Tuesday, February 18, 2020

ନଣନ୍ଦଙ୍କ ବାହାଘର

                    ଲକ୍ଷ୍ମୀ  ସବୁବେଳେ ତା ନଣନ୍ଦ 'ଲିପି'ର  ବାହାଘର ପାଇଁ ବ୍ୟସ୍ତ ହେଉଥିଲା |ରିକ୍ରିଏସନ ଆୱାରରେ ଯେତେବେଳେ ଅଫିସର  ମହିଳା ସହକର୍ମୀମାନେ ଏକାଠି ହୋଇ ଗପ ଜମେଇ ଦେଉଥିଲେ,ସେତେବେଳେ ଆଲୋଚନାର ମୂଖ୍ୟ ପ୍ରସଙ୍ଗ ଥିଲା, ଲିପିର ବାହାଘର |ଲିପି ତା ଶାଶୁଘର ଗାଁର ଦୂର ସମ୍ପର୍କୀୟା ନଣନ୍ଦ ଥିଲା |ସେ ଗାଁ କଲେଜରୁ ବି.ଏ. ପାଶ କରିଥିଲା |ତାର ଏକମାତ୍ର ସାନଭାଇ କଲେଜରେ ପଢୁଥିଲା |ସେମାନଙ୍କ ପରିବାର ଏତେ ସ୍ୱଚ୍ଛଳ ନଥିଲେ |ଗାଁ ଜମିରୁ ଉତ୍ପନ୍ନ ହେଉଥିବା କୃଷି ଉତ୍ପାଦିତ ଆୟରେ ସେମାନେ ଚଳୁଥିଲେ | ଲିପି  ସୁନ୍ଦରୀ ଓ ସର୍ବଗୁଣସମ୍ପନ୍ନା ଥିଲା |ସେ ନିରାମିଷାସୀ ଥିଲା ଓ ନିୟମିତ ଯୋଗାଭ୍ୟାସ କରି ସୁସ୍ଥ ଜୀବନଯାପନ କରୁଥିଲା |ଉପଯୁକ୍ତ ପାତ୍ର ସହ ତାର ବାହାଘର କରିବାପାଇଁ ପିତା ସନ୍ତୋଷ ଓ ମା ସୁଜାତାଙ୍କ ବହୁତ ଇଚ୍ଛା ଥିଲା |ଅନ୍ୟ ପକ୍ଷରେ ଲକ୍ଷ୍ମୀର ଛୋଟ ପୁଅଟିଏ ଥିଲା |ସେମାନେ ଉଭୟ ଚାକିରୀ କରୁଥିବାରୁ ପିଲାର ଯତ୍ନ ନେଇ ପାରୁନଥିଲେ |ଯେତେବେଳେ ପୁଅ ଗୁଡ଼ୁଲୁ ସ୍କୁଲ ଯିବା ଆରମ୍ଭ କଲା,ସେତେବେଳେ ସେମାନଙ୍କ ସମସ୍ୟା ଆହୁରି ବଢ଼ି ଯାଇଥିଲା  |
                  ଲକ୍ଷ୍ମୀ ଯେତେବେଳେ ଲିପି ବିଷୟରେ ଜାଣିବାକୁ ପାଇଲା,ସେ ତା ସ୍ୱାମୀ ପ୍ରଦୀପଙ୍କୁ ବିଶ୍ବାସକୁ ନେଇ ଲିପିକୁ ତାଙ୍କ ଘରକୁ ନେଇ ଆସିଲା |କଥା ଥିଲା,ଲିପି ଯେତେଦିନ ତାଙ୍କ ଘରେ ରହିବ, ଗୁଡ଼ୁଲୁର ଦେଖାଶୁଣା କରିବ  ,ବଦଳରେ ସେମାନେ  ଲିପିକୁ  ଭଲ ପାତ୍ର ଦେଖି ବାହାଘର କରିବେ  ଓ ବାହାଘରର ସମସ୍ତ ଖର୍ଚ୍ଚ  ବହନ କରିବେ |ସନ୍ତୋଷ ଓ ସୁଜାତାଙ୍କ ମନା କରିବାର କାରଣ ନଥିଲା |ତାଛଡା ସେମାନେ ପ୍ରଦୀପକୁ ବହୁତ ଭଲ ପାଉଥିଲେ ଓ ସେଠାରେ ତାଙ୍କ ଝିଅ ନିରାପଦରେ ରହିବ ବୋଲି ସେମାନେ ଭାବୁଥିଲେ |
