Tuesday, February 27, 2024

** ଆଇନା ** ଲେ: ମମତା ମହାନ୍ତି ସାମନ୍ତରାୟ

                         ଅଟୋ ଚାଳକ ଅଜୟଙ୍କୁ ଦଶଟା ବେଳେ ଆସିବା ପାଇଁ କହିଥିଲି,ସେ ଘଣ୍ଟାଏ ବିଳମ୍ବରେ ଆସିଲେ |କାରଣ ପଚାରିବାରୁ ସେ କହିଲେ,ଚାରିବର୍ଷର ପିଲାଟିକୁ ହାଇପର ରୋଗ ହୋଇଛି,ତାକୁ ଫିଜିଓଥେରାପି ଦେବାପାଇଁ ତାର ମାଆ ତାକୁ ସବୁଦିନ ସକାଳ ସାଢେ ସାତଟାରେ ଡାକ୍ତରଙ୍କ ପାଖକୁ ନେଇ ଯାଉଛନ୍ତି,ଏଇ ବିରଳ ରୋଗର ଚିକିତ୍ସା କରିବା ପାଇଁ ସେ କାଳେ ଭୁବନେଶ୍ୱରରେ ଏକମାତ୍ର ଡାକ୍ତର |ପ୍ରତିଦିନର ଦଶ ମିନିଟର ଚିକିତ୍ସା ପାଇଁ ଫିସ ପାଞ୍ଚଶତ ଟଙ୍କା |ଦେଢ଼ ବର୍ଷ ହେଲାଣି ଫିଜିଓଥେରାପି ଚାଲିଛି,ଶିଶୁଟି ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହିଁ |ସେ ପୁଣି କହିଲେ ,ସକାଳେ ଡାକ୍ତରଙ୍କ ପାଖକୁ ଶହେ ପାଖାପାଖି ପିଲା ଆସନ୍ତି |କିନ୍ତୁ ଉପରବେଳା ଦୁଇଶହରୁ ଉର୍ଦ୍ଧ୍ୱ ପିଲା ଚିକିତ୍ସା ପାଇଁ ଆସନ୍ତି |ଇଏ ପୁଣି ଏମିତି ରୋଗ ଯେ,ସବୁଦିନ ଫିଜିଓଥେରାପି କରିବାକୁ ପଡେ,ଦିନଟିଏ ବି ବନ୍ଦ କରାଯାଏ ନାହିଁ |ସେତେବେଳେ ମୁଁ ଏହି ହାଇପର ରୋଗ ବିଷୟରେ ଜାଣିନଥିଲି |କହିଲି, ନୂଆକରି ଏହି ରୋଗ ବିଷୟରେ ତୁମଠାରୁ ଜାଣିଲି |ସେ ସ୍ମିତ ହସି କହିଲେ ,ସେହି ମାଡାମଙ୍କ ଚାକିରୀ କେରଳରେ,ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ,କିନ୍ତୁ ଏକମାତ୍ର ପୁଅ ପାଇଁ ସମୟ ଦେଇ ନପାରି ତା ହାତରେ ମୋବାଇଲ ଧରେଇ ଘରୁ କାମ କରୁଥିଲେ | ପରିଣାମ ଦେଖନ୍ତୁ,ଶେଷରେ ବାଧ୍ୟ ହୋଇ ତାଙ୍କୁ ଚାକିରୀ ଛାଡିବାକୁ ପଡିଲା !! 

