Friday, November 13, 2020

ମାଇପ ବୋଲକରା

                            ସବୁବେଳେ ଘର କାମରେ ବ୍ୟସ୍ତ ଥାଇ କଲୋନୀକୁ କିଏ ଆସିଲା,ଗଲା କିମ୍ବା କାହାର କଣ ହେଲା,ସେ ବିଷୟରେ ଖବର ରଖିବା ପାଇଁ ଅଥବା ଜାଣିବା ପାଇଁ ସ୍ମିତା ପାଖରେ ଆଦୌ ସମୟ ନଥାଏ |ଶାଶୁ ଯେତେବେଳେ ତାଙ୍କ  ପାଖକୁ ବୁଲି ଆସନ୍ତି,ସେତେବେଳେ ତାଙ୍କ ଠାରୁ ହିଁ ସେ ସମସ୍ତଙ୍କ ବିଷୟରେ ଟିକିନିଖି ଖବର ପାଏ |ଏଇଥର ଆସିଥିଲେ,ମାସେ ରହି ଗଲେ |ସେ କହୁଥିଲେ,ଆରେ ସୀତୁ ଜାଣିଛୁ,ତମ ତଳ ଘରକୁ ନୂଆ ଲୋକ ଆସିଛନ୍ତି |ତାପରେ ମୁହଁ ମୋଡ଼ି  କହିଲେ,ସୁଦୁ ମାଇପ ବୋଲା ଟାଏ |ସ୍ମିତା କୌତୂହଳୀ ହୋଇ ପଚାରି ଦେଲା,କାହିଁକି କଣ ହେଲା କି ?ଶାଶୁ ବିରକ୍ତ ହୋଇ କହିଲେ,ସକାଳୁ ଉଠି ବାହାର ଓଳେଇବ,ଗଛରେ ପାଣି ଦେବ,ରବିବାର ଛୁଟି ଦିନରେ,ମାଇପ ସାଙ୍ଗରେ ମିଶି ଲୁଗା ଶୁଖେଇବ,ଲୁଗା ଶୁଖିଗଲେ,ଚଉତା ଚଉତି କରି ଘରକୁ ଆଣିବ |ଏତିକି ତ ମୁଁ ବାହାରେ ଦେଖୁଛି,ଘରେ ଆଉ କେତେ କଣ କାମ କରୁଛି ବୋଲି ରୀନା କହୁଥିଲା | ସ୍ମିତା ହସିଦେଇ କହିଲା,ଆପଣ ବୋଧେ ଶ୍ରୀକାନ୍ତ ବାବୁଙ୍କ କଥା କହୁଛନ୍ତି |ସେମାନେ ଦୁଇଜଣ ଚାକିରୀ କରୁଛନ୍ତି,ତାଙ୍କର ଦୁଇଟି ପିଲା |ସେମାନେ ପରସ୍ପରକୁ ସାହାଯ୍ୟ ନକଲେ,ପିଲା ଠିକ ସମୟରେ ସ୍କୁଲ ଯିବେ କେମିତି ?ସେମାନେ ଅଫିସ ଯିବେ କେମିତି ?? ପୁଅପିଲା କାମ,ଝିଅପିଲା କାମ ବୋଲି କିଛି ନାହିଁ ବୋଉ ,ଘର ସମସ୍ତଙ୍କର,ସମସ୍ତେ ମିଳିମିଶି ସବୁ କାମ କଲେ ଭଲ |ଶାଶୁ ରାଗିଯାଇ କହିଲେ,ଖବରଦାର ମୋ ପୁଅକୁ ଯେବେ କିଛି କାମ କରିବାକୁ କହିଛୁ !ମୁଁ ତାକୁ ଅତି ଗେହ୍ଲାରେ ବଢେଇଛି,ପାଣି ଗ୍ଲାସେ ବି ସେ ନିଜେ ଆଣି  ପିଏନା |ସେଠାରୁ ଚାଲି ଯାଉ ଯାଉ ସ୍ମିତା ମନେ ମନେ କହିଲା ,ମୁଁ କହିଦେଲେ,ସେ ମୋ କଥା ମାନି,କୋଉ ଅବା କରି ପକେଇବେ ଯେ ଏତେ କଥା !

