Monday, October 25, 2021

ଶାଶୁଘର ଚାଲିଯିବି

                    ସବୁକିଛି ଠିକଠାକ ଚାଲିଥିଲା | ଯେଉଁଦିନ ମିତୁ ଦିଦି ବାବା ମାଆଙ୍କ ଇଚ୍ଛା ବିରୁଦ୍ଧରେ ଅନ୍ୟ ଜାତିର ପୁଅକୁ ଭଲପାଇ ଘର ଛାଡି ଚାଲିଗଲା ,ସେହିଦିନଠାରୁ ସବୁ ଭୁଲଭାଲ ହୋଇଗଲା |ଦିଦି ପରି ଚାକିରୀ କରି ସାଙ୍ଗ ମାନଙ୍କ ସାଙ୍ଗେ ଫୁର୍ତ୍ତି କରିବାପାଇଁ,ରିନିର କେତେ ଇଚ୍ଛା ଥିଲା |କିନ୍ତୁ ଦିଦି ପାଇଁ ସବୁ ସ୍ୱପ୍ନ ତାର ଧୂଳିସାତ ହୋଇଗଲା |ବାବା ତାଙ୍କର ନିଷ୍ପତ୍ତି ଶୁଣାଇ ଦେଇ କହିଲେ,ଆଗେ ବାହାଘର,ତାପରେ ଚାକିରୀ କର କି ନକର ସେଇଟା ତୋ ଶାଶୁଘର ନିଷ୍ପତ୍ତି ଉପରେ ନିର୍ଭର କରେ ,ଆମର ସେଥିରେ  କିଛି କହିବାର ନାହିଁ | |ରିନି ବି କେଉଁ ଛାଡିବା ଝିଅ ଥିଲା ?ସେ ମନେ ମନେ ସ୍ଥିର କରିଥିଲା,ଯେ କୌଣସି ଉପାୟରେ ସେ ବାହାଘର ଭାଙ୍ଗିଦେବ |ଏତେ ପରିଶ୍ରମ କରି ପାଠପଢିବା କଣ ତାର ବେକାର ହୋଇଯିବ ?ଦିଦିର ଭୁଲ ପାଇଁ ସେ କାହିଁକି ଦଣ୍ଡ ପାଇବ ? 

               ସତକୁ ସତ ତା  ପରୀକ୍ଷା ଶେଷ ହେଉ ହେଉ ବାବା ତାର ବାହାଘର ପାଇଁ ଲାଗି ପଡିଲେ |ତା ପାଇଁ ଅନେକ ପ୍ରସ୍ତାବ ଆସିଥିଲା | ସେଥିରୁ ଗୋଟିଏ ପ୍ରସ୍ତାବ ବାବାଙ୍କ ମନକୁ ଖୁବ ପାଇଥିଲା | ପିଲାଟି ଭଲ କମ୍ପାନୀରେ ଚାକିରୀ କରୁଥିଲା,ଦୁଇବର୍ଷ ତଳୁ ତାର ସାନଭଉଣୀ ବାହା ହୋଇ ସାରିଥିଲା |ସେମାନେ ଘରକୁ ଆସି ଏତେ ଝାମେଲା ନକରି ପାର୍କରେ ତାକୁ ଦେଖିଦେବାପାଇଁ କହୁଥିଲେ | ବାବା କିନ୍ତୁ ରାଜି ହେଲେନାହିଁ  |ଆଷାଢ଼ ମାସର ଏକ ବର୍ଷଣମୁଖର ସକାଳେ ପୁଅ  ଓ ତାର ପିତାମାତା ତାକୁ ଦେଖିବାକୁ ଆସିଥିଲେ  |ସେତେବେଳେ ସେ ସଦ୍ୟ ଗାଧୋଇ ଘରୋଇ ପୋଷାକ ପିନ୍ଧିଥିଲା |ମୁହଁରେ ତାର କିଛି ବି ମେକଅପ ନଥିଲା |ଭାବିଥିଲା ତାର ସେହି ବେଶଭୂଷା ଦେଖି ସେମାନେ ତାକୁ ରିଜେକ୍ଟ କରିଦେବେ  |କିନ୍ତୁ ତାର ସେଇ ସାଧାସିଧା ନିରାଡ଼ମ୍ବର ବେଶଭୂଷା ସେମାନଙ୍କର ଏତେ ପସନ୍ଦ ହୋଇଥିଲା ଯେ,ସେମାନେ ରିନିକୁ ବୋହୂ କରିବା ପାଇଁ,ବାବା ମାମାଙ୍କ ପଛରେ ପଡିଯାଇଥିଲେ |ଏମିତିକି  ସାଙ୍ଗେ ସାଙ୍ଗେ ନିର୍ବନ୍ଧ କରିଦେବା ପାଇଁ ବାବାଙ୍କ ଉପରେ ଚାପ ପକାଇ ଥିଲେ |ବାବା ବି ତାଙ୍କର ଆଗ୍ରହ ଦେଖି  ରାଜି ହୋଇ ନିର୍ବନ୍ଧ କରିଦେଇଥିଲେ  |ରିନି ପାଇଁ ଏହା ଅତି ଦାରୁଣ ଦୁଃସମ୍ବାଦ ଥିଲା |ମନେ ମନେ ସେ କେତେ କାନ୍ଦିଥିଲା |

