସମ୍ଭାଳୁ ଥିଲା |ତେଣୁ ସେ ଯିବାପରେ ଗୋପାଳବାବୁ ବେଶ ହଇରାଣ ହେଲେହେଁ,'ମାଆ ମୋର ବହୁତ ଖଟୁଥିଲା ,ଟିକେ ବୁଲି ଆସିଲେ ଭଲ' ଭାବି ଯେନ ତେନ ପ୍ରକାରେଣ ସବୁ ଚଳେଇ ନେଲେ |
ବନ୍ଦନା ଯିବାର ସପ୍ତାହେ ହୋଇନି, ଭୀମର ଦୁଷ୍ଟବୁଦ୍ଧି ଆରମ୍ଭ ହୋଇଗଲା |ସେ ହାତରେ ବିଧା ମାରି ସୂର୍ଯ୍ୟକୁ କହିଲା,ଦେଖ ମୁଁ କାଲି ଏମିତି କାମ କରିବି ଯେ ବୁଢ଼ା ସନ୍ଧ୍ୟା ସୁଦ୍ଧା ଆଉ ଏଇଠି ନଥିବ |ସତକୁ ସତ ପରଦିନ ସକାଳେ ଚାରିଆଡେ ଚାଞ୍ଚଲ୍ୟ ଖେଳିଗଲା ଯେ ଗୋପାଳବାବୁ କାଳେ ଜଣେ ଦଶ ବର୍ଷର ଝିଅକୁ ଚକଲେଟ ଲୋଭ ଦେଖାଇ ବଳାତ୍କାର ଉଦ୍ୟମ କରୁଥିବା ବେଳେ ଧରାପଡ଼ିଛନ୍ତି | ସ୍ଥାନୀୟ ଲୋକେ ଗୋପାଳବାବୁଙ୍କ ଦୋକାନ ଆଗରେ ଏକାଠି ହୋଇ ପ୍ରବଳ ପାଟିତୁଣ୍ଡ କଲେ ଓ ସନ୍ଧ୍ୟା ସୁଦ୍ଧା ଦୋକାନ ବନ୍ଦ କରି ଚାଲିଯିବାପାଇଁ ତାଙ୍କୁ ଚରମ ଚେତାବନୀ ଦେଲେ |ଏହା ସହିତ ବୁଢାର ବୋହୂ ସହିତ ଅନୈତିକ ସମ୍ପର୍କ ଥିବା କଥା ମଧ୍ୟ ବହୁଳ ଭାବେ ପ୍ରଚାରିତ ହେଲା |ଘଟଣାକୁ ଅଧିକାଂଶ ଲୋକ ବିଶ୍ୱାସ କଲେ ଓ ଗୋପାଳବାବୁଙ୍କୁ କୁଭାଷା କହି ଛିଃଛାକର କରିବାକୁ ଲାଗିଲେ |ଯେତେବେଳେ ଟେକା ପଥର ପକେଇ ସେମାନେ ଦୋକାନ ଭଙ୍ଗାରୁଜା କରିବାକୁ ଆସିଲେ, ଗୋପାଳବାବୁ କବାଟ ବନ୍ଦକରି,ଘର ଭିତରେ କାନ୍ଦି କାନ୍ଦି ରହିଲେ |
ଖବର ପାଇ ବରୁଣ ଓ ବନ୍ଦନା ତତ୍କ୍ଷଣାତ ଫ୍ଲାଇଟ ଯୋଗେ ଆସି ପହଞ୍ଚିଲେ |ସବୁକଥା ଶୁଣି ବନ୍ଦନା କହିଲା,ମୁଁ ମୋ ବାବାଙ୍କୁ ଭଲ ଭାବେ ଜାଣିଛି |ତାଙ୍କୁ ଅନ୍ୟାୟ ଭାବରେ ଫସେଇ ଦିଆଯାଇଛି |ସେ କାହାରିକୁ ଭୃକ୍ଷେପ ନକରି ସାହସର ସହିତ ନିଜେ ଅନୁସନ୍ଧାନ କରି ଜାଣିଲା,ଏସବୁ ଭୀମର ଷଡଯନ୍ତ୍ର |ସେ ଉଦ୍ଦେଶ୍ୟମୂଳକ ଭାବରେ ଝିଅଟିକୁ ଗୋପାଳବାବୁଙ୍କ ଦୋକାନକୁ ପଠେଇ ତା ମୁହଁରେ ମିଛକଥା କୁହାଇଛି |
ଲଜ୍ଜା ଅପମାନରେ ବନ୍ଦନା ଆଖିରୁ ଅମାନିଆ ଲୁହ ଝରୁଥିଲା |ସେ କାନ୍ଦି କାନ୍ଦି କହିଲା,ହେ ପ୍ରଭୁ,ଯଦି ମୁଁ କାୟମନୋବାକ୍ୟରେ ପବିତ୍ର ହୋଇଥିବି,ତାହେଲେ ଅନ୍ୟାୟ କରିଥିବା ଲୋକଙ୍କୁ ନିଶ୍ଚେ ଶାସ୍ତି ମିଳିବ |କୁହାଯାଏ,ଅନ୍ତରରୁ ବାହାରିଥିବା ବାକ୍ୟ କେବେହେଲେ ବୃଥା ଯାଏ ନାହିଁ |ପରଦିନ ସକାଳେ ଭୀମ ତାର ଦୋକାନ ବନ୍ଦ କରିଥିଲା |ତା ପରଦିନ ବି ତାର ଦୋକାନ ଖୋଲି ନଥିଲା |କାରଣ ସାଙ୍ଗେ ସାଙ୍ଗେ ଜଣା ପଡିଗଲା | ଘରୁ ଟଙ୍କା ଓ ସୁନା ନେଇ,ଭୀମର କଲେଜ ପଢ଼ୁଆ ଝିଅ ତା ପ୍ରେମିକ ଥିବା ପଡୋଶୀ ଘର ପୁଅ ସାଙ୍ଗରେ ପଳେଇଥିଲା ..... |ମମତା ମହାନ୍ତି |
( ବି:ଦ୍ର: କାହାଣୀ ଓ ଚରିତ୍ର ସଂପୂର୍ଣ୍ଣ କାଳ୍ପନିକ |ଲେଖୁ ଲେଖୁ ଟିକିଏ ବଡ଼ ହୋଇଗଲା,କ୍ଷମା କରିବେ |)