ସହରର ପ୍ରମୁଖ ସ୍ଥଳରେ ଥିବା ଏକ ହାଟରେ ପୂର୍ଣ୍ଣର ବଡ଼ ପରିବା ଦୋକାନ ଥିଲା |ଆଖପାଖରେ ଅନେକ ପରିବା ବିକାଳୀ ଥିଲେ ବି ପୂର୍ଣ୍ଣ ଦୋକାନରେ ସବୁବେଳେ ଗ୍ରାହକମାନଙ୍କର ଭିଡ଼ ଜମି ରହୁଥିଲା |ଏହାର ଦୁଇଟି କାରଣ ଥିଲା |ପ୍ରଥମ କାରଣ ହେଲା,ପୂର୍ଣ୍ଣର ଅମାୟିକ ବ୍ୟବହାର ଓ ଦ୍ୱିତୀୟ କାରଣ ହେଲା,ଗ୍ରାହକଙ୍କର ତା ପ୍ରତି ଥିବା ଅତୁଟ ଆସ୍ଥା ଓ ବିଶ୍ୱାସ | ସୁଶାନ୍ତ ସେତେବେଳେ ହାଟ ନିକଟବର୍ତ୍ତୀ ଏକ ସରକାରୀ କାର୍ଯ୍ୟାଳୟରେ ଚାକିରୀ କରୁଥିଲା |ପୂର୍ଣ୍ଣ ବ୍ୟବହାରରେ ଆକର୍ଷିତ ହୋଇ ସେ କେବଳ ତା ଠାରୁ ହିଁ ପରିବା କିଣୁଥିଲା |ତା ଉପରେ ସୁଶାନ୍ତର ଏପରି ପ୍ରଗାଢ଼ ବିଶ୍ୱାସ ଥିଲା ଯେ,ଅଫିସ ଯିବାବେଳେ ସେ ତାର ପରିବା ବ୍ୟାଗ ପୂର୍ଣ୍ଣ ପାଖରେ ରଖି ଦେଇ ଯାଉଥିଲା,ଅଫିସରୁ ଫେରିବାବେଳେ ପୂର୍ଣ୍ଣ ତାର ପସନ୍ଦ ମୁତାବକ ବ୍ୟାଗରେ ପରିବା ରଖି କେବଳ ତାର ଦାମ କେତେ କହୁଥିଲା ଓ ସୁଶାନ୍ତ ହିସାବ ନକରି ସେ କହିଥିବା ଦାମ ତାକୁ ବଢ଼ାଇ ଦେଇ ତା ସହିତ କିଛି ଖୁସି ଗପ କରି ସେଠାରୁ ଚାଲି ଆସୁଥିଲା | କେବଳ ସୁଶାନ୍ତ ନୁହେଁ,ତା ପରି ଅନେକ ଗ୍ରାହକଙ୍କର ପୂର୍ଣ୍ଣ ଉପରେ ଅଖଣ୍ଡ ଭରସା ଥିଲା |
ସୁଶାନ୍ତର ବଦଳି ହୋଇଯିବା ପରେ ସେ ଆଉ ପୂର୍ଣ୍ଣ ଖବର ରଖି ପାରି ନଥିଲା | ବେଶ କିଛି ବର୍ଷର ବ୍ୟବଧାନ ପରେ ଦିନେ ଏକ ପୂଜା ସାମଗ୍ରୀ ଓ ତଟକା ଫଳ ବିକ୍ରି ହେଉଥିବା ଦୋକାନରେ ପୂର୍ଣ୍ଣ ସହିତ ଦେଖା ହୋଇଗଲା |ସେଠାରେ ତାକୁ ସାହାଯ୍ୟ କରିବା ପାଇଁ ତାର ସାନ ପୁଅ ଥିଲା | ପୂର୍ଣ୍ଣ ଟିକିଏ ବି ବଦଳି ନଥିଲା ଓ ତାର ବ୍ୟବହାର ସେହିଭଳି ସରଳ ଓ ଅମାୟିକ ଥିଲା | ସେ ସୁଶାନ୍ତକୁ ଦେଖି ଖୁସିରେ ଗଦ ଗଦ ହୋଇ ତାର ଗପର ପେଡି ଖୋଲି ଦେଲା |କଥା ପ୍ରସଙ୍ଗରେ ପୂର୍ଣ୍ଣ କହିଲା,ତାର ପିତା ସେହି ପୂଜା ସାମଗ୍ରୀ ଦୋକାନ ଚଳାଉ ଥିଲେ |ତାଙ୍କ ମୃତ୍ୟୁ ପରେ ଭାଇମାନଙ୍କ ସହିତ ସମ୍ପତ୍ତି ଭାଗବଣ୍ଟା ହେବାବେଳେ ସେ ବାପାଙ୍କ ସ୍ମୃତିର ସ୍ମାରକୀ ରୂପେ ସେହି ଦୋକାନଟି ନିଜ ପାଇଁ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲା | ତାର ଦୁଇପୁଅ ଥିଲେ |ବଡ଼ ଇଞ୍ଜିନିୟରିଂ ପାଶ କରି ବାଙ୍ଗାଲୋରରେ ଚାକିରୀ କରୁଥିଲା |ମାଟ୍ରିକ ପାଶ କରିବା ପରେ ସାନ ପୁଅକୁ ଆଉ ଅଧିକ ନ ପଢାଇ ତାକୁ ସାହାଯ୍ୟ କରିବା ପାଇଁ ତାର ଦୋକାନରେ ରଖିଥିଲା |ସୁଶାନ୍ତ ବିରକ୍ତି ପ୍ରକାଶ କରି କହିଲା,ଦୁଇ ପୁଅଙ୍କ ଭିତରେ ଏପରି ପାତର ଅନ୍ତର କାହିଁକି କଲ ?ବଡ଼ପୁଅକୁ ଇଞ୍ଜିନିଅର କଲ ,ସାନକୁ ସେତିକି ନ କଲେ ବି କମସେ କମ ଗ୍ରାଜୁଏଟ ହେବାଯାଏଁ ପଢାଇ ଥାଆନ୍ତ !ଏତେ ଶୀଘ୍ର ଦୋକାନରେ ବସାଇବା କଣ ଦରକାର ଥିଲା ?ପୂର୍ଣ୍ଣ ହାତ ଯୋଡି କହିଲା,ସାର,ମୋ ବାପା ପାଠ ପଢି ନଥିଲେ,ତଥାପି ଦୋକାନ ଭଲ ଚାଲିଥିଲା |ମୁଁ ସପ୍ତମ ଶ୍ରେଣୀ ଫେଲ,ଆଜି ପର୍ଯ୍ୟନ୍ତ ଦୋକାନ ଠିକରେ ଚାଲିଛି |ପୁଅ ତ ମୋ ଠାରୁ ଅଧିକ ପଢି ମାଟ୍ରିକ ପାଶ କରିଛି,ଆଉ ଅଧିକ କଣ ଦରକାର ?ଏବେ ପୁଅର ବୟସ କମ ,ତାକୁ ଏତିକି ବେଳୁ ବେପାର ବିଷୟରେ ତାଲିମ ନଦେଲେ,ପଛକୁ ବିଗିଡି ଗଲେ,ଆଉ ଧରି ପାରିବନି |ସୁଶାନ୍ତ ଅଶାନ୍ତି ହୋଇ କହିଲା,ଯାହା ହେଲେ ବି ଶିକ୍ଷାର କିଛି ମହତ୍ତ୍ୱ ରହିଛି,ତମେ ସେକଥା ବୁଝି ପାରିବନି |ଜଣେ ଆକାଶରେ ରହିବା ବେଳେ ଆଉ ଜଣେ ରସା ତଳେ,ଇଏ କି ଭଳି ନ୍ୟାୟ ?? ପୂର୍ଣ୍ଣ ହାତଯୋଡ଼ି ବିନମ୍ରତାର ସହ କହିଲା,ସାର, ଛୋଟ ମୁହଁ,ବଡ଼ କଥା |ବଡପୁଅ ଯେତେ ଟଙ୍କା ରୋଜଗାର କଲେ ବି,ସେ ଚାକର,ମାଲିକ ନୁହେଁ |କିନ୍ତୁ ଆମେ ମାଲିକ |ବଡ ପୁଅ ମାସକୁ ଯେତେ ଟଙ୍କା ରୋଜଗାର କରୁଛି, ଆମର ସପ୍ତାହକର ଆୟ ତାହା ଠାରୁ ଦେଢ଼ ଗୁଣ ଅଧିକ |ତା ଉପରେ ପୁଣି ପୂଜା ପର୍ବ ରହିଛି,ତାର ଅଲଗା ହିସାବ |ଏଇଠି ଆମ ମର୍ଜିରେ ଦୋକାନ ଚାଲେ,ଆମ କାମ ପାଇଁ ନିତି କାହାକୁ କୈଫିୟତ ଦେବାକୁ ପଡେନାହିଁ | ତା କଥା ଶୁଣି ସୁଶାନ୍ତ ବିସ୍ମିତ ହୋଇଗଲା |କହିଲା, ହଉ ଭଲରେ ଥାଅ |ଈଶ୍ୱର ତୁମର ମଙ୍ଗଳ କରନ୍ତୁ |ଏଥରକ ବଡ଼ ପୁଅ କଥା କୁହ ,ତା ବାହାଘର କେବେ କରୁଛ ?ବାହାଘର କଥା ଶୁଣି ପୂର୍ଣ୍ଣର ମୁହଁ ଶୁଖିଗଲା |ସୁଶାନ୍ତ ତାର ମନୋଭାବକୁ ଲକ୍ଷ୍ୟ କରି କହିଲା,କଣ ହେଲା ?ଏମିତି ମୁହଁ ଶୁଖେଇ ଦେଲ ଯେ ?ପୂର୍ଣ୍ଣ କିଛି କହିବାକୁ ରାଜି ହେଉ ନଥିଲା |ସୁଶାନ୍ତ ବାଧ୍ୟ କରିବାରୁ ତାର ଦୁଃଖର କାରଣ କହିଲା |ବଡପୁଅ ଏକ ଝିଅର ପ୍ରେମରେ ପଡିଛି ,ସେ ତାରି ଅଫିସରେ ଚାକିରୀ କରେ |ପୂର୍ଣ୍ଣ ଦୁଇଜଣଙ୍କ ବାହାଘର କରିବା ପାଇଁ ରାଜି |କିନ୍ତୁ ତାର ଏକ ସର୍ତ୍ତ ରହିଛି |ବାହାଘର ପରେ ବୋହୂକୁ ଚାକିରୀ ଛାଡିବାକୁ ପଡିବ |ସୁଶାନ୍ତ ବିରକ୍ତ ହୋଇ କହିଲା,ଇଏ କି ଅଵିଵେକୀ କଥା,ଚୁଲି ଫୁଙ୍କିବାକୁ ସେ କଣ ଏତେ ପାଠ ପଢିଥିଲା ?ଭାଗ୍ୟରେ ଥିଲେ,ଚାକିରୀଆ ବୋହୂ ମିଳେ ,ତୁମେ ଅଯଥା ଜିଦ୍ଦି ନକରି ରାଜି ହୋଇଯାଅ |କୁଣ୍ଠିତ ସ୍ୱରରେ ପୂର୍ଣ୍ଣ କହିଲା,ସ୍ତ୍ରୀ କୁ କ୍ୟାନସର,ତାର ସବୁ କାମ ମତେ କରିବାକୁ ପଡୁଛି |ଦୁଇ ପୁଅ ଯିଏ ଯାହା କାମରେ ବ୍ୟସ୍ତ ରହିଲେ ,ଘର ସମ୍ଭାଳିବ କିଏ ??
