Saturday, January 8, 2022

ବଂଶ

                         (ପ୍ରଥମ ଦୃଶ୍ୟ)

                 ସେତେବେଳେ ଶାଶୁଘର ରୀତିନୀତି ଭାରି କଡା ଥିଲା |ଝିଅଟିଏ ବାହାହୋଇ ସବାରୀରେ ବସି ଶାଶୁଘରକୁ ଯାଉଥିଲା ,ତାପରେ ବାପଘରକୁ ଭୁଲି ଯାଉଥିଲା | ଯେତେବେଳେ ଫେରୁଥିଲା,ସେତେବେଳେ କୋକେଇରେ ତାର ଅସ୍ଥି ଫେରୁଥିଲା |ହାତେ ଲମ୍ବର ଓଢଣା ଟାଣି,ଦାମୀ ପାଟ ଓ ଓଜନିଆ ଅଳଙ୍କାରରେ ବିଭୂଷିତା ହୋଇ ଲଳିତା ଯେତେବେଳେ ବାହାହୋଇ ଶାଶୁଘରକୁ ଗଲେ, ତାଙ୍କୁ ତେର ପୂରି ଚଉଦ ଚାଲୁଥିଲା |ବିଦା ହେଲାବେଳେ ବୋଉ ତାଙ୍କର କାନେ କାନେ କହିଥିଲେ,ମାଆଲୋ,ଶାଶୁ ଶ୍ୱଶୁର ଓ ଗୁରୁଜନଙ୍କ କଥା ମାନି ଚଳିବୁ ,ସବୁ ସହିଯିବୁ,କାହାକୁ ଜବାବ ଦେବୁନାହିଁ,ଆମର ସମ୍ମାନ ରଖିବୁ,ଆମ ମୁଣ୍ଡ ତଳକୁ କରିବୁ ନାହିଁ |ବାପା କହିଥିଲେ,ଶାଶୁ ଓ ନଣନ୍ଦ ହେଲେ ଘରର ମୂଳଦୁଆ,ତାଙ୍କୁ ନିଜର କଲେ,ତୁ ଖୁସିରେ ରହିବୁ | ବାପା ବୋଉଙ୍କ କଥା ମାନି,ଶାଶୁଘରର ସମସ୍ତ ସଦସ୍ୟଙ୍କ ମନ ନେଇ,ଘରର ସମସ୍ତ କାର୍ଯ୍ୟ ଦକ୍ଷତାର ସହ କରିବାକୁ ଅହରହ ଚେଷ୍ଟା କରିବା  ସଙ୍ଗେ ସଙ୍ଗେ ସେ ଏଗାର ଜଣ ସନ୍ତାନ ସନ୍ତତିଙ୍କର ଜନନୀ ହୋଇଥିଲେ | ଘରର ବଡ଼ବୋହୂ ହିସାବରେ ରୋଷେଇବାସ ସହିତ ଘରର ସବୁ କାର୍ଯ୍ୟ କରି, ନାନା ପ୍ରକାର ପ୍ରତିକୂଳ ପରିସ୍ଥିତିରେ ଗତି କରି, ଶାଶୁ ଶ୍ୱଶୁରଙ୍କୁ ସେବାକରି, ଦିଅର,ନଣନ୍ଦ ଓ ପୁଅ ଝିଅ ମାନଙ୍କ ଦାୟିତ୍ତ୍ୱ ସମ୍ଭାଳୁ ସମ୍ଭାଳୁ କେତେବେଳେ ଯେ ତାଙ୍କୁ ବାର୍ଦ୍ଧକ୍ୟ ଆସିଗଲା,ସେ ନିଜେ ବି ଜାଣି ପାରିଲେ ନାହିଁ |

