Tuesday, August 21, 2018

କଣ୍ଢେଇ

             ପିଲାଦିନେ ଭାରି ଗୁଲୁଗୁଲିଆ ଓ ଡଉଲ ଡାଉଲ ହୋଇଥିବାରୁ ଜେଜେମା ଅତି ଆଦରରେ ତାର ନାଁ ଦେଇଥିଲେ କଣ୍ଢେଇ |ଜେଜେମା କେବେଠାରୁ  ସରଗପୁରକୁ ଗଲେଣି  |ହେଲେ ସେ  କେଉଁ ବେଳାରେ ତା ନାଁ କଣ୍ଢେଇ ରଖିଥିଲେ କେଜାଣି  ସତକୁ ସତ ସେ ଗୋଟିଏ କଣ୍ଢେଇ ହୋଇ ରହିଗଲା |ତାକୁ ବସ  କହିଲେ ବସିବ,ଉଠ କହିଲେ ଉଠିବ |ଖାଇବା,ପିନ୍ଧିବାରେ କିଛି ପ୍ରତିବାଦ  ନାହିଁ |ଯାହା ଖାଇବାକୁ ଦେଲେ ଖାଇବ ,ପିନ୍ଧିବାକୁ ଦେଲେ ପିନ୍ଧିବ |ଜେଜେମା ବଂଚିଥିବା ପର୍ଯ୍ୟନ୍ତ ତାକୁ କଣ୍ଢେଇ ନାମରେ ଡାକୁଥିଲେ |ସେ ସ୍ଵର୍ଗବାସୀ  ହେବାପରେ ତା ନାଁ କଟି କାଟି ହୋଇଗଲା 'କୁନି' |ପିଲାଦିନୁ ତାର ନୀଳ ଆକାଶ,ନୀଳ ସମୂଦ୍ର ଓ ନୀଳ ରଂଗର ପ୍ରତୀକ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ପ୍ରବଳ ଆକର୍ଷଣ ରହିଥିଲା |ନୀଳରଂଗକୁ ଏତେ ଭଲ ପାଉଥିବା ସତ୍ତ୍ୱେ   ସେ କେବେହେଲେ ନୀଳରଂଗର ଡ୍ରେସ ପିନ୍ଧିବା ପାଇଁ ବାପା ମାଆଂକ ପାଖରେ ଅଳି କରି ନଥିଲା |ସେ ଓ ତାର ସାନଭାଇ ନୀଲୁ କଠୋର ଶୃଂଖଳା ଭିତରେ ବଡ ହୋଇଥିଲେ |ନୀଲୁ ଯୁକ୍ତ ଦୁଇ ବିଜ୍ଞାନ ପାସ୍ କରିବା ପରେ  ଉଚ୍ଚଶିକ୍ଷା ପାଇଁ ରାଜ୍ୟ ବାହାରକୁ ଗଲା |କିନ୍ତୁ ସେ  ସାନଭାଇ ଅପେକ୍ଷା ମେଧାବୀ ଛାତ୍ରୀ ଥିବାବେଳେ ତାକୁ କଳାରେ ସ୍ନାତକ କରିବାକୁ ପଡିଲା |କାରଣ ବାପା ଶରତ ଓ  ମାଆ ମାନସୀ ଭାବୁଥିଲେ , ଝିଅକୁ ସେମାନେ  ଢେର୍ ସାରା ଯୌତୁକ ଦେଇ ଭଲ ଘରେ ବାହାଘର କରିବେ |ଦରକାର ପଡିଲେ,ସେମାନେ ଚାରିଚକିଆ ଯାନ ମଧ୍ୟ ଦେବେ |ଝିଅ ବି ତାଂକର ବେଶି ପାଠ ପଢି ଭବିଷ୍ୟତରେ ଚାକିରୀ କରିବାର ନାହିଁ |ତେଣୁ ଗୁଡାଏ ପାଠପଢେଇ   ଅଯଥା ଖର୍ଚ୍ଚ କରିବା କଣ ଦରକାର ?