                         ବାହାଘର ପୂର୍ବରୁ ସ୍ମିତା  ଶିକ୍ଷୟତ୍ରୀ ଚାକିରୀ କରୁଥିଲା |ପୁଅ ଘର ଡିମାଣ୍ଡ ଥିଲା,ବାହାଘର ପରେ ଚାକିରୀ ଛାଡିବାକୁ ପଡିବ,କାରଣ ଶିକ୍ଷୟତ୍ରୀ ଚାକିରୀରେ ଟ୍ରାନ୍ସଫର ବେଶି ,ଦୁଇଜଣ ଅଲଗା ରହିଲେ,ଘର କିଏ ସମ୍ଭାଳିବ |ବାଧ୍ୟହୋଇ ସ୍ମିତାକୁ ତାର ଆଛା ଖାସା ସରକାରୀ ଚାକିରୀ ଛାଡିବାକୁ ପଡିଲା  |ଏବେ ତାର ପରାଭବ ଭୋଗୁଛି !ତାର ସାଙ୍ଗମାନେ ଅଫିସକୁ ଆସି ଖୁସି ଗପ କରି ସାରାଦିନର ଅବସାଦ ନିକାଲି ଘରକୁ ଫ୍ରେଶ ହୋଇ ଫେରୁଥିବା ବେଳେ ତାର ସେତିକି ସୁବିଧା ନାହିଁ |ସେଥିରେ ପୁଣି ତା ହାତ ତିଆରି ରାନ୍ଧଣା କୁଆଡେ ଅତି ଭଲ ବୋଲି ବନ୍ଧୁମାନଙ୍କ ପ୍ରଶଂସାରେ ଉଲ୍ଲସିତ ହୋଇ ସ୍ୱାମୀ ତାର ମାସକୁ ଥରେ ଯେମିତି ହେଲେ,ଘରେ ତାଙ୍କ ପ୍ରିୟ ବନ୍ଧୁଙ୍କ ସହ ଖାଦ୍ୟ ପାନୀୟର ଆସର ଜମାନ୍ତି  |ସେଦିନ ଆସିଲେ,ସ୍ମିତା ଆତଙ୍କରେ ଦିନ ଗଣେ |ଯଦି ସେତେବେଳେ ଶାଶୁ ଥାଆନ୍ତି ,ବନ୍ଧୁମିଳନ ତା ପାଇଁ ଅଭିଶାପରେ ପରିଣତ ହୋଇଯାଏ |ଗୋଟିଏ ବୋଲି ପୁଅ ତାର, ସବୁବେଳେ ତା ରୁମ ଭିତରେ ପଶି ପାଠ ପଢ଼ାରେ ବ୍ୟସ୍ତ ଥିବାବେଳେ  ଶାଶୁ ଟି.ଭି.ଚ୍ୟାନେଲ ବଦଳେଇ ତାଙ୍କ ପ୍ରିୟ ସିରିଏଲ ଦେଖୁଥାନ୍ତି |ଏକୁଟିଆ ସବୁ କାମ ତାକୁ କରିବାକୁ ପଡେ |ସବୁ ଭାଗ୍ୟର କଥା |ନୂଆ ନୂଆ  ଘରର ସବୁ କାମ କରିବାବେଳେ ତା ମନରେ ବିଦ୍ରୋହ ଆସୁଥିଲା |ଏବେ କିନ୍ତୁ ସବୁ ଦେହସୁହା ହୋଇ ଗଲାଣି |ପିଲାଟା ପାଠ ପଢି ମଣିଷ ହୋଇ ଯାଉ ,ତାପରେ ଜୀବନ ଗଲେ ପଛେ ଯାଉ |କୋଉ ଏବେ ସେ ଏତେ ବିଶ୍ୱବିଖ୍ୟାତ ମଣିଷଟାଏ  ଯେ,  ମରିଗଲେ,ପୃଥିବୀ ଦୋହଲି ଯିବ !!

                      ପୁଅ ଶିବାଂଶୁ କିନ୍ତୁ ତାକୁ ନିରାଶ କରି ନଥିଲା |ପ୍ରଥମ ଚାନ୍ସ ରେ ସେ  ଆଇ.ଆଇ.ଟି.ପାଇଗଲା |ପୁଅର କୃତ୍ତିତ୍ତ୍ୱରେ ସ୍ମିତାର ଆନନ୍ଦର ସୀମା ନଥିଲା |ଯାହାହେଉ ତାର  ଏତେ ପରିଶ୍ରମ ବୃଥା ଯାଇନି |ତାଠାରୁ ଅଧିକ ଖୁସି ଥିଲେ,ସ୍ୱାମୀ ସମରେଶ |ସେ କହିଲେ,ଏଇ ଖୁସିରେ  ଆମଘରେ ଜୋରଦାର ପାର୍ଟି କରିବା  |ସ୍ମିତା କହିଲା,କାମ କରି କରି ମୁଁ ବହୁତ କ୍ଳାନ୍ତ ହୋଇ ପଡିଛି |ତମର ପାର୍ଟି ଦେବାକୁ ଇଛା ହେଲେ,ସାଙ୍ଗ ମାନଙ୍କୁ ନେଇ କୋଉ ବଡ଼ ହୋଟେଲକୁ ଯାଅ ,ବହୁତ ହୋଇଗଲା,ମୁଁ ଆଉ ତମ ସାଙ୍ଗ ମାନଙ୍କୁ ରାନ୍ଧି ବାଢ଼ି ଖୁଆଇ ପାରିବିନି |ସମରେଶ କହିଲେ,ଏଥରକ ତମକୁ ଆଉ ବେଶି  କଷ୍ଟ କରିବାକୁ ପଡ଼ିବନି |ସାଙ୍ଗ ମାନଙ୍କ ସହିତ ତାଙ୍କ ସ୍ତ୍ରୀ ମାନେ ବି ଆସିବେ |ତମେମାନେ ଏକାଠି ମିଳିମିଶି ରୋଷେଇ କରିଦେବ |ଘରେ ଖାଇବାରେ ଯେଉଁ ମଜା,ହୋଟେଲରେ କଣ ସେ ମଜା  ମିଳିବ ?ଖାଲି ପେଟ ଖରାପ କରି ପାଇଖାନା ଯିବା ଛଡ଼ା ଆଉ କିଛି ଲାଭ ନାହିଁ  |ବେଶି ଗହଳି କାହିଁକି କରିବା କି ?ସେଇ ପାଞ୍ଚଜଣ ତ !ଖାଲି  ଆମ ତଳଘର ସେ ମାଇପବୋଲା,କଣ ତାଙ୍କ ନାଁ ଟି ,ହଁ,ମନେ ପଡିଲା |ଶ୍ରୀକାନ୍ତ ବାବୁ |ତାଙ୍କୁ ଏଥର ନୂଆ କରି ଆଡ କରିବା |ସ୍ମିତାକୁ ବହୁତ ରାଗ ଲାଗୁଥିଲେ ବି ସେ ଖୁସିର ବାତାବରଣକୁ ବିଗାଡିବାକୁ ଚାହୁଁ ନଥିଲା |ତାର ବି ହଁ ନାହିଁ ର କିଛି ମୂଲ୍ୟ ନାହିଁ |ଥରେ  ସମରେଶ ଯାହା କହି ଦିଅନ୍ତି,ତାହା ଚୂଡାନ୍ତ ବୋଲି ଧରାଯାଏ |ଚଳିତ ମାସର ଶେଷ ରବିବାର ଦିନ ପାର୍ଟି ଦେବାପାଇଁ  ସ୍ଥିର  ହେଲା |

