ସଞ୍ଜୟ ତାର ଭାଇ ବିଜୟ ଓ ଭାଉଜ ରୂପାଙ୍କୁ ବହୁତ ଭଲ ପାଉଥିଲା | |ପିତାମାତାଙ୍କ ବିୟୋଗ ପରେ ସେ ଦୁଇଜଣ ତା ପାଇଁ ଜୀବନ୍ତ ପିତାମାତା ଥିଲେ |ବିଜୟ ମଧ୍ୟ ସଞ୍ଜୟକୁ ନିଜ ପୁଅପରି ସ୍ନେହ କରୁଥିଲା |ଆଦରରେ ତାକୁ ତାର ଡାକ ନାମ 'ସଞ୍ଜୁ 'ବୋଲି ନ ଡାକି 'ବା' ବୋଲି ଡାକୁଥିଲା |ଏକଦା ଗାଁରେ ତାଙ୍କର ଅନେକ ଜମିବାଡି ଥିଲା | କିନ୍ତୁ ବାପା ବଡବାପାଙ୍କ ଭିତରେ ଜମିବାଡି ଓ ଅନ୍ୟାନ୍ୟ ବାବଦରେ ଗୋଟିକ ପରେ ଗୋଟିଏ ମକଦ୍ଦମା ହୋଇ ଅନେକ ମୂଲ୍ୟବାନ ଜମି ବିକ୍ରୀ ହୋଇ ଯାଇଥିଲା |ନିଜ ଭୁଲ ବୁଝି ବାପା ବଡବାପା ପରସ୍ପର ସହିତ ଆପୋଷ ବୁଝାମଣା କରିବା ବେଳକୁ ଲେଡି ଗୁଡ କହୁଣୀକୁ ବୋହି ଯାଇଥିଲା | ସେହି ଚିନ୍ତାରେ ବାପା ଅକାଳରେ ଚାଲି ଯାଇଥିଲେ ଓ ତାଙ୍କ ପରେ ପରେ ବୋଉ ମଧ୍ୟ ଇହଧାମରୁ ବିଦାୟ ନେଇଥିଲା |ଉଭୟଙ୍କ ଦେହାନ୍ତ ପରେ ସେମାନଙ୍କ ଭାଗ୍ୟାକାଶରେ କଳାବାଦଲ ଘୋଟି ଆସିଥିଲା |ସେତେବେଳେ ବିଜୟର ପୁଅ ଓ ଝିଅ ଅତି ଛୋଟ ଥିଲେ ଓ ସଞ୍ଜୟ ସ୍କୁଲରେ ପଢୁଥିଲା |ବିଜୟ ଗାଁ ସ୍କୁଲରେ ଶିକ୍ଷକତା କରୁଥିଲା |ତା ସହିତ ସେ ଦୁଇବେଳା ଟ୍ୟୁସନ କରି ବହୁତ କଷ୍ଟରେ ପରିବାର ଚଳାଉ ଥିଲା |ପିନ୍ଧିବାକୁ ତା ପାଖରେ ହଳେ ସାର୍ଟ ପ୍ୟାଣ୍ଟ ବ୍ୟତୀତ ଦ୍ଵିତୀୟ କିଛି ନଥିଲା | ଭାଇ ଭାଇ ମଧ୍ୟରେ ସମ୍ପର୍କ କିନ୍ତୁ ଅତି ନିବିଡ ଥିଲା |ସଞ୍ଜୟ ବି.ଏ.ପାଶ କରିବା ପରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିଲା |ଯେଉଁଦିନ ସେ କନିଷ୍ଠ କିରାଣୀ ଚାକିରୀ ପାଇଁ ମନୋନୀତ ହେବାର ସମ୍ବାଦ ଆସିଲା ସେଦିନ ଅତି ଖୁସିରେ ବିଜୟ କାନ୍ଦି ପକେଇ ଥିଲା |