              ଲଳିତା ତାଙ୍କ କର୍ତ୍ତବ୍ୟ ଓ ଦାୟିତ୍ତ୍ୱ ନିଷ୍ଠାର ସହ ପାଳନ କରିଥିଲେ ବି ସ୍ୱାମୀ ମହେଶ୍ୱରଙ୍କ ମୃତ୍ୟୁ ପରେ ସେ ସମ୍ପୂର୍ଣ୍ଣ ଏକାକିନୀ ହୋଇ ଯାଇଥିଲେ |ଦିଅର ମାନେ ସମ୍ପତ୍ତିରୁ ଭାଗ ନେଇ ଭିନ୍ନେ ହୋଇ ଯାଇଥିଲେ |ପିଲାମାନେ ମଧ୍ୟ ତାଙ୍କ ଚାକିରୀ ସ୍ଥାନରେ ଯିଏ ଯାହା ପରିବାର ସହ ରହୁଥିଲେ |ମହେଶ୍ୱର ବଞ୍ଚିଥିବାବେଳେ ସେମାନେ କେତେବେଳେ କେମିତି ଗାଆଁକୁ ଆସୁଥିଲେ,ତାଙ୍କ ମୃତ୍ୟୁ ପରେ ସେତିକି ବି ବନ୍ଦ ହୋଇଗଲା |ଭାଗ୍ୟ ଭଲ, ମଝିଆ ପୁଅର ପାଠଶାଠ ନହେବାରୁ ସେ ଗାଆଁରେ ରହି ଜମିବାଡ଼ି କଥା ବୁଝିବା ସହିତ ସେମାନଙ୍କର ଯତ୍ନ ନେଉଥିଲା  |

                      (ଦ୍ୱିତୀୟ ଦୃଶ୍ୟ)