                           ପାର୍ଟିରେ ଷ୍ଟାର୍ଟର କଣ ହେବ,ମୁଖ୍ୟ ଆଇଟମ କଣ ରହିବ,ପାନୀୟ ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବନ୍ଧୁମାନଙ୍କ ସହ ଆଲୋଚନା କରିବା ପରେ ସପ୍ତାହକ ପୂର୍ବରୁ ଭୋଜିପାଇଁ ନିଜେ ସମରେଶ ସମସ୍ତ ଆୟୋଜନ ଆରମ୍ଭ କରିଦେଲେ  |ଯେହେତୁ ପାର୍ଟିରେ ମାଆ ମାନଙ୍କ ସହିତ ତାଙ୍କ ପିଲାମାନେ ଆସିବାର କଥା ଥିଲା,ତେଣୁ ଡିନର ପରିବର୍ତ୍ତେ ଲଞ୍ଚ ପାଇଁ ସମସ୍ତେ ଏକମତ ଥିଲେ |ଭୋଜି ଦିନ ବଡ଼ି ଭୋରରୁ ଉଠି ନିଜ କାମ ସାରି ସମସ୍ତଙ୍କ ପାଇଁ ସ୍ମିତା ବ୍ରେକଫାଷ୍ଟ ତିଆରି କଲା  |ସମରେଶ କହିଲେ,ସମସ୍ତେ ଆସିଲେ ରୋଷେଇ ଆରମ୍ଭ କରିବ ନହେଲେ,ଖାଇବା ବେଳକୁ ସବୁ ଥଣ୍ଡା ହୋଇଯିବ  |ସେ ଯିବାପରେ  ପୁଅ ଆସି କହିଲା,କଣ ଗୋଟେ ମୁଁ କରି ପକେଇଲି ଯେ,ଗଡ଼ ଜିତିଲା ପରି ଏତେ ବଡ଼ ଭୋଜି  କରୁଛ ?ଏବେଠାରୁ କହି ଦେଉଛି,ମତେ ସେମାନଙ୍କ ଆଗରେ କାର୍ଟୁନ କରିବନି ,ନହେଲେ ମୁଁ କିଛି ଖାଇବିନି |ସ୍ମିତା କହିଲା,ଭଲ କଥା କହୁଛୁ ତ ,ତୁ ମତେ ଏପଟେ କେଂଚେ,ତୋ ବାପା ସେପଟେ ମତେ କେଂଚନ୍ତୁ ,ଦୁଇଟା କେଂଚାରେ ମୁଁ ମରିଗଲେ ତମେ ମାନେ ଶାନ୍ତି ପାଇବ |ପୁଅ କହିଲା,ହଉ ହଉ,ତମେ ଆଉ ଏତେ ନାଟକ କରନା |ଆଣ୍ଟିମାନେ ଆସିଲେ ରୋଷେଇ କରିବ ଭାବି ଚୁପ ହୋଇ ବସିଗଲେ,ତମେ ହଇରାଣ ହୋଇଯିବ |ଅତି କମରେ  ଷ୍ଟାର୍ଟର କାମ ସାରିଦିଅ,ନହେଲେ ସମସ୍ତେ ଆସି ପ୍ରଥମେ ତାକୁ ଖୋଜିବେ |ସ୍ମିତା ଭାବିଲା,ସତ କଥା ତ,ଭୋଜି ଆମେ ଦେଉଛୁ ,ଅତିଥି ମାନଙ୍କୁ ଆପ୍ୟାୟିତ କରିବା ଆମର ଦାୟିତ୍ତ୍ୱ |ସେମାନେ ଭଦ୍ରାମି ଦୃଷ୍ଟିରୁ ସାହାଯ୍ୟ କରିବା କଥା କହିଲେ |ତାଙ୍କ କଥାରେ ଭରସା କରି ରହିଗଲେ,ସେ ନିଜେ ହିଁ ହଇରାଣ ହେବ |ସେ ସଙ୍ଗେ ସଙ୍ଗେ ତା କାମ ଆରମ୍ଭ କରିଦେଲା |