             କିନ୍ତୁ ଧୀରେ ଧୀରେ ତା ମନ ପରିବର୍ତ୍ତନ ହୋଇଥିଲା |ସେମାନେ ତା ଘରକୁ ବାରମ୍ବାର ଯିବା ଆସିବା କରିବା ଭିତରେ ସେ ଜାଣି ପାରିଥିଲା,ସେମାନେ ବହୁତ ଭଦ୍ର  ଓ ସ୍ନେହୀ ପରିବାର |ବିଶେଷ କରି ଅଭିର ମାର୍ଜିତ ଓ ସରଳ ବ୍ୟବହାର ତାକୁ  ବହୁତ ଭଲ ଲାଗିଥିଲା  |ନିର୍ବନ୍ଧ ଓ ବାହାଘର ମଧ୍ୟରେ ଦୁଇମାସର ବ୍ୟବଧାନ ଥିଲା |ବାହାଘର ଡ୍ରେସ କିଣିବା ପାଇଁ ଦୁଇ ପରିବାର ଏକାଠି ହୋଇ ଏକ ନିର୍ଦ୍ଦିଷ୍ଟ ଦୋକାନକୁ ଯାଇଥିଲେ |ସେଠାରେ ତାର ଅଭି ସହିତ ଦେଖା ହୋଇଥିଲା |ଦୁଇ ପରିବାରଙ୍କ ସମ୍ମତ୍ତିରେ ଦୁହେଁ ପରସ୍ପରଙ୍କ ପାଇଁ ପୋଷାକ ଚୟନ କରିଥିଲେ |ଏହା ରିନି ପାଇଁ ଏକ ମଧୁର ଓ ଅଭୁଲା ମୁହୂର୍ତ୍ତ ଥିଲା | ବାହାଘର ପରେ ହନିମୁନ ଟ୍ରିପରେ ଯିବାପାଇଁ ରିନି ମନେ ମନେ ଅନେକ କଳ୍ପନା କରିଥିଲା ଓ ସେଥିପାଇଁ ଅନେକ ଡ୍ରେସ ମଧ୍ୟ କିଣିଥିଲା |

