Tuesday, September 4, 2018

ମୋ ଶାଶୁ

                 ମୋ ଜୀବନରେ ଦୁଇଜଣଂକ ଦ୍ବାରା ମୁଁ ଅଧିକ ପ୍ରଭାବିତ ହୋଇଛି |ଜଣେ ହେଲେ ମୋ ବାପା ଓ ଅନ୍ୟ ଜଣକ ହେଲେ ମୋ ଶାଶୁ |ବାହାଘର ପୂର୍ବରୁ ମୋ ବାପା ଓ ବାହାଘର ପରେ ମୋ ଶାଶୁଂକ ଭୁମିକା ମୋ ଜୀବନରେ ମୁଁ ବିଶେଷ ଭାବରେ ଅନୁଭବ କରିଛି  |ସେମାନଂକ ଠାରୁ ମୁଁ ବହୁତ କଥା ଶିଖିଛି , ଜାଣିଛି ଓ ସେମାନଂକ ଉପଦେଶ ମାନିଛି  |ଉଭୟେ ବେଶ କଡାମିଜାଜ ର ଥିଲେ | ମୋ ଜାଣିବାରେ ,ଉପରକୁ  ଯେତେ ଭୟଂକର ଦେଖାଗଲେ ମଧ୍ୟ ରାଗୀଲୋକଂକ ହୃଦୟ ଅତ୍ୟନ୍ତ ନରମ ହୋଇଥାଏ  ଓ ସେମାନେ ଅତ୍ୟନ୍ତ ସ୍ପଷ୍ଟବାଦୀ ହୋଇଥାନ୍ତି |ସେମାନେ ଉପରେ ଯାହା, ଭିତରେ ମଧ୍ୟ ତାହା ହୋଇଥାନ୍ତି ଓ କ୍ଷଣକ ପାଇଁ କ୍ରୋଧ କରି ପରମୁହୂର୍ତ୍ତ ରେ ସେକଥା ଭୁଲି ଯାଆନ୍ତି |ମୋ ଶାଶୁ ସେହିଭଳି ଥିଲେ |ମୁଣ୍ଡରେ ଦୁଇହାତ ଲମ୍ବା ଓଢ଼ଣା,ଦୁଇ ହାତରେ ଦୁଇ ଡର୍ଜନରୁ ଅଧିକ ସଂଖ୍ୟକ ଚୁଡି ଯାହାକୁ ସେ କ୍ବଚିତ ବଦଳେଉ ଥିଲେ   |କପାଳରେ ତାଂକର  ଆଠଣି ଆକୃତିର ସିନ୍ଦୂର ଟୋପା ସବୁବେଳେ ଝଲସୁ ଥିଲା  ଓ ତାହା କେବେବି ଧୁଆ ହେଉ ନଥିଲା  | ସେ ଆଣ୍ଠୁ ତଳ ପର୍ଯ୍ୟନ୍ତ ସାଧା ଶାଢୀ ପିନ୍ଧୁଥିଲେ  | ଅଚିହ୍ନା ଲୋକ ଦେଖିଲେ,ଓଢ଼ଣା ଆହୁରି ହାତେ ଲମ୍ବେଇ ଦେଉଥିଲେ  |ବିଭିନ୍ନ ପ୍ରକାର ମସଲା ପକାଇ ସେ କଡାପାନ ଖାଇବାକୁ ଭାରି ଭଲ ପାଉଥିଲେ  |
            ଆମେ ଚାରିବୋହୂ ଥିଲୁ |ବଡବୋହୂ,ଅପୂର୍ବ ସୁନ୍ଦରୀ, ସାକ୍ଷାତ ଅନ୍ନପୂର୍ଣ୍ଣା ,ନିମିଷକେ ଅତି ସୁଆଦିଆ ଛ ତିଅଣ ନ ଭଜା ରାନ୍ଧିଦେବେ |ପିଠାପଣା କଥା ନକହିବା ଭଲ |ଦୁଇଶହ ପ୍ରକାର ଭଳିକି ଭଳି ପିଠା କରିବାରେ ସେ ଧୁରନ୍ଧର |ଶାଶୁ ତାଂକ ହାତରନ୍ଧାକୁ ଭାରି ଭଲ ପାଉଥିଲେ |ଦ୍ବିତୀୟ ବୋହୂ ,ଘର ସଫାସୁତୁରା କରି ,ସବୁବେଳେ ଅତି ସୁନ୍ଦରଭାବେ ସଜେଇ ରଖିଥାଆନ୍ତି |ତାଂକର ଏହିଗୁଣ ଶାଶୁଂକର ବହୁତ ପସନ୍ଦ ଥିଲା |ତୃତୀୟ ବୋହୂ ଉଚ୍ଚଶିକ୍ଷିତା |ଓଡ଼ିଆରେ ପି.ଏଚ୍.ଡି.କରିଥିଲେ |ଶାଶୁଂକୁ ଭଲ ଦାମିକା ଶାଢୀ ଦିଅନ୍ତି |ମିଠା କଥା କହନ୍ତି |ଶାଶୁଂକ ଯେତେବେଳେ ଯାହା ଦରକାର ,ଦିଅନ୍ତି |ତେଣୁ ସେ ମଧ୍ୟ ଶାଶୁଂକ ପ୍ରିୟ |ମୁଁ ଚତୁର୍ଥ ବୋହୂ ,କୌଣସି ବିଶେଷ ଗୁଣ ମୋଠାରେ ନାହିଁ |କିନ୍ତୁ ମୁଁ ଥିଲି ଶାଶୁଂକ ଆଜ୍ଞାଧୀନା,ଆଖିବୁଜି ତାଂକ ଆଦେଶ  ପାଳନ କରୁଥିଲି  |ମୁଁ ବୋଉ ବୋଲି ଡାକିଦେଲେ ସେ ଖୁସିରେ ଗଦ ଗଦ ହୋଇ ଯାଉଥିଲେ, ଆଉ କହୁଥିଲେ,ଏମିତି ସୁନ୍ଦର ଡାକ କିଏ ଡାକିବ ଲୋ  |ଶାଶୁ ତାଂକ ପୁଅମାନଂକୁ ଜୀବନ ଠାରୁ ଅଧିକ ଭଲ ପାଉଥିଲେ | ପୁଅମାନଂକ ବିରୁଦ୍ଧରେ ତାଂକର କେବେବି କିଛି ଅଭିଯୋଗ ନଥିଲା  |ଦୁଇଝିଅଂକ ମଧ୍ୟରୁ ସାନଝିଅ ,ସର୍ବ ଗୁଣ ସମ୍ପନ୍ନା 'ମନି' ଥିଲେ ତାଂକ ନୟନମଣି |ଶୟନେ, ସ୍ବପନେ,ଜାଗରଣେ ସେ କେବଳ ତାଂକ କଥାହିଁ ଚିନ୍ତା କରୁଥିଲେ ଓ ତାଂକପାଇଁ ବ୍ୟସ୍ତ ହେଉଥିଲେ |ବିବାହ ପୂର୍ବରୁ ମନି ଘରର ସର୍ବେସର୍ବା ଥିଲେ |ଅତି ଛୋଟ ଛୋଟ କାର୍ଯ୍ୟ ପାଇଁ ମଧ୍ୟ ଶାଶୁ ମନିଂକ ଉପରେ ନିର୍ଭର କରୁଥିଲେ |ତାଂକ ବିବାହ ପରେ ,ଅନେକ ଦିନ ପର୍ଯ୍ୟନ୍ତ ଶାଶୁ ଅତ୍ୟନ୍ତ ଅସହାୟ ହୋଇ ପଡିଥିଲେ ଓ ନିଜକୁ ସମ୍ଭାଳିବା ପାଇଁ ତାଂକୁ ଅନେକଦିନ ଲାଗିଥିଲା |ଜ୍ୟେଷ୍ଠ ଦେଢଶୁରଂକ  