                            ଶ୍ରୀକାନ୍ତ ତା ସ୍ତ୍ରୀ ନୀଳିମା ସହିତ ଆସୁ ଆସୁ ଟିକିଏ ଡେରି ହୋଇଗଲା |ଶିବାଂଶୁ ଡ୍ରଇଂରୁମରେ ପେପର ପଢୁଥିଲା |ସେ ସେମାନଙ୍କୁ ନମସ୍କାର କରି ତାଙ୍କୁ ଭିତରେ ସମସ୍ତେ ଅପେକ୍ଷା କରିଛନ୍ତି ବୋଲି କହିଲା |ସେମାନେ ଭିତରେ ପହଞ୍ଚି ଦେଖିଲେ,ଗୋଟିଏ ରୁମରେ  ପୁରୁଷମାନେ ଖିଆପିଆ ସହ ହସଖୁସିରେ ମସ୍ତ ଅଛନ୍ତି |ଆଉ ଗୋଟିଏ ରୁମରେ ମହିଳାମାନେ ସେମାନଙ୍କ ପିଲାମାନଙ୍କୁ ସମ୍ଭାଳିବା ସହ ପରସ୍ପର ସହ ବାର୍ତ୍ତାଳାପ କରୁଛନ୍ତି  |ରୋଷେଇଘରେ ସ୍ମିତା ଏକୁଟିଆ ରନ୍ଧନ କାର୍ଯ୍ୟରେ ବ୍ୟସ୍ତ ଥିଲା |ଉଭୟ  ପତିପତ୍ନୀ ତାଙ୍କୁ ନମସ୍କାର କଲେ |ସ୍ମିତା ସେମାନଙ୍କୁ ଦେଖୁ ଦେଖୁ କହିଲା,ଆପଣମାନେ ଆସିଲେ,ପିଲାମାନେ କାହାନ୍ତି  ?ଶ୍ରୀକାନ୍ତ କହିଲା,ଗାଆଁରୁ ବାପା ବୋଉ ଆସିଛନ୍ତି,ତେଣୁ ସେମାନେ ଆସିବାକୁ ଜମା ରାଜି ହେଲେ ନାହିଁ |ସେ ପୁଣି କହିଲା,ମହିଳା ମାନେ ରୋଷେଇ କରିବେ ବୋଲି ଆମର କଥା ଥିଲା |ହେଲେ ଆପଣ ଏକୁଟିଆ ରୋଷେଇ କରୁଛନ୍ତି ଯେ ?ସ୍ମିତା ମୃଦୁ ହସି କହିଲା,ପିଲାମାନେ ତାଙ୍କ ବାପା ମାନଙ୍କ ପାଖକୁ ଯାଇ ସେମାନଙ୍କୁ ଡିଷ୍ଟର୍ବ କରୁଛନ୍ତି |ତେଣୁ ବାଧ୍ୟ ହୋଇ ସେମାନେ ପିଲାମାନଙ୍କୁ ଜଗିବାକୁ ଗଲେ |ଶ୍ରୀକାନ୍ତ କହିଲା,ହଉ ଭାଉଜ,ମତେ ଖାଲି କହି ଦିଅନ୍ତୁ କଣ ଆଇଟମ ସରିଛି,ଆଉ କଣ ବାକି ଅଛି |ସ୍ମିତା କହିଲା,ଆପଣ ଆପଣମାନଙ୍କ ଗୃପ କୁ ଯାଇ ଗପ କରୁଥାନ୍ତୁ ମୋର ଆଉ ଅଳ୍ପ ଅଛି,ମୁଁ ଶୀଘ୍ର ଶୀଘ୍ର ସାରିଦେବି |ଶ୍ରୀକାନ୍ତ କହିଲା,ସେମିତି କେମିତି ହେବ,ମୁଁ ଆସିଛି ମାନେ,ଆଉ ଯିବାର ପ୍ରଶ୍ନ ଉଠୁନାହିଁ |ଯିବେ ଯଦି,ଆପଣ ଯିବେ |ମତେ ଖାଲି ଅଦା,ଚା,ଚିନି ଆଉ ଲେମ୍ବୁ  କେଉଁଠି ଅଛି କହି ଦିଅନ୍ତୁ,ଚା' ପିଇବା  |ସ୍ମିତା ସବୁ ଯୋଗାଇ ଦେବା ପରେ ଶ୍ରୀକାନ୍ତ  ଚା' ତିଆରି କଲା |ସ୍ମିତା  ସମସ୍ତଙ୍କୁ ଚା' ଦେଇ ଆସିବା ପରେ, ରୋଷେଇ ଘରେ ସେମାନେ ତିନିଜଣ ଚା' ପିଇଲେ |ସ୍ମିତା ଗପସପ କରି ଚା'ପିଇସାରି ଦେଖିଲା,ରୋଷେଇ ଆଉ ତା ଆୟତ୍ତରେ ନାହିଁ |ଶ୍ରୀକାନ୍ତ କହିଲା,ଭାଉଜ ଆପଣ  ଏତେ ସମୟ ରୋଷେଇ ଘରେ ରହି ଝାଳ ନାଳ  ହୋଇ ଗଲେଣି |ଏବେ ଟିକେ ରେଷ୍ଟ ନିଅନ୍ତୁ |ଆପଣଙ୍କ ସାଙ୍ଗମାନେ ବି  ବୋର ହେଉଥିବେ,ତାଙ୍କ ସାଙ୍ଗରେ ଟିକିଏ ଗପୁ ଥାଆନ୍ତୁ |ବାକି କାମ ଆମେ କରିଦେବୁ |ସ୍ମିତା ରାଜି ହେଉ ନଥିଲା |କିନ୍ତୁ ଶ୍ରୀକାନ୍ତ ଓ ନୀଳିମାଙ୍କ ବାଧ୍ୟ ବାଧ୍ୟକତାରେ ସେ ହାର ମାନିଗଲା,  ଆଉ ନାହିଁ କରି ପାରିଲାନି |