             ବାହାଘର ପରେ ରିନିକୁ  ତାର ଶାଶୁଘରେ ବହୁତ ଭଲ ଲାଗୁଥିଲା |ଶାଶୁ ଶ୍ୱଶୁରଙ୍କ ସ୍ନେହପୂର୍ଣ୍ଣ ବ୍ୟବହାର,ଅଭିର ଯତ୍ନ ଓ ମମତାବୋଳା କଥାବାର୍ତ୍ତାରେ ସେ ନିଜକୁ ହଜାଇ ଦେଇଥିଲା | ଦିନେ ଅଭି ତାକୁ ତାର ମନ ପସନ୍ଦର ଏକ ସ୍ଥାନକୁ  ବୁଲାଇ ନେଇଥିଲା ଆଉ କହିଥିଲା,ଏଇ ସ୍ଥାନ ସହିତ ତାର ଆତ୍ମିକ ସମ୍ପର୍କ ରହିଛି |ଯେତେବେଳେ ଦୁଃଖରେ ତାର ମନ ବିଚଳିତ ହୁଏ ଓ ସେ ସମାଧାନର ସୂତ୍ର ଖୋଜି ପାଏ ନାହିଁ,ସେତେବେଳେ ଏଠାକୁ ଆସି କିଛି ସମୟ ବସିଲେ,ମନ ତାର ହାଲକା ହୋଇଯାଏ ଓ ସେ ପୁଣି ତାର ଗତାନୁଗତିକ ଜୀବନକୁ ଫେରିଯାଏ |ରିନିକୁ ମଧ୍ୟ ସେ ସ୍ଥାନର ନିର୍ଜନତା ଭଲ ଲାଗିଥିଲା ଯଦିଓ ସେ ତାକୁ ଏତେ ଗୁରୁତ୍ତ୍ୱ ଦେଇ ନଥିଲା |ତା ମନ ଥିଲା କେବେ ଅଭିର ଛୁଟି ଶେଷ ହେବ ଓ ସେ ତା ସହିତ ତାର ଚାକିରୀ ସ୍ଥଳକୁ ଯାଇ ବୁଲାବୁଲି କରିବ |କିନ୍ତୁ ପନ୍ଦର ଦିନ ଅତିକ୍ରାନ୍ତ ହୋଇଥିଲେ ବି ଅଭି ତାର ଯିବା ବିଷୟରେ ଆଦୌ ଆଲୋଚନା କରୁ ନଥିଲା |ତେଣୁ ରିନି ତା ନିଜ ତରଫରୁ ଅଭିକୁ ଏ ବିଷୟରେ ପଚାରିବାରୁ ଅଭି ଯାହା କହିଲା,ତାହା ଶୁଣି ତାର ପାଦତଳୁ ମାଟି ଖସିଯିବା ପରି ଲାଗିଲା |ଅଭି କହୁଥିଲା,ସେମାନଙ୍କ ନିର୍ବନ୍ଧ ପରେ ପରେ ରିସେସନ ଯୋଗୁଁ  ତାର ଚାକିରୀ ଚାଲି ଯାଇଥିଲା |କିନ୍ତୁ ବାହାଘର ଭାଙ୍ଗିଯିବା ଭୟରେ ସେ ଏକଥା ଗୋପନ ରଖିଥିଲା |ସେ କିନ୍ତୁ ଚେଷ୍ଟା କରୁଛି ଓ ନିକଟ ଭବିଷ୍ୟତରେ ଚାକିରୀ ପାଇଯିବାର ପୂର୍ଣ୍ଣ ସମ୍ଭାବନା ଅଛି |ରିନି କାନକୁ ଖାଲି ଅଭିର ଚାକିରୀ ନଥିବା କଥା ଶୁଭୁଥିଲା,ତାର ଆଉ କିଛି କଥା ଶୁଭୁ ନଥିଲା |ଏତେ ବଡ଼ ଧୋକା !!ବାବା ତାକୁ ଚାକିରୀ କରେଇ ଦେଲେ ନାହିଁ ଅଥଚ ଚାକିରୀ ନଥିବା ଲୋକ ସାଙ୍ଗରେ ବାହାଘର କରେଇ ଦେଲେ ??ଦିଦି ସ୍ୱାମୀର ଖାଲି ଜାତି ଟିକେ କମ ଥିଲା,କିନ୍ତୁ ଆଉ ସବୁ ତ ଭଲ ଥିଲା !ୟାଙ୍କର ମୂଳରୁ ଚାକିରୀ ନାହିଁ,ଅଥଚ ସେ ହନିମୁନ ଯିବାର ସ୍ୱପ୍ନରେ ମସଗୁଲ ହୋଇ ଯାଇଛି |ଅଭି ତାକୁ କ୍ଷମା ମାଗି ଯେତେ ବୁଝାଇଲେ ବି,ରିନି ବୁଝିଲାନି  |ଅଭିମାନ କରି ସେ  ବାପଘରକୁ ଯିବାକୁ ବାହାରିବା ବେଳକୁ ନଯିବା ପାଇଁ ଅଭି ତାକୁ କେତେ ଅନୁନୟ ବିନତି କଲା |କିନ୍ତୁ ରିନି ତା ଜିଦ୍ଦିରେ ଅଟଳ ଥିଲା |ତେଣୁ ବାଧ୍ୟହୋଇ ଅଭି ତାକୁ ତା ଘରେ ଛାଡ଼ିବାକୁ ଗଲା |ସେଠାରେ ପହଞ୍ଚି ରିନିର ପିତାମାତାଙ୍କୁ ପ୍ରଣାମ କରି ସେ ନୀରବରେ ସେଠାରୁ ଚାଲି ଆସିଲା |

