Tuesday, October 24, 2017

ତିନିଟି ମିନି କାହାଣୀ

                  (୧)  ସହନଶୀଳତା
                ଉମା ବାହାହୋଇ ଶାଶୁଘରକୁ ଯିବାବେଳେ ମାଆ ମାଳତୀ ତାକୁ ବୁଝାଇ କହିଥିଲେ,ଶାଶୁଘରକୁ ତୁ ଆଜିଠାରୁ ନିଜଘର ବୋଲି ଭାବିବୁ |କ୍ରୋଧକୁ ଅକ୍ରୋଧରେ,ହିଂସାକୁ ଅହିଂସାରେ,ଘୃଣାକୁ ପ୍ରେମରେ ଓ କୃପଣକୁ ଦାନରେ ସନ୍ତୁଷ୍ଟ କରିବୁ |ତାହାଲେ ତୋର ଜୟ ହେବ,ତୁ ସମସ୍ତଂକ ପ୍ରିୟ ହେବୁ |ମାଳତୀଂକ କଥା ଅକ୍ଷରେ ଅକ୍ଷରେ ମାନିଥିଲା ଉମା |ଯେ  କୌଣସି ବିଷୟରେ ନିଜ ଉତ୍ତର ରଖିବା ପୂର୍ବରୁ ସେ ଦଶଥର ଚିନ୍ତା କରୁଥିଲା |ଅଧିକାଂଶ ସମୟରେ ସେ ବିବାଦିତ ବିଷୟରେ ନୀରବ ରହିବା ଶ୍ରେୟସ୍କର ମଣୁଥିଲା |ଉମାର ପୁଅଟିଏ ହେଲା |ପୁଅ ବିଶୁକୁ ଅତି ଆଦରଯତ୍ନରେ ସେ ବଡ଼ କଲା |ପୁଅ ବାହା କଲାବେଳେ ଭାବିଲା,ବହୁତ ସହିବା ହୋଇଗଲା |ବୋହୂ ଆସିଲେ ସେ ଏଥର ନିଜର ଶାଶୁପଣିଆ ଜାହିର କରିବ |ନିଜ ମନକଥା ସେ ମାଳତୀଂକୁ କହିଲା |ମାଳତୀ କହିଲେ,ସେ ଭୁଲ ତୁ କେବେହେଲେବି କରିବୁନି ମା |ଏମିତିକି ସେ ଭାବନା ମଧ୍ୟ ତୋ ମନକୁ  ଆଣିବୁ ନାହିଁ |ଶାଶୁର ଅନ୍ୟ ଅର୍ଥ ହେଲା,'ସହନଶୀଳତା' |ବୋହୂର କଥା ତୁ ଯେତେ ସହିଯିବୁ,ସେତିକି ତାର ସ୍ନେହଶ୍ରଦ୍ଧା ପାଇବୁ,ଘରେ ସେତିକି ସୁଖଶାନ୍ତି ଆସିବ |ଉମା କହିଲା,ଇଏ କେମିତି କଥା ମା' |ବୋହୂ ହୋଇ ସହିଲି,ଏବେ ଶାଶୁ ହୋଇ ବି ସହିବାକୁ ପଡିବ ?ମାଳତୀ କହିଲେ,ସହିବାର ଆଉ ଗୋଟିଏ ଅର୍ଥ ଅଛି,ତାହାହେଲା,ସକାରାତ୍ମକ ମନୋଭାବ |ଏହା ସବୁବେଳେ ମଣିଷକୁ ଘୃଣା ବଦଳରେ ପ୍ରେମ କରିବାକୁ ଶିଖାଏ |ମଣିଷ ଯେତେବେଳେ ନକାରାତ୍ମକ ଭାବକୁ ଛାଡି ସକାରାତ୍ମକ ଭାବକୁ ଆପଣେଇ ନିଏ,ସେତେବେଳେ ସବୁ ସମସ୍ୟାର ସମାଧାନ ଆପେ ଆପେ ହୋଇଯାଏ |
                  (୨ )ମୋକ୍ଷ
                  ରାମ ଏକ ସରକାରୀ କାର୍ଯ୍ୟାଳୟରେ ରାତ୍ରୀ ଜଗୁଆଳୀ ରୂପେ କାର୍ଯ୍ୟ କରୁଥିଲା |ମୋଟା ସୋଟା ହୋଇ ସୁସ୍ଥସବଳ ଯୁବକ ଟିଏ |ଚେହେରା ଦେଖିବାକୁ ରାଜାପିଲା ପରି |ପ୍ରାୟ ପ୍ରତିଦିନ ସେ ଆମିଷ ଆହାର କରୁଥିଲା ଓ ମାଲ ପିଉଥିଲା |ସେ ଗାଡି ଚଲାଇବା ଶିଖିଥିଲା |ଉପରିସ୍ଥ ହାକିମ କେତେବେଳେ କେମିତି କହିଲେ,ତାଂକ ବ୍ୟକ୍ତିଗତ ଗାଡି ଚଲାଉଥିଲା |ଥରେ ତାଂକ କାର୍ଯ୍ୟାଳୟରେ ଜଣେ ନୈଷ୍ଠିକ ବ୍ରାହ୍ମଣ କାର୍ଯ୍ୟାଳୟ ମୁଖ୍ୟ ରୂପେ ଯୋଗଦେଲେ |ସେ ଜଣେ ପ୍ରତିଷ୍ଠିତ ସାଧୁଂକ ଠାରୁ ଦୀକ୍ଷାଗ୍ରହଣ କରି ଆମିଷ ଖାଉନଥିଲେ କିମ୍ବା  ଦେବାଦେବୀଂକୁ ପୂଜା କରୁନଥିଲେ |ରାମକୁ ସେ ଭାରି ଭଲପାଉଥିଲେ |ଯେତେବେଳେ କାର୍ଯ୍ୟାଳୟ ଡ୍ରାଇଭର ଛୁଟିରେ ଯାଉଥିଲା,ରାମ ଅଫିସ ଗାଡି ଚଲାଉ ଥିଲା |ଗାଡିରେ ଯିବାବେଳେ ଅଫିସର ତାକୁ ବିଭିନ୍ନ ଉପଦେଶ ଦିଅନ୍ତି,ଭଲମନ୍ଦ ,ପାପପୁଣ୍ୟ ବିଷୟରେ ବୁଝାନ୍ତି |ତାଂକ ସଂସ୍ପର୍ଶରେ ଆସି ରାମ ଆମିଷ ଖାଇବା ଓ ମଦ୍ୟପାନ କରିବା ଛାଡିଦେଲା |ତାପରେ ସେହି ସାଧୁଂକ ନିକଟରୁ ଦୀକ୍ଷା ମଧ୍ୟ ନେଲା |ବର୍ଷକ ଭିତରେ ରାମ ଶୁଖି କଣ୍ଚା ହୋଇଗଲା |ତାର ପୂର୍ବ ଚେହେରା କୁଆଡେ ଚାଲିଗଲା |ଘରେ ସ୍ତ୍ରୀ ଓ ପିଲାମାନେ ଆମିଷ ଖାଇବାକୁ ଯେତେ ଅନୁରୋଧ କଲେ ମଧ୍ୟ ସେ ସେମାନଂକ କଥା ଶୁଣିଲା ନାହିଁ |ଖେଳ କସରତ ଛାଡି ସେ ସେହି ବାବାଂକ ପ୍ରବଚନ ଶୁଣିବାକୁ ଭଲ ପାଉଥିଲା |ଯେତେବେଳେ ବାବା ଭୁବନେଶ୍ବର ଆସୁଥିଲେ,ସେ ସବୁକାମ ଛାଡି ତାଂକ ସେବାରେ ମଜ୍ଜି ଯାଉଥିଲା |ଥରେ ତାର ପ୍ରବଳ ଅଣ୍ଟାବିନ୍ଧା ହେଲା |ତା ସହିତ ଜ୍ବର ଲାଗି ରହିଲା |ସେ ଡାକ୍ତରଂକ ପାଖକୁ ଗଲା |ସବୁ ପରୀକ୍ଷା ନିରୀକ୍ଷା ପରେ ଜଣା ପଡିଲା,ତାକୁ ବୋନ କ୍ୟାନସର ହୋଇଛି |ଛଅମାସ ଭିତରେ ସେ ଚାଲିଗଲା ଆରପୁରକୁ |ତା ସ୍ତ୍ରୀ ରାଣୀ ଗଗନ ଫଟାଇ କାନ୍ଦିକାନ୍ଦି କହିଲା,ସେ  ଶହେ ବର୍ଷ ବଂଚିଥାନ୍ତେ , ଅଫିସରଂକ ଭୁଲ ଉପଦେଶ ଯୋଗୁଁ , ଅକାଳରେ ମରିଗଲେ   |ଅଫିସର ସବୁଶୁଣି ଶାନ୍ତ ଭାବରେ ରାଣୀକୁ  ଆଶ୍ବାସନା ଦେଇ କହିଲେ,ତୁ ବ୍ୟସ୍ତ ହୁଅନା,ରାମ ସତପଥରେ ଯାଇ ମୋକ୍ଷ ପାଇଗଲା  |
                 (୩ )ଅବ୍ୟକ୍ତ
               କହ୍ନେଇ  ଏକ ଖୋଲା ହୃଦୟର ମଣିଷ ଥିଲା |ଘରେ ତାହାର ସୋରିଷ ଫୁଟିଲେ ଅଫିସ ଲୋକେ ଜାଣି ପାରୁଥିଲେ |କାରଣ ଭଲ ହେଉ ବା ମନ୍ଦ ହେଉ,କେହି ପଚାରୁ ନପଚାରୁ ତାର ସବୁ ସୁବିଧା ଅସୁବିଧା ସେ ପ୍ରତିଦିନ ଅଫିସକୁ ଆସି ବଖାଣୁ ଥିଲା |ତାର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲେ |ଝିଅ ବଡ଼,ପୁଅ ସାନ |ଝିଅଟି ଅତ୍ୟନ୍ତ ସୁନ୍ଦରୀ |ଭଲପାତ୍ର ଦେଖି ଅତି କମ୍ ବୟସରେ ସେ ତାର ବିବାହ କରିଦେଲା |ପୁଅ ପାଇଁ ତାର ଆଦୌ ଚିନ୍ତା ନଥିଲା |ପିଲାମାନେ ଗାଁ ରେ ଥିଲେ |ସେ ମାସକରେ ଥରେ, ଦରମା ପାଇବା ପରଦିନ ଗାଁକୁ ଯାଇ ସେମାନଂକ ଭଲମନ୍ଦ ବୁଝି ଆସୁଥିଲା |ତା ଅନୁପସ୍ଥିତି ରେ ସ୍ତ୍ରୀ ରମା ବିଲକାମ ବୁଝିବା ସହ ଘରର ସମସ୍ଥ ଦାୟିତ୍ତ୍ବ ସୁଚାରୁ ରୂପେ ତୁଲାଉ  ଥିଲା |ଦିନେ ରମା ଅସୁସ୍ଥ ହୋଇ ପଡିଲା |କବିରାଜି,ହୋମିଓପାଥି,ଏଲୋପାଥି ଯେତେ ଯାହା ଔଷଧ ଖାଇଲେବି ସେ ସୁସ୍ଥ ହେଲାନାହିଁ |ମୃତ୍ୟୁ ଆସନ୍ନ  ଜାଣି ଦିନେ ରମା କହ୍ନେଇକୁ  କହିଲା,ମୁଁ ତ ମରିଯିବି |ଗୋଟିଏ କଥା ମୁଁ ତମକୁ କହିଯାଉଛି ,ଯାହାକୁ ଆଜିପର୍ଯ୍ୟନ୍ତ ନକହି ,ଲୁଚାଇ ରଖିଥିଲି  | ରମା କହ୍ନେଇର  ଅଗୋଚରରେ ଗାଁ ଲୋକଂକ ଠାରୁ  ଗହଣା ଓ ବାସନକୁସନ ବନ୍ଧାରେ ରଖି ଟଂକା ଉଧାର ଦେଉଥିଲା |ସେମାନଂକ ଭିତରୁ ପ୍ରାୟ ଅଧିକାଂଶ ଧାର ଶୁଝୁ ନଥିଲେ |ଫଳରେ ବନ୍ଧା ରଖିଥିବା ଜିନିଷ ର ମାଲିକ ରମା ହୋଇଯାଉଥିଲା |ଏହିପରି ଭାବରେ ତା ପାଖରେ ଅନେକ ସୁନାଗହଣା ଓ ବାସନକୁସନ  ଜମା ହୋଇଗଲା  |ଯେଉଁ ସିନ୍ଦୁକରେ ସେସବୁ ରଖିଥିଲା,ତାହା ସେ କହ୍ନେଇକୁ  ଦେଖାଇଲା |ଏକାସାଂଗରେ ଏତେଗୁଡାଏ  ଜିନିଷ ଦେଖି କହ୍ନେଇ  ଅବାକ ହୋଇଗଲା |କିନ୍ତୁ ଆଶ୍ଚର୍ଯ୍ୟର କଥା,ନିଜ ମନକଥା ଖୋଲି କହିଦେବା ପରେ ରମା କ୍ରମେ ସୁସ୍ଥ ହେବାରେ ଲାଗିଲା ଓ କିଛିଦିନ ଭିତରେ ସମ୍ପୂର୍ଣ୍ଣଭାବେ ରୋଗମୁକ୍ତ ହୋଇଗଲା |କିନ୍ତୁ କହ୍ନେଇ  ସବୁବେଳେ ସେହି ସୁନାଗହଣା ଓ ବାସନକୁସନ କଥା ଭାବିବାରେ ଲାଗିଲା |ସେକଥା ସେ ଅଫିସରେ କାହାକୁ କହିପାରୁ ନଥିଲା |ସବୁବେଳେ ବକରବକର ହେଉଥିବା ଲୋକଟା ହଠାତ୍ ଯେମିତି ମୂକ ପାଲଟି ଯାଇଥିଲା |କ୍ରମେ ରମାର ରୋଗ ତାକୁ ମାଡିବସିଲା ଓ ସେ ଦିନେ ସେହି ରୋଗରେ ଶେଷନିଃଶ୍ବାସ ତ୍ୟାଗ କଲା |ମମତା ମହାନ୍ତି |

Monday, October 2, 2017

ଚଣ୍ଡି