                              ସବୁଥର  ପରି ସମରେଶ ରୋଷେଇ କାମ କେତେଦୂର ଆଗେଇଲା,ତଦାରଖ କରିବାକୁ ଆସିଲେ |କିନ୍ତୁ ରୋଷେଇଘରେ ସ୍ମିତା ପରିବର୍ତ୍ତେ ଶ୍ରୀକାନ୍ତ ଓ ନୀଳିମାଙ୍କୁ ରୋଷେଇ କରୁଥିବାର ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ  | କହିଲେ ,ଆପଣ ଦୁଇଜଣ ଏଇଠି ?ସ୍ମିତା କୁଆଡେ ଗଲା ?ଶ୍ରୀକାନ୍ତ ହସିଦେଇ କହିଲା,ଆପଣ ସବୁଦିନ ଭାଉଜଙ୍କ ରାନ୍ଧଣା ଖାଉଛନ୍ତି,ଆଜି ଗୋଟିଏ ଦିନ ଆମ ହାତରନ୍ଧା ଖାଇବେ ନାହିଁ ?ସମରେଶ ଲଜ୍ଜିତ ହୋଇ କହିଲେ,କିନ୍ତୁ ଆଜି ଆପଣମାନେ ଆମର ଗେଷ୍ଟ ଯେ ?ସ୍ମିତାର ମୁଣ୍ଡରେ ବୁଦ୍ଧି ନାହିଁ,ଆପଣ ଭଦ୍ରାମି ଦୃଷ୍ଟିରୁ କହିଦେଲେ,ଆଉ ସେ ମାନିଗଲା ?ତା ତରଫରୁ ମୁଁ ଆପଣ ମାନଙ୍କୁ କ୍ଷମା ମାଗୁଛି |ପ୍ଲିଜ,କିଛି ଖରାପ ଭାବିବେନି |ଶ୍ରୀକାନ୍ତ କହିଲା,ଆପଣ ଏମିତି ଭାବୁଛନ୍ତି,ଆମେ କିନ୍ତୁ ସେମିତି ଭାବୁନୁ |ଯଦି ଆପଣ ଆମକୁ ନିଜର ମନେକରି ଖାଇବାକୁ ଡାକିଛନ୍ତି,ତାହେଲେ,ସେମିତି ନିଜର ମନେକରି ସବୁ ଫର୍ମାଲିଟିକୁ ଛାଡି ଦିଅନ୍ତୁ |ଯେଉଁଠି ଆନ୍ତରିକତା ଥାଏ ସେଇଠି ସ୍ନେହ ପ୍ରେମ ବସା ବାନ୍ଧିଥାଏ |ମୁଁ ଘର କାମରେ ନିଳୀମାକୁ ସାହାଯ୍ୟ କରେ ବୋଲି କେତେ ଲୋକ ଭଲ ମନେ କରନ୍ତି ନାହିଁ  |ମୁଁ କିନ୍ତୁ ସେକଥା ଭାବେନା  |ସତକଥା କହିଲେ,କେହି ମରି ପଡି କାମ କରୁଥିବାର ଦେଖିଲେ,ମୁଁ ଜମା ସହି ପାରେନା ଓ ସ୍ୱତଃପ୍ରବୃତ ଭାବରେ ସାହାଯ୍ୟ କରିବାକୁ  ଆଗେଇ ଯାଏ  | ଆଜି ଭାଉଜଙ୍କୁ ଏକୁଟିଆ ଏତେ ଲୋକଙ୍କ ପାଇଁ କଲବଲ ହୋଇ ରାନ୍ଧୁଥିବାର ଦେଖି ମୁଁ ଆଦୌ ସହି ପାରି ନଥିଲି |ଏମିତି ବି ଭାଉଜ ସବୁ ରାନ୍ଧି ସାରିଥିଲେ,ଆମେ ଖାଲି ଫାଇନାଲ ଟଚ ଦେଇଛୁ |ଏବେ ରୋଷେଇ ସରି ଗଲାଣି , ପିଲାମାନଙ୍କୁ ଭୋକ ହେଉଥିବ,ଚାଲନ୍ତୁ ଖାଇବା  |ଶ୍ରୀକାନ୍ତର କଥା ଶୁଣି ସମରେଶ ବାକ ଶୂନ୍ୟ ହୋଇ ଯାଇଥିଲେ,ଉତ୍ତର ଦେବା ପାଇଁ ତାଙ୍କ ପାଖରେ ଭାଷା ନଥିଲା  |