             ଭାଇମାନଙ୍କ ଭିତରେ ମନୋଜ ସମସ୍ତଙ୍କଠାରୁ ମେଧାବୀ ଥିଲେ |ଶ୍ରେଣୀରେ ପ୍ରଥମ ହେବା  ସଙ୍ଗେ ସଙ୍ଗେ ଶିକ୍ଷକ ମାନଙ୍କର ପ୍ରିୟ ଛାତ୍ର ଓ  ପିତାମାତାଙ୍କର ବାଧ୍ୟ ସନ୍ତାନ ଥିଲେ |ଭବିଷ୍ୟତ ପାଇଁ ତାଙ୍କ ଆଖିରେ ଆଖିଏ ସ୍ୱପ୍ନ ଥିଲା |ସେ ଇଞ୍ଜିନିଅରିଂ ଓ ଡାକ୍ତରୀ ଉଭୟ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ |କିନ୍ତୁ ତାଙ୍କ ଉପରେ ଥିବା ଦୁଇ ଭଉଣୀଙ୍କ ବାହାଘର ପାଇଁ ସେ ତାଙ୍କ ସ୍ୱପ୍ନକୁ ଜଳାଞ୍ଜଳି  ଦେଇ କିରାଣୀ ଚାକିରୀରେ ସନ୍ତୁଷ୍ଟ ହୋଇଥିଲେ |ତାଙ୍କର ସ୍ୱପ୍ନ ସାକାର ନହେବା ମୂଳରେ ଯେ ତାଙ୍କ ବିରାଟ ପରିବାର ଦାୟୀ ସେ ଏକଥା ଭଲଭାବେ ହୃଦୟଙ୍ଗମ କରିଥିଲେ |ସେଥିପାଇଁ ସେ ତାଙ୍କ ପରିବାରକୁ ଦୁଇଟି ସନ୍ତାନରେ  ସୀମିତ ରଖିଥିଲେ |କେବଳ ସେତିକି ନୁହେଁ,ନିଜର ଆର୍ଥିକ ଅନାଟନ କଥା ପିଲାଙ୍କୁ ଜାଣିବାକୁ ନଦେଇ ସେ ଦୁଇଜଣଙ୍କୁ ଇଞ୍ଜିନିଅରିଂ ପଢାଇ ଅତୀତର ଦୁଃଖକୁ ଭୁଲିବାକୁ ଚେଷ୍ଟା କରିଥିଲେ |ବାହାଘର ପରେ ବଡପୁଅ ମୋନୁ  ଦୁବାଇରେ ଓ ସାନପୁଅ ସୋନୁ  ଆମେରିକାରେ ସ୍ଥାୟୀ ଭାବରେ ରହିବାକୁ ଲାଗିଲେ |ମନୋଜ ଓ ତାଙ୍କ ସ୍ତ୍ରୀ ରମା ସେତେବେଳେ ସଫଳ ପିତାମାତା ଭାବରେ ଗଣା ଯାଉଥିଲେ |କେତେବେଳେ ବଡପୁଅ ପାଖକୁ ତ କେତେବେଳେ ସାନପୁଅ ପାଖକୁ ଯାଇ ବୁଲାବୁଲି କରିବାବେଳେ ସେମାନେ  ନିଜକୁ ଦୁନିଆଁର ସର୍ବଶ୍ରେଷ୍ଠ ସୁଖୀ ମଣିଷ ବୋଲି ଭାବୁଥିଲେ |କିନ୍ତୁ ତାଙ୍କର ଏହି ସୁଖ ବେଶିଦିନ ରହିଲା ନାହିଁ | ଯେତେବେଳେ ଉଭୟଙ୍କୁ  ବାର୍ଦ୍ଧକ୍ୟ ଜନିତ ବ୍ୟାଧି ଗ୍ରାସ କରିବାକୁ ଆରମ୍ଭ କଲା,ସେତେବେଳେ ଦେହ ମୁଣ୍ଡରେ ହାତ ମାରିବାପାଇଁ ପୁଅ ବୋହୂ ପାଖରେ ନଥିଲେ |ପିଲାମାନେ ଯେହେତୁ ଭାରତ ବାହାରେ ସ୍ଥାୟୀ ଭାବରେ ବସବାସ କରୁଥିଲେ,ଚାକିରୀ ଛାଡି ଭାରତ ଫେରିବା ସେମାନଙ୍କ ପାଖେ ସମ୍ଭବପର ନଥିଲା |ଏମାନଙ୍କୁ ମଧ୍ୟ ବିଦେଶ ଯାଇ ପିଲାମାନଙ୍କ ପାଖରେ ରହିବାକୁ ଭଲ ଲାଗୁ ନଥିଲା |ରମାଙ୍କ ମୃତ୍ୟୁର ଦୁଇଦିନ ପରେ ବଡପୁଅ ଆସିଲା,ଆଠଦିନ ପରେ ସାନପୁଅ ଆସିଲା ଓ ଶୁଦ୍ଧିକ୍ରିୟା ପରେ ଯିଏ ଯାହା ସ୍ଥାନକୁ ବାହୁଡ଼ି ଗଲେ |ପ୍ରଚୁର ଧନ ଥିବା ସତ୍ତ୍ୱେ ନିଜର ମଣିଷଟିଏ  ପାଖରେ ନଥିଲେ ଯେ ସବୁ ମୂଲ୍ୟହୀନ ହୋଇଯାଏ ସେକଥା ମନୋଜ ଭଲଭାବେ ବୁଝିଥିଲେ |ତଥାପି ସେ ତାଙ୍କ ବଡ଼ ଘରର ମୋହ ତୁଟେଇ ନପାରି ଏକୁଟିଆ ସେଠାରେ ରହିବାକୁ ସ୍ଥିର କଲେ |ପିଲାମାନେ କାମବାଲୀ ଓ ପୂଜାରୀର ବ୍ୟବସ୍ଥା କରି ଦେଇଥିଲେ |କିନ୍ତୁ ଭାଗ୍ୟର ବିଡମ୍ବନା ଏହି ଯେ, ଝିଅ ପରି ଭଲ ପାଉଥିବା କାମବାଲୀ ସହଯୋଗୀର  ଛୁରା ମାଡ଼ରେ ଶେଷରେ ତାଙ୍କର ପ୍ରାଣ ଗଲା  |