           କୁନି ଦେଖିବାକୁ ଅପୂର୍ବ ସୁନ୍ଦରୀ ଥିଲା |ସେ ବି.ଏ .ପଢ଼ିବା ସମୟରେ ତା ପାଇଁ ଅନେକ ଭଲ ବିବାହ ପ୍ରସ୍ତାବ ଆସିଥିଲା |କିନ୍ତୁ   ଶରତ  ଏତେ କମ୍ ବୟସରେ ଝିଅ ବାହାଘର କରିବେ ନାହିଁ ବୋଲି ସେସବୁ ପ୍ରସ୍ତାବ ନାକଚ କରିଦେଇଥିଲେ  |ଘର ତିଆରି କରିବା ପରେ କୁନି ବାହାଘର କରିବା ପାଇଁ ସେମାନଂକ ଯୋଜନା ଥିଲା |ତିନିବର୍ଷ ଭିତରେ ଘର ତିଆରି କାମ ସରିଗଲା |ଭଲଦିନ ଦେଖି ମଧ୍ୟସ୍ଥିକୁ କୁନିର ଫଟ ଓ ଟିପଣା ଦେଇ ଯୋଗ୍ୟ ପାତ୍ର ଟିଏ ବୁଝିବା ପାଇଁ ମାନସୀ ଓ ଶରତ  ଅନୁରୋଧ କଲେ |ମାନସୀ କହିଲେ,ଆମେ ଚାରିଚକିଆ ଯାନ ସହ ସବୁକିଛି ଦେବୁ |କିନ୍ତୁ ପିଲା ଇଂଜିନିୟର କିମ୍ବା ଡାକ୍ତର ହେବା ଦରକାର |କୁଜି ଅମୁକ  ଚଳିବନି ,ଖାଣ୍ଟି ଅମୁକ  ଦରକାର |ଆଉ ଆମ କୁନି ସାଂଗେ ମ୍ୟାଚ କରି ପିଲାଟି  ସୁନ୍ଦର ହୋଇଥିବା ନିହାତି ଜରୁରୀ  |ମଧ୍ୟସ୍ଥି ତାର ପ୍ରାଥମିକ ପାଉଣା ନେଇ ବିଦାୟ ନେଲା |ସପ୍ତାହେ ପରେ ମଧ୍ୟସ୍ଥି ପପୁ ୨୦/୨୫ ପ୍ରସ୍ତାବ ଧରି ଘରେ ପହଂଚି ଗଲା |ବଡ ଆଗ୍ରହରେ ମାନସୀ ତାକୁ ଦେଖିଲେ |ସେଥିରୁ ଅଠରଟି ଜାତକ ଅମେଳ ଯୋଗୁ କଟିଗଲା |ବାକି ଯାହା ରହିଲା,କାହାର ଚେହେରା ଭଲ ନଥିଲା ତ କାହାର ଉଚ୍ଚତା ଅବଶ୍ୟକ ମୁତାବକ ନଥିଲା ,ପୁଣି କାହାର ବଂଶ ମର୍ଯାଦା ଠିକ ଠାକ୍ ନଥିଲା |ମାନସୀ ପପୁକୁ ଆକଟ କରି କହିଲେ,ଏଥରକ ମୁଁ ଯେମିତି କହିଥିଲି ସେମିତି ଆଣିବ,ଯେମିତି ଗୋଟିଏ ଥରରେ ପସନ୍ଦ ହୋଇଯିବ |କିନ୍ତୁ ପପୁ ଯେତେ ପ୍ରସ୍ତାବ ଆଣିଲେ ବି କୌଣସି ଗୋଟିଏ ବି ତାଂକ ମନକୁ ପାଇଲା ନାହିଁ |ଏମିତି ରେ ଆଉ ଦୁଇବର୍ଷ ବିତିଗଲା |ବେଳେବେଳେ ଏମିତି ହେଲା,ତାଂକୁ  ପୁଅ ପସନ୍ଦ ହୋଇଥିଲେ ,ପୁଅଘର ଝିଅକୁ ପସନ୍ଦ କଲେନାହିଁ ଓ ପୁଅଘର ଝିଅକୁ ପସନ୍ଦ କଲେ,ସେମାନେ ପୁଅକୁ ପସନ୍ଦ କଲେନାହିଁ |ଏମିତି କିଛି ବର୍ଷ ଚାଲିଲା ପରେ କୁନିପାଇଁ ଆଉ ବିବାହ ପ୍ରସ୍ତାବ ଆସିଲାନାହିଁ |ପପୁର ବି ଆଉ ଦେଖା ଦର୍ଶନ ମିଳିଲାନି |ସେତେବେଳକୁ କୁନିକୁ ବତିଶ ବର୍ଷ ହେଲାଣି |ଶରତ  ଓ ମାନସୀଂକ ଚିନ୍ତା ବଢ଼ିଗଲା |ଦିନେ ରବିବାର ସକାଳେ ପପୁ ଆସି ହଠାତ୍ ପହଂଚି ଗଲା |ମୁହଁରେ ତାର ବିଜୟସୂଚକ ହସ |ସତେକି ଗଡ ଜୟ କରି ଆସିଛି |କହିଲା,ମାଉସୀ ବହୁତ କଷ୍ଟରେ ଏଇ ପ୍ରସ୍ତାବଟି ମିଳିଛି |ୟାକୁ ଅରାଜି ହେଲେ ପଛକୁ ପସ୍ତେଇବ,ସେତେବେଳେ ମତେ ଆଉ ଦୋଷ ଦେବନାହିଁ |ପିଲାଟି କିରାଣୀ ଚାକିରୀ କରୁଛି |ସରକାରୀ ଚାକିରୀ ହେଲେହେଁ କଣ୍ଟ୍ରାକଚୁଆଲ ନିଯୁକ୍ତି |ବାପା ମାଂକର ଏକମାତ୍ର ସନ୍ତାନ |ପିଓର୍ ଅମୁକ,ଖାନଦାନୀ ଘର |ଶହୀଦନଗରରେ ତିନି ମହଲା କୋଠା |ଦୁଇଜଣଂକ ଏକାରାଶି,ଆଉ ଜାତକ ମିଳେଇବା ଦରକାର ନାହିଁ |ହଁ କହିଲେ ମୁଁ କାଲି ତାଂକ ଘରକୁ ଯିବି |ମାନସୀ ଦୀର୍ଘଶ୍ଵାସ  ଛାଡି କହିଲେ,ଏତେ ଖୋଜି ଖୋଜି ଶେଷରେ ଏଇ କିରାଣୀ ଟା ଆମ କପାଳରେ ଥିଲା !