Monday, June 20, 2022

ସ୍ୱୟଂସିଦ୍ଧା

                     ପଦ୍ମନାଭଙ୍କର ଦୁଇଝିଅ ଥିଲେ | ବଡ଼ଝିଅ ମାନୁଷୀ ତାର ମାଆ ରୀତାଙ୍କ ପରି ଅତ୍ୟନ୍ତ ଗୋରୀ , ସୁନ୍ଦରୀ ଓ ନମ୍ର ସ୍ୱଭାବର ଥିଲା | କହିବାକୁ ଗଲେ ସେ ରୀତାଙ୍କ ଅପେକ୍ଷା ମଧ୍ୟ ଅଧିକ ସୁନ୍ଦରୀ ଥିଲା  |ମାନୁଷୀ ଠାରୁ ଦୁଇବର୍ଷ ସାନ ଅନିଶା କିନ୍ତୁ କାଳୀ ଓ ଅସୁନ୍ଦରୀ ଥିଲା |ସମସ୍ତେ କହୁଥିଲେ,ସେ ତା ବାପାଙ୍କ ଚେହେରା ଆଣିଛି |ମାନୁଷୀ ଭଲ ପଢୁଥିଲା ଓ ତାର ସ୍ୱପ୍ନକୁ ସାକାର କରି ଯେଉଁଦିନ ସେ ଗଣିତ ଅଧ୍ୟାପିକା ହେଲା, ସେଦିନ ତାର ସବୁଠାରୁ ବଡ଼ ଖୁସିର ଦିନ ଥିଲା |ତାର କୃତିତ୍ତ୍ୱରେ ଘରେ ବାହାରେ ସମସ୍ତେ ଆନନ୍ଦିତ ଥିଲେ | ଅଧ୍ୟାପିକା ହେବାର ବର୍ଷକ ପରେ  ଏକ ପ୍ରତିଷ୍ଠିତ ବ୍ୟବସାୟୀ ପରିବାରର ଏକମାତ୍ର ଇଞ୍ଜିନିୟର ପୁତ୍ର ପାଇଁ ବିବାହ ପ୍ରସ୍ତାବ ଆସିଲା |ବିବାହ ପରେ ମାନୁଷୀ ଚାକିରୀ ଛାଡିବା ବ୍ୟତୀତ ସେମାନଙ୍କର ଅନ୍ୟ କିଛି ଯୌତୁକ ଦାବି ନଥିଲା | ମାନୁଷୀର ଏ ପ୍ରସ୍ତାବ ଆଦୌ ପସନ୍ଦ ନଥିଲା |ଏତେ କଷ୍ଟରେ ପାଇଥିବା ଅଧ୍ୟାପିକା ଚାକିରୀକୁ ଛାଡିବା ପାଇଁ ସେ  ରାଜି  ନଥିଲା |ଯେତେ କମ ଦରମା ମିଳୁ ପଛକେ,ସେ ନିଜ ଗୋଡ଼ରେ ନିଜେ ଛିଡା ହେବାପାଇଁ ଚାହୁଁଥିଲା |ପଦ୍ମନାଭ ଓ ରୀତା କିନ୍ତୁ  ଭିନ୍ନ ଦୃଷ୍ଟିକୋଣରୁ ବିଚାର କରି ଭାବୁଥିଲେ,ପୁଅଘର କେବଳ ଝିଅ ଚାହୁଁଛନ୍ତି,ସେମାନଙ୍କର ଯୌତୁକ ଦାବି ବୋଲି କିଛି ନାହିଁ | ସେମାନଙ୍କର  ସମ୍ପନ୍ନ ପରିବାର,ତାଙ୍କ ଘରେ କାମ କରିବାପାଇଁ,ଲୋକ ଖୁନ୍ଦି ହୋଇ ରହିଛନ୍ତି,ଝିଅ ହାତରେ କିଛି କାମ ବାଜିବନି,ଓ ସେ ସେଠାରେ ମହାରାଣୀ ହୋଇ ରହିବ |ଏହି ପ୍ରସ୍ତାବକୁ ଛାଡ଼ିଦେବା ଅର୍ଥ ସୁନା ମାଠିଆକୁ ଗୋଇଠା ମାରିବା ପରି ହେବ ବୋଲି ତାଙ୍କର ଧାରଣା ଥିଲା  |ଅନିଶା  ଦିଦିର ରାଜି ଅରାଜିକୁ ଗୁରୁତ୍ତ୍ଵ ଦେଇ, ଦିଦି ବାହାଘର କରିବାପାଇଁ ତାର ବାପା ମାଆଙ୍କୁ ବହୁତ ବୁଝାଇଲା  |ତାର ଏପରି କଥାରେ ରୀତା ବିରକ୍ତ ହୋଇ କହିଲେ,ତୁ ଦୁନିଆଁ ବିଷୟରେ କଣ ଜାଣିଛୁ ଯେ,ଓକିଲାତି କରିବାକୁ ଚାଲି ଆସିଲୁ !ଆଗକୁ ତୋ ବାହାଘରରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ,ତୁ କଣ ସେକଥା ଭୁଲିଯାଇଛୁ ? ତାଙ୍କର ଏହି କଥାରେ ଅନିଶାର ପାଟି ଚୁପ ହୋଇଗଲା |କଣ ପାଇଁ ତାର ମାଆ ତାକୁ ଏକଥା କହିଲେ,ସେ ଭଲଭାବେ ଜାଣି ପାରୁଥିଲା |