        ରିନିର ଏପରି ଅଚାନକ ଆସିବା ଦେଖି ରିନି ବାବା ମାମା ଆଶ୍ଚର୍ଯ୍ୟ ହୋଇଗଲେ |ଯେତେବେଳେ ରିନି ସେମାନଙ୍କୁ ତାର ଆସିବାର କାରଣ କହିଲା,ବାବା କହିଲେ,ଏମିତି ହଠାତ ଚାଲି  ଆସିବା ଭଲ ହେଲାନି ମା |କିନ୍ତୁ ମାମା କହିଲେ,ସେ ଯାହା କରିଛି,ଠିକ କରିଛି |ଅଭି  ଆଗେ ଚାକିରୀ କରୁ ତାପରେ ରିନି ଯିବ |ନହେଲେ ଡିଭୋର୍ସ କଥା ଚିନ୍ତା କରାଯିବ |ତାଙ୍କ କଥାବାର୍ତ୍ତା ,ବ୍ୟବହାର ଦେଖି ସେମାନେ ଭଲ ମଣିଷ ବୋଲି ଭାବିଥିଲି |କିନ୍ତୁ ଏମିତି ଧୋକାବାଜ ବୋଲି କଳ୍ପନା ସୁଦ୍ଧା କରି ପାରି ନଥିଲି |

            ପାଖ ରୁମରେ ପୋଷାକ ପରିବର୍ତ୍ତନ କରୁଥିବାବେଳେ ମାମାଙ୍କ ମୁହଁରୁ ଡିଭୋର୍ସ କଥା ଶୁଣି ରିନି ଚମକି ପଡିଲା |ସତରେ କଣ ସେ ଅଭିକୁ ଛାଡପତ୍ର ଦେବ ?ଛାଡପତ୍ର ଦେଇ ସାରିବା ପରେ ସେ କଣ କରିବ ?ଆଉଥରେ ବାହା ହେବ ?ଛିଃ !ମନ ତାର ଭାରାକ୍ରାନ୍ତ ହୋଇଗଲା |ଦିନ ତମାମ ସେ କିଛି ଖାଇଲା ନାହିଁ |ରାତିରେ ମାମା ତାକୁ ଖାଇବାକୁ ଡାକିଲେ |କିନ୍ତୁ ସେ କେବଳ ପାଣି ଗ୍ଲାସେ ପିଇ ଶୋଇ ପଡିଲା |

            ତିନିଦିନ ପରେ ରିନିର ରାଗ ଟିକେ ଥଣ୍ଡା ହେଲା ପରେ ସେ ସୁସ୍ଥ ମସ୍ତିଷ୍କରେ ଘଟଣାକ୍ରମକୁ ମୂଳରୁ ପୁଣିଥରେ ବିଶ୍ଳେଷଣ କରିବାକୁ ଲାଗିଲା |ତାର ମନେହେଲା ସେ ବୋଧହୁଏ ଅତ୍ୟଧିକ ପ୍ରତିକ୍ରିୟା ଦେଖାଇ ଦେଇଛି |ନଖରେ ଛିଣ୍ଡିବା ଜିନିଷ ପାଇଁ  କୁରାଢ଼ୀ ଟାଙ୍ଗିଆ ଧରି ତା ଭିତରେ ଲୁଚି ରହିଥିବା ଭୟଙ୍କର ବଦଗୁଣକୁ ସେ ଉଜାଗର କରି ଦେଇଛି | ସେମାନେ ତାକୁ କେତେ ଭଲ ପାଉଥିଲେ |ଅଥଚ ତାଙ୍କର ସବୁ ସ୍ନେହ,ଶ୍ରଦ୍ଧାକୁ ତୁଚ୍ଛ କରି ବାହାଘରର କେଇଟି ଦିନ ଭିତରେ ଘର ଛାଡି ଚାଲି ଆସିଲା !!ଅଭିକୁ ଆଜି ନହେଲେ କାଲି ଚାକିରୀ ମିଳିଯିବ |କିନ୍ତୁ ଏଇ କଥା ତ ସବୁବେଳେ ତା ମନରେ ରହିଯିବ !!  ତିନିଦିନ ତଳେ ଯେଉଁ ଘଟଣା ତାକୁ ଗୁରୁତର ମନେ ହେଉଥିଲା,ଏବେ ତାକୁ ତାହା ସାମାନ୍ୟ ମନେହେଲା |ମନ ତାର କ୍ରମେ ଅସ୍ଥିର ଓ ଅଶାନ୍ତ ହୋଇ ଉଠିଲା |ସେ କାହାକୁ କିଛି ନକହି ଚୁପଚାପ ଘରୁ ଚାଲି ଆସିଲା ଓ ଏକ ଅଟୋରେ ବସି ସେଇ ସ୍ଥାନକୁ ଗଲା,ଯେଉଁ ସ୍ଥାନକୁ ଅଭି ତାର ଦୁଃଖ ଭୁଲିବାକୁ ଯାଏ ବୋଲି କହୁଥିଲା !

