Sunday, March 22, 2020

ଶୁଭ ସବୁଜ

                 ସୁପ୍ରଭାଙ୍କ ସବୁଜ ରଙ୍ଗ ପ୍ରତି ଅନେକ ଭୟ,ଆଶଙ୍କା ଓ ଘୃଣାଭାବ ଥିଲା |ଭୟ ଓ ଆଶଙ୍କାର କାରଣ ହେଲା,ଯେଉଁଦିନ ସେ ତାଙ୍କ ମାଆଙ୍କ ଅସୁସ୍ଥତାର ଖବର ପାଇ ତାଙ୍କୁ ଡାକ୍ତରଖାନାକୁ ଦେଖିବାକୁ ଯାଇଥିଲେ,ସେଦିନ ସେ ଏକ ସବୁଜରଙ୍ଗର ଶାଢ଼ୀ ପିନ୍ଧିଥିଲେ |ତାର ଦୁଇଦିନପରେ ଯେତେବେଳେ ମାଆଙ୍କ ମୄତ୍ୟୁ ଖବର ଶୁଣିଲେ,ସେତେବେଳେ ମଧ୍ୟ ସେ ସବୁଜ ରଙ୍ଗର ଶାଢ଼ୀ ପିନ୍ଧିଥିଲେ |ଏକଥା ସେତେବେଳେ ତାଙ୍କ ମନକୁ ଆସିନଥିଲା |କିନ୍ତୁ ତାଙ୍କ ବଡ଼ଭାଇଙ୍କ ଅକାଳ ମୃତ୍ୟୁ ,ବାପାଙ୍କ ଆକ୍ସିଡେଣ୍ଟ,ପ୍ରିୟ ଭଉଣୀର ଶାରୀରିକ ଅସୁସ୍ଥତା ଇତ୍ୟାଦି ଦାରୁଣ ଦୁଃସମ୍ବାଦ  ସେ ସବୁଜ ରଙ୍ଗର ଶାଢ଼ୀ ପିନ୍ଧିଥିବା ସମୟରେ ହିଁ ଶୁଣିବାକୁ ପାଇଥିଲେ |  କ୍ରମେ ତାଙ୍କର ସବୁଜ  ରଙ୍ଗପ୍ରତି  ଅସୀମ ଘୃଣାଭାବ ଆସିଯାଇଥିଲା ଓ ସେ ତାଙ୍କର ସମସ୍ତ  ସବୁଜ ରଙ୍ଗର ଶାଢ଼ୀକୁ ଗଣ୍ଠିଲି ବାନ୍ଧି ଆଲମାରୀରେ  ରଖିଦେଇଥିଲେ |ତାଙ୍କକଥା ଶୁଣି କିଏ କାଳେ ଅନ୍ଧବିଶ୍ୱାସ କହି ଉପହାସ କରିବ, ସେଥିପାଇଁ ସେ ତାଙ୍କ   ମନର କଥା କେବେବି  କାହାକୁ କହିବାକୁ ଉଚିତ ମନେ କରିନଥିଲେ |ବହୁତ ଦିନପରେ ଦଶହରାରେ ତାଙ୍କ ସ୍ୱାମୀ ତାଙ୍କୁ ଏକ ଗାଢ଼ ସବୁଜରଙ୍ଗର ସମ୍ବଲପୁରୀ ଶାଢ଼ୀ  ଉପହାର ଦେଇଥିଲେ |ଶାଢ଼ୀଟି ଦେଖି ଖୁସି ହେବା ପରିବର୍ତ୍ତେ ଏକ ଅଜଣା ଆତଙ୍କରେ ତାଙ୍କ ମନ ଶିହରି ଉଠିଥିଲା |ସ୍ୱାମୀଙ୍କ ମନ ରଖିବା ପାଇଁ ତାହାକୁ ସେ ଥରେ ମାତ୍ର ପିନ୍ଧି ରଖିଦେଇଥିଲେ | ଥରେ ବାହାରକୁ ବୁଲି ଯିବାବେଳେ ସ୍ୱାମୀଙ୍କ ବାଧ୍ୟ ବାଧ୍ୟକତାରେ ସେ ଠାକୁରଙ୍କୁ ସ୍ମରଣ କରି ସେଦିନ ସେଇ  ଶାଢ଼ୀ ପିନ୍ଧିଥିଲେ |ସଂଯୋଗବଶତଃ  ସେହିଦିନ ହିଁ ସେ ତାଙ୍କ ସାନଭାଇ ଗୁରୁତର ଅସୁସ୍ଥ ହୋଇ  ଡାକ୍ତରଖାନାରେ ଆଡମିଶନ ହେବାର ଖବର ପାଇଥିଲେ |ପରିସ୍ଥିତି ଏପରି ହୋଇଥିଲାଯେ ସେ ସେହି ଶାଢ଼ୀ ପିନ୍ଧି ସାନଭାଇକୁ ଦେଖିବାକୁ ଡାକ୍ତରଖାନା ଯାଇଥିଲେ |କିନ୍ତୁ ସାନଭାଇ ତାଙ୍କର ରୋଗ କବଳରୁ ମୁକ୍ତି ପାଇ ପାରିନଥିଲା |ମାସେ ପରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲା |
               ତାଙ୍କର ଏକମାତ୍ର ଗେଲବସରର ପୁଅ ସୁମନକୁ ସେ ପ୍ରାଣ ଠାରୁ ଅଧିକ ଭଲ ପାଉଥିଲେ |ତାଙ୍କ ପାଇଁ ପୁଅ ଥିଲା,ଅନନ୍ୟ,ଅସାଧାରଣ ଓ କୋଟିକରେ ଗୋଟିଏ |ପୁଅ ମଧ୍ୟ ତାଙ୍କ ଉପରେ ଅତି ମାତ୍ରାରେ ନିର୍ଭରଶୀଳ ଥିଲା |ତା ପାଇଁ ସେ ବହୁତ ଖୋଜି ଖୋଜି ମନଲାଖି ବୋହୂ ଆଣିଥିଲେ |କିନ୍ତୁ ଶାଶୁପୁଟୁଳିରେ ତାଙ୍କ ପାଇଁ ଆସିଥିବା ସବୁଜ ରଙ୍ଗର ପାଟଶାଢ଼ୀ ଦେଖି ସେ ଚମକି ପଡ଼ିଥିଲେ |ତାକୁ ଆଲମାରୀରେ ପୂର୍ବ ଗଣ୍ଠିଲି ଭିତରେ ରଖି ଠାକୁରଙ୍କ ପାଖରେ  ଅନେକ ମିନତି  କରି କହିଥିଲେ,ପ୍ରଭୁ ସବୁ ଅଶୁଭ ମତେ ଦେଇ ମୋ ପିଲାଙ୍କୁ ସବୁ ଶୁଭ ଦିଅ |ବୋହୂର ନାଁ ସଙ୍ଗୀତା ଥିଲା |ସେ କିନ୍ତୁ ତାକୁ ଗେହ୍ଲାରେ ଡାକୁଥିଲେ,'ଡଲି' |ନୂଆ ନୂଆ ଡଲିର ବ୍ୟବହାର ଖୁବ ଭଲଥିଲା |ତାର ମିଠା ମିଠା କଥାରେ ସେ ସମସ୍ତଙ୍କୁ ଆପଣାର କରି ନେଇଥିଲା |ସାଇ ପଡିଶା,ବନ୍ଧୁବାନ୍ଧବଙ୍କ ଭୁରି ଭୁରି ପ୍ରଶଂସାରେ ସେ ନିଜକୁ ଭାଗ୍ୟବତୀ ମଣୁଥିଲେ |କିନ୍ତୁ ସମୟ ଗଡ଼ି ଚାଲିବା ସଙ୍ଗେ ସଙ୍ଗେ ଡଲି ମଧ୍ୟ ବଦଳିବାକୁ ଲାଗିଲା |ତାର ବଦଳିବାର ଏକମାତ୍ର କାରଣ ଥିଲେ ସୁପ୍ରଭା |ସୁମନର ଅତ୍ୟଧିକ ମାତୃଭକ୍ତିକୁ ଡଲି ଆଦୌ ସହି ପାରୁନଥିଲା |ବିବାହ ପରେ ବି ସୁମନ ବଦଳି ନଥିଲା |ପାଣି ଗ୍ଲାସେ ପାଇଁ ସେ ସେମିତି ସୁପ୍ରଭାଙ୍କ ଉପରେ ନିର୍ଭର କରୁଥିଲା  |ଅଫିସରୁ ଫେରି ତାଙ୍କ ପାଖରେ ଘଡ଼ିଏ ବସି ସୁଖଦୁଃଖ ହେଉଥିଲା  ଓ ଯାହାବି ଭଲ ଜିନିଷ ଆଣୁଥିଲା,ପ୍ରଥମେ ସୁପ୍ରଭାଙ୍କୁ ଦେଖାଉଥିଲା |ଦିନେ ସୁମନ ସୁପ୍ରଭାଙ୍କୁ ପଚାରିଲା ,ମା' ତମେ ଶାଶୁ ପୁଟୁଳିରେ ଆସିଥିବା ସେଇ ଗ୍ରୀନ କଲର ଶାଢ଼ୀ କାହିଁକି ପିନ୍ଧୁନ ?ତମକୁ ଭଲ ଲାଗୁନି ?ସତ କୁହ ?ସୁପ୍ରଭା କହିଲେ,ଗ୍ରୀନ କଲର ମୋ ପାଇଁ ଅଶୁଭ ବାପା,ଯେତେବେଳେ ସେଇ ରଙ୍ଗର ଶାଢ଼ୀ ପିନ୍ଧୁଛି,କିଛି ନାଁ କିଛି ଅଶୁଭ ଘଟଣା ଘଟୁଛି |ହୁଏତ ଏଇଟା ସଂଯୋଗ ହୋଇପାରେ,କିନ୍ତୁ କଣ କରିବି,ମନରେ ମୋର ଏମିତି ଭୟ ପଶି ଯାଇଛି ଯେ ତାକୁ ଦୂର କରି ପାରୁନି |ନହେଲେ ଆଉ କିଛି କାରଣ ନାହିଁ |ସୁମନ ବୁଝିଗଲା |ସେଠାରୁ ସିଧା ଯାଇ ଡଲିକୁ କହିଲା,ତମେ ଖାଲି ମିଛରେ ସନ୍ଦେହ କରୁଥିଲ,ଆମେ ଏଥରକ ପୂଜାରେ ମାଆଙ୍କୁ ସାଙ୍ଗରେ ନେଇ ତାଙ୍କ ପସନ୍ଦର ଶାଢ଼ୀ କିଣିଦେବା |କିନ୍ତୁ ସୁପ୍ରଭାଙ୍କ ଉତ୍ତର ଡଲିକୁ ସନ୍ତୁଷ୍ଟ କରି ପାରିନଥିଲା |ସୁମନକୁ ସୁପ୍ରଭାଙ୍କ ରୋଷେଇ ବହୁତ ପସନ୍ଦ ଥିଲା |ସେ ଯାହାବି ରାନ୍ଧୁଥିଲେ,ସୁମନ ତାକୁ ପରମ ତୃପ୍ତିରେ ଖାଉଥିଲା |ଡଲି ୟୁଟ୍ୟୁବ ଦେଖି ଯେତେ ନୂଆ ପ୍ରକାର ରୋଷେଇ କଲେବି ସୁମନକୁ ସୁପ୍ରଭାଙ୍କ ହାତ ରନ୍ଧା ଖାଦ୍ୟ ବେଶୀ ପସନ୍ଦ ଥିଲା |ସୁପ୍ରଭାଙ୍କଠାରୁ ରୋଷେଇ ଶିଖିବାକୁ କିମ୍ବା ତାଙ୍କୁ ପଚାରି ରୋଷେଇ କରିବାକୁ ସେ ଡଲିକୁ ସବୁବେଳେ ପରାମର୍ଶ ଦେଉଥିଲା  |ଏହା  ଡଲିକୁ  ବହୁତ ବାଧୁଥିଲା |ଏମିତି ଛୋଟ ଛୋଟ ଅସନ୍ତୋଷକୁ ନେଇ ଡଲି କ୍ରମେ ନିଜ ଜାଣତରେ ହେଉ ବା ଅଜାଣତରେ ହେଉ,ଶାଶୁ ବିରୋଧୀ ହୋଇଉଠିଲା |ସୁପ୍ରଭା ଯେଉଁ କଥା ପସନ୍ଦ କରୁଥିଲେ,ତାର ବିପରୀତ କାର୍ଯ୍ୟ  କରିବାରେ ତାକୁ ପ୍ରଚୁର ଆନନ୍ଦ ମିଳୁଥିଲା |ସୁପ୍ରଭା ତାକୁ ଯେତେ ଆକଟ କଲେବି ସେ ତାଙ୍କ କଥା ଶୁଣୁ ନଥିଲା ଓ ବାରମ୍ବାର ସେହି କଥା ଦୋହରାଉଥିଲା |ଫଳରେ ଶାଶୁ ବୋହୂଙ୍କ ମଧ୍ୟରେ ପ୍ରାୟବେଳେ କଥା କଟାକଟି ହେଉଥିଲା |ଏକଦା ସୁଖୀସଂସାର ଭାବେ ପରିଗଣିତ ହେଉଥିବା ଘରୁ ପାଟିତୁଣ୍ଡର ଆବାଜ ଶୁଣି ସାଇପଡିଶା ବେଶ ମଜା ଉଠାଉ ଥିଲେ |ଏକଥା ଦେଖି ସୁପ୍ରଭାଙ୍କ ସ୍ୱାମୀ ରଜତ  ବହୁତ ଦୁଃଖୀ ଥିଲେ | ଦିନେ ସେ  ବିରକ୍ତ ହୋଇ ସୁପ୍ରଭାଙ୍କୁ କହିଲେ,,ଯେତେ ଯାହା ହେଲେ ବି ଡଲି  ତୁମଠାରୁ ସାନ |ତାର କୋଟିଏ ଦୋଷ ମାଫ କରି  ତାକୁ ନ ବୁଝାଇ ତମେ କଥାଟାକୁ ବେଶୀ ଜଟିଳ କରି ପକାଉଛ |ଏଣିକି ଯେତିକି ପାରୁଛ କର ଓ ରୋଜ ରୋଜ ତାମସା ଦୟାକରି ବନ୍ଦ କର,ନହେଲେ ମୁଁ ପାଗଳ ହୋଇଯିବି | ସେହିଦିନଠାରୁ ସୁପ୍ରଭା ନୀରବ ରହିଗଲେ |ବିଶେଷ ଦରକାର ନଥିଲେ,ଆଉ ତାଙ୍କ ପାଟି ଫିଟିଲା ନାହିଁ |
                   ସେମାନଙ୍କ କଲୋନୀରେ ଅନେକ ବୁଲା କୁକୁର ବୁଲୁଥିଲେ |ସୁପ୍ରଭା ବଳି ପଡିଥିବା ଖାଦ୍ୟ  ସେମାନଙ୍କୁ ପ୍ରାୟ ଦେଉଥିଲେ |ଏମିତି ସବୁଦିନ ଖାଉ ଖାଉ ସେମାନେ ଖାଦ୍ୟ ପ୍ରତୀକ୍ଷାରେ ସବୁଦିନ ଗେଟ ପାଖରେ ଜଗି ବସୁଥିଲେ |ଉଭୟ ଡଲି ଓ ସୁମନ ପଶୁପକ୍ଷୀ ପ୍ରିୟ ଥିଲେ |ସେମାନଙ୍କ ସ୍ନେହ ଶ୍ରଦ୍ଧାରେ ବିଶେଷ ଭାବରେ ଗୋଟିଏ କୁକୁର ତାଙ୍କ ଗେଟ ଭିତରକୁ ଆସୁ ଆସୁ କ୍ରମେ ଘରର ଗୋଟିଏ ସଦସ୍ୟ ପରି ଘରେ ରହିବା ଆରମ୍ଭ କଲା |ଯେଉଁ ସୋଫା ଉପରେ ରଜତ ବସି ସବୁବେଳେ ଦୈନିକ ସମ୍ବାଦପତ୍ର ପଢୁଥିଲେ,ରାତିରେ ସେ ସେହିଠାରେ ଶୋଇବାକୁ ଲାଗିଲା ଓ ବିନା ବାଧା ବିଘ୍ନରେ ଘରେ ଚଳପ୍ରଚଳ ହେଲା |ଏସବୁ ରଜତଙ୍କ ଇଛା ବିରୁଦ୍ଧରେ ହେଉଥିଲା |କୁକୁରକୁ ଘରୁ ବାହାର କରିବାପାଇଁ ସେ ସୁମନକୁ ଯେତେ କହିଲେ ମଧ୍ୟ ସୁମନ ସେଥିରେ କର୍ଣ୍ଣପାତ କରୁନଥିଲା  |ସୁପ୍ରଭା ସବୁଦେଖି ନଦେଖିବା ପରି ହୋଇ ରହି ସମସ୍ତ  ଅଶାନ୍ତି ହଜମ କରିଦେଉଥିଲେ ସିନା,କିଛି କହୁନଥିଲେ  |ଡଲିକୁ କିନ୍ତୁ ଏସବୁ ଦେଖି ବହୁତ ମଜା ଆସୁଥିଲା |ଦିନେ ରଜତ ଭୀଷଣ ବିରକ୍ତ ହେବାରୁ ଡଲି