                                  ସେଦିନର  ଭୋଜି ଅତି ଚମତ୍କାର ହୋଇଥିଲା |ସବୁଥର ପରି ସେଦିନ ସ୍ମିତା ମୁହଁରେ ବିରକ୍ତିଭାବ ନଥିଲା |ସେ ଖୁସି ମନରେ ସମସ୍ତଙ୍କୁ ଖାଦ୍ୟ ପରଷି  ବଳେଇ ବଳେଇ ଖୁଆଉ ଥିଲା |ସମରେଶ ଭାବୁଥିଲେ,ଯେଉଁ ଲୋକଟାକୁ ଦିନେ ମାଇପ ବୋଲକରା କହି ତାତ୍ସଲ୍ୟ କରୁଥିଲେ,ସେ ଆଜି ତାଙ୍କୁ ମଣିଷପଣିଆ କଣ ଶିଖେଇ ଦେଲା |..........ଆଜିକାଲି ସମରେଶ ଘରକାମରେ ସ୍ମିତାକୁ ବହୁତ ସାହାଯ୍ୟ କରନ୍ତି | କେହି କାରଣ ପଚାରିଲେ ସେ କହନ୍ତି,ଏକାଠି ମିଳିମିଶି କାମ କରିବାରେ  ଏତେ ମଜା ଥାଏ,ମୁଁ ଜାଣି ନଥିଲି ;ରୋଷେଇ କରିବାରେ ଯେତିକି ଆନନ୍ଦ,ଖାଇବାବେଳେ ତା ଠାରୁ ଅଧିକ ଆନନ୍ଦ ହିଁ ଆନନ୍ଦ !!!!  | ମମତା ମହାନ୍ତି |

                             

Monday, November 2, 2020

ଅଧିକାର

                                   ଶୃତି ଓ ଇତିଙ୍କ ପାଇଁ  ତାଙ୍କ  ପିତାମାତା ନୀଳକଣ୍ଠ ଓ ସୁଲତା  ଈଶ୍ୱର ସଦୃଶ ଥିଲେ |ଶୃତି ସବୁବେଳେ କହୁଥିଲା,ଆମେ କେବଳ ଭଗବାନଙ୍କ ଫଟ ଓ ମୂର୍ତ୍ତି ଦେଖୁଛୁ |କିନ୍ତୁ ପ୍ରକୃତ ଈଶ୍ୱର ଆମ ବାପା ମାଆ ସ୍ଵଦେହରେ ଆମ ପାଖରେ ରହି,ଆମକୁ ତାଙ୍କ ନିଃସ୍ୱାର୍ଥପର ଭଲପାଇବାରେ ବୁଡେଇ ରଖିଛନ୍ତି |ତାଙ୍କ ବଦଳରେ ଆଉ କାହାକୁ ଈଶ୍ୱର ବୋଲି ମାନିବାକୁ ଆମ ମନ ଚାହୁଁନି |ସୁଲତା ଶିକ୍ଷୟତ୍ରୀ ଥିବାବେଳେ ନୀଳକଣ୍ଠ କେନ୍ଦ୍ର ସରକାରଙ୍କ ଅଧୀନରେ ଉଚ୍ଚପଦସ୍ଥ କର୍ମଚାରୀ ଥିଲେ  |ନୀଳକଣ୍ଠ ଜଣେ ଉଦାରମନା,ପରୋପକାରୀ ଓ ଖୁସି ମିଜାଜର ବ୍ୟକ୍ତି ଥିଲେ |ଦୁହେଁ ଚାକିରୀ କରୁଥିବାରୁ ଦୁଇ ଝିଅଙ୍କୁ ସେମାନେ ଆତ୍ମନିର୍ଭରଶୀଳ ଓ ସ୍ୱାଧୀନଚେତା  ଭାବରେ ଗଢି ତୋଳିଥିଲେ |ଉଭୟ ଶୃତି ଓ ଇତି ବାପା ମାଆଙ୍କ କଥାକୁ କେବେ ତଳେ ପକାଇ ଦେଉ ନଥିଲେ କି ତାଙ୍କ ମନରେ ଦୁଃଖ ଦେଉ ନଥିଲେ |ନୀଳକଣ୍ଠଙ୍କୁ ଲମ୍ବା କେଶ ପସନ୍ଦ ଥିବାରୁ ଶୃତି ତାର ସୁନ୍ଦର କେଶକୁ ଅଣ୍ଟା ପର୍ଯ୍ୟନ୍ତ ରଖିଥିଲା |ଇତି ତା ମାଆଙ୍କ ପସନ୍ଦ ଅନୁଯାୟୀ କାନ୍ଧ ପର୍ଯ୍ୟନ୍ତ ଚୁଟି ରଖିଥିଲା |ଦୁହେଁ ଭଲ ପଢୁଥିଲେ |ଶୃତି ଇଞ୍ଜିନିଅରିଂ ପରେ ଆଇ.ଟି କମ୍ପାନୀରେ ଯୋଗ ଦେଲା ;ଇତି ବାଛିନେଲା ବ୍ୟାଙ୍କିଙ୍ଗ ଲାଇନ  |ବାପା ମାଆ ଯେଉଁଠି ଥିଲେ,ପିଲାମାନେ ସେହି ସହରରେ ଚାକିରୀ କଲେ,ବିବାହ ପରେ ସେହିଠାରେ ରହିଲେ |ଅନେକ ଦିନ ଗୋଟିଏ ସ୍ଥାନରେ ରହିବା  ହେତୁ ନୀଳକଣ୍ଠ ଓ ସୁଲତାଙ୍କର  ସେହି ସ୍ଥାନ ପ୍ରତି ଅହେତୁକ ମାୟା ଆସି ଯାଇଥିଲା |ତେଣୁ ସେଠାରେ ଘର କିଣି ସେମାନେ ସେହି ସ୍ଥାନର ସ୍ଥାୟୀ ବାସିନ୍ଦା ହୋଇଗଲେ |