                      ଆଜିକାଲି ମହାମାରୀ ପରି ଏହି ହାଇପର (ADHD -Attention_deficit/hyperactivity disorder)ବ୍ୟାଧି କୋମଳମତି ଶିଶୁଙ୍କ ଠାରେ ଅତି ସାଙ୍ଘାତିକ ଭାବେ ବ୍ୟାପି ଚାଲିଛି |ଏଥିରେ ଆକ୍ରାନ୍ତ ଶିଶୁ ହଠାତ ରାଗିଯାଇ ଉଗ୍ର ରୂପ ଧାରଣ କରି  ଅସ୍ୱାଭାବିକ ଆଚରଣ ପ୍ରଦର୍ଶନ  କରେ ,ଜିଦ୍ଦିଖୋର ହୋଇ ଚିତ୍କାର କରି ଜିନିଷ ପତ୍ର ଫୋପଡ଼ା ଫିଙ୍ଗା କରେ ,ରାତିରେ ଗଭୀର ନିଦ୍ରାରେ ଶୋଇ ପାରେ ନାହିଁ  ,ପାଠ ପଢ଼ାରେ ମନୋନିବେଶ କରି ପାରେନାହିଁ ଇତ୍ୟାଦି ଇତ୍ୟାଦି ...  |ସବୁଠାରୁ ଭୟଙ୍କର କଥା ହେଲା,ଏହି ଭଳି ଶିଶୁ ଭଲ ମନ୍ଦ ବିଚାର କରି ପାରନ୍ତି ନାହିଁ ଓ ନିଜ ଶରୀରକୁ କ୍ଷତି ହେବା ପରି କାର୍ଯ୍ୟ କରି ପକାନ୍ତି | 

                     ଆଜିକାଲି ପିଲାଙ୍କୁ ସମୟ ଦେବାପାଇଁ କାହାରି ପାଖରେ ସମୟ ବା ଧୈର୍ଯ୍ୟ ନାହିଁ |ସେମାନେ ଭାବନ୍ତି,ତାଙ୍କ ହାତରେ ମୋବାଇଲ ଧରାଇ ଦେଲେ ସବୁ ଦାୟିତ୍ତ୍ଵରୁ ମୁକ୍ତି ମିଳିଯିବ  |ଛୋଟ ଛୁଆଟି ମୋବାଇଲରେ କଣ ଦେଖୁଛି ,ତାହା ଦେଖିବା ପାଇଁ ମଧ୍ୟ ଗୁରୁଜନମାନଙ୍କ ପାଖରେ  ସମୟ ନାହିଁ |ଅନେକ ଭାବୁଥିବେ,କେବଳ ଚାକିରିଆ ମାଆ ମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖା ଦେଉଛି,କିନ୍ତୁ ଏହା ସତ୍ୟ ନୁହେଁ |ଗାଆଁରେ ପ୍ରତି ପିଲା ମୋବାଇଲ ଧରି ଖେଳିବାର ମୁଁ ନିଜ ଆଖିରେ ଦେଖି ଆସିଲି |ଏପରି କରିବାକୁ ମନା କଲେ ସେମାନେ କହିବେ,ସେ ଖାଲି ପିଲାଙ୍କ ନାନା ବାୟା ଗୀତ ଶୁଣୁଛି |କିନ୍ତୁ ପିଲାଟି ଗୋଟିଏ ଗୀତ ବାରମ୍ବାର ଶୁଣି ବିରକ୍ତ ହୋଇ ଗଲେ,ଟିପ ମାରି ଯାହା ଇଚ୍ଛା ତାହା ଦେଖେ |ଥରେ ଗୋଟିଏ ଦେଢ଼ ବର୍ଷର ଶିଶୁ,  ଯୁବକ ଯୁବତୀଙ୍କ ଅଶ୍ଳୀଳ ନୃତ୍ୟ ଦେଖୁଥିବାର ଦେଖି ମୁଁ ତାର ମାଆକୁ କହିଲି |ସେ ତାକୁ ଆକଟ କରିବ କଣ,ଓଲଟି ତା ପିଲାର ପାରିଲା ପଣିଆ ଦେଖି ହସି ହସି ଗଡ଼ିଗଲା |ଦିନକର କଥା,ସେହି ଶିଶୁ କୌଣସି କାରଣ ପାଇଁ ଅଝଟ ହୋଇ,  କାନ୍ଦି କାନ୍ଦି ହଠାତ ଦୁଲ କରି ପଛକୁ ଗଡ଼ି ପଡି ଦୁଇ ଗୋଡ଼ ହାତ ଛାଟିବାକୁ ଲାଗିଲା   | ସେତେବେଳେ ତା ପଛରେ ପନିକି ଖୋଲା ହୋଇ ଥୁଆ ହୋଇଥିଲା |ଟିକିଏ ଅବାଗରେ ପଡ଼ିଥିଲେ,ଦୁଇଖଣ୍ଡ ହୋଇ ଯାଇଥାନ୍ତା  !!