                   ଲିପି ସେମାନଙ୍କ ଘରେ ରହିବା ପରେ ଲକ୍ଷ୍ମୀ କ୍ରମେ ସ୍ୱର୍ଗସୁଖ ଅନୁଭବ କରିବାକୁ ଲାଗିଲା  |ସକାଳେ ସେମାନେ ଉଠିବା ପୂର୍ବରୁ ଲିପି ତାର ନିତ୍ୟକର୍ମ ଶେଷକରି ,ସମସ୍ତଙ୍କ ପାଇଁ ସକାଳ ଜଳଖିଆ ପ୍ରସ୍ତୁତ କରି ଦେଇଥାଏ |ସେମାନେ ଉଠି ସେମାନଙ୍କର ନିତ୍ୟକର୍ମ କରିବା ଭିତରେ ସେ ସେମାନଙ୍କ ଲଞ୍ଚ ବକ୍ସ ରେଡି କରି ରଖିଦିଏ |ପ୍ରଦୀପ ଗୁଡ଼ୁଲୁକୁ ସ୍କୁଲରେ ଛାଡିଦିଅନ୍ତି  |ସ୍କୁଲ ଛୁଟିପରେ ଖରାବେଳେ ଲିପି ତାକୁ ଘରକୁ ଆଣି ତା ପୋଷାକ ବଦଳାଇ ସାମାନ୍ୟ ପୋଛାପୋଛି କରି ଖୁଆଇ ଦିଏ |ତାପରେ ତାକୁ ଶୁଆଇ,ନିଜେ ଖାଇ ଅନ୍ୟାନ୍ୟ କାମ ଶେଷ କରେ |ଲକ୍ଷ୍ମୀ ଘରକୁ ଫେରିବାବେଳକୁ ସନ୍ଧ୍ୟା ଛଅ |ରାତି ପାଇଁ ଲିପି ଆଉ କିଛି କାମ ବାକି ରଖି ନଥାଏ |ଲକ୍ଷ୍ମୀ ସନ୍ଧ୍ୟାଧୂପ ଦେଇ ସାରିବାବେଳକୁ ଲିପି ତା ହାତକୁ ଚା'ବିସ୍କୁଟ ବଢ଼ାଇ ଦିଏ |ଆଗରୁ ସବୁଦିନେ ଲକ୍ଷ୍ମୀ ପୁଅକୁ ପାଠ ପଢାଉଥିଲା |କିନ୍ତୁ ଦିନସାରା ଲିପି ପାଖରେ ରହି ଗୁଡ଼ୁଲୁ ତାକୁ ଏମିତି ଆଦରି ଯାଇଥିଲା  ଯେ ସେ କେବଳ ଲିପି ପାଖରେ ହିଁ ପାଠ ପଢୁଥିଲା  |ଦିନଯାକର ଥକ୍କା ମେଣ୍ଟାଇବାକୁ ଲକ୍ଷ୍ମୀ ସେତିକିବେଳେ ଘଣ୍ଟାଏ ଶୋଇପଡ଼ୁଥିଲା  |ଦୁଇ ତିନିମାସରେ ଥରେ  ସନ୍ତୋଷ ଲିପିକୁ ଦେଖିବାକୁ ଆସନ୍ତି |ସାଙ୍ଗରେ ଗାଁ ର ସରୁ ଉଷୁନା ଓ ଅରୁଆ ଚାଉଳ,ମୁଗଜାଇ,ଗୁଆଘିଅ,ଛେନା ଓ ବାଡ଼ି ପନିପରିବା  ଇତ୍ୟାଦି ଅନେକ ଜିନିଷ ଆଣିଥାନ୍ତି |ଏମିତି ପାଣି ପରି ଦୁଇବର୍ଷ ବିତିଗଲା |ଲିପି ବାହାଘର କଥା ଲକ୍ଷ୍ମୀ ଭୁଲିଯାଇଥିଲା |ଦିନେ ସନ୍ତୋଷ ବାହାଘର ବିଷୟରେ ପଚାରିବାରୁ ଲକ୍ଷ୍ମୀର ଚେତା ପଶିଲା |ସେ କହୁ କହୁ କହିଦେଲା,ଆମେ ବହୁତ ପ୍ରସ୍ତାବ ଦେଖିଲୁଣି,କିନ୍ତୁ କିଛି