Saturday, May 1, 2021

ଅନନ୍ୟା (ଶେଷ ଅଧ୍ୟାୟ )

            ରିସେପ୍ସନ ପୂର୍ବଦିନ ଆଦିକନ୍ଦ ଡାକ୍ତରଖାନାରୁ ଡିସ୍ଚାର୍ଜ ହେଲେ  |ତାଙ୍କୁ ପୂର୍ଣ୍ଣ ବିଶ୍ରାମ ନେବାପାଇଁ ଡାକ୍ତର ପରାମର୍ଶ ଦେଇଥିଲେ |ତେଣୁ ଅନିଷ ଓ ଆଦିକନ୍ଦଙ୍କ ସାନଭାଇ ସଦାନନ୍ଦଙ୍କ ଦାୟିତ୍ତ୍ୱ ବଢି ଯାଇଥିଲା |ଭୁବନେଶ୍ୱରରୁ ଆଦିକନ୍ଦଙ୍କ ଅଫିସ ଷ୍ଟାଫ ଓ ଅନ୍ୟାନ୍ୟ ବନ୍ଧୁବାନ୍ଧବ ଆସିବା ପାଇଁ ଦୁଇଟା ବସ ଓ କାରର ବ୍ୟବସ୍ଥା କରାଯାଇଥିଲା |ସେମାନେ ସମସ୍ତେ ଯେପରି ଭଲରେ ଆସି ଭଲରେ ଯିବେ,ସେ ବ୍ୟବସ୍ଥା  କରିବାକୁ ଆଦିକନ୍ଦ ସେମାନଙ୍କୁ ବାରମ୍ବାର ମନେ ପକାଇ ଦେଉଥିଲେ |ଅନିଷର ସବୁ ସାଙ୍ଗ ମଧ୍ୟ ଏଥିପାଇଁ ସ୍ୱତଃପ୍ରବୃତ୍ତ ଭାବରେ ସହଯୋଗର ହାତ ବଢ଼େଇ,ପ୍ରାଣପଣେ ଲାଗି ପଡ଼ିଥିଲେ |

             ସେଦିନ ଖୁବ ସକାଳୁ ଦିବ୍ୟାଶା ତାର ନିତ୍ୟକର୍ମ ସାରି ଅନସୂୟାଙ୍କୁ ଅପେକ୍ଷା କରିଥିଲା  |ଯେହେତୁ ତାକୁ ଭଲଭାବେ ଶାଢ଼ୀ ପିନ୍ଧିବା ଜଣା ନଥିଲା,ତେଣୁ ଅନସୂୟା  ସବୁଦିନ ତାକୁ ଶାଢ଼ୀ ପିନ୍ଧେଇ ଦେଉଥିଲେ |ସେଦିନ ମଧ୍ୟ ଅନସୂୟା ଦିବ୍ୟାଶାକୁ ଶାଢ଼ୀ ପିନ୍ଧେଇବାକୁ  ତା ରୁମକୁ ଆସିଲେ | ତାଙ୍କୁ ଦେଖି ଦିବ୍ୟାଶା କହିଲା,ଆଜି ଶାଢ଼ୀ ମୁଁ ନିଜେ  ପିନ୍ଧିଛି,ଦେଖିଲେ ଠିକ ଅଛି ?ଅନସୂୟା ତାକୁ ନିରେଖି ଚାହିଁ କହିଲେ,ହଁ,ଚଳିବ |ତାପରେ ତାକୁ ଟିକିଏ ଗେଲ କରିଦେଇ ସେ ରୁମରୁ ବାହାରିବା ବେଳକୁ ଦିବ୍ୟାଶା ପଛରୁ ଡାକି  କହିଲା,ମମି,ଟିକେ ଶୁଣନ୍ତୁ |ଅନସୂୟା ଫେରିଆସି   ତା ପାଖରେ ବସି ପଚାରିଲେ,କଣ ହେଲା ?ଦିବ୍ୟାଶା ମୃଦୁ ହସି କହିଲା,ମୁଁ ଆପଣଙ୍କ ପାଇଁ,ଗୋଟେ ଜିନିଷ ଆଣିଥିଲି,କାଳେ ମିସ୍ପ୍ଲେସ ହୋଇଯିବ ,ଆପଣ ରଖି ଦେଇଥାଆନ୍ତୁ |ଏହାକହି ସେ ତାଙ୍କ ହାତକୁ ଗୋଟିଏ ପ୍ୟାକେଟ ବଢ଼େଇ ଦେଲା ଓ କହିଲା,ବୋଉ ଅଲଗା କରି ସମସ୍ତଙ୍କ ପାଇଁ ଦେଇଛି,କିନ୍ତୁ ଏଇଟା ଖାସ  ଆପଣଙ୍କ ପାଇଁ,ମୁଁ ନିଜେ ବାଛି ଆଣିଛି|ଆପଣଙ୍କ ପସନ୍ଦ ହେଉଛି କି ନାହିଁ,ମତେ ଖାଲି କହି ଦିଅନ୍ତୁ |