ବିଜୟର ସ୍ତ୍ରୀ ରୂପା ଅତ୍ୟନ୍ତ ସୁନ୍ଦରୀ ଓ ଗୁଣବତୀ ଥିଲା |ଶାଶୁ ଶିଖେଇ ଯାଇଥିବା ପୂଜାପର୍ବକୁ ସେ ଅତି ନିଷ୍ଠାର ସହିତ ପାଳନ କରୁଥିଲା |ସଞ୍ଜୟ ପାଇଁ ସେ ଥିଲା ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀ |ସଞ୍ଜୟ ଚାକିରୀ କରିବାପରେ ପରିବାରର ଅଭାବ ଅସୁବିଧା କ୍ରମଶଃ ସୁଧୁରିବାରେ ଲାଗିଲା |ଦରମା ପାଇବା ପରେ ଘରକୁ ଆସି ସମସ୍ତ ଟଙ୍କା ସେ ଭାଉଜଙ୍କୁ ଦେଉଥିଲା |ଯେତେବେଳେ ଦରକାର ହେଉଥିଲା,ସେ ତାଙ୍କ ଠାରୁ ମାଗି ନେଉଥିଲା | ଚାକିରୀ କରିବାର କିଛିବର୍ଷ ପରେ ସଞ୍ଜୟର ବିବାହ କଥା ଚିନ୍ତା କରାଗଲା |ସଞ୍ଜୟକୁ ଏକଥା ପଚାରିବାରୁ ସେ ସଫା ସଫା କହିଦେଲା,ମୁଁ ଝିଅ ଦେଖିବାକୁ ଯିବିନି,ଭାଉଜ ଯେଉଁଠି ଠିକ କରିବେ,ସେଇଠି ବାହା ହେବି |କାରଣ ତାର ଦୃଢ ବିଶ୍ୱାସ ଥିଲା,ଭାଉଜ ଯେମିତି ଅପୂର୍ବ ସୁନ୍ଦରୀ,ତାପାଇଁ ସେମିତି ଝିଅ ପସନ୍ଦ କରିବେ |ସେଇଆ ହେଲା |ରୂପା କିନ୍ତୁ ସଞ୍ଜୟ ପାଇଁ ଏମିତି ଝିଅ ଖୋଜୁଥିଲା,ଯେଉଁଠାରେ ଭଲ ଯୌତୁକ ମିଳିବ ଓ ସେହି ଟଙ୍କାରେ ବାହାଘର ଖର୍ଚ୍ଚ ଉଠିଯିବ |ତାଛଡା ସେ ଚାହୁଁଥିଲା,ଏମିତି ଝିଅକୁ ସେ ତାର ଯାଆ କରିବ,ସେ ଯେପରି ତା କଥାରେ ଉଠ ବସ ହେଉଥିବ !ତା ବାପଘର ଗାଁରେ ତାର ଜଣେ ଦୂର ସମ୍ପର୍କୀୟ ମଉସାଙ୍କ ଝିଅ ଥିଲା,ଯିଏ ମାଟ୍ରିକ ଫେଲ୍ ହୋଇଥିଲା ଓ ଅତିରିକ୍ତ ମୋଟି ଯୋଗୁଁ ତା ବାହାଘର ହୋଇପାରୁ ନଥିଲା |ମଉସାଙ୍କ କାନରେ ଏହି ପ୍ରସ୍ତାବ ପଡିବା କ୍ଷଣି ସେ ଆନନ୍ଦରେ ଆତ୍ମହରା ହୋଇ ବାହାଘରରେ କଣ କଣ ଯୌତୁକ ଦେବେ,ତାର ଲମ୍ବା ତାଲିକା ମୁହେଁ ମୁହେଁ ଗାଇ ଗଲେ |ଅନ୍ୟାନ୍ୟ ଖର୍ଚ୍ଚ ବ୍ୟତୀତ ନଗଦ ଦୁଇଲକ୍ଷ ଟଙ୍କା ଦେବାପାଇଁ ପ୍ରସ୍ତୁତ ଥିବା କଥା ମଧ୍ୟ କହିଲେ |ମୋଟ ଉପରେ ସେ ଏପରି ଲୋଭନୀୟ ପ୍ରସ୍ତାବକୁ ହାତଛଡା କରିବାକୁ ଚାହୁଁ ନଥିଲେ କାରଣ ସଞ୍ଜୟର ସରକାରୀ ଚାକିରୀ ଵ୍ୟତୀତ ସେ ସୁଦର୍ଶନ ଓ ଅମାୟିକ ଥିଲା |ଅନ୍ୟ ପକ୍ଷରେ ଦୀର୍ଘ କାଳ ଦାରିଦ୍ର୍ୟରେ ଘାଣ୍ଟି ହୋଇଥିବା ରୂପା ପାଇଁ ପ୍ରସ୍ତାବଟି ମଧ୍ୟ କମ୍ ଲୋଭନୀୟ ନଥିଲା |ଘରକୁ ଫେରି ବିଜୟ ଯେଉଁ ଭାଷାରେ ବୁଝିବ,ସେଇ ଭାଷାରେ ସେ ତାକୁ ଭଲଭାବରେ ବୁଝାଇ ଦେଲା ଓ ବିଜୟ ରାଜି ହୋଇଗଲା |ବିଜୟ ବି ଚାହୁଁ ଥିଲା,ଚିହ୍ନା ପରିଚୟ ଭିତରେ ବାହାଘର ହେଲେ ଦୁଇ ଯାଆ ଦୁଇ ଭଉଣୀ ପରି ଚଳିବେ |ଏଣେ ଝିଅଟି ରୂପାର ସମ୍ପର୍କୀୟା ଜାଣି ,ସେ ତାଙ୍କ ପରି ଅନିନ୍ଦ୍ୟ ସୁନ୍ଦରୀ ହୋଇଥିବା କଳ୍ପନା କରି ସଞ୍ଜୟ ସୁଖ ସ୍ୱପ୍ନରେ ବିଭୋର ହୋଇ ଯାଇଥିଲା |
ବାହାଘରରେ ସଞ୍ଜୟ ଖୋଲାହାତରେ ଖର୍ଚ୍ଚ କରିଥିଲା |ରୂପା ପାଇଁ ତା ପସନ୍ଦର ପାଟ ଆଣିଥିଲା |ଭାଇ ଓ ପୁତୁରା ଝିଆରୀଙ୍କ ପାଇଁ ମଧ୍ୟ ଭଲ ପୋଷାକ କରିଥିଲା |ବାହାଘର ଭୋଜିଭାତ ସବୁକିଛି ତା ଖର୍ଚ୍ଚରେ ହୋଇଥିଲା |କିନ୍ତୁ ବାହାଘର ପରେ ସ୍ତ୍ରୀ କାଜଲକୁ ଦେଖି ତାର ସବୁ ସୁଖସ୍ୱପ୍ନ ଧୂଳିସାତ୍ ହୋଇଯାଇଥିଲା |ଭାଉଜ ତା ପାଇଁ ଏପରି ଝିଅ ପସନ୍ଦ କରିବା କଥା ସେ ସ୍ୱପ୍ନରେ ସୁଦ୍ଧା କଳ୍ପନା କରି ପାରି ନଥିଲା |ଦୁଃଖରେ ସେ ସପ୍ତାହେ କାଳ ବାହାରେ ବାହାରେ ବୁଲିଲା ଓ ବାହାରେ ଶୋଇଲା |କିନ୍ତୁ କିଛିଦିନ ପରେ ସେ ନିଜ ମନକୁ ବୁଝାଇ ଦେଲା |ସେ ଭାବିଲା, ଭାଉଜ ତାର ମାତୃତୂଲ୍ୟ ;ତାପାଇଁ ଯେଉଁ ଝିଅ ପସନ୍ଦ କରିଛନ୍ତି,ହୁଏତ ତା ଭଲ ପାଇଁ କରିଥିବେ |କାରଣ ରୂପା ସବୁବେଳେ ଉଦାହରଣ ଦେଇ କହୁଥିଲା,'ଖୁଣ ଯେଉଁଠି,ଗୁଣ ସେଇଠି ' | କାଜଲ ଧୀରେ ଧୀରେ ନିଜକୁ ପରିବାର ସଙ୍ଗେ ଖାପ୍ ଖୁଆଇ ଚଳିବା ଶିଖିଗଲା |ବିଜୟର ପୁଅ ବଡ ଓ ଝିଅ ସାନ ଥିବାବେଳେ ସଞ୍ଜୟର ଝିଅ ବଡ, ପୁଅ ସାନ ଥିଲା |ସଞ୍ଜୟ ବଡଭାଇଙ୍କ ପୁଅକୁ ବଡପୁଅ , ଝିଅକୁ ବଡଝିଅ ଓ ତା ନିଜପୁଅକୁ ସାନପୁଅ ,ଝିଅକୁ ସାନଝିଅ ବୋଲି କହୁଥିଲା |ଭାଇଙ୍କ ପୁଅ ଝିଅ ଅତ୍ୟନ୍ତ ଶାନ୍ତଶିଷ୍ଟ ଓ ପାଠପଢାରେ ତେଜ ଥିବାବେଳେ ତାର ନିଜ ପିଲା ଦୁଇଜଣ ଅତି ଦୁଷ୍ଟ ଓ ସେପରି ଭଲ ପଢୁନଥିଲେ |କିନ୍ତୁ ସେ କେବେହେଲେ ନିଜ ପିଲାଙ୍କ ପାଇଁ ବ୍ୟସ୍ତ ହେଉନଥିଲା ;ବରଂ ଭାଇଙ୍କ ପିଲା ଭଲ ପଢୁଛନ୍ତି ବୋଲି ଖୁବ୍ ଗର୍ବିତ ଥିଲା |ଯେତେବେଳେ ସେ ଦୁଇ ଯାଆଙ୍କ ପାଇଁ ଶାଢ଼ୀ ,ଗହଣା ବା ଅନ୍ୟ ଯେ କୌଣସି ଜିନିଷ ଆଣୁଥିଲା ,ପ୍ରଥମେ ସେ ତାହାକୁ ରୂପାକୁ ଦେଖାଇ ସେ ପସନ୍ଦ କରିବା ପରେ ଅନ୍ୟଟି କାଜଲକୁ ଦେଉଥିଲା ।
କାଜଲ ଘରର ପ୍ରାୟ ସବୁ କାମ ଏକୁଟିଆ କରୁଥିଲା ।ପିଲା ମାନଙ୍କୁ ଗାଧୋଇ,ଖୁଆଇ,ଡ୍ରେସ ପିନ୍ଧାଇ ସ୍କୁଲ ପଠାଇବା କାମ ବି କାଜଲ ର ଥିଲା।ବଡ଼ ପିଲା ଦୁଇଜଣ ଟ୍ୟୁସନ ଯାଉଥିଲେ ।ତେଣୁ ବିଛଣା ରେ ଶୋଇ ଟିଭି ସିରିଏଲ ଦେଖିବା ଓ କାଜଲ ର ଦୋଷ ତୃଟି ବାହାର କରିବା ଛଡ଼ା ରୂପାର ଆଉ ବିଶେଷ କିଛି କାମ ନଥିଲା ।ଅଳସୁଆ ହୋଇ ବସି ରହିବା କାରଣରୁ ହେଉ ବା ଅନ୍ୟ କୌଣସି କାରଣରୁ ହେଉ,କ୍ରମଶଃ ତାକୁ ଆଂଠୁ ଗଣ୍ଠି ବାତ ରୋଗ ଆକ୍ରମଣ କଲା ।ତାକୁ ଘଷା ମୋଡା କରିବା କାମ ମଧ୍ୟ କାଜଲର ଥିଲା | ଅତି ଗେହ୍ଲା ହୋଇ କମ ପଢ଼ି ଥିବାରୁ କାଜଲ ମନରେ ଦୁଃଖ ରହିଥିଲା ।ତେଣୁ ସେ ତା ପିଲାଙ୍କୁ କଠୋର ଅନୁଶାସନରେ ରଖିଥିଲା ଓ ସେମାନେ ପଢିବାବେଳେ ନିଶ୍ଚିତ ଭାବରେ ସେମାନଙ୍କ ପାଖରେ ବସୁଥିଲା ।ଦିନେ କାଜଲ ଦେଖିଲା ବଡ଼ଝିଅ ମୀନା କ୍ଷୀରଵାଲାର ବାଳୁଙ୍ଗା ପୁଅ ସହିତ ଫୁସୁର ଫୁସୁର ହେଉଛି।