                କିଛିଦିନପରେ  ମହାସମାରୋହରେ ମାନୁଷୀର  ବିବାହ ହୋଇଗଲା |ମାନୁଷୀର ଏପରି ଅପ୍ରତ୍ୟାଶିତ ସୌଭାଗ୍ୟ ପାଇଁ  ରୀତା ଓ ପଦ୍ମନାଭ ଖୁସିରେ ଫାଟି ପଡୁଥିବାବେଳେ ତାହା  ଅନେକଙ୍କ ପାଇଁ ଈର୍ଷାର ଖୋରାକ ଯୋଗାଇ ଥିଲା |ମାନୁଷୀ କିନ୍ତୁ ବାହାଘର ପରେ,ଧୀରେ ଧୀରେ ମୂକ ପାଲଟି ଯାଉଥିଲା |ଘରୁ କିମ୍ବା ସାଙ୍ଗମାନଙ୍କ ପାଖରୁ ଫୋନ ଆସିଲେ,ଅଳ୍ପ କଥା ହୋଇ ସେ ଫୋନ ରଖିଦେଉଥିଲା |ବର୍ଷକ ଭିତରେ କ୍ରମେ ତାର ସୁନା ଦେହ ଚୁନା ହୋଇଗଲା |ଦିନେ ଅନିଶା ତାକୁ ଏକାନ୍ତରେ ପଚାରିଲା,ଦିଦି,ତୋ ଅବସ୍ଥା କଣ ହେଲାଣି ?ତୋ ମୁହଁରୁ କିଏ ହସ ଚୋରେଇ ନେଲା ??ଏଇଠି ସବୁ ଠିକଠାକ ତ ଦିଦି ?ଉତ୍ତରରେ ମାନୁଷୀ କହିଲା,ଏଇଠି ସମସ୍ତେ ଭଲ,ସମସ୍ତେ ମତେ ଭଲ ପାଆନ୍ତି |କିନ୍ତୁ  ମୁଁ ମୁକ୍ତ ଆକାଶର ବିହଙ୍ଗ ଥିଲି,ମତେ ଜୋରକରି ସୁନା ପଞ୍ଜୁରୀରେ ବନ୍ଦୀ କରି ଦିଆ ଯାଇଛି |କିଛିଦିନ ପରେ ଯେତେବେଳେ ମୁଁ ଉଡିବା ଭୁଲିଯିବି,ସେତେବେଳେ ସବୁ ଠିକ ହୋଇଯିବ,ତୁ ବ୍ୟସ୍ତ ହୁଅନା |ମାନୁଷୀ ଆଖିରେ ଲୁହ ଟଳମଳ ହେଉଥିଲା |ସେ ଅନିଶାକୁ ସ୍ତବ୍ଧ କରି, ତରତର ହୋଇ ଭିତରକୁ ଚାଲିଗଲା |