ବଡ ଝିଅ ବୁନୁ,ମୋର ଦୁଇପୁଅ ତପୁ,ଚିତୁ ଓ ଦାଦାଶ୍ବଶୁରଂକ ମଝିଆ ପୁଅ, ଦିଲୁଂକୁ ସେ ବହୁତ ଭଲ ପାଉଥିଲେ |ବୁନୁଂକୁ ସେ 'ହଗୁରୀ'ନାମରେ ଡାକୁଥିଲେ ଓ ତପୁର ନାଁ ଦେଇଥିଲେ,'ଶୁକୁଟା' | 'ଚିତୁ'ନାମ ମୋ ନଣନ୍ଦ 'ମନି' ଦେଇଥିଲେ |ତେଣୁ ତାହା ଅପରିବର୍ତ୍ତିତ ରହିଥିଲା |ବଡପୁଅ ଛୋଟ ଥିଲାବେଳେ ତାକୁ  କୋଳରେ ବସେଇ ଗୀତ ବୋଲନ୍ତି,'ଆରେ ଶୁକୁଟା,ଦାନ୍ତ ନିକୁଟା,ଖଇରି କୁଟା,....ତୋ  ମାଆ ଯାଇଛି ଅସୁରେଶ୍ବର,ତୋ ପାଇଁ ଆଣିବ,ଧୋବେଇ ବର '....|ପୁଣି 'ଝୁଲରେ ହାତୀ ଝୁଲ୍' ଆଦି ଅନେକ ଗୀତ ବୋଲି ତାକୁ ବହୁତ ଗେଲ୍ହା କରୁଥିଲେ  |ଦୁଇ ନାତି ତାଂକୁ ବହୁତ ଭଲ ପାଉଥିଲେ  |ସେ ବଡପୁଅର ଯାଆଁ ବାଳ ଆମ ଗାଁ ନିକଟସ୍ଥ 'ମା ସାରଳାଂକ ପାଖରେ ପକେଇ ଥିବା ବେଳେ ,ସାନପୁଅର ବାଳ ଗାଁ 'ମହାପୁରୁଷଂକ ପାଖରେ ପକେଇ ଥିଲେ | ଦିନକର ଘଟଣା ,ସେତେବେଳେ ବଡପୁଅ ବର୍ଷକର ହୋଇଥାଏ |ଆମେ ଗାଁକୁ ଯାଇଥିଲୁ |ସେଦିନ ରାତିରେ  ପୁଅକୁ ହଠାତ୍ ଜ୍ବର ଆସିଲା ଓ ସେ ଭୟରେ ଥରିବାକୁ ଲାଗିଲା |ଶାଶୁ କହିଲେ,ସେ ଅମୁକ ଡାହାଣୀ ଆଜି ଆସି ତାକୁ ଧରିଥିଲା,ସେଇ ତାକୁ ଶୋଷିଛି |ଏକଥା ଶୁଣି କେହି ବିଶ୍ବାସ କଲେନାହିଁ |କହିଲେ,ଏତେ ଶୁକୁଟା ପିଲାକୁ କାହିଁକି ଡାହାଣୀ ଲାଗିବ ?କିନ୍ତୁ ଶାଶୁଂକ ବିଶ୍ବାସ ଅଟଳ  ଥିଲା |ସେ ନିଜେ ଯାଇଁ ନିକଟରେ ଥିବା  ଗୁଣିଆକୁ ଡାକି ଆଣିଲେ |ସେ ପୁଅକୁ ଦେଖୁ ଦେଖୁ କହିଲା,ଶକତ ଡାହାଣୀ ଲାଗିଛି |ଖଡିରେ ଗୋଲ ଆକୃତି କରି ତା ଭିତରେ ପୁଅକୁ ବସେଇ ଝଡାଫୁଂକା କରି ସେ ଏକମୁହାଁ ହୋଇ ଚାଲିଗଲା |ସତକୁ ସତ ଘଣ୍ଟାଏ ପରେ ପୁଅର ଜ୍ବର ଛାଡିଗଲା ଓ ସେଦିନ ରାତିରେ ସେ ଗୋଟିଏ ନିଦରେ ଶୋଇ ସକାଳେ ଉଠିଲା ବେଳକୁ ପୁରା ସତେଜ ଲାଗୁଥିଲା |ସେଇଦିନ  ଠାରୁ ଗାଁକୁ ଗଲେ ଶାଶୁ ପିଲାମାନଂକୁ ଗୋଡେ ଗୋଡେ ଜଗୁଥିଲେ |