            ଅନସୂୟା ପ୍ୟାକେଟ ନ ଖୋଲି ନେଇ ଯାଉଥିଲେ |କିନ୍ତୁ ଦିବ୍ୟାଶା କହିଲା,ଟିକିଏ ଖୋଲି ଦେଖି ଦିଅନ୍ତୁ  ନାଁ ମମି,ପ୍ଲିଜ !!ତା କଥା ଭାଙ୍ଗି ନପାରି ଅନସୂୟା ପ୍ୟାକେଟ ଖୋଲି ଦେଖିଲେ |ତାହା ସେହି ହଜାର ବୁଟି ସମ୍ବଲପୁରୀ ଟସର ପାଟ ଶାଢ଼ୀ ଥିଲା,ଯାହାର ଅତ୍ୟଧିକ ମୂଲ୍ୟ ଦେଖି ସେ କିଣିବାକୁ ଇଛା କରି ନଥିଲେ !!!ଏହା ନିଶ୍ଚିତ ଭାବେ ଅନିଷ ଓ ଦିବ୍ୟାଶାଙ୍କ ମିଳିତ କାରନାମା ବୋଲି ସେ ଭଲଭାବେ ଜାଣି ପାରୁଥିଲେ | ଶାଢ଼ୀର ଅପୂର୍ବ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ସେ କିଛି ସମୟ ତାକୁ ଚାହିଁ ରହିଲେ |ଦିଵ୍ୟାଶା ତାଙ୍କୁ ଏକ ଲୟରେ ଲକ୍ଷ୍ୟ କରୁଥିଲା |ପଚାରିଲା,ଭଲ ଲାଗୁଛି ନାଁ ଆଣ୍ଟି ,ସରି ମମି ???

   ଅନସୂୟା ଖୁସି ହୋଇ  କହିଲେ,ବହୁତ ଭଲ ଲାଗୁଛି ଲୋ |ଏକଦମ ସୁପର ହୋଇଛି !କେବଳ ଅନନ୍ୟାର ପସନ୍ଦ ହିଁ ଏତେ ସୁନ୍ଦର ହୋଇପାରେ !!ଏହା କହି ସେ ସେହି ଶାଢ଼ିଟିକୁ ନେବା ବେଳକୁ,ତା ଭିତରୁ ମ୍ୟାଚିଂ ଶାୟା ଓ ଟେଲର ଦ୍ୱାରା ପ୍ରସ୍ତୁତ ମ୍ୟାଚିଙ୍ଗ ବ୍ଲାଉଜ ସହିତ ,ତାଙ୍କର ଏକ ପୁରୁଣା ବ୍ଲାଉଜ ଖସି ପଡିଲା |ସେ ଆଶ୍ଚର୍ଯ୍ୟ ହୋଇ ତାକୁ ତଳୁ ଗୋଟାଇ ନେଇ କହିଲେ,ଆରେ ଇଏତ ମୋର ବ୍ଲାଉଜ ପରି ଲାଗୁଛି !ଦିବ୍ୟାଶା ଦୋଷୀଙ୍କ ପରି କହିଲା,ହଁ ମମି,ଆପଣଙ୍କ ବ୍ଲାଉଜ |ନୂଆ ବ୍ଲାଉଜ ସିଲେଇ କରିବା ପାଇଁ ଏଇଟା ସିଏ  ମତେ ଦେଇଥିଲେ |ଯଦି ଶାଢ଼ୀ ଭଲ ଲାଗୁଛି,ଆପଣ ଆଜି ରାତିରେ ରିସେପ୍ସନ ପାର୍ଟିରେ ପିନ୍ଧିବେ ନାଁ ??

      ଅନସୂୟା ହସିଦେଇ କହିଲେ,ଆଉ କହିବାକୁ ଅଛି ?ମୋ ମାଆ ମୋ ପାଇଁ ଏତେ ଶ୍ରଦ୍ଧାରେ ଆଣିଛି,ମୁଁ ପୁଣି ପିନ୍ଧିବିନି ?? 

   ଦିବ୍ୟାଶା ଖୁସି ହୋଇ କହିଲା,ଆପଣ ତ ରାଜି ହୋଇଗଲେ |ବାବାଙ୍କୁ ରାଜି କରେଇବା ଦାୟିତ୍ତ୍ୱ ତାଙ୍କର |ଅନସୂୟା ମୁରୁକି ହସି କହିଲେ,ତାହେଲେ ବାବାଙ୍କ ପାଇଁ  ବି ସପ୍ରାଇଜ ଅଛି ନାଁ ?