                ମୀରା ଓ ଗୋପାଳଂକ ଦୁଇଝିଅ ଥିଲେ |ସୁଶ୍ରୀ ଓ ସ୍ନିଗ୍ଧା |ସୁଶ୍ରୀ ବଡ଼ ,ତାଠାରୁ ଛଅ ବର୍ଷ ସାନ ସ୍ନିଗ୍ଧା |ଗୋପାଳଂକ ପରିବାରରେ ସେମାନେ ଚାରିଭାଇ ଥିଲେ |ଗୋପାଳ ସମସ୍ତଂକ ଠାରୁ ସାନ ଥିଲେ |ସବୁ ଭାଇଂକର ଗୋଟିଏ ଲେଖାଏଁ ପୁଅ |କେବଳ ଗୋପାଳଂକ ଦୁଇଝିଅ ଥିଲେ |ସ୍ନିଗ୍ଧା ଜନ୍ମ ହେବାବେଳେ ସମସ୍ତେ ଭାବିଥିଲେ,ଏଥର ଝିଅ ହେବ |ମୀରା ମଧ୍ୟ ଅନେକ ଦେବାଦେବୀଂକ ପାଖରେ ମାନସିକ କରିବା ବ୍ୟତୀତ ବିଭିନ୍ନ ଉପବାସ କରୁଥିଲେ |କିନ୍ତୁ ପୁଣି ଝିଅଟିଏ ହେଲା |ଖବର ପାଇ ଶାଶୁ ମୁହଁମୋଡି କହିଲେ,ଛିଃ,ପୁଣି ଝିଅ  ??ପାଖରେ ଥିବା ସୁଶ୍ରୀ ଏକଥା ଶୁଣି କହିଲା,ଜେଜି,ତମେ କାହିଁକି ମୋ ମାମାଂକୁ ଗାଳି ଦଉଛ ?ଶାଶୁ ନମ୍ରତା ତାକଥା ଶୁଣି କହିଲେ,ହେଇଲୋ,ଏ ଚଣ୍ଡି ଏଇଠି ଅଛି ମୁଁ ଜାଣିନି | ଭଲ ହେଲା,ମୁଁ ଆହୁରି କହିବି,ତୁ ମୋର କଣ କରିବୁ ?ସୁଶ୍ରୀ ଟିକିଏ ଭାବି କହିଲା,ମୁଁ ମୋ ମାମାଂକୁ ନେଇ ଏଇଠୁ ପଳେଇବି |ଆଉ ତମକୁ କିଏ ରାନ୍ଧି ଖାଇବାକୁ ଦବ ?ସୁଶ୍ରୀ କଥା ଶୁଣି ସେଠାରେ ଉପସ୍ଥିତ ଥିବା ସମସ୍ତେ ଠୋ ଠୋ ହୋଇ ହସି ଉଠିଲେ |ନମ୍ରତା କହିଲେ,ଆରେ ଏ ଚଣ୍ଡି ତ ମହା କୁହାଳିଆ ଅଛି |ତୋ ପାପା  ଆସୁ,ମୁଁ ସବୁକଥା କହିବି |ସୁଶ୍ରୀ କହିଲା,ମୁଁ ପାପାଂକୁ ବି ନେଇ ପଳେଇବି |ନମ୍ରତା କହିଲେ,ଆଜହୁଁ ଏମିତି,ତୁ ବଡହେଲେ କଣ ହବୁଲୋ !!
            ସୁଶ୍ରୀ ପିଲାଦିନୁ ଅତ୍ୟନ୍ତ ସାହସୀ ଓ ସ୍ପଷ୍ଟବାଦୀ ଥିଲା |ଯେଉଁକଥା ତାକୁ ଭଲଲାଗୁଥିଲା ବା ଭଲ ଲାଗୁନଥିଲା,ସେ ବାଛବିଚାର ନକରି ମୁହେଁ ମୁହେଁ କହି ଦେଉଥିଲା |ଥରେ ଗାଁରେ ଥିବାବେଳେ ଅସାବଧାନତାବଶତଃ ସେ କୁଅରେ ଗଳିପଡିଲା |ହେଇ ପଡିଗଲା ,ପଡିଗଲା କହି ସମସ୍ତେ ଦୌଡିଗଲେ |ହେଲେ ସମସ୍ତଂକୁ ଆଶ୍ଚର୍ଯ୍ୟଚକିତ କରି ସୁଶ୍ରୀ ନିଜେ ନିଜେ କୁଅ ଫନ୍ଦରେ ପାଦ ରଖି ଉପରକୁ ଉଠି ଆସିଲା |ଏତେବଡ ଦୁର୍ଘଟଣାରୁ ଏମିତି ରକ୍ଷା ପାଇଯିବା କଥା କେହି ବିଶ୍ୱାସ  କରିପାରୁ ନଥିଲେ |ଗୋପାଳ ସେଦିନ ଗର୍ବରେ କହିଥିଲେ,ଯେଉଁକାମ ଶହେଜଣ ପୁଅ କରିପାରିବେ ନାହିଁ,ଏକୁଟିଆ ମୋ ଝିଅ ସେକାମ କରିପାରିବ |ପିଲାଦିନୁ ସୁଶ୍ରୀ ଟିକିଏ ଭିନ୍ନ ଧରଣର ଥିଲା |ଖେଳକୁଦରେ  ତାର ବହୁତ ସୌକ ଥିଲା |ଘରେ ପୂଜାପାଠ ହେଲେ,ସେ ଠାକୁରଂକୁ ନଚାହିଁ ଗୋପାଳ ଓ ମୀରାଂକ ଆଡକୁ ଚାହିଁ କହୁଥିଲା, ତମେମାନେ ମୋ ଠାକୁର |  ସେ ଠାକୁରଂକୁ ପଛକରି ଗୋପାଳ ଓ ମୀରାଂକୁ ମୁଣ୍ଡିଆ ମାରୁଥିଲା  |ପରୀକ୍ଷା ଦେବାକୁ ଯିବାବେଳେ ହେଉ ବା ଯେ କୌଣସି ଶୁଭ କାର୍ଯ୍ୟରେ ଯିବା ହେଉ,ସେ ପ୍ରଥମେ ପାପା ମାମାଂକ ଆଶୀର୍ବାଦ ନେଉଥିଲା |
            ଗୋପାଳ ଦୁଇଝିଅଂକୁ ଅତି ଆଦର ଯତ୍ନରେ ବଢାଇ ଥିଲେ |ପିଲାଂକ ଯେଉଁଥିରେ ରୁଚି ସେ ସେମାନଂକୁ ସେହି ଦିଗରେ ଆଗେଇ ଯିବାପାଇଁ ପ୍ରୋତ୍ସାହନ ଦେଉଥିଲେ |ସୁଶ୍ରୀର ଟ୍ରେକିଂରେ ବହୁତ ଆଗ୍ରହ ଥିଲା |ପାଠ ପଢିବା ସଂଗେ ସଂଗେ ଅବସର ସମୟରେ ସେ ଟ୍ରେକିଂ କରୁଥିଲା | ସେଥିରେ ଗୋପାଳଂକ ବାରଣ ନଥିଲା |ଘରେ ସବୁବେଳେ ଖୁସିର ମାହୋଲ ଥିଲା |କିନ୍ତୁ ତା ଭିତରେ ଟିକିଏ କେଁ ଥିଲା |ମୀରା ଦୃଢ ଈଶ୍ୱରବିଶ୍ୱାସୀ  ଥିଲେ |ଘରର ନିତିଦିନିଆ କାମ ଅପେକ୍ଷା ସେ ଠାକୁର ପୂଜାକୁ ବେଶି ଗୁରୁତ୍ତ୍ୱ  ଦେଉଥିଲେ |ପ୍ରତିଦିନ ରାତି ଚାରିଟାରୁ ଉଠି ଘର ଲିପାପୋଛା କରି ମୁରୁଜ ପକାଉଥିଲେ | ଠାକୁରପୂଜା ଶେଷକରି ରୋଷେଇଘରକୁ ଆସିବା ବେଳକୁ ଆଠଟା ବାଜି ଯାଉଥିଲା |ସେଇ ସମୟ ଭିତରେ ଗୋପାଳ ଅଧା ରୋଷେଇ ସାରି ପିଲାମାନଂକୁ ସ୍କୁଲ ଯିବାପାଇଁ ପ୍ରସ୍ତୁତ କରାଇ ଦେଉଥିଲେ  ପିଲାମାନେ ଜଳଖିଆ ଖାଇ ସ୍କୁଲ ଯାଉଥିଲେ |ସ୍କୁଲରୁ ଫେରିବା ପରେ ମୀରାଂକ ସହିତ ଲଂଚ ଖାଉଥିଲେ |ଅନ୍ୟପକ୍ଷରେ ଗୋପାଳ ଏକାଥରକେ ଭାତ ଖାଇ ଅଫିସ ଯାଉଥିଲେ,ସନ୍ଧ୍ୟାରେ ଘରକୁ ଫେରିବା ପରେ ଆଉ କିଛି ନଖାଇ ଏକାଥରକେ ରାତିରେ ଖାଉଥିଲେ |ପିଲାମାନେ ବଡହେବା ପରେ କ୍ରମେ ରୋଷେଇ ଏକ ସମସ୍ୟା ରୂପେ ଉଭା ହେଲା |କାରଣ ମୀରା ଠାକୁରପୂଜା କୌଣସିମତେ କାଂଟଛାଣ୍ଟ କରିବାକୁ ରାଜି ନଥିଲେ |ସେ ସମ୍ପୂର୍ଣ୍ଣ ନିରାମିଷାସି ଥିବାବେଳେ ଗୋପାଳ ଓ ଦୁଇଝିଅ ଆମିଷପ୍ରିୟ ଥିଲେ |ଘରକୁ ଆମିଷ ଆଣିବା ମଧ୍ୟ ଅନେକ ଝଂଯଟପୂର୍ଣ୍ଣ ଥିଲା |ଗୋପାଳ ନିଜେ ଆମିଷ ରାନ୍ଧୁଥିଲେ |ଆମିଷ ଗନ୍ଧ ବାଜିଲେ ମୀରାଂକୁ ବାନ୍ତି ଆସୁଥିଲା  |ତେଣୁ ସେ ସେଦିନ ଆଗତୁରା ରୋଷେଇ ସାରି ଦେଉଥିଲେ |ସୁଶ୍ରୀ ବି.କମ୍.ପରେ ଏମ.ବି.ଏ.