         ଖାଲି ପିତାମାତାଙ୍କୁ ଦୋଷ ଦେଲେ ହେବ ନାହିଁ,ଅଜା ଆଈ ଓ ଜେଜେ ଜେଜେମା ମଧ୍ୟ ଏହି କ୍ଷେତ୍ରରେ ପଛରେ ପଡି ନାହାନ୍ତି |ବୁଢା ବୁଢ଼ୀ ହୋଇଗଲେ ତାଙ୍କ ପାଖରେ ବିଶେଷ କିଛି କାମ ନଥାଏ ,ଖାଲି ଛୁଆ ଖେଳାଇ ସମୟ ବିତାଇବା କଥା |କିନ୍ତୁ ମାଳୀକୁ ଅଡୁଆ ଛେଳି ପରି ବୁଢା ବୁଢୀଙ୍କୁ ଛୁଆ ଅଡୁଆ | ନାତି ନାତୁଣୀ ଅଝଟ ହେଲେ ,ତାଙ୍କ ହାତରେ ମୋବାଇଲ ଧରେଇ  ଦେଲେ,ସବୁ ସମସ୍ୟା ଶେଷ,ଆଉ ତାଙ୍କ ପଛରେ ଅଯଥା ଦୌଡ଼ା ଦୌଡ଼ି କରିବାକୁ ପଡେ ନାହିଁ  |ନିଜେ ଭଲ ମନ୍ଦ ଯାହା ମୋବାଇଲରେ  ଦେଖନ୍ତି,ସେସବୁ ନାତି ନାତୁଣୀ ମାନେ ମଧ୍ୟ  ଦେଖନ୍ତି |କୌଣସି ପ୍ରକାରେ ବର୍ତ୍ତମାନ ସମୟ ବିତିଯାଉ,ଭବିଷ୍ୟତ କଥା ପଚାରେ କିଏ ??

                ଆଜିକାଲି ଆବାଳବୃଦ୍ଧବନିତା ସମସ୍ତେ ମୋବାଇଲ ପ୍ରେମରେ ବାଇ |ସେଥିରେ କାହାର କିଛି କହିବାର ନାହିଁ |କିନ୍ତୁ  କୋମଳମତି ଶିଶୁ,ଯେଉଁମାନଙ୍କର ସଂସାର ବିଷୟରେ ଧାରଣା ନାହିଁ ,ଯେଉଁମାନଙ୍କର  ଭଲମନ୍ଦ କିଛି ଜାଣିବାର ଶକ୍ତି ନାହିଁ ଏବଂ ଯେଉଁମାନେ ଆମର ତଥା ଦେଶର ଭବିଷ୍ୟତ, ଅନ୍ତତଃ ସେମାନଙ୍କୁ ଏଥିରୁ ମୁକ୍ତ କରାଯିବା ନିହାତି ଆବଶ୍ୟକ  |ପିଲାଟିଏ ଜନ୍ମ କରିଦେବା ବଡ଼ କଥା  ନୁହେଁ,ସେମାନଙ୍କୁ ସୁସ୍ଥ ଓ ନିରୋଗ ରଖି ଉପଯୁକ୍ତ ସଂସ୍କାର ଦେଇ ମଣିଷ କରିବା ସବୁଠାରୁ ବଡ଼ କଥା | ତା ନହେଲେ ଆମେ ଆମର ଭବିଷ୍ୟତ ବଂଶଧର ମାନଙ୍କୁ ମୂର୍ଖ,ପାଗଳ  ଓ ଅସାମାଜିକ ପ୍ରାଣୀ ଭାବରେ ଦେଖିବାକୁ ପାଇବା,ଏଥିରେ ସନ୍ଦେହର ଅବକାଶ ନାହିଁ |