  ଦିବ୍ୟାଶା କହିଲା,ହଁ ମମି,ବାବାଙ୍କ ପାଇଁ ସୁଟ ଆସିଛି,ତାଙ୍କୁ ଭଲ ଲାଗିଲେ,ସିଏ ବି ଆଜି ପିନ୍ଧିବେ |

      ଅନସୂୟା ହସି ହସି କହିଲେ,ବୁଝିଲୁ,ସିଏ ତ ଯାହା ଥିଲା ଥିଲା,ତା ସାଙ୍ଗରେ ମିଶି,ତୁ ତାକୁ ବଳିଗଲୁ !ଦିବ୍ୟାଶା ଲାଜୁଆ ହସ ହସି ମୁହଁ ତଳକୁ ପୋତି କହିଲା,ଆପଣ ମାନଙ୍କ ପାଇଁ ଖୁସିରେ ଆଣିଛି ମମି |ଅନସୂୟା ଆଉଥରେ ତାର ନଜର ଉତ୍ତାରି ସେଠାରୁ ଚାଲିଗଲେ ଓ ଭାବୁଥିଲେ,ଏମିତି ଛୋଟ ଛୋଟ ଜିନିଷ ମଣିଷ ମନରେ କେତେ ଖୁସି ଭରିଦିଏ ସତରେ !

         ଦିଵ୍ୟାଶାଙ୍କ  ଘରୁ ସମସ୍ତଙ୍କ ପାଇଁ ଯେତେ ଲୁଗାପଟା ଆସିଥିଲା,ସମସ୍ତଙ୍କ ମନଲାଖି ହୋଇଥିଲା  ଓ ସମସ୍ତେ ଖୁସି ଥିଲେ |

              ସେଦିନ ସନ୍ଧ୍ୟାରେ ଦିବ୍ୟାଶାକୁ ପ୍ରଥମେ ସଜ କରି ଷ୍ଟେଜ ଉପରକୁ ପଠେଇ ସାରିବା ପରେ ସେ ନିଜେ ଦିବ୍ୟାଶା ଦେଇଥିବା ଶାଢ଼ୀ ପିନ୍ଧି ଆଦିକନ୍ଦ ପ୍ରସ୍ତୁତ ହେଲେଣି କି ନାହିଁ ଦେଖିବାକୁ ଗଲେ |

            କିନ୍ତୁ ଆଦିକନ୍ଦ ଅନେକବେଳୁ ତାଙ୍କର ସୁଟ ପିନ୍ଧି ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ୱାଗତ କରିବାପାଇଁ ବାହାରକୁ ଯାଇ ସାରିଥିଲେ |ସେ ବି ତରତର ହୋଇ ମଣ୍ଡପ ପାଖକୁ ଯିବାବେଳେ ଷ୍ଟେଜ ଉପରେ ଅନିଷ ଓ ଦିବ୍ୟାଶାଙ୍କୁ ଦେଖି ଅଟକି ଗଲେ |ବୋହୂ ବେଶରେ ଦିବ୍ୟାଶା ସ୍ୱର୍ଗର ଅପ୍ସରା ପରି ଲାଗୁଥିଲା |

           ଅନସୂୟା ସେଠାରେ ଛିଡ଼ାହୋଇ ତାକୁ ମୁଗ୍ଧ ନୟନରେ ଚାହିଁ ରହିଲେ |'ନୂଆକରି ଦେଖିବା ପରି କେତେ ଦେଖୁଛନ୍ତି ଯେ ?'ପଛରୁ କାହାର କଣ୍ଠସ୍ୱର ଶୁଣି ସେ ବୁଲି ଚାହିଁ ଦେଖିଲେ,ମିତା ମାଡାମ ଛିଡ଼ାହୋଇ ହସୁଛନ୍ତି |ଅନସୂୟା ତାଙ୍କୁ କୁଣ୍ଢେଇ ପକାଇ ପଚାରିଲେ,ଆପଣ ଷ୍ଟେଜ ଉପରକୁ ଗଲେଣି ? ମିତା କହିଲେ,ନାଁ ଏବେ ତ ଆସିଲି |ଅନସୂୟା ତାଙ୍କୁ ନେଇ ଷ୍ଟେଜ ଉପରକୁ ଗଲେ |ତାଙ୍କ ସହିତ ମିତା ମାଡାମ ଙ୍କ ସ୍ୱାମୀ ନିଖିଲ ମଧ୍ୟ ଗଲେ |ଫଟୋଗ୍ରାଫର ଫଟ ଉଠେଇ ସାରିବା ପରେ,ଅନସୂୟା ମିତାଙ୍କୁ କହିଲେ,ଆପଣ ଏଥର ଖାଇବା ଷ୍ଟାର୍ଟ କରନ୍ତୁ |

          ମିତା ମାଡାମ ଅନସୂୟାଙ୍କ ହାତ ଧରି କହିଲେ,ହଁ ଖାଇବି,ଆପଣ ମୋ ପାଖରେ ଟିକେ ବସନ୍ତୁ,ଦୁଇପଦ କଥା ହେବା,ତାପରେ ଖାଇବା,ଏତେ ଜଲ୍ଦି କଣ ଅଛି ?

