ସୁନାକଳସ ଗାଆଁର ହୃଷିକେଶ ଅତ୍ୟନ୍ତ ପ୍ରଭାବଶାଳୀ ଓ ଲକ୍ଷ୍ମୀବନ୍ତ ଥିଲେ |ତାଂକ ସମୟରେ ଜମିରେ ସୁନା ଫଳୁଥିଲା |ସେ ଧାନ ହେଉ,ମୁଗ,ବିରି ଅଥବା ଆମ୍ବ ପଣସ ହେଉ |ଏତେ ପରିମାଣରେ ଧାନ,ମୁଗ, ବିରି,କୋଳଥ ଇତ୍ୟାଦି ଉତ୍ପନ୍ନ ହେଉଥିଲା ଯେ ଦେଖଣାହାରୀ ଅବାକ୍ ହୋଇ ଚାହିଁ ରହୁଥିଲେ |ସେହିପରି ବାଡିରେ ଫଳୁଥିବା ଆମ୍ବ,ପଣସ ,କଖାରୁ,ପାଣିକଖାରୁ,ଲାଉ ,ଅମୃତଭଣ୍ଡା ଇତ୍ୟାଦି ବାଣ୍ଟି ବାଣ୍ଟି ସରୁ ନଥିଲା |ବିଲ ବାଡ଼ିରେ କାମ କରିବା ପାଇଁ ସ୍ଥାୟୀ ଭାବରେ ଦୁଇଜଣ ଲୋକ ଘରେ ଥିଲେ |ସେମାନେ ପେଟ ପୂରା ଖାଇ ସକାଳୁ ସଂଜ ଯାଏଁ ହାଡଭଂଗା ପରିଶ୍ରମ କରୁଥିଲେ |ସେମାନଂକର ଯେପରି କିଛି ଅସୁବିଧା ନହେବ ସେଥିପାଇଁ ସମସ୍ତେ ଯତ୍ନବାନ ଥିଲେ |ମୋଟ ଉପରେ କହିବାକୁ ଗଲେ,ସେମାନେ ଘରର ସଦସ୍ୟ ପରି ଚଳୁଥିଲେ |ସମସ୍ତେ କହୁଥିଲେ ହୃଷିକେଶ ନିବାସରେ ଲକ୍ଷ୍ମୀ ସ୍ଥାୟୀ ଭାବରେ ବାସ କରୁଛନ୍ତି |ହୃଷିକେଶ ସବୁ କ୍ଷେତ୍ରରେ ସଫଳ ହୋଇଥିଲେ, କିନ୍ତୁ ଦୁଇ ବୋହୂଂକୁ ଏକମନ ଏକପ୍ରାଣ କରି ରଖିବା ତାଂକ ପକ୍ଷରେ ସମ୍ଭବପର ହୋଇନଥିଲା |ହୃଷିକେଶ ଓ ସ୍ତ୍ରୀ ଅମିତା ବଂଚିଥିବାଯାକେ ଘରେ ଶାନ୍ତି ବଜାୟ ରହିଥିଲା |ସେମାନଂକ ଅନ୍ତେ ଦୁଇ ଯାଆଂକ ମଧ୍ୟରେ ମନର ମେଳ ରହିଲା ନାହିଁ |ଦୁଇପୁଅ ଅମର ଓ ଅନନ୍ତ ନିଜ ସ୍ତ୍ରୀ ମାନଂକ ପକ୍ଷ ନେଇ ନେଇ ଶେଷରେ ପରସ୍ପର ମଧ୍ୟରେ ଲଢି ବସିଲେ |ପରିଣାମସ୍ୱରୂପ ଦୁଇ ଭାଇ ଭିନ୍ନେ ହେବାପାଇଁ ବେଶି ଡେରି ଲାଗିଲାନାହିଁ |