           ଶାଶୁ ପ୍ରତ୍ୟେକ ଦିନ ଭୋର ଚାରିଟା ପୂର୍ବରୁ ଉଠୁଥିଲେ |ଚାରିଆଡେ ଗୋବର ପାଣି ଛିଂଚି ସେ ପ୍ରଥମେ ଦାଣ୍ଡ ପହଁରୁଥିଲେ  ଓ ତାପରେ ଅନ୍ୟାନ୍ୟ କାମ ଶେଷ କରି ଗାଧୋଇ ସାରିବା ବେଳକୁ ପ୍ରାୟ କେହି ବିଛଣା ଛାଡି ନଥାନ୍ତି |ଶାଶୁଂକ ଛୁଆଁ ଛୁତି ପ୍ରତି ଅନେକ ବାରଣ |ଯେତେଥର ସେ ବାହାରକୁ ଯାଉଥିଲେ ,ଗାଧୋଇ କରି ଓଦାଲୁଗାରେ ଆସୁଥିଲେ  ଓ ସେ ଲୁଗା ପୁଣିଥରେ  ଧୋଇ ଶୁଖାଉଥିଲେ  |ଯେଉଁ ଲୁଗା ପିନ୍ଧି ଶ୍ବଶୁର ବାହାରକୁ ଯାଉଥିଲେ,ଘରକୁ ଫେରିଲେ,ତାହା ସାବୁନରେ ଧୁଆ ହେଉଥିଲା   |ଘରକୁ ଲୋକ ଆସିଲେ,ସେମାନେ ଯିବାପରେ ପାଂପୋଛ ସହିତ ଘର ଧୁଆ ହେବା ନିଶ୍ଚିତ ||ଶାଶୁ ଖୁବ୍ କମ୍ ତେଲରେ ସ୍ବାଦିଷ୍ଟ ଭୋଜନ ବନେଇ ପାରୁଥିଲେ  |ଅଧକିଲୋ ସୋରିଷତେଲ ତାଂକର ଛ' ମାସ ଯାଉଥିଲା |ତାଂକର ଏହି କଳା ମୁଁ ଶତ ଚେଷ୍ଟା ସତ୍ତ୍ବେ ଶିଖି ପାରିଲି ନାହିଁ |ତାଂକୁ ବେଶି ତେଲ କିମ୍ବା  ବେଶି ମିଠା ଆଦୌ ଭଲ ଲାଗୁନଥିଲା  |ଥରେ ମତେ ବହୁତ ଥଣ୍ଡା ହୋଇଥିଲା |ସେ ପ୍ରତିଦିନ ଯେଉଁ ଚା ପିଅନ୍ତି ସେଥିରୁ କପେ ଆଣି ମତେ ଦେଲେ |ସେଥିରେ ଚିନି ବଦଳରେ ଲୁଣ ପଡିଥିଲା ଓ ତା ସହିତ ଅଦା,ଗୋଲମରିଚ,ଗୁଜୁରାତି ,ଲବଂଗ ଓ ତେଜପତ୍ର ଆଦି କେତେ କଣ ପଡିଥିଲା  |ସେଇ ଚା ମତେ ସେଦିନ  ଅମୃତ ପରି ଲାଗୁଥିଲା |ସାହସ କରି ତାଂକୁ ଆଉ କପେ ମାଗି ପାରିଲି ନାହିଁ |ତାକୁ  ପିଇ ମୋ ଥଣ୍ଡା କୁଆଡେ ଗାଏବ ହୋଇଯାଇଥିଲା  |ଏମିତି ଚା  ଆଜିଯାକେ କିଏ  ବନେଇ ପାରିବା ମୁଁ ଜାଣିନାହିଁ |ଦ୍ବିପହର ହେଉ ବା ରାତି ହେଉ,ଖାଇବା ପୂର୍ବରୁ  ରୋଷେଇ ଘର ଲିପିବା ପରେ ହିଁ ସେ ଖାଉଥିଲେ  |ଖାଇବା ପରେ ସଂଗେ ସଂଗେ ବାସନ ମଜା ହେଉ ଥିଲା  |ରାତି ଅଇଁଠା ବାସନ ସକାଳକୁ ଆଦୌ ରହୁନଥିଲା  |ସେ କହୁଥିଲେ,ଅଇଁଠାବାସନ ସକାଳକୁ ରହିଲେ,ସବାଖିଆ ରେ ଯାଏ  |
              ସେ କେବେହେଲେ ଘଣ୍ଟା ଘଣ୍ଟା ଧରି ଠାକୁରପୂଜା କରୁନଥିଲେ |ତାଂକପାଇଁ ଜୀବନ୍ତଠାକୁର ଥିଲେ,ମୋ ଶ୍ବଶୁର |ସେ ମତେ ସବୁବେଳେ କହୁଥିଲେ,ପୁଅ ହେଉ ବା ଝିଅ ହେଉ,ବୁଢୀକାଳେ ତତେ କେହି  ପଚାରିବେନି | ମାରୁ,ହାଣୁ,କାଟୁ ଏକୁଟିଆ ତୋ ଗେରସ୍ତ  ତତେ ପଚାରିବ |ସିଏ ଯଦି ନପଚାରିଲା,ଜାଣିବୁ,ଦୁନିଆଁରେ ତୋର ଆଉ କେହି ନାହିଁ | ସକାଳେ ବିଛଣା ଛାଡିବା ପୂର୍ବରୁ ସେ ଶ୍ବଶୁରଂକ ପାଦ ଛୁଇଁ ପ୍ରଣାମ କରୁଥିଲେ |ଗାଧୋଇସାରି ପ୍ରଥମେ ସେ ଚଉରା ରେ ପାଣି ଦେଉଥିଲେ |ତାପରେ ଅତି ଯତ୍ନରେ ଦୁଇ ଭ୍ରୂଲତା ମଝିରେ ଓ ସିଂଥାରେ ସିନ୍ଦୂର ଲଗେଇ, ସିନ୍ଦୂର ହାତ  ନିଜ ଚୁଡ଼ିରେ ବୋଳୁଥିଲେ |ଏହାପରେ ନିର୍ମାଲ୍ୟପେଡି ଖୋଲି,ନିର୍ମାଲ୍ୟ ପାଉଥିଲେ ଓ ଦୁଇହାତ ଯୋଡି  ମନେମନେ ବଡ ଚଉରା ଓ ଶ୍ରୀ ଜଗନ୍ନାଥଙ୍କୁ ପ୍ରଣାମ କରୁଥିଲେ |ତାପରେ ଶ୍ବଶୁରଂକ ଫଟରେ ଚନ୍ଦନ ଓ ଫୁଲ ଦେଇ ମୁଣ୍ଡିଆ ମାରୁଥିଲେ |ଏତିକି ହେଲା ତାଂକର ଠାକୁରପୂଜା, ଯାହାକୁ ସେ 'ସେବା'ବୋଲି କହୁଥିଲେ |