                 (ତୃତୀୟ ଦୃଶ୍ୟ )

             ପିଲାମାନଙ୍କୁ ପାଳି ପୋଷି ମଣିଷ କରିବା,ବଡ଼ କଷ୍ଟକର କାମ |ତେଣୁ,  ସୋନୁ ଓ ମୋନୁ ସେମାନଙ୍କ ପରିବାରକୁ  ସୀମିତ କରିଦେଇଥିଲେ |ସୋନୁର "କ୍ରିଶ" ନାମରେ ଗୋଟିଏ ପୁଅ ଥିଲା ଓ ମୋନୁର ଗୋଟିଏ ବୋଲି ଝିଅ ଥିଲା ,ଯାହାର ନାଁ ଥିଲା ଜୁଲି  |କ୍ରିଶ ତାର ଆମେରିକୀୟ ବାନ୍ଧବୀ ସହିତ ଲିଭ ଇନରେ ରହିଲା,ଆଉ ବାହା ହେବାର ନାଁ ଧରିଲା ନାହିଁ |ଜୁଲି ତାର ସ୍କୁଲ ଦିନର ସାଥୀକୁ ବାହା ହେଲା, କିନ୍ତୁ ପିଲା ଜନ୍ମ କରିବାକୁ ମନ ବଳାଇଲା ନାହିଁ |ମୋନୁ ଓ ସ୍ତ୍ରୀ ଶୁଚି ତାକୁ କେତେ ବୁଝାଇଲେ |ଶୁଚି କହିଲା,ମା' ପିଲା ନହେଲେ,ଦୁନିଆଁ ଚାଲିବ କେମିତି ? ଆମ ବଂଶ ଆଗକୁ ବଢିବ କେମିତି ?ଜୁଲି କହିଲା,ଶୁଣ ମମି,ଜେଜେ ଜେଜେମାଙ୍କର ଦୁଇ ଦୁଇଟା ପୁଅ ଥିଲେ |କିନ୍ତୁ ବିପଦ ଆପଦ ଦୂରର କଥା,ମଲାବେଳେ କେହି ଜଣେ ବି ତାଙ୍କ ପାଖରେ ନଥିଲେ |ଜେଜେଙ୍କର ଯେମିତି ମୃତ୍ୟୁ ହେଲା,ସେକଥା ମନେ ପଡିଲେ,ମତେ ଆଜି ବି କଷ୍ଟ ଲାଗୁଛି |ନଈପାଣି  ସମୁଦ୍ରରେ ମିଶେ,କିନ୍ତୁ ସମୁଦ୍ରପାଣି  କେବେ ନଈ ପାଖକୁ ଫେରେନାହିଁ | ସେମିତି ବାପାମାଆ ପିଲାମାନଙ୍କ ପାଇଁ ସର୍ବସ୍ୱ ତ୍ୟାଗ କରନ୍ତି,ସେଇ ପିଲାମାନେ ବଡ଼ ହେଲେ,ତାଙ୍କ ପିଲାମାନଙ୍କ କଥା ଚିନ୍ତା କରନ୍ତି,ଉପର କଥା କେହି ଭାବନ୍ତି ନାହିଁ |ଯଦି ଏଇଆ ପୃଥିବୀର ନିୟମ,ତାହେଲେ ଏତେ କଷ୍ଟ କରି,ଅଯଥା ବଂଶ ବଢ଼େଇ ଲାଭ କଣ ?ଜୀବନ ଚାରିଦିନ ପାଇଁ,ଆମେ ଯେତେଦିନ ବଞ୍ଚିବୁ, ହସ ଖୁସିରେ ବଞ୍ଚିବୁ,କାଲି କଥା ଭାବି ଲାଭ କଣ ?  |