(ଏକ )
କଲେଜ ଯିବାବେଳେ ସିଗାରେଟ ଟାଣୁଥିବା ଯୁବକ ସହିତ ରିଚାର ନିତି ଦେଖା ହେଉଥିଲା | ଯୁବକର ନାମ ନିଶାନ୍ତ ଥିଲା ଓ ସେ ସ୍ଥାନୀୟ କାର୍ଯ୍ୟାଳୟରେ ଚାକିରୀ କରୁଥିଲା |ପ୍ରଥମେ କଥାବାର୍ତ୍ତା,ତାପରେ ପ୍ରେମ ଓ ଶେଷରେ ବିବାହ |ନିଶାନ୍ତର ସ୍ଵଭାଵ ବହୁତ ଭଲ ଥିଲା ଓ ତାକୁ ସ୍ୱାମୀ ରୂପେ ପାଇ ରିଚା ନିଜକୁ ଭାଗ୍ୟବତୀ ମଣୁ ଥିଲା |
କିନ୍ତୁ ଏଥିରେ ଗୋଟିଏ କେଁ ଥିଲା | ବିବାହ ପୂର୍ବରୁ ନିଶାନ୍ତ ରିଚାକୁ ସଫା ସଫା କହିଦେଇଥିଲା,ସିଗାରେଟ ହେଉଛି ତାର ପ୍ରଥମ ପ୍ରେମ,ତାକୁ ସେ କେବେହେଲେ ଛାଡି ପାରିବ ନାହିଁ |ସତକୁ ସତ ଅନେକ ଚେଷ୍ଟା କରିବା ସତ୍ତ୍ୱେ ବି ରିଚା ନିଶାନ୍ତର ସିଗାରେଟ ବଦଭ୍ୟାସକୁ ଛଡାଇ ପାରିଲା ନାହିଁ |ଯେତେବେଳେ କେହି ରିଚାକୁ ନିଶାନ୍ତର ବଦଭ୍ୟାସ ବିଷୟରେ ପଚାରୁ ଥିଲେ ,ସେତେବେଳେ ସେ ମନଦୁଃଖରେ କହୁଥିଲା ,ସିଗାରେଟ ତାଙ୍କର ପ୍ରଥମ ପ୍ରେମ,ସେ ପଛକେ ମତେ ଛାଡ଼ିଦେବେ କିନ୍ତୁ ସିଗାରେଟକୁ ଛାଡି ପାରିବେ ନାହିଁ |
ସମୟ ବିତି ଚାଲିଲା |ଏହା ସହିତ ତାଳ ଦେଇ ନିଶାନ୍ତର ସିଗାରେଟ ପ୍ରତି ଥିବା ପ୍ରେମ ବଢି ଚାଲିଲା |ଏମିତି ସମୟ ଆସିଲା ନିଜେ ଚାହିଁଲେ ବି ନିଶାନ୍ତ ନିଜକୁ ସିଗାରେଟ କବଳରୁ ମୁକ୍ତ କରି ପାରିଲା ନାହିଁ |ଶେଷରେ ଯାହା ଆଶଙ୍କା କରାଯାଉଥିଲା,ତାହା ହେଲା ,ଦିନେ ବ୍ରେନ ଷ୍ଟ୍ରୋକର ଶିକାର ହୋଇ ସେ ରିଚାକୁ ଛାଡି ଆର ପୁରକୁ ଚାଲିଗଲା !