              ମୁଁ ରୋଷେଇବାସରେ ଦୁର୍ବଳ ,ଏଥିପାଇଁ ମୋର ଚାରିଆଡେ କୁଖ୍ୟାତି ରହିଛି |କିନ୍ତୁ ଦୁନିଆଁରେ ଏକମାତ୍ର ଜଣେ  ମୋ ଶାଶୁ , ମୋ ରାନ୍ଧଣାକୁ ଭୁରି ଭୁରି ପ୍ରଶଂସା କରୁଥିଲେ ଓ ଅସୀମ ତୃପ୍ତିରେ ଖାଉଥିଲେ |କହୁଥିଲେ,ଅମୃତ ପରି ଲାଗୁଛି |ମତେ ଆଶୀର୍ବାଦ ଦେଇ କହୁଥିଲେ,ସକଳ ଐଶ୍ବର୍ଯ୍ୟ ଭୋଗ କରିବୁ |ମତେ ଶାଶୁଂକ ପ୍ରଶଂସା ଶୁଣିବାକୁ ଭାରି ଭଲ ଲାଗୁଥିଲା |ସେଥିପାଇଁ ଶାଶୁ ମୋ ପାଖକୁ ଯେବେ ଆସୁଥିଲେ ,ମୁଁ ମୋ ଇଚ୍ଛା ଅନୁସାରେ ବିଭିନ୍ନ ପ୍ରକାର ତରକାରୀ,ପିଠା ଆଦି ତିଆରି କରୁଥିଲି  |ଶାଶୁ ପିଠାପଣା ଖାଇବାକୁ ଭାରି ଭଲ ପାଉଥିଲେ  |ଆମେ ଯେତେବେଳେ ଗାଁକୁ ଯାଉଥିଲୁ ,ସେ ତା ପୂର୍ବଦିନରୁ ପିଠା ପ୍ରସ୍ତୁତିରେ ଲାଗି ଯାଉଥିଲେ |ଭଳିକି ଭଳି ପିଠା ବନେଇ ଆମକୁ ଖାଇବାକୁ ଦେଉଥିଲେ ଓ ନିଜେ ଖାଉଥିଲେ |ମୋ ପିଲା ଆସିଛନ୍ତି କହି ଖୁସିରେ ତାଂକ ଆଖିକୁ ନିଦ ଆସୁନଥିଲା |
            ସେ ଖରାର ଗତି ଲକ୍ଷ୍ୟ କରି ସଠିକ୍ ସମୟ କହିପାରୁଥିଲେ |ସନ୍ଧ୍ୟା ହେବା ପୂର୍ବରୁ ଘର ର ଝରକା ଓ ବାହାରପଟ  କବାଟ ବନ୍ଦ କରିଦେଉଥିଲେ |ଘର ର ଚାବିନେନ୍ଥା ଗୋଟିଏ ସ୍ଥାନରେ ରହୁଥିଲା |ତାଂକର ଲୁଗା ସବୁବେଳେ ସଫାସୁତୁରା ଓ କେବେହେଲେ ଚିରୁ ନଥିଲା |ବର୍ଷ ବର୍ଷର ଲୁଗା ସେ ଅତି ଯତ୍ନରେ ସାଇତି ରଖୁଥିଲେ |ସେ କହୁଥିଲେ,ତୁମେ ଜିନିଷକୁ ଯତନ କଲେ,ଜିନିଷ ତୁମକୁ ଯତନ କରିବ |ପେଟରେ ଜାଗା ନଥାଉ ପଛକେ ସେ ଖାଇବା ପଦାର୍ଥ କେବେହେଲେ  ଫିଂଗୁ ନଥିଲେ |କହୁଥିଲେ,ଘରକୁ ଘରଣୀ,ବିଲକୁ ଖୋରଣୀ |ମା ଲକ୍ଷ୍ମୀଂକର ମାଣବସା ଓଷା ସେ ଖୁବ୍ କାଷ୍ଠାରେ  କରୁଥିଲେ |ଏବେ ଯେମିତି ମାର୍ଗଶୀର ମାସ ସାରା ଓଷା