              ଏମିତିରେ ଦୀର୍ଘ ପନ୍ଦର ବର୍ଷ  ବିତିଯାଇଥିଲା|ଚାକିରୀରୁ  ଅବସର ଗ୍ରହଣ କରିବା ପରେ,ପଦ୍ମନାଭଙ୍କ ଦେହ ଭଲ ରହୁ ନଥିଲା  |ସୁପାତ୍ର ଅଭାବରୁ, ସେପର୍ଯ୍ୟନ୍ତ ଅନିଶା ବାହା ହୋଇପାରିନଥିଲା |ଅନିଶା ଆଇନରେ ସ୍ନାତକୋତ୍ତର କରିଥିଲା |ପିଲାଦିନୁ ସମାଜସେବା ପ୍ରତି ତାର ରୁଚି ରହିଥିଲା |ଆଖପାଖ ବସ୍ତିର ଲୋକମାନଙ୍କର ଅସୁବିଧାବେଳେ ସେ ତାଙ୍କ ପାଖରେ ଛିଡା ହେଉଥିଲା | ସେ ବସ୍ତିବାସିନ୍ଦାଙ୍କୁ ସେମାନଙ୍କର  ଅଧିକାର ପ୍ରତି ସଚେତନ କରାଉଥିଲା ଓ  ବିନା ପାରିଶ୍ରମିକରେ ସେମାନଙ୍କୁ ଆଇନ ସହାୟତା ଯୋଗାଇ ଦେଉଥିଲା |କଲୋନୀର ଲୋକଙ୍କଠାରୁ ପୁରୁଣା ଲୁଗା ଓ ପୋଷାକ ସଂଗ୍ରହ କରି ସେମାନଙ୍କୁ ବାଂଟୁଥିଲା  |ବସ୍ତିବାସିନ୍ଦା ତାକୁ ଏତେ ଭଲ ପାଉଥିଲେ ଯେ,କାହାର କିଛି ଅସୁବିଧା ହେଲେ,ସେମାନେ ପ୍ରଥମେ ତା ପାଖକୁ ଦୌଡ଼ି ଆସୁଥିଲେ |ବାପା ମାଆଙ୍କ ସହିତ,ଘରର ସବୁ ଦାୟିତ୍ତ୍ୱ ତା ଉପରେ ନ୍ୟସ୍ତ ଥିଲା |

            ରୀତା ଓ ପଦ୍ମନାଭ ସବୁବେଳେ ଅନିଶାର ଭବିଷ୍ୟତ ବିଷୟରେ ଚିନ୍ତା କରୁଥିଲେ |ସକାଳ ହେଉ ବା ସନ୍ଧ୍ୟା ହେଉ,ସେମାନଙ୍କର ଆଲୋଚନାର ମୁଖ୍ୟ ବିଷୟବସ୍ତୁ ଥିଲା,ଅନିଶାର ବାହାଘର |ଦିନେ ଦୁହେଁ ଆଲୋଚନାରେ ବ୍ୟସ୍ତ ଥିବାବେଳେ,ଅନିଶା ହରିଜନ ବସ୍ତିର ବୈଭବକୁ ସାଙ୍ଗରେ ନେଇ ସେମାନଙ୍କ ପାଖକୁ ଆସି ବିନା ଉପକ୍ରମରେ କହିଲା,ବାବା,ମା ,ମୁଁ ବିଭୁକୁ ବିବାହ କରିବାକୁ ଚାହେଁ, ଆମକୁ ଆଶୀର୍ବାଦ ଦିଅ |ଅନିଶାର କଥା ଶୁଣି ଦୁହିଁଙ୍କ ହୃଦୟରେ ସତେ କି ଭୂକମ୍ପନ ସୃଷ୍ଟି ହେଲା !!ଦୁହେଁ ବୈଭବକୁ ଚାହିଁଲେ |ସେ ସେହି ପିଲା ଥିଲା,ଯିଏ କି ମାନୁଷୀ ବାହାଘରରେ ଭିଡିଓ ରେକଡ଼ିଂ କରୁଥିଲା |ସେଇ ଏକମାତ୍ର  ଛୋଟିଆ ଷ୍ଟୁଡିଓ ବ୍ୟତୀତ ତାର ଆଉ କିଛି ରୋଜଗାରର ଉତ୍ସ ନଥିଲା |ତାଙ୍କଠାରୁ ଆଶୀର୍ବାଦ ଆଶାକରି ଛିଡା ହୋଇଥିବା  ଅନିଶାକୁ ପଦ୍ମନାଭ ଗଭୀର ଦୃଷ୍ଟି ନିକ୍ଷେପ କଲେ | ସେ ଭାବିଲେ,ମାନୁଷୀର ସ୍ୱପ୍ନ , ସୁଖ ଓ ଖୁସି ତାଠାରୁ ଛଡେଇ ନେଇଥିବାରୁ,ଆଜିପର୍ଯ୍ୟନ୍ତ ସେ ନିଜକୁ କ୍ଷମା କରିପାରିନାହାନ୍ତି |ଆଜି ଅନିଶା ତା ଜୀବନର ବଡ଼ ଖୁସି ପାଇଁ,ତାଙ୍କଠାରୁ ଆଶୀର୍ବାଦ ଭିକ୍ଷା କରୁଛି,ସେ କଣ ତାକୁ ସେତିକି  ଦେଇ ପାରିବେ ନାହିଁ ? ମୁହୂର୍ତ୍ତକ ପାଇଁ ଚିନ୍ତାକରି ସେ କାନ୍ଦିପକାଇ   କହିଲେ,ଆମର ଆଶୀର୍ବାଦ ତୁମ ଦୁହିଁଙ୍କ ଉପରେ ଅଛି |କିନ୍ତୁ ମୋର ଏକ ସର୍ତ୍ତ ଅଛି,ତାହା ହେଲା,ଏ ବାହାଘର କୌଣସି ମନ୍ଦିର କିମ୍ବା କୋର୍ଟରେ ହେବ ନାହିଁ,ସମ୍ପୂର୍ଣ୍ଣ ବିଧି ବିଧାନରେ ,ବେଦୀରେ ହେବ,ଆମେ ଦୁହେଁ କନ୍ୟାଦାନ କରିବୁ | ଆଶାର ବିପରୀତ କଥା  ଶୁଣି,ଉଭୟ ଅନିଶା ଓ ବୈଭବ ଭାବବିହ୍ୱଳ ହୋଇ ଦୁହିଁଙ୍କ ପାଦତଳେ ଲମ୍ବ ହୋଇ ପଡ଼ିଗଲେ |ଖୁସିର ମୁହୂର୍ତ୍ତରେ ଚାରିଜଣଙ୍କ ଚକ୍ଷୁ ଲୋତକାପ୍ଲୁତ ଥିଲା |