ଆଗେଇ ଆସି କହିଲା,ବାପା,ଆପଣ ଆଉ ଏତେ ବିରକ୍ତ ହୁଅନ୍ତୁ ନାହିଁ |ଯୁଗ କେତେ ଆଗେଇଲାଣି,ଏତେ ରକ୍ଷଣଶୀଳ ହେବା  ଭଲ ନୁହେଁ ;ପୋଷା ଜନ୍ତୁ ମଣିଷ ଠାରୁ ବି ବେଶୀ ଉପକାରୀ |ସେଦିନ ରଜତଙ୍କ ମନ ବହୁତ ଦୁଃଖ ହେଲା ଓ ସେ ପେଟ ଖରାପ ବାହାନା କରି ରାତିରେ କିଛି ଖାଇଲେ ନାହିଁ |ରାତିସାରା ତାଙ୍କର ଆଖିପତା ପଡି ନଥିଲା |ସେ ଭାବୁଥିଲେ,ଡଲି ସିନା ପରଝିଅ,ସୁମନ କଣ ତାଙ୍କର ପସନ୍ଦ ଅପସନ୍ଦ ଜାଣିନି !!ପ୍ରାୟ ପ୍ରତ୍ୟେକ ଦିନ କୁକୁର ପାଇଁ ତାଙ୍କ ଘରେ ପାଲା ଲାଗୁଥିଲା ଓ ତାହା ଦିନକୁ ଦିନ ବଢ଼ୁଥିଲା ସିନା,କମୁ ନଥିଲା |
                   ସେଦିନ ରବିବାର ହୋଇଥାଏ |ସୁମନ ଭଲ ମୁଡରେ ଥିଲା |ତା ଜନ୍ମଦିନରେ ଡଲି ତାକୁ ଉପହାର ଦେଇଥିବା ସବୁଜ ରଙ୍ଗର ଗଂଜି  ପିନ୍ଧି ସେ ଟିଭି ଦେଖୁଥିଲା |ଡଲି  ମାଂସ ତରକାରୀ ରାନ୍ଧି ସାରିବାପରେ  ସୁମନକୁ ଡାକି ତରକାରୀ ଚାଖିବାକୁ ଦେଲା |ସୁମନ ତରକାରୀ ଚାଖି ,ଭଲ ହୋଇଛି ବୋଲି କହିଲା |କିନ୍ତୁ ସମସ୍ତେ ଖାଇଲା ବେଳକୁ ତରକାରୀ ଏତେ ଲୁଣିଆ ହୋଇଥିଲା ଯେ କେହି ପାଟିରେ ପୁରାଇ ପାରିଲେ ନାହିଁ |ସୁମନ କହିଲା.ମୁଁ ଖାଇଲାବେଳେ ତ ଠିକ ଥିଲା,ତମେ ପଛରେ ଆଉଥରେ ଲୁଣ ପକେଇଲ ନାଁ କଣ ?ଉତ୍ତରରେ ଡ଼ଲି ବିସ୍ମିତ ହୋଇ ଆଖି ଡୋଳା ଉପରକୁ ଟେକି କହିଲା,ନାଁ ମୁଁ  ପକେଇନି | ମା' ରୋଷେଇଘରକୁ ଯାଇଥିଲେ ,ସିଏ ବୋଧେ ପକେଇ ଦେଇଥିବେ |ଡଲି କଥା ଶୁଣି ସୁପ୍ରଭା ହତମ୍ବବ ହୋଇଗଲେ |ସେ ଥରେ ସୁମନ ମୁହଁକୁ ଓ ଆଉଥରେ ଡ଼ଲି ମୁହଁକୁ ଚାହିଁ ସେଠାରୁ ଚାଲିଗଲେ  |ଡଲି ମୁହଁରେ ବିଜୟିନୀର ହସ ଥିଲା |ସୁମନର ମୁଣ୍ଡ ଉପରକୁ ରାଗ ଚଢ଼ିଗଲା |ସେ କ୍ରୋଧରେ ଗର୍ଜନ କରି ଡଲିକୁ କହିଲା,ଛୋଟ ଲୋକ କେଉଁଠିକାର,ଶେଷରେ ଏତେ ତଳକୁ  ଖସିଗଲ ?ମୋ ମା' ଏତେ ନୀଚ ସ୍ତରକୁ ଯାଇ ପାରିବେ ନାହିଁ |ଭାବୁଛ, ମୁଁ କିଛି ଜାଣିପାରୁନି ?