ମନକୁ ପାଉନି |ସନ୍ତୋଷ କହିଲେ,ତମେ ଦେଖ,ମୁଁ ବି ଦେଖୁଛି |ଯିଏ ଝିଅକୁ ଦେଖିବାକୁ ଚାହିଁବ,ଏଇଠି ଆସି ଦେଖିଯିବ |ଏକଥା ପ୍ରଦୀପଙ୍କ ମନକୁ ପାଇଲା |ସେ ରାଜିହେଲେ |କିନ୍ତୁ ଲିପି ବାହା ହୋଇଗଲେ ସେ କେମିତି ସଂସାର ସମ୍ଭାଳିବ,ଏକଥା ଚିନ୍ତାକରି ଲକ୍ଷ୍ମୀ ଆତଙ୍କିତ ହୋଇ ପଡିଲା |
                   ଲିପିପାଇଁ ବର ଖୋଜିବା କାମ ଆରମ୍ଭ ହୋଇଗଲା |ବହୁତ ଲୋଭନୀୟ ପ୍ରସ୍ତାବ ଆସୁଥିଲା ;କିନ୍ତୁ ଝିଅ ଦେଖିଯିବାପରେ କେହି ଖବର ପଠାଉ ନଥିଲେ | ଦିନେ ସେ ଅଫିସରେ ତାର ମହିଳା ସହକର୍ମୀଙ୍କ ସହିତ ଏକଥା ଆଲୋଚନା କରିବାବେଳେ ଉଷା ସେଠାରେ ଥିଲେ |ତାଙ୍କର ବଡ଼ଭଉଣୀଙ୍କ ଦିଅର ପାଇଁ ପାତ୍ରୀ ଖୋଜା ଚାଲିଥିଲା ଓ ଦିଅରଙ୍କ ପସନ୍ଦ ନହେବାରୁ ଅନେକ ପ୍ରସ୍ତାବ ଭାଙ୍ଗି ଯାଉଥିଲା |ଦିଅର  ଉଚ୍ଚଶିକ୍ଷିତ ଥିଲା ଓ ଭଲ ପଦବୀରେ ସରକାରୀ ଚାକିରୀ କରୁଥିଲା |ଉଷା ଲକ୍ଷ୍ମୀଠାରୁ ଲିପିର ଫଟ ଓ ଟିପଣା ନେଇ ଭଉଣୀକୁ ଦେବାରୁ ଟିପଣା ମିଳିଗଲା ଓ ଫଟ ମଧ୍ୟ ପସନ୍ଦ ହେଲା |ଯେଉଁଦିନ ଝିଅକୁ ଦେଖିଯିବା କଥା ଲକ୍ଷ୍ମୀକୁ ଜଣାଇ ଦିଆଗଲା |କିନ୍ତୁ ସେଦିନ ଲକ୍ଷ୍ମୀ ଘରେ ପହଞ୍ଚି ସେମାନେ ଜାଣିବାକୁ ପାଇଲେ,କୌଣସି କାର୍ଯ୍ୟବଶତଃ ଲିପି ଗାଆଁକୁ ଯାଇଛି |ଯୋଗକୁ ଲିପିର ବାପଘର ଓ ଭଉଣୀର ଶାଶୁଘର ପାଖାପାଖି ଥିଲା |ସେମାନେ ଗାଁରେ ଲିପିକୁ ଦେଖି 'ହଁ' କହି ଚାଲିଆସିଲେ |ସନ୍ତୋଷ ଲକ୍ଷ୍ମୀର  ଅଫିସକୁ ଆସି ଉଷାଙ୍କୁ ତାଙ୍କର କୃତଜ୍ଞତା ଜଣାଇଲେ ଓ  କହିଲେ,ଆମ ଆଡେ ଥିବା ପ୍ରଥା ଅନୁଯାୟୀ ମୁଁ ଆପଣଙ୍କୁ ପାଟଶାଢ଼ୀ ଦେବି |ଏହାପରେ ଅଫିସରେ ହାଲ୍ଲା ହୋଇଗଲା ଯେ ଉଷାଙ୍କ ଭଉଣୀର ଦିଅରଙ୍କୁ ଲକ୍ଷ୍ମୀର ନଣନ୍ଦ ବାହା ହେଉଛି ଓ ଚାରିଆଡୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଲା |
                   ଏହାପରେ ନିର୍ବନ୍ଧ ଓ  ବାହାଘର ତାରିଖ ଧାର୍ଯ୍ୟ ହେବାର କଥା  |ସବୁକିଛି ଠିକ ଠାକ ଚାଲିଥାଏ |କିନ୍ତୁ ଏହାପରେ  ପ୍ରତ୍ୟେକଦିନ ଲକ୍ଷ୍ମୀ ଉଷାଙ୍କ ପାଖକୁ ବିନା କାରଣରେ ଆସୁଥିଲା  ଓ  ଲିପିର ବଦଗୁଣ ବିଷୟରେ ସାଂଘାତିକ କଥା ଗପିକରି ଯାଉଥିଲା  |ସବୁବେଳେ ଲିପିର ଗୁଣଗାନ କରୁଥିବା ଲକ୍ଷ୍ମୀ ହଠାତ ତା ପ୍ରତି ଏପରି ବିମୁଖ ହେବାର କାରଣ ଉଷା ଜାଣିପାରୁନଥିଲେ ମଧ୍ୟ ସେ  ମନେମନେ ଲକ୍ଷ୍ମୀକୁ  ସନ୍ଦେହ କରିବା ଆରମ୍ଭ କରିଦେଇଥିଲେ |ଅଫିସର ଜଣେ ବରିଷ୍ଠ ସହକର୍ମୀଙ୍କ ସହ ଲକ୍ଷ୍ମୀର ସୁସମ୍ପର୍କ ଥିଲା |ସେ ଦିନେ ଉଷାଙ୍କୁ କହିଲେ,ଲିପିର ଚରିତ୍ର ଭଲନୁହେଁ,ଆପଣ ସେ ପ୍ରସ୍ତାବ ଭାଙ୍ଗିଦିଅନ୍ତୁ, ନହେଲେ ପଛରେ ପସ୍ତେଇବେ  |  ଲିପିକୁ ପୁଅଘର ପସନ୍ଦ କରିସାରିବା ପରେ କଣପାଇଁ ପ୍ରସ୍ତାବସବୁ  ଭାଙ୍ଗି ଯାଉଥିଲା,ସେଦିନ ଉଷାଙ୍କୁ ସ୍ପଷ୍ଟ ଜଣାପଡିଗଲା |ସେ ଭଉଣୀକୁ ଫୋନକରି,ଲିପି ବହୁତ ଭଲଝିଅ,ଓ ଶୀଘ୍ର ବାହାଘର ତାରିଖ ଧାର୍ଯ୍ୟ ନକଲେ,ପ୍ରସ୍ତାବ ଭାଙ୍ଗିଯିବାର  ସମ୍ଭାବନା ଅଛି ବୋଲି ଜଣାଇଦେଲେ  |
                     ଭଉଣୀ ଉଷାଙ୍କ କଥାକୁ ଗୁରୁତର ସହ ନେଇ ବାହାଘର କାର୍ଯ୍ୟକୁ ଆଗେଇ ନେଲେ ଓ ଅନେକ ବାଧାବିଘ୍ନ ମଧ୍ୟରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଗଲା |ଲକ୍ଷ୍ମୀ ଓ ପ୍ରଦୀପଙ୍କ ଠାରୁ ସନ୍ତୋଷ କିଛି ସହଯୋଗ ନପାଇ,ନିଜ ଶକ୍ତି ମୁତାବକ ସବୁ ଆୟୋଜନ କରି କନ୍ୟାଦାନ କଲେ |ଲକ୍ଷ୍ମୀ ଝିଅ ଜ୍ୱାଇଁଙ୍କୁ ଦୁଇଟି ମୁଦି ବନ୍ଦାଇ ଥିଲା |ବିବାହରେ ପ୍ରମୂଖ ଭୂମିକା ଗ୍ରହଣ କରିଥିବା ଉଷାଙ୍କୁ ପାଟଶାଢ଼ୀ ମିଳିବା ଦୂରର କଥା,ଉଭୟ ପକ୍ଷରୁ ନିମନ୍ତ୍ରଣପତ୍ରଟିଏ ମଧ୍ୟ ମିଳିନଥିଲା ଓ ସେ ସବୁଦିନପାଇଁ ଲକ୍ଷ୍ମୀର ଶତୃ ପାଲଟି ଯାଇଥିଲେ |18-02-2020
+