        ଅନସୂୟା ତାଙ୍କ ପାଖରେ ବସି ପଡି କହିଲେ,କୁହନ୍ତୁ ଏଥର |ମିତା କହିଲେ,ବାହାଘର ଅଳ୍ପଦିନ ଥିବାବେଳେ ଆପଣଙ୍କ ରିଲେଟିଭ ଜଣେ ଚାଲିଗଲେ,ବାହାଘର ଘୁଞ୍ଚିଗଲା |ପୁଣି ଝିଅ ବିଦା ହୋଇ ଆସିଲାବେଳକୁ,ସାରଙ୍କର ଏତେବଡ଼ ଆକ୍ସିଡେଣ୍ଟ ହେଲା,ଆପଣଙ୍କ ଘରେ,ଗାଆଁରେ ତ ଲୋକେ ବୋହୂକୁ ବହୁତ କଥା କହିଥିବେ !

          ମିତା ମାଡାମଙ୍କ ଠାରୁ ଏପରି କଥା ଶୁଣିବେ ବୋଲି ଅନସୂୟା ଆଶା କରି ନଥିଲେ |ସେ କିଛି ସମୟ ଚିନ୍ତା କରି କହିଲେ,ଦେଖନ୍ତୁ,ଜନ୍ମ ମୃତ୍ୟୁ ମଣିଷ ହାତରେ ନାହିଁ |ଯାହା ହେବାର ଥିଲା ହୋଇଗଲା |ତାଙ୍କୁ ସମ୍ମାନ ଜଣାଇ,ଆମେ ବାହାଘର ଘୁଞ୍ଚେଇ ଦେଲୁ |ବାକି ରହିଲା ସାରଙ୍କ କଥା |ଏତେବଡ଼ ଆକ୍ସିଡ଼େଣ୍ଟରୁ ସେ ଅତି ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଗଲେ |ଗାଆଁ ସାରା ସମସ୍ତେ କହୁଛନ୍ତି,ବୋହୂ ମୋର ସୁଲକ୍ଷଣୀ ବୋଲି ତାଙ୍କର କିଛି କ୍ଷତି ହେଲାନାହିଁ |

        ମିତା କହିଲେ,ଧନ୍ୟ କହିବ ଆପଣଙ୍କୁ !ପୃଥିବୀ ପଛକେ ଧ୍ୱଂସ ହୋଇଯାଉ,ଆପଣ ବୋହୂକୁ ମୁଣ୍ଡ ଉପରୁ ଓଲ୍ହେଇବେ ନାହିଁ |ଏମିତି ମଣିଷ ମୁଁ କୋଉଠି ଦେଖିନି |ଅନସୂୟା କହିଲେ,ଏଥିରେ ମୋର କଣ ବାହାଦୂରୀ ଅଛି ?ବୋହୂ ମୋର ଅନନ୍ୟା ,କୋଟିକରେ ଗୋଟିଏ |ଷ୍ଟେଜ ଆଡକୁ ହାତ ଦେଖାଇ କହିଲେ,ଦେଖିଲେ କେମିତି ସେ ହସୁଛି !ହସ ତାର ଲକ୍ଷେ ଟଙ୍କା ,ନିମିଷକେ ସମସ୍ତଙ୍କ ମନ କିଣି ନେଇଯିବ |ତାଙ୍କ କଥା ଶୁଣି ମିତା ମାଡାମ ମୁରୁକି ହସି ସେଠାରୁ ଯାଉ ଯାଉ ଢଗ ବୋଲିଲେ,'ଯାହା ମନ ଯହିଁକି ରସେ,ତାହା ବିନା ତାକୁ ଆନ ନଦିଶେ' |(ସମାପ୍ତ) 

ବି:ଦ୍ର:  ମନ ପସନ୍ଦର ଜୀବନସାଥୀ ମିଳିଲେ ଓ ଈଶ୍ୱରଙ୍କ ଆଶୀର୍ବାଦ ଥିଲେ ,ସବୁ ବିବାହ ସଫଳ ଓ ସୁଖପ୍ରଦ ହୋଇଥାଏ |