କ୍ରୋଧରେ ଅସମ୍ଭାଳ ହୋଇ  ସେ ଗୋଟାଏ ବଡ଼ ଠେଙ୍ଗା ଆଣି ଡଲିକୁ ମାରିବାକୁ ଗୋଡ଼ାଇଲା |ସୁପ୍ରଭା ସେଠାକୁ ଦୌଡ଼ି ଆସି ଡଲିକୁ ଟାଣିନେଇ ରୁମ ଭିତରେ ପୁରେଇ ବାହାରୁ କବାଟ ବନ୍ଦ  କରିଦେଲେ |ସୁମନ ଆହୁରି ରାଗିଯାଇ ଆଖି ଆଗରେ ଯାହା ପଡିଲା,ସବୁ ବାଡେଇ ବାଡେଇ ଭାଙ୍ଗିବାକୁ ଲାଗିଲା |ସୁପ୍ରଭା  ସୁମନ ସମୁଖରେ ଛିଡା ହୋଇ କହିଲେ,ତୋର ସବୁ ରାଗ ମୋ ଉପରେ ଝଡ଼େଇ ଦେ,ମୁଁ ହିଁ ସବୁଠାରୁ ବଡ଼ ଦୋଷୀ |ନିଆଁରେ ପାଣି ପଡ଼ିବା ପରି ସୁମନ ହଠାତ ଶାନ୍ତ ହୋଇଗଲା ଓ ସୁପ୍ରଭାଙ୍କ କାନ୍ଧରେ ମୁଣ୍ଡ ରଖି କାନ୍ଦି କାନ୍ଦି କହିଲା,ମା ମୁଁ ମହାପାପୀ,ତମକୁ ଓ ବାବାଙ୍କୁ ବହୁତ ଦୁଃଖ ଦେଇଛି,ମତେ କ୍ଷମା କର |ଦୀର୍ଘ  ଦିନରୁ ଜମାଟ ବାନ୍ଧିଥିବା ଅସୁମାରୀ ଦୁଃଖ ତରଳି,ଲୋତକ ଆକାରରେ ସୁପ୍ରଭାଙ୍କ ଆଖିରୁ ଅନର୍ଗଳ ଝରି ଚାଲିଥିଲା |ସେ କହିଲେ,ଆଜିଠାରୁ ତମମାନଙ୍କ କୌଣସି ଖୁସିରେ ଆମେ ବାଧା ଦେବୁନାହିଁ |ଆମ ସମୟ ସରି ଆସିଲାଣି,ଭଲ ହେଉ କି ମନ୍ଦ ହେଉ,ଏଣିକି ତମ ଖୁସିରେ ଆମ ଖୁସି |
                 କିନ୍ତୁ ରଜତ ଓ ସୁପ୍ରଭାଙ୍କୁ ଏତେ ତ୍ୟାଗ ସ୍ଵୀକାର କରିବାକୁ ପଡିଲା ନାହିଁ | ଡଲି ନିଜ  ଦୋଷ ସ୍ଵୀକାର କରି ସମସ୍ତଙ୍କ ଗୋଡ଼ ତଳେ ପଡି  କ୍ଷମା ମାଗିଲା ଓ ଶାଶୁ ଶ୍ଵଶୁରଙ୍କ ଭାବନାକୁ ସମ୍ମାନ ଜଣାଇ ସେ ନିଜେ କୁକୁରକୁ  ଗେଟ ବାହାରେ ରହିବାର ବନ୍ଦୋବସ୍ତ କଲା |ଡଲି ପୂର୍ବପରି ସୁନାବୋହୂକୁ ରୂପାନ୍ତରିତ ହୋଇଥିବାରୁ ସୁପ୍ରଭାଙ୍କ ଆନନ୍ଦର ସୀମା ନଥିଲା |ଅଶୁଭ ଭାବୁଥିବା ସବୁଜ ରଙ୍ଗ ତାଙ୍କପାଇଁ ଶୁଭ ପାଲଟି ଯାଇଥିଲା |ମମତା ମହାନ୍ତି |
         
             
                   
             
               


No comments:

Post a Comment