                                କାହାରି ପ୍ରତି ଘୃଣା ଭାବ ରଖି ନଥିବା ,ସମସ୍ତଙ୍କ ଦୁଃଖରେ ଦୁଃଖୀ ଓ ସୁଖରେ ସୁଖୀ ଥିବା ସେମାନଙ୍କ ପରିବାରରେ ଦିନେ ଗ୍ରହଣ ଲାଗିଗଲା |ସଦା ନିରୋଗୀ ନୀଳକଣ୍ଠ ଥରେ ଅଜଣା ବ୍ୟାଧିର ଶୀକାର ହେଲେ |ଖବର ପାଇ ଝିଅ ଦୁଇଜଣ ଆସି ବାପାଙ୍କର ସବୁ ପ୍ରକାର ଡାକ୍ତରୀ ପରୀକ୍ଷା କରାଇଲେ |ପରୀକ୍ଷାରୁ ଜଣା ପଡିଲା,ନୀଳକଣ୍ଠଙ୍କ  ଫୁସଫୁସରେ କ୍ୟାନ୍ସର ହୋଇଛି ଓ ତାହା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି  ସାରିଛି |ଡାକ୍ତର କହିଲେ,ଧୂମପାନ ନ କରୁଥିଲେ ବି,ବାୟୁ ପ୍ରଦ୍ୟୁଷଣ,ରେଡ଼ିଅମ ,ଆଜବେଷ୍ଟସ ତଥା କିଛି ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଆସିବା ଯୋଗୁଁ, ଫୁସଫୁସ କ୍ୟାନ୍ସର ହେବାର ସମ୍ଭାବନା ଥାଏ |ଯାହା ବି ହେଉ,ବାପାଙ୍କୁ କ୍ୟାନ୍ସର ହୋଇଛି ଓ ତାଙ୍କୁ ଯେମିତି ହେଲେ ସୁସ୍ଥ କରିବାକୁ ପଡିବ ମନସ୍ଥ କରି ଦୁଇ ଝିଅ ପ୍ରାଣପଣେ ଲାଗି ପଡିଲେ |ସେତେବେଳେ ଶୃତିର ଦୁଇ ବର୍ଷର ଛୋଟ ପୁଅଟିଏ ଓ ଇତି ସନ୍ତାନ ସମ୍ଭବା ଥିଲା |ବନ୍ଧୁବାନ୍ଧବ,ଜ୍ଞାତି କୁଟୁମ୍ବ ସମସ୍ତଙ୍କୁ ଏକଥା  ଜଣେଇ, ବିପଦ ସମୟରେ ସେମାନଙ୍କ ପାଖରେ ଛିଡା ହେବ ପାଇଁ,ଦୁହେଁ ଆକୁଳ ନିବେଦନ କଲେ |କିନ୍ତୁ ଆଜିର ଏହି କାର୍ଯ୍ୟବ୍ୟସ୍ତ ଦୁନିଆରେ ନିଜ ପାଇଁ ଯାହାର  ସମୟ ନାହିଁ,ସିଏ ବା କେମିତି  ଅନ୍ୟକୁ ତାର ମୂଲ୍ୟବାନ ସମୟ ଦେଇ ପାରିବ !!ମାଆ,ଝିଅ,ଜ୍ୱାଇଁ   ଏକାଠି ହୋଇ ନୀଳକଣ୍ଠଙ୍କ ଚିକିତ୍ସାରେ ଲାଗି ପଡିଲେ |କିନ୍ତୁ ସମସ୍ତଙ୍କୁ ଶୋକସାଗରରେ ଭସାଇ,ବର୍ଷକ ଭିତରେ ବାପା ଅଫେରା ରାଇଜକୁ ଚାଲିଗଲେ  |ସେଦିନ ମାଆ ,ଝିଅ ପରସ୍ପରକୁ ଆଲିଙ୍ଗନ କରି ବହୁତ କାନ୍ଦିଥିଲେ,ଯାହାର ଶେଷ ନଥିଲା |

                                 ମୃତ୍ୟୁ ଖବର ପାଇବା ପରେ ଅସଂଖ୍ୟ ଲୋକଙ୍କ ସମବେଦନାର ସୁଅ ଛୁଟିଲା |ଯେହେତୁ ସେମାନଙ୍କର ପୁଅ ନଥିଲା,ଜ୍ଞାତି କୁଟୁମ୍ବ ଓ ତାଙ୍କ ପ୍ରତିନିଧି ସେଠାକୁ ଆସି ନିୟମ ମୁତାବକ ପୁତୁରା,ଭଣଜା ,ଦିଅର ଇତ୍ୟାଦି ଜଣେ ପୁରୁଷ ସଦସ୍ୟଙ୍କ ଦ୍ୱାରା ମୁଖାଗ୍ନି ତଥା ଶୁଦ୍ଧିକ୍ରିୟା କରିବାକୁ ପରାମର୍ଶ ଦେଲେ |ସେତେବେଳେ ସାନଝିଅ ଇତି କହିଲା,ଆମେ ଯେତେବେଳେ ବିପଦରେ ପଡିଥିଲୁ,ସେତେବେଳେ ଆପଣମାନେ ଆମପାଖରେ ନଥିଲେ |ଆଜି ଯେତେବେଳେ ଆମର ସବୁକିଛି ଶେଷ ହୋଇଯାଇଛି,ସେତେବେଳେ ଆପଣମାନେ କାହିଁକି  ପରାମର୍ଶର ପାହାଡ଼ ଗଦେଇ  ପକାଉଛନ୍ତି ?ତାକୁ ଚୁପ ହେବାକୁ କହି ଶୃତି କହିଲା,ସେ ଆମର ବାପା ଥିଲେ |ଜ୍ୟେଷ୍ଠ ସନ୍ତାନ ହିସାବରେ ଅନ୍ତ୍ୟେଷ୍ଟିକ୍ରିୟା  ଅଧିକାର ସର୍ବ ପ୍ରଥମେ ମୋର ରହିଛି |ମୁଁ ମୋ ଅଧିକାର ଆଉ କାହାକୁ ଦେଇ ପାରିବି ନାହିଁ |ସମସ୍ତେ ଛିଃ ଛାକର କରି,କି ଯୁଗ ହେଲାରେ କହି ସେଠାରୁ ଚାଲିଗଲେ |