ଦୁଇଭାଇ ଭିନ୍ନେ ହେବାପରେ ଘରର ଶ୍ରୀ ତୁଟିଗଲା |ପୂର୍ବପରି ଗାଡି ଗାଡି ଧାନ,ଚାଉଳ,ମୁଗ ,ବିରିର ଦୃଶ୍ୟ ଆଉ ଦେଖିବାକୁ ମିଳିଲାନି |ଆମ୍ବ ପଣସ ଇତ୍ୟାଦି ଗଛର ଉତ୍ପାଦିକା ଶକ୍ତି କ୍ରମଶଃ ହ୍ରାସ ପାଇଲା |ଘରେ କାମ କରୁଥିବା ଲୋକମାନେ ଜଣକ ପରେ ଜଣେ ବିଦାହୋଇ ଚାଲିଗଲେ |ଜମି ଭାଗ ଲାଗିଲା |ହୃଷିକେଶଂକ ଅନ୍ତେ ଗାଁ ସମ୍ପତ୍ତି ର ବିପର୍ଯ୍ୟୟ ଦେଖି ଅମର ଅତ୍ୟନ୍ତ ଦୁଃଖିତ ଥିଲେ |ବାପାଂକ ଯୌଥ ପରିବାର ସେ ଅଂଚଳର ଆଦର୍ଶ ଥିଲା |ତାଂକ ମନରେ ସ୍ୱପ୍ନ ଥିଲା,ନିଜ ଭାଇ ସାଂଗରେ ନହେଲା ନାହିଁ,ନିଜ ପିଲାମାନଂକ ସହ ସେ ଏକାଠି ରହିବେ |ଆଜି ନହେଲେ କାଲି ପିଲାମାନେ ନିଶ୍ଚୟ ଗାଁକୁ ଫେରିବେ |ସେଥିପାଇଁ ସେ ଘରକୁ ବଢାଇ ପାଂଚ କୋଠରୀ ବିଶିଷ୍ଟ କରିଥିଲେ ଓ ପିଲାମାନେ ଯେପରି ଘରେ ସ୍ୱଚ୍ଛନ୍ଦ ଭାବେ ଚଳିପାରିବେ ସେଥିପାଇଁ ତାଂକ ସାଧ୍ୟାନୁସାରେ ଆନୁସଂଗିକ ବ୍ୟବସ୍ଥା କରିଥିଲେ |କିନ୍ତୁ ତାଂକର ସ୍ୱପ୍ନ ସ୍ୱପ୍ନରେ ରହିଗଲା | ସାନପୁଅ ଓଡିଶା ବାହାରେ ଚାକିରୀ କରି ସେଠାରେ ଘର କିଣି ସ୍ଥାୟୀ ଭାବରେ ବାସ କରୁଥିଲା |ବଡପୁଅ ପ୍ରିୟବ୍ରତ ଗାଁ ପାଖ ସହରରେ ଚାକିରୀ କରୁଥିଲା |ସେ ଓ ତାର ପିଲାମାନେ ପ୍ରାୟବେଳେ ଗାଁ କୁ ଆସୁଥିଲେ,ବିଭିନ୍ନ ପର୍ବପର୍ବାଣୀ ରେ ଭାଗ ନେଉଥିଲେ |କିନ୍ତୁ ପିଲାମାନେ ବଡହୋଇ ପାଠର ବୋଝ ବଢିବାରୁ ସେ ମଧ୍ୟ କ୍ରମେ ଗାଁକୁ ଆସିବା କମେଇ ଦେଲା |ଅମର ଓ ମୀରା ପ୍ରିୟବ୍ରତ ପାଖକୁ ଯାଆନ୍ତି ,ସେଠାରେ କିଛିଦିନ ରହନ୍ତି,ତାପରେ ଗାଁ କୁ ଫେରିଆସନ୍ତି |ପ୍ରିୟବ୍ରତର ସ୍ତ୍ରୀ ଦୀପିକାକୁ ସହର ଭଲ ଲାଗେ |ସେ କହେ ବାପା,ଆପଣ ଆଉ ଗାଁକୁ ଯାଆନ୍ତୁ ନାହିଁ |ଏଇଠି ଆମେ ଅଛୁ,ଆପଣଂକ ନାତି ନାତୁଣୀ ଅଛନ୍ତି,ମଜାରେ ବୁଲିବା,ଗପ କରିବା,ଯାହା ଇଚ୍ଛା ତାହା ଖାଇବା |ସେଇଠି ଆପଣଂକ ପାଖରେ କିଏ ଅଛି?