(ଦୁଇ)
ସେମାନଙ୍କ ସଂସାରରେ ସେମାନେ କେବଳ ଚାରିଜଣ ଥିଲେ |ସ୍ୱାମୀ ସୌମ୍ୟ ,ସ୍ତ୍ରୀ ପ୍ରଜ୍ଞା ଆଠ ବର୍ଷର ପୁଅ ରାମ ଓ ପୋଷା କୁକୁର 'ବାବା' | ସେମାନଙ୍କ ଭିତରେ ସ୍ନେହ,ପ୍ରେମ ଓ ମମତାର ବନ୍ଧନ ଅତି ନିବିଡ଼ ଥିଲା |ସୌମ୍ୟକୁ ଯେତେବେଳେ ବ୍ୟବସାୟ କାର୍ଯ୍ୟରେ ବାହାରକୁ ଯିବାକୁ ପଡୁଥିଲା,ସେତେବେଳେ ମାଆ ପୁଅଙ୍କୁ ବାବା ଜିମାରେ ଛାଡିଦେଇ ସେ ନିଶ୍ଚିନ୍ତରେ ଯାଇ ପାରୁଥିଲା |
ଥରେ ଏମିତି ଏକ କାର୍ଯ୍ୟରେ ବାହାରକୁ ଯାଇଥିବାବେଳେ ଅସୁସ୍ଥତା ଯୋଗୁ କାର୍ଯ୍ୟକ୍ରମ ବାତିଲ କରି ତାକୁ ଘରକୁ ଫେରିବାକୁ ପଡିଲା |ସେ ଭାବିଥିଲା,ଏପଟ ସେପଟ ହୋଇ ଦେହ ଖରାପ ହୋଇ ଯାଇଛି,ବିଶ୍ରାମ ନେଲେ ଭଲ ହୋଇଯିବ |କିନ୍ତୁ ତାର ଧାରଣା ଭୁଲ ଥିଲା |ପରୀକ୍ଷା ପରେ ସେ କୋଭିଡ ସଂକ୍ରମିତ ବୋଲି ଜଣାପଡିଲା |ପ୍ରଜ୍ଞାର ଦୁନିଆ ଯେପରି ଓଲଟି ଯାଇଥିଲା !! ସୌମ୍ୟକୁ ସୁସ୍ଥ କରିବା ପାଇଁ ସେ ପାଣି ପରି ଟଙ୍କା ବୁହାଇ ଦେଲା | କିନ୍ତୁ ସବୁ ବୃଥା ଥିଲା |ଡାକ୍ତରଙ୍କ ଅକ୍ଲାନ୍ତ ଚେଷ୍ଟା ସତ୍ତ୍ୱେ ସୌମ୍ୟ ଆରୋଗ୍ୟ ଲାଭ କରି ପାରିଲା ନାହିଁ |
ପ୍ରଜ୍ଞାର କପାଳରୁ ସବୁଦିନ ପାଇଁ ସିନ୍ଦୁର ଲିଭି ଯାଇଥିଲା,ରାମ ହୋଇଯାଇଥିଲା ଅନାଥ |ତଥାପି ସବୁଦିନ ମରି ମରି ସେମାନେ ବଞ୍ଚିଲେ |ଆଉ ବାବା ?ପ୍ରଭୁ ପ୍ରେମକୁ ଝୁରି ଝୁରି ସେ ଖାଇବା ପିଇବା ଛାଡି ଦେଇଥିଲା ଓ ଏହିପରି ଚାରିଦିନ ରହିବା ପରେ ସେ ତାର ପ୍ରଭୁର ପଥ ଅନୁସରଣ କରିଥିଲା |
(ତିନି)