କରିବାକୁ ରାଜ୍ୟ ବାହାରକୁ ଗଲା |ସ୍ନିଗ୍ଧା ମଧ୍ୟ ହଷ୍ଟେଲରେ ରହି ଇଂଜିନିୟରିଂ ପଢିଲା |ସେତେବେଳେ ଆଉ ନିଜପାଇଁ ଏକୁଟିଆ ଘରକୁ ଆମିଷ ଆଣି ରାନ୍ଧି ଖାଇବାକୁ ଗୋପାଳଂକୁ ଭଲଲାଗିଲା ନାହିଁ |ଯେତେବେଳେ ତାଂକର ଆମିଷ ଖାଇବାକୁ ଇଚ୍ଛା ହୁଏ ସେ ବାହାରୁ କିଣି ଖାଆନ୍ତି |ଛୁଟିରେ ପିଲାମାନେ ଯେତେବେଳେ ଘରକୁ ଆସନ୍ତି,ସେତେବେଳେ ବାର ଅବାର ନମାନି ଗୋପାଳ ପ୍ରାୟ ସବୁଦିନ ଆମିଷ ଆଣନ୍ତି ଓ ତିନିହେଁ ମହାଖୁସିରେ ଖାଆନ୍ତି |
            ଏମ.ବି.ଏ.ପରେ କାମ୍ପସ ସିଲେକ୍ସନରେ ସୁଶ୍ରୀକୁ ଏକ ଭଲ କମ୍ପାନୀରେ ଚାକିରୀ ମିଳିଲା |ନୂତନ ନିଯୁକ୍ତିରେ ଯୋଗଦେବା ପୂର୍ବରୁ ସେ ଘରକୁ ଆସିଥିଲା |ସେତେବେଳେ ଜାଣିବାକୁ ପାଇଲା,ଗୋପାଳ ଟାଇପ ୨  ମଧୁମେହ ରୋଗରେ ପୀଡିତ |ସୁଶ୍ରୀ ଏକଥା ଶୁଣି ବହୁତ ଦୁଃଖୀ ହେଲା |ସେ ମୀରାଂକୁ କହିଲା,ମାମା,ପାପାଂକ ଦେହ ଏତେ ଖରାପ,ତମେ ଏପର୍ଯ୍ୟନ୍ତ ତମ ଠାକୁର ପୂଜା ଛାଡିନ ?ଏଥିରୁ ତମକୁ କି ଲାଭ ମିଳୁଛି ?ସତରେ କଣ ଠାକୁର ତମ ଡାକ ଶୁଣୁଛନ୍ତି ?ତାହାଲେ ପାପାଂକୁ କାହିଁକି ଡାଇବେଟିସ୍ ହେଲା, ଆଉ କାହିଁକି ରୋଗ ତମ ପିଛା ଛାଡୁନି ?ମୀରା କହିଲେ,ସେମିତି କହନା ମା,ଠାକୁର କୋପ କରିବେ |ସୁଶ୍ରୀ କହିଲା,ଠାକୁର ଅଲରେଡି କୋପ କରି ସାରିଲେଣି ମାମା |ପାପା ଏତେ ଖାଇବା ପ୍ରିୟ,ଏବେ ତାଂକ ଖାଇବା ଉପରେ ସବୁଦିନ ପାଇଁ କଟକଣା ଲାଗିଗଲା |ସେ ଆଉ ଖାଇବେ କଣ ?ମୀରା କହିଲେ,ତାଂକ ନିଜ ଦୋଷରୁ ତାଂକ ଦେହ ଖରାପ ହେଲା,ଏଥିରେ ଠାକୁରଂକ କି ଦୋଷ ?ସୁଶ୍ରୀ ବିରକ୍ତ ହୋଇ କହିଲା,|ଏତେଦିନ ପର୍ଯ୍ୟନ୍ତ ତମେ ବୁଝିଲ ନାହିଁ,ଏବେ କଣ ବୁଝିବ ?ଗୋପାଳଂକୁ ମଧ୍ୟ ସେ ଅନେକ ବୁଝାଇ କହିଲା,ପାପା ଡାଇବେଟିସ୍ ରୋଗ ନୁହେଁ |ତମେ ରେଗୁଲାର ଏକ୍ସରସାଇଜ କଲେ ଆଉ ଖାଇବା ଟିକିଏ କଣ୍ଟ୍ରୋଲ କଲେ ଅଳ୍ପ ଦିନରେ ଭଲ ହୋଇଯିବ |ଗୋପାଳ ତା କଥା ହାଲୁକା ଭାବରେ ନେଲେ |କହିଲେ,ହଉ ଦେଖିବା |
