Saturday, March 2, 2024

******* ନିଆରା ନାରୀ ********

                       କିଛିଦିନ ତଳେ ସମ୍ବାଦପତ୍ରରେ  ପ୍ରକାଶିତ ଏକ ସମ୍ବାଦ ଚାଞ୍ଚଲ୍ୟ  ସୃଷ୍ଟି କରିଥିଲା |ତାହା ହେଲା,ଦୁଇଟି ସନ୍ତାନର ଜନନୀ ଥିବା  ଜଣେ ମହିଳା ତାଙ୍କର ଦୀର୍ଘ ପନ୍ଦର ବର୍ଷର ଦାମ୍ପତ୍ୟ ଜୀବନକୁ ଜଳାଞ୍ଜଳି ଦେଇ  ପ୍ରେମିକ ଓ ମାଆଙ୍କ ସହାୟତାରେ  ରାତିରେ ଗଭୀର ନିଦ୍ରାରେ ଶୋଇଥିବା ସ୍ୱାମୀକୁ ହତ୍ୟା କରି ସେହି କୋଠରୀ ମଧ୍ୟରେ ସମାଧି ଦେଇଛନ୍ତି   |ଚାରିଜଣ ବଢ଼ିଲା ସନ୍ତାନଙ୍କ ମାତା ତାଙ୍କ ସ୍ୱାମୀଙ୍କ ଚିତା ଜଳୁଥିବାବେଳେ   ପ୍ରେମିକଙ୍କ ହାତ ଧରି ଘରୁ ଚାଲି ଆସିବାର ଭିଡିଓ ଏହା ପୂର୍ବରୁ ଖୁବ ଭାଇରାଲ  ହୋଇଥିଲା |ନିଜର ସ୍ୱାମୀ, ପନ୍ଦରବର୍ଷର  ଝିଅ ଓ ପାଞ୍ଚ ବର୍ଷର ପୁତ୍ରକୁ ଛାଡି ଜଣେ ମହିଳା କିପରି ପାକିସ୍ଥାନ ଯାଇ ତାଙ୍କ ପ୍ରେମିକଙ୍କୁ ବିବାହ କଲେ,ତାହା ମଧ୍ୟ ସମସ୍ତଙ୍କୁ ଅଜଣା ନଥିବ |ଗୋଟିଏ ଦୁଇଟି ନୁହେଁ,ଏହିପରି ଅସଂଖ୍ୟ ଘଟଣା  ଆଜିର ସାମାଜିକ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ସେତେବେଳେ କେହି କେହି ସ୍ୱାମୀ ନିଜ ସ୍ତ୍ରୀ ଓ ପିଲାଙ୍କୁ ଅସହାୟ ଅବସ୍ଥାରେ ଛାଡି ପ୍ରେମିକା ସହିତ ଫେରାର ହୋଇ ଯାଉଥିବା ଘଟଣା ଶୁଣିବାକୁ ମିଳୁଥିଲା | ଏବେ କିନ୍ତୁ ପରିସ୍ଥିତି ଓଲଟି ଯାଇଛି |ଏହି ବିଷୟରେ ଆଜିର ଲେଖକ/ଲେଖିକା ମାନେ ମଧ୍ୟ ବେଶ ଉଦାର ହୋଇ ଗଲେଣି |ପରକୀୟା ପ୍ରୀତି ,ଲିଭ ଇନ ସମ୍ପର୍କ ,ପରିଣତ ବୟସରେ ବିଧବା ଓ ବିଧୁର ନିଜର ଅବଶିଷ୍ଟ ଜୀବନ ପାଇଁ ପରସ୍ପରକୁ ବିବାହ କରିବା ବିଷୟରେ ବେଶ ହୃଦୟସ୍ପର୍ଶୀ କାହାଣୀକୁ ପାଠକୀୟ ଆଦୃତି ମିଳି ଗଲାଣି |ମୋଟ ଉପରେ କହିବାକୁ ଗଲେ,ଅପବାଦକୁ ଖାତିର ନକରି ଲୋକେ ଆଜିକାଲି  ନିଜପାଇଁ ଜିଇଁବାକୁ ପସନ୍ଦ କରୁଛନ୍ତି |ଏହି ପରିପ୍ରେକ୍ଷୀରେ ମୁଁ ଆଜି ନ ଦୁଇଟି ସତ୍ୟ ଘଟଣା ବିଷୟରେ ଦୁଇପଦ  ଲେଖୁଛି,ସେମାନେ ଭୁଲ କଲେ କି ଠିକ କଲେ,ସେ ବିଚାର ଆପଣମାନେ କରିବେ |

                   (ଏକ)