                                  ଶୃତି ଯାହା କହିଥିଲା,ତାହାହିଁ କଲା |ନିଜ ପ୍ରିୟ ପିତାଙ୍କୁ ମୁଖାଗ୍ନି ଦେବା ସହିତ ଚଉଦ ଦିନ ପର୍ଯ୍ୟନ୍ତ ଉପବାସ ରହି,ବିଧି ଅନୁଯାୟୀ ସବୁ କ୍ରିୟା କର୍ମ କଲା |ଦଶାହ କର୍ମ ବେଳକୁ ଯେତେବେଳେ ସେ ତା ବାପାଙ୍କର ଅତି ପ୍ରିୟ କେଶ ଗୁଚ୍ଛ କାଟି ସେ ଲଣ୍ଡିତ ମସ୍ତକ ହେଲା,ସେତେବେଳେ ଆଖିରୁ ତାର ଧାରା ଶ୍ରାବଣ ଝରି ଯାଉଥିଲା |ଚଉଦ ଦିନ ପରେ ପିତାଙ୍କର ଚିତାଭସ୍ମକୁ  ପବିତ୍ର ଗଙ୍ଗା ନଦୀରେ ରେ ବିସର୍ଜନ କରି ସମସ୍ତେ ଆତ୍ମସନ୍ତୋଷ ଲାଭ କଲେ |ଦୁଇ ଭଉଣୀଙ୍କ ଏହି ସମୟୋପଯୋଗୀ ସାହସିକ ପଦକ୍ଷେପକୁ  ସେମାନଙ୍କ  ସ୍ୱାମୀଙ୍କ ପୂର୍ଣ୍ଣ ସମର୍ଥନ ରହିଥିଲା |ଶୃତିର ପରିବାରଙ୍କ ଏହି କାର୍ଯ୍ୟକୁ ନାପସନ୍ଦ କରି ମୁଖ୍ୟ ପୁରୋହିତ କିପରି ଏହାକୁ ସ୍ୱୀକୃତି ଦେଲେ ବୋଲି କେତେକ ପଚାରିବାରୁ ସେ କହିଲେ,ଆମର ସନାତନ ଧର୍ମ ସ୍ତ୍ରୀ ପୁରୁଷ ମଧ୍ୟରେ କୌଣସି ଭେଦଭାବ ରଖିନାହିଁ |ପୂର୍ବ କାଳରେ ଆମ ସମାଜ ସ୍ତ୍ରୀ କୈନ୍ଦ୍ରିକ ଥିଲା;ସେତେବେଳେ ସ୍ତ୍ରୀ ମାନେ  ବିଦ୍ୟାଧ୍ୟୟନ ସହିତ ଯଜ୍ଞ ଆଦି ସମସ୍ତ କାର୍ଯ୍ୟ କରି ପାରୁଥିଲେ  |ସମୟକ୍ରମେ ଅନ୍ୟ ଧର୍ମ ପ୍ରଭାବରେ ଆସି ଆମ ସମାଜ ପୁରୁଷ କୈନ୍ଦ୍ରିକ ହୋଇଗଲା ଓ ସ୍ତ୍ରୀ ସମସ୍ତ କାର୍ଯ୍ୟ କରି ପାରୁଥିବା ଏକ ଦାସୀର ସ୍ଥାନ ନେଇ, ଉପଭୋଗ୍ୟର ବସ୍ତୁ ପାଲଟି ଗଲା |ଆମ ଶାସ୍ତ୍ରରେ ଯେଉଁମାନଙ୍କୁ ଅନ୍ତ୍ୟେଷ୍ଟିକ୍ରିୟା କରିବାର ଅଧିକାର ଦିଆଯାଇଛି, ସେହି ତାଲିକାରେ ସ୍ତ୍ରୀ ଓ ଝିଅଙ୍କ ନାମ ଅନ୍ତର୍ଭୁକ୍ତ ଅଛି |ଲୋକଙ୍କ  ଅଜ୍ଞାନତା କାରଣରୁ ସେମାନେ ଏ ବିଷୟରେ ଜାଣି ପାରୁନାହାନ୍ତି | ଶ୍ରାଦ୍ଧ ଶ୍ରଦ୍ଧାରୁ ଉତ୍ପନ୍ନ ହୋଇଛି ;ଆଉ ଶ୍ରଦ୍ଧାର ତେଜ ଏତେ ଅଧିକ ଯେ ସେ  ଏକକାଳୀନ ଶତ ସୂର୍ଯ୍ୟର ତେଜକୁ ଭେଦ କରିବାର  କ୍ଷମତା ରଖିଛି   |ମମତା ମହାନ୍ତି |