            ଚାକିରୀ କରିବା ପରେ ସୁଶ୍ରୀର ବିବାହ କଥା ଉଠିଲା |ସୁଶ୍ରୀ କିନ୍ତୁ ବିବାହ କରିବା ପାଇଁ ରୋକଠୋକ୍ ମନା କରିଦେଲା ||କହିଲା,ମୁଁ ଆଦୌ ବାହା ହେବିନାହିଁ |ତୁମେ ଦୁଇଜଣ ରୋଗଣା ହୋଇ ଗଲଣି,ମୁଁ ବାହା ହୋଇଗଲେ ତମମାନଂକ କଥା ବୁଝିବ କିଏ ?ବରଂ ସ୍ନିଗ୍ଧାର ବାହାଘର କରିଦିଅ |ଗୋପାଳ ଅନେକ ଉଦାହରଣ ଦେଇ କହିଲେ ,ଦେଖ,ବାହାହୋଇ ସାରିବା ପରେବି ସେମାନେ ବାପା ମାଆଂକ କଥା ବୁଝୁଛନ୍ତି |ଅନେକ ରାଣନିୟମ ପକାଇ ସୁଶ୍ରୀକୁ ବିବାହ ପାଇଁ ରାଜି କରାଇବାକୁ ଚେଷ୍ଟା କଲେ |କିନ୍ତୁ ତାଂକର ସମସ୍ତ ଉଦ୍ୟମ ବିଫଳ ହେଲା |ଶେଷରେ ସୁଶ୍ରୀ କଥା ରହିଲା |ଖୁବ ଧୁମଧାମରେ ସ୍ନଗ୍ଧାର ବାହାଘର ହେଲା |ସୁଶ୍ରୀ ର ଅଫିସ କର୍ମଚାରୀଂକ ସହଯୋଗରେ   ସୁରୁଖୁରୁରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା  |ସୁଶ୍ରୀ  ଯେଉଁ ସହରରେ ଚାକିରୀ କରୁଥିଲା,ସେଠାରେ ତିନି କୋଠରୀ ବିଶିଷ୍ଟ ଏକ ଫ୍ଲାଟ କିଣିଲା |ଶୁଭଦିନ ଦେଖି ଘରପ୍ରତିଷ୍ଠା ହେଲା |ମୀରା ଓ ଗୋପାଳ ପୂଜାରେ ବସିଲେ |ସେଦିନ ସୁଶ୍ରୀ ବହୁତ ଖୁସି ଥିଲା |ପୂଜା ସରିବା ପରେ ସେ କହିଲା,ପାପା,ମାମା ,ଆଜିଠାରୁ ଏଘର ତମର |କିନ୍ତୁ ତମମାନଂକୁ ଏଥର ନିଜ ସ୍ବାସ୍ଥ୍ୟର ଯତ୍ନ ନେବାକୁ ପଡିବ |ସକାଳୁ ଉଠି ମଣିଂୱାକ କରିବ ଆଉ ବେଶି ତେଲ ମସଲା ଖାଇବନାହିଁ |ମାମା,ତମେ ବି ଟିକିଏ ପୂଜା କମେଇ ପାପାଂକ କେଆର ନବ |
            କିନ୍ତୁ ମଣିଷ ସବୁବେଳେ ନିଜ ଅଭ୍ୟାସର ଦାସ |ଦିନାକେତେ ସୁଶ୍ରୀ କହିବା ମୁତାବକ ସବୁ ଠିକଠାକ୍ ଚାଲିଲା |ତାପରେ ଯଥା ପୂର୍ବଂ ତଥା ପରଂ |ସୁଶ୍ରୀ ସକାଳ ସାତଟାରେ ଘରୁ ଯାଏ |ଫେରିବା ବେଳକୁ ସନ୍ଧ୍ୟା ଆଠଟା |ଦିନେ ଗୋପାଳ ଗୁରୁତର ଅସୁସ୍ଥ ହୋଇ ପଡିଲେ |ଡାକ୍ତରଖାନା ନେଇ ପରୀକ୍ଷା କରିବାରୁ ଜଣା ପଡିଲା ଦୀର୍ଘ ଦିନର ମଧୁମେହ ରୋଗ ଯୋଗୁଁ ତାଙ୍କ  ପାଦରେ   ଅଲସର ହୋଇଯାଇଛି |ତାଂକୁ ବଂଚାଇବାକୁ ହେଲେ ଡାହାଣ ଗୋଡ ଆଂଠୁ ତଳକୁ  କାଟିବାକୁ ପଡିବ |ସେଦିନ ପଥର ପରି ଥିବା ସୁଶ୍ରୀର ହୃଦୟ ଭାଂଗିପଡିଲା |ସେ କେବେବି କଳ୍ପନା କରିପାରି ନଥିଲା,ତାକୁ ଏମିତି ଦୁଃସମୟର ସାମନା  କରିବାକୁ ପଡିବ |କିନ୍ତୁ ଅନେକ ଚେଷ୍ଟା କରି ସେ ନିଜକୁ ବୁଝାଇଲା |ଗୋପାଳଂକୁ ସୁସ୍ଥ କରିବାପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କଲା |ଆମ୍ପୁଟେସନ ପରେ କୃତ୍ରିମ ଗୋଡ଼ ଲାଗିଲା |ଧୀରେ ଧୀରେ ଗୋପାଳ ଚାଲିବା ଶିଖିଲେ |ପ୍ରତିଦିନ ସକାଳେ ମୀରା ,ଗୋପାଳଂକ ହାତ ଧରି ତାଂକୁ ଚଲାଇବା ପାଇଁ ନେଇ ଯାଆନ୍ତି |ଘରକୁ ଫେରିବା ପରେ ତାଂକୁ ଜଳଖିଆ ଓ ଔଷଧ ଦେଇ  ତାଂକର ନିତିଦିନିଆ ଠାକୁରପୂଜା କରନ୍ତି |