କରି ଶେଷପାଳିକୁ ଉଜେଇଁ ଦେଉଛନ୍ତି,ତାଂକୁ ସେମିତି ଆଦୌ ଭଲ ଲାଗୁନଥିଲା |ସେ ମାର୍ଗଶୀର ମାସ ଶୁକ୍ଲପକ୍ଷରେ ଗୋଟିଏ ପାଳି ଓ ମାଘମାସ ଶୁକ୍ଲପକ୍ଷରେ ଶେଷପାଳି କରି ବ୍ରତ ଉତ୍ଜାପନ କରୁଥିଲେ |ଏମିତି କରିବାର କେତୋଟି ବୈଜ୍ଞାନିକ ଓ ତାର୍କିକ କାରଣ ମଧ୍ୟ ତାଂକ ପାଖରେ ଥିଲା |
             ଶାଶୁଶ୍ବଶୁରଂକ ମଧ୍ୟରେ କେବେ ମତାନ୍ତର ବା ମନାନ୍ତର ହେବାର ମୁଁ ଜାଣିନି |ଶାଶୁଂକର ସମସ୍ତ କଥାକୁ ଶ୍ବଶୁରଂକ ସମର୍ଥନ ଥିଲା ଓ ଶ୍ବଶୁରଂକ ସମସ୍ତ କଥାକୁ ଶାଶୁଂକ ସମର୍ଥନ ରହିଥିଲା |ସେମାନଂକ ଭିତରୁ କେହି ଜଣେ ରାଗିଲେ ଅନ୍ୟଜଣେ ଚୁପ୍ ରହୁଥିଲେ |ଶ୍ବଶୁରଂକ ଥରେ ଭୀଷଣ ଦେହ ଖରାପ ହେଲା |ଆମେ ତାଂକୁ ଆମପାଖକୁ ନେଇ ଆସିଲୁ |ପରୀକ୍ଷା ପରେ ଜଣା ପଡିଲା,ତାଂକୁ ମାରାତ୍ମକ ଖାଦ୍ୟନଳୀ କ୍ୟାନସର ହୋଇଛି |ଶତଚେଷ୍ଟା ସତ୍ତ୍ବେ ସେ ଆରୋଗ୍ୟ ଲାଭ କରିପାରିଲେ ନାହିଁ |ଶାଶୁଂକ ସଧବା ହେବାର ସ୍ବପ୍ନକୁ ଧୂଳିସାତ୍ କରି ସେ ଚାଲିଗଲେ ଆରପୁରକୁ |ତାଂକର ମୃତ୍ୟୁକୁ ଶାଶୁ କେବେବି ସହଜରେ ଗ୍ରହଣ କରିପାରି ନଥିଲେ |ସେ ଭାବୁଥିଲେ,ତାଂକୁ କିଏ ଗୁଣୀ କରି ମାରିଦେଇଛି |ଏମିତି ଭାବି ଭାବି ଦୁଃଖ ଓ ହତାଶରେ ତାଂକର ମସ୍ତିଷ୍କବିକୃତି ଘଟିଲା |ଶେଷରେ ସେ ତାଂକର ଅତିପ୍ରିୟ ମାସ ମାର୍ଗଶିରମାସ ଶୁକ୍ଲପକ୍ଷରେ ଶେଷନିଶ୍ବାସ ତ୍ୟାଗ କଲେ |
              ଆଜି ସିନା ଶାଶୁ ଆମ ଗହଣରେ ନାହାନ୍ତି,ତାଂକର ପ୍ରତିଟି କଥା,ଉପଦେଶ ସବୁବେଳେ ମନେପଡି ମୋ  ହୃଦୟକୁ ଆନ୍ଦୋଳିତ କରି ଦେଉଛି |ଏବେବି ମତେ ଲାଗେ ସେ ମୋ ପାଖରେ ଥାଇ ମତେ ସ୍ନେହ ଆଦର  ଓ ଆକଟ କରୁଛନ୍ତି |ଶାଶୁଂକ ମୃତ୍ୟୁର କଛିମାସ ପରର ଘଟଣା |ଆମେ ସେତେବେଳେ ଭୁବନେଶ୍ବର ନଅ ନମ୍ବର ଫ୍ଲାଟରେ ଆମ ସରକାରୀ ଭଡାଘରେ ଥାଉ |ଖରାଦିନ ହୋଇଥିବାରୁ ମୁଁ ତଳେ ଶୋଇଥିଲି |ଅଧରାତିରେ ମତେ ଲାଗିଲା,କିଏ ଯେପରି ବାରମ୍ବାର ମୋ ପାଖ ଦେଇ ଚାଲି ମତେ ଝୁଣ୍ଟି ପଡୁଛି |ମୁଁ ଯେତେ କଡ ଲେଉଟାଇ ଶୋଇବାକୁ ଚେଷ୍ଟା କଲେ ମଧ୍ୟ ଶୋଇ ପାରିଲି ନାହିଁ |ଉଠି ବସି ଦେଖିଲି,ଶାଶୁ କବାଟ ପାଖରେ ଛିଡା ହୋଇ ମତେ ରାଗିକରି ଚାହିଁଛନ୍ତି |ମତେ ଦେଖି କହିଲେ,କବାଟ ଖୋଲା ଅଛି,ଚାବି ପଡିନି |ଏହାପରେ ସେ ଅଦୃଶ୍ୟ ହୋଇଗଲେ |ପ୍ରକୃତିସ୍ଥ ହେବାପାଇଁ ମତେ କିଛିସମୟ ଲାଗିଲା |ମୁଁ ଉଠି ଦେଖିଲି,ସତକୁ ସତ ଆମର ମୁଖ୍ୟଦ୍ବାର ଗ୍ରୀଲରେ କୋଲପ ସହିତ ଚାବିନେନ୍ଥା ଲାଗିଛି କିନ୍ତୁ କୋଲପ ଖୋଲା ଅଛି |ସେତେବେଳେ ସେଠାରେ ଦିନଦ୍ବିପହରରେ ମଧ୍ୟ ଡକାୟତି ହୁଏ |ଏକ ଆସନ୍ନ ବିପଦରୁ ରକ୍ଷାପାଇ ଯାଇଥିବାରୁ ମୁଁ ଶାଶୁଂକୁ କୋଟି କୋଟି ଧନ୍ୟବାଦ ଦେଲି ଓ ତାଂକୁ କ୍ଷମା ମାଗିଲି |କେବଳ ଏଇ ଗୋଟିଏ ନୁହେଁ ଏମିତି କେତେ ବିପଦରୁ ସେ ଆମକୁ ରକ୍ଷା କରିଛନ୍ତି ,ସବୁ ଲେଖିଲେ ପୋଥି ହେବ |ଏବେବି ଯେତେବେଳେ ମୁଁ କୌଣସି ସମସ୍ୟାର ସମ୍ମୁଖୀନ ହୁଏ ଓ ମୋ ପାଖରେ ସମାଧାନର ରାସ୍ତା ନଥାଏ,ମୁଁ ଶାଶୁଂକୁ ମନେ ମନେ ସ୍ମରଣ କରେ ଓ ସଂଗେ ସଂଗେ ମୋ ସମସ୍ୟାର ସମାଧାନ ହୋଇଯାଏ |ଆଜି ପଛକୁ ଚାହିଁଲେ ,ସବୁ ସ୍ବପ୍ନ ପରି ମନେହୁଏ |ସୁଖର ଦିନ ଆଖିପିଛୁଳାକେ କେତେ ଶୀଘ୍ର ଚାଲିଗଲା,ଆଦୌ ଜଣା ପଡିଲାନି  |**********
By....Mamata Mohanty,04.09.2018