ତାକୁ ଏକଥା ଭଲ ଲାଗିଲା ନାହିଁ ।ସେ ରୂପାକୁ ଏଇ ବିଷୟରେ ଜଣାଇବାରୁ ଘରେ ପ୍ରଳୟ ହେଲା ।ତା ପିଲାଙ୍କୁ ସହି ନପାରି କାଜଲ ଏପରି ମିଛ ଚୁଗୁଲି କରୁଛି ବୋଲି ସେ ବିଜୟ ଓ ସଞ୍ଜୟକୁ କହିଲା ।ଧୀରେ ଧୀରେ କଥା ବଢ଼ିଲା ।ରୂପା ରାଗିଯାଇ କାଜଲକୁ କହିଲା,ତାଡକା ଅସୁରୁଣୀ ପରି ଚେହେରା ସେଥିରେ ମିଛେଇ,କଳି କାଣ୍ଡେଇ ; ତା ବାପା ଯୌତୁକ ଲୋଭ ଦେଖେଇ ମତେ ବାନ୍ଧି ପକେଇଲା ବୋଲି ସିନା,ନହେଲେ ଇଏ ,ସଞ୍ଜୟଙ୍କ ପାଦଧୂଳିକୁ ସରି ନୁହେଁ |ଯେମିତି ଚେହେରା ସେମିତି ଗୁଣ | ଘଟଣା କଣ ନ ବୁଝି ସଞ୍ଜୟ ମଧ୍ୟ ରୂପାର ପକ୍ଷ ନେଇ କାଜଲକୁ ଗାଳି ଗୁଲଜ କଲା |ଏତେ କଟୂ କଥା କାଜଲ ପାଇଁ ଅତ୍ୟନ୍ତ ଅପମାନଜନକ ଥିଲା |ବିଦା ହୋଇ ଶାଶୁଘରକୁ ଆସିଲା ବେଳେ ସେ ଯେତିକି କାନ୍ଦି ନଥିଲା,ସେଦିନ ତାଠାରୁ ଢେର ଅଧିକ ଗୁଣ ସେ କାନ୍ଦିଲା | କଥା ଏମିତି ବଢ଼ି ଯାଇଥିଲା ଯେ ବିଜୟ ସେମାନଙ୍କୁ ଅଲଗା ଘରଭଡ଼ା ନେଇ ରହିବାକୁ କହିଲା ।ସଞ୍ଜୟ କିନ୍ତୁ ବିଜୟକୁ ରୋକଠୋକ୍ ଶୁଣାଇ ଦେଲା, ସେ ତା ସ୍ତ୍ରୀ ପିଲାଙ୍କୁ ଛାଡିଦେଵ ପଛକେ,ଭାଇଙ୍କୁ ଛାଡ଼ି ରହି ପାରିବ ନାହିଁ ।କିନ୍ତୁ ବିଜୟ ସଞ୍ଜୟ କୁ ଅଳ୍ପଦିନ ପାଇଁ ଅଲଗା ରହିବା ପାଇଁ ଅନୁରୋଧ କଲା।
ସଞ୍ଜୟ ଅଲଗା ରହିଲା ସିନା ,ତା ମନ କିନ୍ତୁ ସବୁବେଳେ ଭାଇ ଭାଉଜଙ୍କ ପାଖରେ ଥିଲା ।ସବୁଦିନ ଅଫିସରୁ ଫେରିବା ସମୟରେ ସେ ସେମାନଙ୍କୁ ନିଶ୍ଚିତଭାବରେ ଦେଖା କରି ଆସୁଥିଲା ।ସେ ଆମିଷ ପ୍ରିୟ ଥିବାରୁ , ଭାଇଙ୍କ ଘରେ ଆମିଷ ରନ୍ଧା ହେବା ଦିନ ସେଠାରେ ଖାଇ ଦେଇ ଆସୁଥିଲା ।ନିଜ ଦରମାର ଅଧା ସେ ରୂପାକୁ ଦେଉଥିଲା ଓ ବାକି ଅଧା ଦରମାରେ ସେମାନେ ଚଳୁଥିଲେ ।