ସେ ପପୁକୁ କହିଲେ,ହଉ ତୁ ଦୁଇଦିନ ଛାଡି ଆସେ ,ଆମେ ନିଷ୍ପତ୍ତି ନେବା ପୂର୍ବରୁ ଟିକେ ଚିନ୍ତା କରିବୁ |
               କିନ୍ତୁ ଚିନ୍ତା କରିବା ପାଇଁ ସେମାନଂକ ପାଖରେ ଆଉ ଦ୍ୱିତୀୟ  ବିକଳ୍ପ  ନଥିଲା |ପପୁକୁ ସେମାନେ ହଁ କହିବା ପରେ ,ନାମକୁ ମାତ୍ର ଦେଖାଚାହାଁ ହେଲା |ମାସେ ପରେ  କୁନି ଓ ଅସୀମଂକର ବିବାହ ମହାସମାରୋହରେ ସମ୍ପନ୍ନ ହୋଇଗଲା  |ଶାଶୁଘରେ କୁନି ପରି ବୋହୂ ପାଇ ସମସ୍ତେ ଖୁସି ଥିଲେ |କିନ୍ତୁ ଏତେ ଖୁସି ଭିତରେ ଗୋଟିଏ କେଁ ରହିଥିଲା  |ପପୁ ଯେତେବେଳେ ପୁଅଘରୁ ତାର ପାଉଣା ଆଣିବାକୁ ଗଲା,ସେତେବେଳେ କୁନିର ଶାଶୁ ତାକୁ ପ୍ରବଳ ଗାଳି ବର୍ଷଣ କରି କହିଲେ, ଆମକୁ ବହୁତ ଚାକିରୀଆ ଝିଅ ମିଳୁଥିଲା,ତୁମେ ଚାରିଚକିଆ ଯାନ କଥା କହିବାରୁ ଆମେ ପ୍ରସ୍ତାବରେ ରାଜି ହେଲୁ |କାଇଁ ସେ ଯାନ ?ଯାନ ବାବଦକୁ ଟଂକା ଆଣିଲେ,ତମ ପାଉଣା ମିଳିବ ନହେଲେ,ଆଉ ଏଠିକି ଆସି ତମ ମୁହଁ ଦେଖେଇବ ନାହିଁ |ପପୁ ଅପମାନିତ ହୋଇ ଫେରିଗଲା  |ମାନସୀଂକ ଆଗରେ ମସଲା ଦେଇ ସବୁକଥା ବଖାଣିଲା |କହିଲା, ମାଉସୀ ଜବାବ ରଖି,ତାଂକୁ ଯାହା ଦେବାକଥା ଶୀଘ୍ର ଦେଇଦେବ ,ନହେଲେ କଥାଟା ଅସୁନ୍ଦର ହୋଇଯିବ |ମାନସୀ ଚିହିଁକି ଉଠି କହିଲେ, ଏତେ କାର୍ ଚଢିଲା ବାଲା ? କାରରେ ପେଟ୍ରୋଲ ପକେଇବା ପାଇଁ ତାଂକ  ପକେଟରେ ପଇସା ଅଛି ?ସେ ସୁର୍ପଣଖା ବୁଢୀ ଏକଥା କହିଛି ନାଁ ?ତାକୁ ଏମିତି ପାନେ ଦେବି ଯେ ସାରାଜୀବନ ମନେ ରଖିଥିବ |ପପୁର ମୁହଁ ଶୁଖିଗଲା |ସେ କହିଲା,ହଉ ,ଯାହା ହେବାର ଥିଲା,ହେଲାଣି |ମତେ ମୋ ପାଉଣା ଦେଇଦିଅ ,ମୁଁ ଚାଲିଯିବି |ମାନସୀ ଆହୁରି ରାଗିଯାଇ କହିଲେ,ଆମକୁ ବଡ଼ ବଡ଼ ସପନ ଦେଖେଇ ଶେଷକୁ ଠିକା କିରାଣୀ ଟାକୁ ଯୁଟେଇ ଦେଲ |ଭାବିଛ,ଭାରି ଖୁସି ହୋଇ ତମକୁ ଟଂକା ଓଜାଡି ପକେଇବି !ଭଲଦଶା ଅଛି ଯଦି,ଅତି ଶୀଘ୍ର ଏଠାରୁ ପଳା |ପପୁର ଅକଲ ଗୁଡୁମ ହୋଇଗଲା |ସେ ଧୀରେ ଧୀରେ ସେଠାରୁ ଉଠି ଚାଲିଆସିଲା ଓ ଗେଟ୍ ପାଖରେ ପାଟି କରି କହିଲା,ସେଇ ଠିକା କିରାଣୀ କୁ ଖୋଜି ଦେଇଥିଲି ବୋଲି ଝିଅର ବାଡୁଅ ଦୋଷ କଟିଗଲା |ନହେଲେ,ଆଜି ଯାଏଁ ସେମିତି ଘରେ ବସିଥାଆନ୍ତା |ତାପରେ ସେ ଗେଟ୍ ସେମିତି ଖୋଲା ରଖି ସାଇକେଲରେ ପାଡେଲ ମାରି ଚାଲିଗଲା |ତା  କଥା ଶୁଣି ମାନସୀଂକ ଛାତିରେ ଛୁରୀ ଗଳିଯିବା ପରି ଲାଗିଲା |ସେ ଗେଟ୍ ର ଶିକୁଳି ଦେବାକୁ ଆସି ଦେଖିଲେ,ପଡିଶା ଘରର କେହି କେହି ତାଂକୁ କୌତୁହୁଳୀ  ହୋଇ  ଲକ୍ଷ୍ୟ କରୁଛନ୍ତି |