        ମୀନା ଓ ଅଭୟ ଏକ ପ୍ରତିଷ୍ଠିତ ଆଇ.ଟି.କମ୍ପାନୀରେ ଚାକିରୀ କରୁଥିଲେ ଓ  ବିବାହ ପରେ ଦୁହେଁ ଖୁବ ଖୁସିରେ ଥିଲେ |କିନ୍ତୁ ସେମାନଙ୍କ ଖୁସିରେ ଯେପରି କାହାର ନଜର ଲାଗି ଯାଇଥିଲା | ଦିନେ ଦୁହେଁ ବାଇକରେ ବୁଲିବାକୁ ଯାଇଥିବା ବେଳେ ଅଚାନକ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା |ଏହି ଦୁର୍ଘଟଣାରେ ସାମାନ୍ୟ ଆଘାତ ପାଇ ମୀନା ବଞ୍ଚିଗଲା |କିନ୍ତୁ ଅଭୟର ଅଣ୍ଟାଠାରୁ ପାଦ ପର୍ଯ୍ୟନ୍ତ ସବୁଦିନ ପାଇଁ ଅଚଳ ହୋଇଗଲା ଓ  ତାକୁ ହୁଇଲ ଚେୟାରର ସହାୟତା ନେବାକୁ ପଡିଲା !ସେତେବେଳେ ତାଙ୍କ ବିବାହକୁ ମାତ୍ର ଛଅ ମାସ ପୁରିଥିଲା  |ତାକୁ ଛାଡି ଅନ୍ୟତ୍ର ବିବାହ କରିନେବାପାଇଁ ଅଭୟ ମୀନାକୁ ବହୁତ  କହିଥିଲା |କିନ୍ତୁ ମୀନା ଚାକିରୀ ଛାଡି  ଅଭୟର ଦୁଃଖ ସୁଖର  ସାଥୀ ହେବାପାଇଁ ନିଷ୍ପତ୍ତି ନେଇଥିଲା | ସେହି ଭୟଙ୍କର ଦୁର୍ଘଟଣା ଘଟିବାର ପାଖାପାଖି  କୋଡିଏ ବର୍ଷ  ବିତି ଗଲାଣି |ଏବେ ଅଭୟ ଘରେ ରହି ଛୋଟ ମୋଟ ଅଫିସ କାମ କରୁଛି ଓ ମୀନା ତାର ପାଖେ ପାଖେ ଛାଇ ପରି ରହି ତାର ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଛି |

              (ଦୁଇ)

       ପ୍ରଭା କଲେଜରେ ପଢୁଥିବାବେଳେ ସୁମିତ ସହ ତାର ପରିଚୟ ହୋଇଥିଲା |ତାପରେ ପ୍ରେମ |ଦୁହିଁଙ୍କର  ଭାଷା ଓ ଜାତି ଭିନ୍ନ ହୋଇଥିବାରୁ ପ୍ରଭାଙ୍କ  ପରିବାର ଏହାକୁ ଘୋର ବିରୋଧ କରିଥିଲେ |ତେଣୁ ସୁମିତ ପ୍ରଭାକୁ ଏକ ମନ୍ଦିରରେ ବିବାହ କରି,  ତା ନିଜ ଘର ଓଡିଶାକୁ ଚାଲି  ଆସିଲା |କିନ୍ତୁ ଏଠାରେ ମଧ୍ୟ ସେହି ସମାନ ପରିସ୍ଥିତି |ତାର ମାତା ପ୍ରଭାକୁ ବୋହୂ ରୂପେ ସ୍ୱୀକାର କରିବାକୁ ରୋକ ଠୋକ ମନା କରିଦେଲେ ଓ ଏହି ବିଷୟ ନେଇ,ସବୁଦିନ ମାଆ ପୁଅଙ୍କ ଭିତରେ କଳି ଲାଗି ରହିଲା |ଦିନେ କୌଣସି କାରଣରୁ ଦୁହିଁଙ୍କ ଭିତରେ  କଳି ଉଗ୍ର ରୂପ ଧାରଣ କଲା ଓ ସୁମିତର ମାଆ ନିକଟରେ ପଡିଥିବା ଏକ ଠେଙ୍ଗାରେ ସୁମିତକୁ ଶକ୍ତ ପାହାର କଲେ |ସୁମିତ ରାଗିଯାଇ ଘର ଛାଡି,ପ୍ରଭାକୁ ଛାଡି କୁଆଡେ ଚାଲିଗଲା,ଆଉ ଫେରିଲା ନାହିଁ | ପ୍ରଭା ସେତେବେଳେ ଚାରିମାସର ଗର୍ଭବତୀ ଥିଲା |ସ୍ୱାମୀକୁ ପ୍ରତୀକ୍ଷା କରି ସେ ସେହି ଶାଶୁଘରେ ରହିଗଲା |ଏବେ ମଧ୍ୟ ପ୍ରଭା ତାର ଶାଶୁଘରେ ଅଛି ଓ ଘରର ସବୁ କାମ କରିବା ସହିତ ଏକ ପାର୍ଲର ଚଳାଉଛି,ଯାହା ତାଙ୍କ ରୋଜଗାରର ମୁଖ୍ୟ ଉତ୍ସ |ଝିଅ ମାମୁନକୁ ଉଣେଇଶ ବର୍ଷ ହେଲାଣି,ସେ ସ୍ଥାନୀୟ କଲେଜରେ ପଢୁଛି |ଏବେ ମଧ୍ୟ ପ୍ରଭାର ବିଶ୍ୱାସ ଅଛି,ଆଜି ନହେଲେ କାଲି,ସୁମିତ ନିଶ୍ଚୟ ଫେରିବ !!