ଏହାର କିଛି ମାସ ପରେ ସୁଶାନ୍ତ ଖବର ପାଇଲା, କର୍କଟ ରୋଗରେ ପୀଡିତା ଥିବା ପୂର୍ଣ୍ଣ ସ୍ତ୍ରୀର ଅକାଳ ବିୟୋଗ ହୋଇ ଯାଇଛି |ମୃତ୍ୟୁ ପୂର୍ବରୁ ସେ ବଡ଼ପୁଅର ବିବାହ ଦେଖିବାକୁ ଇଚ୍ଛା ପ୍ରକାଶ କରିବାରୁ ପୂର୍ଣ୍ଣ ଆଉ ତାର ସର୍ତ୍ତ ଉପରେ ଜୋର ନଦେଇ,ବଡପୁଅ ପସନ୍ଦ କରିଥିବା ଝିଅ ସହିତ ବାହାଘର କରିଦେଲା |ସୁଶାନ୍ତ ଏକଥା ଶୁଣି ଖୁସି ହୋଇ କହିଲା,ଯାହାହେଉ ଉଚିତ ନିଷ୍ପତ୍ତି ନେଲ,କିନ୍ତୁ ବୋହୂର ଚାକିରୀ ଛାଡିବା କଥା କଣ ହେଲା ? |ପୂର୍ଣ୍ଣ କହିଲା,ତାର ଚାକିରୀ କରିବା ନ କରିବା ଉପରେ ମୋର କିଛି ଆପତ୍ତି ନଥିଲା |କିନ୍ତୁ ବାହାଘର ପରେ ବୋହୂ ନିଜ ଇଚ୍ଛାରେ ଚାକିରୀ ଛାଡିଦେଲା |ସୁଶାନ୍ତ ଆଶ୍ଚର୍ଯ୍ୟ ହୋଇ କହିଲା,ଏହା କିପରି ସମ୍ଭବ ହେଲା ?ପୂର୍ଣ୍ଣ ଉତ୍ତର ଦେଲା,,ବୋହୂକୁ ଏକଥା ପଚାରିଥିଲି |ସେ କହିଲା,ମୁଁ ଆତ୍ମନିର୍ଭରଶୀଳ ହେବାପାଇଁ ଚାକିରୀ କରିଥିଲି |ତା ମାନେ ନୁହେଁ ଯେ,ସମସ୍ତଙ୍କୁ ଅସୁବିଧାରେ ପକେଇ ମୁଁ ମୋର ସୌକ ପୂରଣ କରିବି !ଘର ସମ୍ଭାଳିବା ମୋର ପ୍ରଥମ ଦାୟିତ୍ତ୍ୱ,ତାପରେ ଆଉ ଯାହା |ପୁଅ ବି ତାର ଭୁବନେଶ୍ୱରର ବ୍ରାଞ୍ଚ ଅଫିସକୁ ଚାଲି ଆସିଛି |ଏବେ ମୁଁ ସବୁ ଦାୟିତ୍ତ୍ଵରୁ ମୁକ୍ତ |ମୋର ସବୁ ସମୟ ଈଶ୍ୱରଙ୍କ ନାମ ଜପରେ ବିତି ଯାଉଛି |ଭଲରେ ଖାଉଛି,ଶୋଉଛି |ସ୍ତ୍ରୀ ସିନା ଚାଲିଗଲା,ଭଗବାନ ବାକି ସବୁ ସୁଖ ଐଶ୍ଵର୍ଯ୍ୟ ମୋ ଝୋଲିରେ ଭରିଦେଲେ |ଆଉ ଅଧିକ କଣ ପ୍ରୟୋଜନ ??
ଏକା ଧ୍ୟାନରେ ସୁଶାନ୍ତ ପୂର୍ଣ୍ଣର କଥା ଶୁଣି ଯାଉଥିଲା |ସେ ଭାବୁଥିଲା,ସତେ ତ !ସାରା ଜୀବନ ଦାୟିତ୍ତ୍ଵର ବୋଝକୁ ଏକୁଟିଆ ମୁଣ୍ଡେଇ ସେ ଏଇ ଛୋଟ ସତ୍ୟଟିକୁ ଜାଣି ପାରିଲା ନାହିଁ କେମିତି ?ଜୀବନକୁ ଯେତେ ସରଳ ଭାବରେ ସ୍ୱୀକାର କରିନେବ,ସୁଖର ସ୍ପର୍ଶ ସେତେ ନିବିଡ଼ ଭାବରେ ଅନୁଭବ କରି ପାରିବ ,ଏହା ଆଜି ତାକୁ ପୂର୍ଣ୍ଣ ଶିଖେଇ ଦେଲା |
ମମତା ମହାନ୍ତି ସାମନ୍ତରାୟ ,ଅନ୍ତେଇ