                     ସେଠାରୁ ଫେରି ପପୁ ସିଧା ଗଲା ଅସୀମଂକ ଘରକୁ |ଘରେ କେବଳ ଶାଶୁ ବୋହୂଙ୍କ ବ୍ୟତିତ ଆଉ କେହି ନଥିଲେ |କୁନି ରୋଷେଇ ଘରେ ଥିଲା |ଶାଶୁ କବିତା ,ଡ୍ରଇଂରୁମରେ ବସି  ଟି.ଭି.ଦେଖୁଥିଲେ |ପପୁ ତାଂକ ପାଦତଳେ ବସିପଡି  ମାନସୀ ତାକୁ ଯାହା ଯାହା କହିଥିଲେ,ସେଥିରେ ଆଉ କିଛି ମିଶେଇ ସବୁ ଗୋଟି ଗୋଟି କରି କହିଗଲା |ଶେଷରେ କହିଲା,ଆପଣମାନଂକ ପରି ଠାକୁର ଭଳିଆ ଲୋକଂକୁ ଏପରି ଦୁଷ୍ଟ ଲୋକଂକୁ ଜୁଟେଇ ମୁଁ ବଡ ପାପ କରିଛି ମା' |ମତେ କ୍ଷମା କରି ଗୋଟିଏ ବଡ ଗୋଇଠା ମାରି ଦିଅ,ମୁଁ ଚାଲିଯିବି |ଆଉଦିନେ ଏଠିକି ଆସିବି ନାହିଁ |ପପୁ  କଥା ଶୁଣି କବିତାଂକ ରାଗ ପଂଚମକୁ ଉଠିଗଲା |ସେ କହିଲେ ,ପ୍ରକୃତରେ ସେ ଏକଥା କହିଛନ୍ତି ନାଁ ତମେ ମନରୁ ଫାନ୍ଦି କହୁଛ ?ପପୁ କାନ ଧରି ଚାପୁଡା ମାରି ହୋଇ କହିଲା,ମହାପୁରୁଷଂକ ରାଣ ମା' |ମିଛ କହୁଥିଲେ,ମୋ ମୁହଁରେ ପୋକ ପଡିବ ,ମତେ କୁଷ୍ଠରୋଗ ହୋଇଯିବ |କବିତା ତାକୁ ଅପେକ୍ଷା କରିବାକୁ କହି ଭିତରକୁ ଚାଲିଗଲେ ଓ କିଛିସମୟ ପରେ ଫେରି ଆସି ତାକୁ ତାର ପ୍ରାପ୍ୟ ପାଉଣା ସହ ଆଉ ହଜାରେ ଟଂକା ମିଶାଇ ଦେଲେ |ପପୁ ଖୁସିହୋଇ ତାଂକୁ ମୁଣ୍ଡିଆ ମାରି ଚାଲିଗଲା |ସେ ଯିବାପରେ କବିତା ଅତ୍ୟଧିକ କ୍ରୋଧରେ ଅସ୍ଥିର ହେବାକୁ ଲାଗିଲେ |ବିଶେଷ କରି ମାନସୀ ତାଂକୁ କହିଥିବା 'ସୁର୍ପଣଖା ବୁଢୀ 'ତାଂକୁ ଭାରି ବାଧି ଥିଲା |ଅସୀମ ଓ ତାର ପିତା ସବ୍ୟସାଚୀ  କେତେବେଳେ ଘରକୁ ଫେରିବେ ଓ ସେ  ସେମାନଂକୁ ଏକଥା କହିବେ,ଏହା ଭାବି ସେ ବାରମ୍ବାର ଘଣ୍ଟା କୁ ଦେଖୁଥଆନ୍ତି ଓ ଏପଟ ସେପଟ ହେଉଥାନ୍ତି |ଏହିସମୟରେ କୁନି ଆସି ତାଂକ ପାଦତଳେ ପଡି କହିଲା,ବୋଉ,ଆପଣ ଶୁଣାକଥାକୁ ବିଶ୍ୱାସ  କରି ଏତେ ରାଗନ୍ତୁ ନାହିଁ |ମା' ଏମିତି କେବେବି କହି ନଥିବେ,ପପୁ ଲଗେଇ ଯୋଡି ମିଛକଥା କହିଛି |ସେ ବହୁତ ମିଛ କହେ ,ଆପଣ ଜମା ତା କଥାରେ ବିଶ୍ୱାସ  କରନ୍ତୁ ନାହିଁ |ଜଳନ୍ତାନିଆଁରେ ପାଣି ପଡିବା ପରି କବିତା ଥମ୍ ହୋଇ ରହିଗଲେ |କହିଲେ,ତୁ କେମିତି ଜାଣିଲୁ ସେ ମିଛ କହୁଛି ବୋଲି ?ସବୁ ମିଛ ନହୋଇ ପାରେ,କିଛି ତ ସତ ଥିବ |ନିଆଁ ନଥାଇ ଧୁଆଁ ଉଠେନା |କୁନି କବିତାଂକ ପାଦ ଦୁଇଟିକୁ ଜାବୁଡି ଧରି କହିଲା,ତାହେଲେ ଯାହା ଶାସ୍ତି ଦେବା ମତେ ଦେଇ  ସେକଥା ଏଇଠି ଶେଷ କରି ଦିଅନ୍ତୁ  |କବିତା କୁନିକୁ ଚାହିଁଲେ |ତାର ସୁନ୍ଦର ଆଖି ଦୁଇଟିରୁ ଅନର୍ଗଳ ଲୁହ ଧାରା ଝରି ଯାଉଥିଲା |ସେ କୁନିକୁ ଛାତିରେ ଜାବୁଡି ଧରି କହିଲେ,ତୁ ତ ମୋର ସୁନାମୁଣ୍ଡାଟିଏ ,ଆଉ ଯିଏ ଯାହା କହିଲେ,ମୋର କଣ ଯାଏ ଆସେ |ସେଦିନ ସେକଥା ଆଉ ଆଗକୁ ବଢି ନଥିଲା |