              ଅନିଶାର ନିରବିଛିନ୍ନ ଉଦ୍ୟମ ଫଳରେ,ବାହାଘରର ବର୍ଷ କେଇଟା ଭିତରେ ବୈଭବର ଛୋଟ ଷ୍ଟୁଡିଓଟି କ୍ରମେ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀରେ ପରିଣତ ହୋଇଗଲା |ପିଲାଙ୍କର ଜନ୍ମଦିନଠାରୁ ଆରମ୍ଭ କରି,ନିର୍ବନ୍ଧ ,ବାହାଘର ଆଦି ସମସ୍ତ ଉତ୍ସବକୁ ସୁଚାରୁରୂପେ ପରିଚାଳନା କରି ଅନିଶା ଓ ବୈଭବ ସମସ୍ତଙ୍କର ବିଶ୍ୱାସଭାଜନ ହୋଇ ପାରିଲେ | ଅନିଶା ନିଜେ ସବୁ କାର୍ଯ୍ୟ ତଦାରଖ କରୁଥିଲା  ଓ ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନେଉଥିଲା |ଏଥିରେ ସଫଳ ହେବାପରେ ଅନିଶା ତାର ଦ୍ୱିତୀୟ ସ୍ୱପ୍ନକୁ ସାକାର କରିବାରେ ଲାଗିପଡ଼ିଲା |ତାହା ଥିଲା ଅନାଥାଶ୍ରମ ସହିତ ଵୃଦ୍ଧାଶ୍ରମ ସ୍ଥାପନ କରିବା |କାରଣ ଅନିଶା ଭଲରୂପେ  ଜାଣିଥିଲା ବୟସ୍କ ବ୍ୟକ୍ତି ଓ ଅନାଥ ଶିଶୁ ଏକାଠି ରହିଲେ ସେମାନେ ଖୁସିରେ ରହିବେ ଓ ସେମାନଙ୍କର ସମୟ ଖୁସିରେ କଟିବ |ଯେଉଁଦିନ "ଜଗନ୍ନାଥ ଵୃଦ୍ଧାଶ୍ରମ ଓ ଅନାଥାଶ୍ରମ"ର ଭୂମିପୂଜା ହେଲା,ସେଦିନ ଅତି ଖୁସିରେ ତା ଆଖିରୁ ଅନର୍ଗଳ ଲୁହଧାରା  ଝରି ପଡିଲା |ସେ ତାର ପିତାମାତା ଓ ବୈଭବର ପିତାମାତାଙ୍କ ପାଦତଳେ ଭୂମିଷ୍ଠ ପ୍ରଣାମ ଜଣାଇ କହିଲା,ଆପଣମାନେ ହିଁ ଆମର ଜୀବନ୍ତ ଦେବତା ,ଆପଣମାନଙ୍କ ଆଶୀର୍ବାଦରେ ଆମର ସବୁ ବାଧାବିଘ୍ନ ଦୂର ହୋଇଯିବ, ସବୁ କଣ୍ଟା, ଫୁଲରେ ଓ ସବୁ ଦୁଃଖ, ସୁଖରେ  ପରିଣତ ହୋଇଯିବ |(ସମାପ୍ତ)

 ମମତା ମହାନ୍ତି ସାମନ୍ତରାୟ