କାଜଲ କେବେହେଲେ ସଞ୍ଜୟର ଦରମା ଟଙ୍କା ବିଷୟରେ ତାକୁ ପଚାରୁ ନଥିଲା |ବରଂ ସଞ୍ଜୟ ତାକୁ ଯେତେ କମ୍ ଟଙ୍କା ଦେଲେ ବି ସେ ସେତିକିରେ ସୁରୁଖୁରୁରେ ଘର ଚଳାଇ ଦେଉଥିଲା ଓ ତାର ସମସ୍ତ ଧ୍ୟାନ ପିଲାଙ୍କ ଉପରେ ଥିଲା |ଏହା ଭିତରେ ବିଜୟ ପରିବାରରେ ଅନେକ ଘଟଣା ଘଟିଗଲା |ଦିନେ ବଡଝିଅ ମୀନା କ୍ଷୀରବାଲାର ସେଇ ବାଳୁଙ୍ଗା ପୁଅ ସାଙ୍ଗରେ ଘରଛାଡି ଚାଲିଗଲା |ତାର କିଛିଦିନ ପରେ ବଡପୁଅ ସୁମନ ଯୁକ୍ତଦୁଇ ପରୀକ୍ଷା ଅଧାରୁ ଆସି ଘରେ ପହଞ୍ଚିଲା ଓ ଆଉ ପରୀକ୍ଷା ଦେବନାହିଁ ବୋଲି ଜିଦ୍ଦି ଧରିଲା |ତା କଥା ଶୁଣି ରୂପାର ରାଗ ପଞ୍ଚମକୁ ଉଠିଗଲା |ସେ ଗୋଟିଏ ବଡ ବେତ ଆଣି ସୁମନକୁ ଜୋରରେ ଦୁଇ/ତିନି ପାହାର କଷି ଦେଇ କହିଲା,ପରୀକ୍ଷା ଦେବୁନି ଯଦି,ଘର ଛାଡି ଚାଲିଯା |ଏହା କହି ବେତ ଫୋପାଡି ଘର ଭିତରକୁ ଯାଇ ବହୁତ କାନ୍ଦିଲା |କିଛିସମୟ ପରେ ବାହାରକୁ ଆସି ଦେଖେ ତ ,ସୁମନ ନାହିଁ | ତାର ମନିପର୍ସ,ଘଣ୍ଟା,ମୋବାଇଲ ଓ ବ୍ୟାଗ ଇତ୍ୟାଦି ଛାଡିଦେଇ ସୁମନ ସତକୁ ସତ ଚାଲିଯାଇଥିଲା |ସେଇ ଯେ ଗଲା,ଆଉ ଫେରିଲାନି କି ତାର କିଛି ଖୋଜଖବର ସେମାନେ ପାଇଲେ ନାହିଁ |
ଭାଇ ଭାଉଜଙ୍କ ଦୁଃଖ ସମୟରେ ସଞ୍ଜୟ ପ୍ରାୟବେଳେ ସେମାନଙ୍କ ଘରେ ରହୁଥିଲା ଓ ସେମାନଙ୍କୁ ଆଶ୍ୱାସନା ଦେଉଥିଲା |ସମୟ ଗଡି ଚାଲିଲା |କାଜଲର ନିରବିଛିନ୍ନ ଉଦ୍ୟମ ଯୋଗୁଁ ସଞ୍ଜୟର ପିଲାମାନେ କ୍ରମଶଃ ଭଲ ପଢିଲେ |ସାନଝିଅ ନୀନା ଗ୍ରାଜୁଏସନ ପରେ ପି .ଜି.କରିବା ସମୟରେ ତାପାଇଁ ଗୋଟିଏ ଭଲ ପ୍ରସ୍ତାବ ଆସିଲା ଓ ସେହିଠାରେ ତାର ବିବାହ ହେଲା |ନୀନା ବିବାହରେ ବିଜୟ ଓ ରୂପା ଯଥାକ୍ରମେ କର୍ତ୍ତା ଓ କର୍ତ୍ତୀ ହୋଇ କନ୍ୟାଦାନ କଲେ |ସାନପୁଅ କଲ୍ୟାଣ ଇଂଜିନିଅରିଂ ଶେଷ ବର୍ଷରେ କ୍ୟାମ୍ପସ ସିଲେକ୍ସନରେ ଗୋଟିଏ ବଡ କମ୍ପାନୀରେ ଚାକିରୀ ପାଇଗଲା |
ଦିନେ ଅଫିସ ଅଧାରୁ ଧଇଁ ସଇଁ ହୋଇ ଘରକୁ ଆସି ସଞ୍ଜୟ କାଜଲକୁ କାନ୍ଦି କାନ୍ଦି କହିଲା,ଡାଇବେଟିସରେ ଭାଉଜଙ୍କ ଦୁଇଟି ଯାକ କିଡିନୀ ନଷ୍ଟ ହୋଇଯାଇଛି ;ଅତିଶୀଘ୍ର ଗୋଟିଏ କିଡନୀ ପ୍ରତିରୋପଣ ନହେଲେ,ଭାଉଜଙ୍କୁ ବଞ୍ଚାଇବା ମୁସ୍କିଲ ହୋଇ ପଡିବ |ତା କଥା ଶୁଣି କାଜଲ କହିଲା,ତମେ ମନଦୁଃଖ କରନାହିଁ 'ଅପାଙ୍କର କିଛି ହେବନି ;ମୁଁ କିଡନୀ ଦେବି |ସେ ପୁଣି କହିଲା,ଅପାଙ୍କର ଓ ମୋର ଗୋଟିଏ ବ୍ଲଡ ଗୃପ |ମୁଁ ଭାବୁଛି ବୋଧେ ଡାକ୍ତର' ହଁ' କହିଦେବେ |କାଜଲର କଥା ଠିକ ଥିଲା |ତାର କିଡନୀ ରେ ରୂପା ବଞ୍ଚିଗଲା ଓ ଯେଉଁଦିନ ଡାକ୍ତର ତାକୁ ବିପଦମୁକ୍ତ ବୋଲି ଘୋଷଣା କଲେ,ସେଦିନ ଅତି ଆନନ୍ଦରେ ସଞ୍ଜୟ ଆଖିରୁ ଲୁହ ଝରି ଆସିଲା |ସେ ବିଜୟକୁ କହିଲା,ଭାଇ ବାହାଘର ପରେ କାଜଲକୁ ଦେଖି ମୁଁ ଭାବିଥିଲି, ତୁମେ ଦୁହେଁ ମତେ ଧୋକା ଦେଇଛ |କିନ୍ତୁ ଏବେ ଜାଣୁଛି ସାରା ଜୀବନ ତମେ କେବଳ ମୋ ଭଲ ହିଁ କରିଛ |ଠାକୁର ବୋଲି ଯଦି ଦୁନିଆଁରେ କିଛି ଥାଏ,ତାହାଲେ ମୋପାଇଁ ସେ ହେଉଛ ତମେ;ତମେ ମୋର 'କଳା ଠାକୁର ' |
ଏ ପଟେ ରୂପା ଅନୁତାପ ନିଆଁରେ ଦଗ୍ଧ ହୋଇ ଅତୀତରେ ସଞ୍ଜୟ ଓ କାଜଲଙ୍କ ପ୍ରତି କରିଥିବା ଅନ୍ୟାୟ କଥା ଭାବି ଆଖିରୁ ଲୁହ ଝରାଉଥିଲା | ନିଜର ସରଳତା ପାଇଁ ସଞ୍ଜୟର ସବୁ ଅଶୁଭ ଶୁଭ ପାଲଟିଗଲା ଓ ତାର ସବୁକିଛି ଶୁଭ ଥାଇ ବି ଅଶୁଭ ପାଲଟି ଗଲା |ତା ପାଖରେ ବର୍ତ୍ତମାନ କୃତ କର୍ମର ଫଳ ଭୋଗିବା ଛଡ଼ା ଆଉ କିଛି ରାସ୍ତା ନଥିଲା |ପିଲାଦିନେ ଜେଜେମା ବୋଲୁଥିବା ଢଗ କଥା ତାର ମନେ ପଡୁଥିଲା |' "ଲୀଳା କରୁଥାଇ ଅଦୃଶ୍ୟରେ ରହି,ନାମ ତାର ଅଟେ ଜଗତସାଇଁ "|(ସମାପ୍ତ)