               ଦୁଇଦିନ ପରେ ମାନସୀ କୁନିକୁ ଫୋନ୍ କଲେ |ସାଧାରଣତଃ ପ୍ରତ୍ୟେକ ଦିନ ଅପରାହ୍ନ ସାଢେ ତିନିଟା ରୁ ଚାରିଟା ଭିତରେ କୁନି ଯେମିତି ହେଉ ଥରେ ମାନସୀଂକୁ ଫୋନ୍ କରେ |ସେତେବେଳେ କବିତା ଖାଇସାରି ବିଶ୍ରାମ ନେଉଥାନ୍ତି ଓ କୁନି ହାତରେ କିଛି କାମ ନଥାଏ |ଦୁଇଦିନ ଧରି କୁନି ପାଖରୁ କିଛି ଫୋନ୍ ଆସି ନଥିବାରୁ ତାଂକ ମନକୁ ପାପ ଛୁଇଁଲା |ସେ କୁନିକୁ ପଚାରିଲେ,ଦୁଇଦିନ ହେଲାଣି କାହିଁକି ଫୋନ୍ କରିନୁ ?କଣ ହୋଇଚି ?ସବୁ ଭଲ ତ ?କୁନି କହିଲା, କାମରେ ବ୍ୟସ୍ତ ଥିଲି,ସମୟ ହେଲାନି |ମାନସୀ ପୁଣି ପଚାରିଲେ,ପପୁ ସେଠିକି ଯାଇଥିଲା ?କୁନି କହିଲା,ମୁଁ ଜାଣିନି |ମାନସୀ କହିଲେ,ତୁ ମିଛ କହୁଛୁ,ପପୁ ନିଶ୍ଚେ ସେଠିକି ଯାଇଥିବ |କବିତା କେତେବେଳୁ ଆସି  ପଛପଟେ ଛିଡା ହୋଇଛନ୍ତି ,କୁନି ଜାଣିନି |ସେ କୁନି ହାତରୁ ଫୋନ୍ ନେଇ କହିଲେ,ହଁ ପପୁ ଆସିଥିଲା |ଆପଣ ତାକୁ ଯାହା ଯାହା କହିଥିଲେ,ସବୁ ସେ ମତେ କହିଛି |ଏବେ ଆପଣମାନଂକ ଅସଲ ରୂପ ଧରାପଡି ଯାଇଛି |ଆପଣଙ୍କ ମୁହଁରେ ମଧୁର ବଚନ,ଭିତରେ ଏତେ ବିଷ ?ଯାହା କହିବା କଥା ସିଧା ସିଧା ମତେ କହିଥାନ୍ତେ ,ୟା ତା ପାଖରେ କହିବା କଣ ଦରକାର ?ଆପଣଙ୍କ ଷ୍ଟାଣ୍ଡାର୍ଡ ସେଇଆ, ଆପଣ କଣ କରିବେ ?ଆମର ଦୁର୍ଭାଗ୍ୟ ଯୋଗୁଁ  ଆମେ ଫସିଗଲୁ,ଆଉ ଉପାୟ କଣ ଅଛି ?ଏତିକିରେ ମାନସୀଂକ ମୁଣ୍ଡକୁ ପିତ୍ତ ଚଢିଗଲା |ସେ ତାଂକ ମନକୁ ଯାହା ଆସିଲା,ବକି ଚାଲିଲେ |ଶେଷରେ କହିଲେ,ଯଦି ମୋ ଝିଅକୁ ପଦେ କିଛି କହିବ,ତାହାଲେ ନାଲିକୋଠା ଦେଖେଇ ଦେବି |କବିତା କହିଲେ,ଯାଃ ଯାଃ ,ଆମକୁ କଣ ନାଲିକୋଠା ର ଭୟ ଦେଖାଉଛନ୍ତି ,ଆମ ଚଉଦ ପୁରୁଷ ନାଲିକୋଠାରେ ଓକିଲାତି କରି କରି ତାଂକ ଚୁଟି ପାଚିଛି |ଦେଖିବା,କିଏ କେତେବାଟ ଯାଉଛି !ସେ ଫୋନ୍ ସ୍ଵିଚ  ଅଫ କରି , କୁନି ହାତରେ ଫୋନ୍ ଧରେଇ ଦେଇ ଚାଲିଗଲେ |କୁନି ଭୟରେ କାନ୍ଦୁଥାଏ |କିନ୍ତୁ ଏଥରକ ଆଉ କବିତା ତରଳି ଗଲେନି |ସେଦିନ ଅସୀମ ଓ  ସବ୍ୟସାଚୀ ଘରକୁ ଫେରିବା ପରେ ମହାପାଲା ଲାଗିଲା  |ସବୁଠାରୁ ବେଶି କ୍ରୋଧାନ୍ଵିତ  ହେଲା,ଅସୀମ |ସେ କହିଲା,କେତେ କେତେ ହାଇ କ୍ଵାଲିଫାଏଡ  ପିଲା ମୋ ସାଂଗରେ ଏଇ ଠିକା ଚାକିରୀ କରୁଛନ୍ତି,ଏମାନଙ୍କୁ ସରକାରୀ ଚାକିରୀ ଗନ୍ଧଉଛି !