            ଥରେ କୁଲୁ ମନାଲିରେ ପନ୍ଦରଦିନ ପାଇଁ ସୁଶ୍ରୀର ଟ୍ରେକିଂ କ୍ୟାମ୍ପ ପଡିଲା |ତା ଅନୁପସ୍ଥିତିରେ ଗୋପାଳ ଓ ମୀରା ଯେପରି ହଇରାଣ ନହେବେ ସେଥିପାଇଁ ଘରର ସମସ୍ତ ଦରକାରୀ ଜିନିଷ,ଔଷଧ ଇତ୍ୟାଦି ଆଣି ଘରେ ରଖିଲା |ସବୁଥର ପରି ଏଥରକ ମଧ୍ୟ ସେହି ସହରରେ ରହୁଥିବା ସ୍ନିଗ୍ଧାକୁ କହିଲା,ମୁଁ ଫେରିବା ପର୍ଯ୍ୟନ୍ତ ଅଫିସରୁ ଯିବାବେଳେ ଦୁହେଁ ପାପା ମାମାଂକୁ ସବୁଦିନ ଦେଖାକରି ଯାଉଥିବ |  ସ୍ନିଗ୍ଧା କହିଲା,ତୁ ବ୍ୟସ୍ତ ହୁଅନା ଅପା,ଆମେ ଅଛୁ,ସବୁ ସମ୍ଭାଳି ନବୁ |ସେ ଯିବାର ପାଂଚଦିନପରେ ଖବର ଆସିଲା,ପାହାଡ ଚଢୁଥିବାବେଳେ ଅକ୍ସିଜେନ ଅଭାବରୁ ଶ୍ଵାସରୁଦ୍ଧ  ହୋଇ ସୁଶ୍ରୀର ମୃତ୍ୟୁ ହୋଇଛି |ଏହି ଦୁଃସମ୍ବାଦ ଶୁଣି ମୀରା ମୂର୍ଚ୍ଛା ହୋଇଗଲେ |ତାଂକର ଏତେଦିନ ର ଈଶ୍ୱର ଭକ୍ତି  ଓ ତାଙ୍କ ଉପରେ ଥିବା  ଅଖଣ୍ଡ ବିଶ୍ୱାସ  ବରଫଖଣ୍ଡ ପରି ତରଳିବାରେ ଲାଗିଲା |ସେ ବାହୁନି ବାହୁନି କାନ୍ଦି ବାରମ୍ବାର କହିବାକୁ ଲାଗିଲେ,ପୂଜାପାଠରେ ବୁଡି ମୋ ପିଲାକୁ ମୁଁ ଭଲରେ ମୁଠାଏ ଖାଇବାକୁ ଦେଇପାରିଲି ନାହିଁ |ଯାହାଂକୁ ଏତେ ବିଶ୍ୱାସ  କରିଥିଲି ସେ ମୋଠାରୁ ମୋ ଆଶ୍ରାବାଡିକୁ ଛଡେଇ ନେଲେ |ଗଲାବେଳେ ସେମିତି ଉପାସରେ ଗଲା,ମୁଁ ପାଷାଣ୍ଡି ତାକୁ ହେଲେ କଣ ଟିକେ ରାନ୍ଧି ନିଜ ହାତରେ ଖୁଆଇ ଦେଇ ଥାଆନ୍ତି !!ଯେତେ କାଂଦିଲେ ବି ତାଂକ ଆଖିରୁ ଲୁହ ସରୁ ନଥିଲା |ଅନୁଶୋଚନାରେ ତାଂକ ତନୁମନ ଜଳି ଯାଉଥିଲା |ସେ ଭାବୁଥିଲେ ଈଶ୍ୱରଙ୍କୁ ଏତେ ପୂଜା କରିବା ସତ୍ତ୍ୱେ ସେ କେମିତି ତା ପ୍ରତି ଏତେ ନିର୍ଦ୍ଦୟ ହୋଇ ପାରିଲେ !!ସେହିଦିନଠାରୁ ମୀରା ସମ୍ପୂର୍ଣ୍ଣ ବଦଳିଗଲେ |ସବୁଦିନ ପରି ତାଂକ ଘର ଦୁଆରମୁହଁରେ ମୁରୁଜ ପଡିବା କେହି ଦେଖିଲେ ନାହିଁ କିମ୍ବା  ଘଣ୍ଟା ଘଣ୍ଟା ଧରି ତାଙ୍କୁ ଘଣ୍ଟି ବଜାଇ ଠାକୁରପୂଜା କରିବା  କେହି  ଶୁଣିଲେ ନାହିଁ |.....ମମତା ମହାନ୍ତି |