          ସେଠାରେ ପହଞ୍ଚି ନିର୍ଦ୍ଦିଷ୍ଟ ପଥର ଖଣ୍ଡ ଉପରେ ଗଛକୁ ଆଉଜି ବସି ଆଖି ବୁଜି ମନେ ମନେ ଅଭି ତାକୁ ଦେଖିବାକୁ ଆସିବା ଦିନଠାରୁ ବାପଘରକୁ ଫେରି ଆସିବା ପର୍ଯ୍ୟନ୍ତ ଗୋଟି ଗୋଟି କରି ସବୁ ମନେ ପକାଇଲା |ଏ ବିଷୟରେ ଯେତେ ଯେତେ ଭାବୁଥିଲା,ସେତେ ସେତେ ସେ ନିଜକୁ ଦୋଷୀ ମନେ କରୁଥିଲା |ଅଜାଣତରେ ଆଖିରୁ ତାର ଲୁହ ଦୁଇଧାର ଝରି ଆସିଲା |ଏମିତି କେତେ ସମୟ ବସିବା ପରେ ତାର ମନେହେଲା କେହି ଯେପରି ତାକୁ ନିର୍ନିମେଷ ନୟନରେ ଚାହିଁ ରହିଛି !ଭୟରେ ତାର ଆଖି ଖୋଲିଗଲା ଓ ସେ ଦେଖିଲା ଅଭି ଛିଡ଼ା ହୋଇ ତାକୁ ଏକ ଲୟରେ ଚାହିଁ ରହିଛି!ଆନନ୍ଦ ଓ ବିସ୍ମୟରେ ରିନି କଣ କରିବ,ଜାଣି ପାରିଲା ନାହିଁ |ହଠାତ ସେ ନଇଁପଡ଼ି ଅଭିର ପାଦ ଦୁଇଟିକୁ ଜାବୁଡି ପକାଇ କହିଲା,ମତେ କ୍ଷମା କର,ମୁଁ ଭୁଲ କରିଛି |ଆଖିରୁ ତାର କ୍ରମାଗତ ଲୁହଧାର ଝରି ଯାଉଥିଲା | ଅଭି ରିନି ପାଖରେ ବସି ତା ଆଖିରୁ ଲୁହ ପୋଛି କହିଲା,କାନ୍ଦନା ରୁନୁ,ତମ ଆଖିର ଗୋଟିଏ ଟୋପା ଲୁହ ମୋ ପାଇଁ ଅସହ୍ୟ |କଥା ଲୁଚାଇ ପ୍ରଥମେ ମୁଁ ଭୁଲ କରିଥିଲି,ସେଥିପାଇଁ ତମେ କାହିଁକି ନିଜକୁ ଦୋଷୀ ମନେ କରୁଛ ?

           କିଛି ସମୟ ପରେ ଅଭି କହିଲା,ଚାଲ ଯିବା |ରିନି ପଚାରିଲା,କୁଆଡେ ଯିବା ?ଅଭି ସ୍ମିତ ହସି କହିଲା,ତୁମ ଘରକୁ ଯିବନି ?ରିନି କହିଲା,ନାଁ |ଅଭି ଆଶ୍ଚର୍ଯ୍ୟ ହୋଇ କହିଲା,ଆଉ କୁଆଡେ ଯିବ ??ରିନି ଅଭି ଆଖିରେ ଆଖି ମିଶାଇ କହିଲା,ମୁଁ ମୋ ଶାଶୁଘରକୁ ଯିବି |ଅଭି କହିଲା,ମାମା ତମକୁ ନପାଇ ବ୍ୟସ୍ତ ହେଉଥିବେ  |ରିନି ସାଙ୍ଗେ ସାଙ୍ଗେ ମାମାଙ୍କୁ ଫୋନ କଲା ଓ  କହିଲା,ମାମା ତମେ ବ୍ୟସ୍ତ ହେବନି,ତମ ଜ୍ୱାଇଁ ଆସିଛନ୍ତି,ମୁଁ ତାଙ୍କ ସାଙ୍ଗେ ମୋ ଶାଶୁଘରକୁ ଯାଉଛି !!!!!(ସମାପ୍ତ)