ଠିକ ଅଛି,ତାଂକର ଯଦି ମୋ ଚାକିରୀ ପ୍ରତି ଏତେ ଘୃଣା,ମୋର ବି ସେମିତି ତାଂକର ହାଇ ଫାଇ ଝିଅ ଦରକାର ନାହିଁ |କବିତା ଓ ସବ୍ୟସାଚୀ ପୁଅକୁ ବୁଝାଇ ବିଫଳ ହେଲେ |ସେଦିନ ରାତିରେ ଅସୀମ  ଅଲଗା ରୁମରେ ଶୋଇଲା |କୁନି ମଧ୍ୟ ଅସୀମ ସହିତ କଥା ହେବାପାଇଁ ସୁଯୋଗ ପାଇଲା ନାହିଁ |ମୋଟ ଉପରେ କହିବାକୁ ଗଲେ,ଅସୀମ ,କୁନି ଓ ତାର ଘର ଲୋକଂକୁ ଛିଃ କରି ଦେଇଥିଲା |କିଛିଦିନ ପରେ ସବ୍ୟସାଚୀ ଶରତଂକୁ ଡକାଇଲେ |ସେ ଆସିବା ପରେ ତାଂକୁ କହିଲେ, ଅସୀମ ଏକବାଗିଆ ପିଲାଟା |ଯାହା ତା  ମୁଣ୍ଡରେ ପଶିଥିବ,ସହଜରେ ବାହାରିବନି |ଆପଣ କିଛିଦିନ ପାଇଁ ଝିଅକୁ ନେଇ ଯାଆନ୍ତୁ |ପୁଅ ବୁଝିଗଲେ,ଆମେ ନିଜେ ଯାଇ କୁନିକୁ ନେଇ ଆସିବୁ |କୁନି ଶରତଂକ ସଂଗେ ବାପଘରକୁ ଆସିଲା |କିନ୍ତୁ ସବ୍ୟସାଚୀ ଆଉ କୁନିକୁ ନେବାକୁ ଆସିଲେ ନାହିଁ |ଶରତ ଦିନେ ସବ୍ୟସାଚୀଂକୁ ଫୋନ୍ କଲେ |କିନ୍ତୁ ସେ ଫୋନ୍ ଉଠାଇଲେ ନାହିଁ |ଏହାପରେ ସେ ବାରମ୍ବାର ସବ୍ୟସାଚୀଂକୁ ଫୋନ୍ କରିବା ସତ୍ତ୍ୱେ  ସେ କୌଣସି ଥର ଫୋନ୍ ଉଠାଇଲେ ନାହିଁ |ତେଣୁ ବାଧ୍ୟ ହୋଇ ସେ ତାଂକ ଘରେ ପହଂଚିଲେ |ସେମାନଂକ ଭିତରେ ଅନେକ ଆଲୋଚନା ହେଲା |ସବ୍ୟସାଚୀ କହିଲେ ,ପୁଅକୁ ଯେତେ ବୁଝାଇଲେ ବି ସେ ବୁଝୁନି |ଆମେ ନିରୁପାୟ |ଦୁଃଖ ଓ ହତାଶରେ ଜର୍ଜରିତ ହୋଇ ଶରତ ସମୁଦୀଂକ ଘରୁ ଫେରି ଆସିଲେ |ତାପରେ ଓକିଲ ପରାମର୍ଶ କରି ମହିଳାକମିଶନରେ ସବ୍ୟସାଚୀ,କବିତା ଓ ଅସୀମଂକ ବିରୁଦ୍ଧରେ ଯୌତୁକ ନିର୍ଯ୍ୟାତନାର ଅଭିଯୋଗ ଆଣିଲେ |ପରେ ପରେ ପରବର୍ତ୍ତୀ ପର୍ଯ୍ୟାୟଗୁଡିକ ଆରମ୍ଭ ହୋଇଗଲା |ପୋଲିସ ତିନିଜଣଂକୁ ବିଭିନ୍ନ ଦଫା ଲଗାଇ ଗିରଫ କଲା ଓ ସେମାନେ ଜେଲ୍ ଗଲେ |ଅସୀମ ଚାକିରୀରୁ ନିଲମ୍ବିତ ହେଲା |କୋର୍ଟରେ କେଶ ଚାଲିଲା |ପୋଲିସ ଓ କୋର୍ଟ ଚକ୍କରରେ ନପଶିବା ପାଇଁ କୁନି ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ  ଶରତ ଓ ମାନସୀ ତା କଥାରେ କର୍ଣ୍ଣପାତ  କଲେ ନାହିଁ |
                   ଦିନେ ମାନସୀ କୁନିକୁ କହିଲେ,ଅସୀମ ବାଇକ ରୁ ପଡି ତା ଗୋଡ ଭାଂଗି ଯାଇଛି |କୁନି ବ୍ୟସ୍ତ ହୋଇ ପଚାରିଲା,କେବେ?ମାନସୀ କହିଲେ,ବୋଧେ କାଲି |କାପିଟାଲ ହସ୍ପିଟାଲ ରେ ପଡିଛି |ଆଛା ହୋଇଛି,ତାକୁ ତା କର୍ମର ସଜା ମିଳିଛି |କିଛି ସମୟ ପରେ କୁନି ସାଂଗ ଘରକୁ ଯାଉଛି କହି,କ୍ୟାପିଟାଲ ହସ୍ପିଟାଲରେ ପହଂଚିଲା |ଖୋଜି ଖୋଜି ସେ ଅସୀମ ଥିବା ରୁମରେ ପହଂଚିଲା |ଅସୀମ ପାଖରେ କବିତା ଥିଲେ |କୁନି ଦୁହିଁକୁ ଭୁମିଷ୍ଠ ପ୍ରଣାମ ଜଣାଇଲା |କବିତା ତାକୁ ଦେଖି ମୁହଁ ବୁଲେଇ ଦେଲେ |ଅସୀମ ଭୀଷଣ ବିରକ୍ତରେ କୁନିକୁ କହିଲା,ଗେଟ୍ ଆଉଟ |ତାପରେ କବିତାଂକୁ କହିଲା,ମମି,ତାକୁ ଶୀଘ୍ର ଏଇଠୁ ଧକ୍କା ଦେଇ ବାହାର କରିଦିଅ,ନହେଲେ ମୁଁ ପାଗଳ ହୋଇଯିବି |କବିତା କୁନିକୁ କହିଲେ,ଆମକୁ ଜେଲରେ ପୁରେଇଲ,ମୋ ପୁଅର ଚାକିରୀ ନେଲ |ମାନସିକ ଦୁଷ୍ଚିନ୍ତାରେ ତାର  ଆକ୍ସିଡେଣ୍ଟ ହୋଇ , ଗୋଡ ଭାଂଗିଲା |ଆଉ କଣ ବାକି ରଖିଛ ଯେ ତାକୁ ଦେଖିବାକୁ ଆସିଛୁ ?ତଥାପି କୁନି ସେଠାରୁ ଯାଉ ନଥିଲା |କବିତା ତାକୁ ଜବରଦସ୍ତି ଉଠେଇ ବାହାରକୁ ବାହାର କରିଦେବା ବେଳକୁ କବାଟ ଫାଂକରେ କୁନିର ହାତ ପଶି ଗଭୀର କ୍ଷତ ହୋଇ ରକ୍ତସ୍ରାବ ହେବାରେ ଲାଗିଲା |ସେ ଲୁଗାକାନିରେ ତାହାକୁ ଲୁଚାଇ କାନ୍ଦି କାନ୍ଦି  ସେଠାରୁ ଚାଲିଆସିଲା |ତାର ଫେରିବାରେ ଡେରି ଦେଖି ମାନସୀ ବ୍ୟସ୍ତ ହେଉଥିଲେ |କୁନି ମାନସୀଂକୁ କିଛି ନକହି ନିଜ ଲୁଗା ବଦଳେଇ କ୍ଷତ ସ୍ଥାନରେ ମଲମ ଲଗେଇ ବିଛଣାରେ ଶୋଇପଡିଲା |ମାନସୀ କହିଲେ ଶୋଇଲୁ କଣ ?ଖାଇବୁନି କି ?କୁନି, ନାଁ କହି ଘୋଡେଇ ହୋଇ ଶୋଇପଡିଲା |ମାନସୀଂକର ସନ୍ଦେହ ହେଲା |ସେ କହିଲେ,ତୁ କଣ ତାକୁ ଦେଖିବାକୁ ହସ୍ପିଟାଲ ଯାଇଥିଲୁ ?କୁନି ଉତ୍ତର ଦେଲା,ହଁ |ମାନସୀ ରାଗିଯାଇ କହିଲେ ,କଣପାଇଁ ସେଠିକି ଯାଇଥିଲୁ ? ତୁ ଜାଣିଛୁ,ସେମାନେ ଛାଡପତ୍ର ଦେବାପାଇଁ କୋର୍ଟରେ କେଶ କରିଛନ୍ତି ?ତାଂକ କଥା ଶୁଣି କୁନିର  ପାଦତଳୁ ମାଟି ଖସିଯିବା ପରି ଲାଗିଲା |ସେ ଅବାକ୍ ହୋଇ ମାନସୀଂକୁ ଚାହିଁ ରହିଲା |
                       ତିନି ମାସ ପରେ କୋର୍ଟରେ ତାରିଖ ପଡିଲା |ତା ପୂର୍ବରୁ ଓକିଲ ତାଂକ ଘରକୁ ଆସି କୋର୍ଟରେ କଣ କହିବାକୁ ପଡିବ,ସେ ବିଷୟରେ ଆଲୋଚନା କରୁଥିଲେ |କୁନି ସୁଯୋଗ ଦେଖି ଓକିଲଂକୁ ନିରୋଳାରେ କହିଲା,ମଉସା ,ଛାଡପତ୍ର ନହୋଇ ଆମ ଭିତରେ ମୀମାଂସା ହୋଇପାରିବନି ?ଓକିଲ ମହାପାତ୍ର ବାବୁ କହିଲେ,ହଁ,ତାଂକ ପକ୍ଷର ଓକିଲଂକୁ ଧରିଲେ,ହୁଏତ ସମ୍ଭବ ହୋଇପାରେ |କୁନି ବିକଳ ହୋଇ କହିଲା,ତାହାଲେ ମଉସା ଆପଣ ସେଇଆ କରନ୍ତୁ |ମୁଁ ଛାଡପତ୍ର ଚାହେଁ ନାହିଁ |ମହାପାତ୍ର ବାବୁ କୁନି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ | କହିଲେ,କିନ୍ତୁ ସାର୍ ତ ଅଲଗା କଥା କହୁଥିଲେ |ଏତିକିବେଳେ ଶରତ ସେଠାକୁ ଆସିବାରୁ ସେକଥା ସେଇଠି ରହିଲା |ତାରିଖ ଦିନ ଉଭୟପକ୍ଷ ର ସମସ୍ତେ ଯାଇଥିଲେ |ଅସୀମ ଆଶାବାଡି ସାହାଯ୍ୟରେ ସେଠାକୁ ଆସିଥିଲା |ସେ ସେପର୍ଯ୍ୟନ୍ତ ଭଲରେ ଚାଲି ପାରୁନଥିଲା |କୁନିକୁ ବହୁତ ଶିଖାଇବା ସତ୍ତ୍ୱେ ବି  ସେ କହିଲା,ମୁଁ ଛାଡପତ୍ର ଚାହେଁନା |ସ୍ୱାମୀଙ୍କ  ସହ ଶାଶୁଘରେ ରହିବାକୁ ଚାହେଁ |ସେ ଭାବିଥିଲା,ଏପରି କହିଲେ  ସେମାନେ କରିଥିବା ଛାଡପତ୍ର କେଶ୍ ହୁଏତ ଦୁର୍ବଳ ହୋଇଯିବ |କିନ୍ତୁ କୁନିର ଧାରଣା ଭୁଲ ଥିଲା |ମହାପାତ୍ର ବାବୁଂକୁ ଅସୀମ  ଘର ଟଂକା ଲୋଭ ଦେଖାଇ ଚୁପ୍ କରିଦେଲେ |ଯାହା ଫଳରେ ସେ ଜାଣିଶୁଣି କୋର୍ଟରେ ଠିକ ଭାବରେ ମାମଲା ଟିକୁ ପରିଚାଳନା କଲେ ନାହିଁ |ଦିନେ ଖବର ମିଳିଲା ଅସୀମ କେଶ୍ ରେ ଜିତି ଯାଇଛି |କୋର୍ଟ ଆଦେଶ ଅନୁସାରେ ସେମାନେ କ୍ଷତିପୂରଣ ଟଂକା ସାଂଗେ ସାଂଗେ ଦେଇଦେଲେ |ସବୁ ଜାଣି କୁନି ଦୁଃଖରେ ଭାଂଗି ପଡିଲା |ଆହୁରି ବେଶି ଦୁଃଖ ପାଇଲା,ଯେତେବେଳେ ଜାଣିଲା,ଅସୀମ ପୁନର୍ବିବାହ କରିଛି |
                   ଛାଡପତ୍ର ମିଳିବାର କିଛିମାସ ପରେ ଦିନେ ମାନସୀ କୁନିକୁ କହିଲେ,ମା' ଆଜି ଟିକେ ଭଲ ଶାଢୀ ପିନ୍ଧି ସଜ ହୋଇଯିବୁ,ସେମାନେ ତତେ ଦେଖିବାକୁ ଆସିବେ |କୁନି ଆଶ୍ଚର୍ଯ୍ୟ ହୋଇ କହିଲା,କିଏ ମା ?ମାନସୀ କହିଲେ,ଭଲ ଅଛି ,ମନ୍ଦ ଅଛି,ଆମେ ତ ସବୁଦିନ ବଂଚିବୁ ନାହିଁ  |ଭାବିଛୁ ,ଆଉଥରେ ତୋ ବାହାଘର କରିଦେବୁ |ତାଂକ କଥା ଶୁଣି କୁନିର ଛାତି ଫାଟିଯିବା ପରି ଲାଗିଲା |ସେ କହିଲା,ମା ,ଥରେ ପରା ବାହାଘର କରିଥିଲ ,କଣ ହେଲା ?ମାନସୀ କହିଲେ,ତାକୁ ଦୁଃସ୍ୱପ୍ନ  ପରି ତତେ  ଭୁଲି ଯିବାକୁ ପଡିବ |ତୋ ଆଗରେ ଲମ୍ବା ଭବିଷ୍ୟତ ପଡିଛି  |କିଛି ଗୋଟେ ବ୍ୟବସ୍ଥା ନକଲେ,ତୋ ଜୀବନ ନର୍କ ପାଲଟି ଯିବ |କୁନି ଅଳ୍ପ ହସି କହିଲା,ଏବେ କଣ ମୁଁ ସ୍ଵର୍ଗରେ  ଅଛି ମା ?ମତେ ତମେମାନେ କଣ୍ଢେଇ ପରି ବହୁତ ନଚେଇଲ |ମୁଁ ବି ଆଖିବୁଜି ତମକଥା ମାନି ବହୁତ ନାଚିଲି |ଆଉ ନୁହେଁ |କାଲିଠାରୁ ସେ କାମବାଲିକୁ ମନା କରିଦିଅ ,ସେ ଆଉ ଆମଘରେ କାମ କରିବନି |ତା ବଦଳରେ ରୋଷେଇବାସ ସହିତ ଘରର ସବୁକାମ ମୁଁ କରିବି |ନୀଲୁ ବାହା ହୋଇ ତାର ପିଲାଛୁଆ ହେଲେ ସେମାନଂକ ଦାୟିତ୍ତ୍ଵ  ମୋର |ତା ବଦଳରେ ମତେ ମୁଠାଏ ଖାଇବାକୁ ଦେଲେ ସେତିକି ମୋପାଇଁ ଯଥେଷ୍ଟ  |ମୋର ଆଉ କଣ ଦରକାର ?ଆଉଦିନେ ମୋ ବାହାଘର କଥା କହିଲେ,ମୋ ଶବ ଦେଖିବ |ସେ ମତେ ଛାଡପତ୍ର ଦେଇଛନ୍ତି,ଆଉଥରେ ବାହା ହୋଇଛନ୍ତି |ସେଥିରେ ମୋର କିଛି ଯାଏଆସେ ନାହିଁ |ସେ ଏବେବି ମୋ ସ୍ୱାମୀ  ଆଉ ମୁଁ ବଂଚିଥିବା ଯାକେ ତାଂକ ନାମରେ ସିନ୍ଦୂର ପିନ୍ଧୁଥିବି |ସେଥିପାଇଁ ମତେ କେହି ମନା କରି ପାରିବେ ନାହିଁ |କୁନିଠାରୁ ଏପରି ଧୀର ଓ କଠୋର କଥା ଶୁଣିବେ ବୋଲି ମାନସୀ ଆଶା କରି ନଥିଲେ |କୁନିକୁ ବାଧ୍ୟ କରିବା ପାଇଁ ତାଂକ ପାଖରେ ଭାଷା ନଥିଲା |ମମତା ମହାନ୍ତି |