ସ୍ୱାମୀ,ଶାଶୁ,ଶ୍ୱଶୁର,ଦିଅର,ନଣନ୍ଦଙ୍କୁ ନେଇ ନିମାର ପରିପୂର୍ଣ୍ଣ ସଂସାରଟିଏ ଥିଲା | ସେ ଥିଲା ଘରର ବଡ଼ବୋହୂ ଓ ତାକୁ ସମସ୍ତେ ଭଲ ପାଉଥିଲେ | ସବୁ ସୁଖ ଐଶ୍ଵର୍ଯ୍ୟ ଈଶ୍ୱର ତା ପାଖରେ ଅଜାଡି ଦେଇଥିଲେ ,ଅଭାବ ଥିଲା ଖାଲି ଗୋଟିଏ ଜିନିଷର |ତା ସାତ ପଛରେ ବାହାହୋଇ ଦୁଇ ଯାଆଙ୍କର ଦୁଇ/ତିନିଟି ଲେଖାଏଁ ପିଲା ଜନ୍ମ ହେଲେ କିନ୍ତୁ ବିଧାତା ତା କପାଳରେ ପିଲା ଲେଖିନଥିଲେ | |ପିଲାଟିଏ ପାଇବା ପାଇଁ ନାନା ଓଷା,ବ୍ରତ କରି ସେ କ୍ରମେ ଈଶ୍ୱର ପ୍ରେମରେ ଏପରି ପାଗଳୀ ହୋଇଗଲା ଯେ,ସାରା ଦୁନିଆ ତାକୁ ଖାଲି ଈଶ୍ୱରମୟ ଦେଖାଗଲା |ସ୍ୱାମୀ ଥିବାଯାଏଁ କେହି ତା ଦେହରେ ଟିପ ମାରିବାକୁ ସାହସ କରି ପାରୁନଥିଲେ |କିନ୍ତୁ ବୃଦ୍ଧା ବୟସରେ ସ୍ୱାମୀଙ୍କ ଦେହାନ୍ତ ପରେ ସେ ସମସ୍ତଙ୍କ ପାଇଁ ଏକ ଅଲୋଡ଼ା ବସ୍ତୁ ପାଲଟି ଗଲା |ତାର କିଛି ଖରାପ ଅଭ୍ୟାସ ନଥିଲା,ଗୁଣ୍ଡି ଟିକେ ଯାହା ପାଟିରେ ଜାକିବାକୁ ତାକୁ ଭଲ ଲାଗୁଥିଲା |ସ୍ୱାମୀଙ୍କ ମୃତ୍ୟୁ ପରେ ସେତକ ତାକୁ ମିଳିବା ଦୂରର କଥା,ବୁଢ଼ୀ ଅଯଥା ଖର୍ଚ୍ଚ କରୁଛି କହି ,ନାନା ଅପବାଦ ଦେଇ ତାକୁ ଘରୁ ତଡ଼ିଦେଲେ |ତାର ଦୂରାବସ୍ଥା ଦେଖି ସମସ୍ତେ କହିଲେ,ନିମା ପରି ଦୁଃଖୀ ସଂସାରରେ ଆଉ କେହି ନାହିଁ |
କିନ୍ତୁ ନିମା ନିଜକୁ ସବୁଠାରୁ ସୁଖୀ ମଣିଷ ବୋଲି ଭାବୁଥିଲା |ଘରୁ ତଡା ଖାଇବା ପରେ ସେ ଭିକ୍ଷା ମାଗି ତାର ଜୀବିକା ନିର୍ବାହ କରୁଥିଲା |ଭିକ୍ଷାରେ ମିଳୁଥିବା ଟଙ୍କାରେ ସେ ଗୁଣ୍ଡି କିଣି ପାରୁଥିଲା ଓ ଯାହା ଇଚ୍ଛା ତାହା କିଣି ଖାଉଥିଲା |ସବୁଠାରୁ ବଡ଼କଥା ହେଲା,ଈଶ୍ୱରଙ୍କୁ ଡାକିବାପାଇଁ ତା ପାଖରେ ଢେର ସମୟ ଥିଲା |ଈଶ୍ୱର ପ୍ରେମରେ ତନ୍ମୟ ହୋଇ ଦିନେ ଦିନେ ସେ ଭୋକ ଶୋଷ ପାସୋରି ଯାଉଥିଲା |ତା ପାଇଁ ଈଶ୍ୱର ପ୍ରେମ ଥିଲା,ସର୍ବଶ୍ରେଷ୍ଠ ପ୍ରେମ |