ଭଲ ମନ୍ଦ ହେଲେ କିଏ ଆପଣମାନଂକ ଯତ୍ନ ନେବ ?ଅମର ବୁଝାନ୍ତି,ସେଇଠି ଗଛରେ ସୁନା ଫଳୁଛି |ଏଇଠି ତ ତମେ ସବୁ କିଣିକରି ଖାଉଛ |ନାମକୁ ମାତ୍ର ଚାକିରୀ,ହେଲେ ଯେତେବେଳେ ଦେଖ ଅଭାବ |କଣପାଇଁ ସହରରେ ମାଟି କାମୁଡି ପଡି ରହିଚ ?ଯେତେ ଭଲରେ ରହିଲେ ବି ମୀରାଂକୁ ମଧ୍ୟ ସହର ଭଲ ଲାଗେନି |ସେ କହନ୍ତି,ଏଇଠି ବହୁତ କଟକଣା,ଅସୁବିଧାରେ ରହିଲେ ବି ଆମପାଇଁ ଗାଁ ସ୍ୱର୍ଗ |
ଦୀପିକା ମନେ ମନେ ଭାବେ ଶାଶୁ ଶ୍ୱଶୁର ସିନା ସେମାନଂକ ପାଖରେ ରହିଲେ ନାହିଁ,କିନ୍ତୁ ସେ ସେପରି ହେବାକୁ ଦେବନି |ନିଜର ଗୋଟିଏ ପୁଅ ଓ ଗୋଟିଏ ଝିଅ ପାଇଁ ସେ ସର୍ବସ୍ୱ ତ୍ୟାଗ କରିଦେବ |ପିଲାଂକ ଖୁସିରେ ତାର ଖୁସି |ସେ ମନେ ମନେ ଦୁଇ ମହଲା କୋଠାଘରର କଳ୍ପନା କରେ |ତଳ ମହଲାରେ ଗ୍ୟାରେଜ,ସର୍ଭାଣ୍ଟ ଘର, ବିଭିନ୍ନ ଉତ୍ସବ,ପର୍ବପର୍ବାଣୀ ମନାଇବା ପାଇଁ ତଳେ ବିରାଟ ହଲ୍,ଉପର ମହଲାରେ ଝିଅ ଜ୍ୱାଇଁ ,ତାଂକ ଅତିଥିଂକ ପାଇଁ ଦୁଇଟି ରୁମ୍,ପୁଅ ବୋହୁ ଓ ତାଂକ ଅତିଥିଂକ ପାଇଁ ଦୁଇଟି ରୁମ୍,ଶେଷରେ ସେମାନେ ଦୁଇଜଣ ,ସେମାନଂକ ଅତିଥି ଓ ନାତି ନାତୁଣୀଂମାନଂକ ପାଠ ପଢିବା ପାଇଁ ତିନିଟି ରୁମ୍ ଇତ୍ୟାଦି ଇତ୍ୟାଦି |ଏମିତି କଳ୍ପନାରାଜ୍ୟରେ ଭାସିଯିବାରେ ତାକୁ ଅସୀମ ଆନନ୍ଦ ମିଳେ |ସେ ସବୁବେଳେ ସେଇ ସ୍ୱପ୍ନ ହିଁ ଦେଖେ |ତାର ବିଶ୍ୱାସ ଥିଲା, ଦିନେ ନାଁ ଦିନେ ତାର ସ୍ୱପ୍ନ ସାକାର ହେବ |ତା ଝିଅ ଗୁଡି ବଡ ଓ ପୁଅ ସୋନୁ ସାନ ଥିଲା |
ପ୍ରିୟବ୍ରତ ଅବସର ନେବାପାଇଁ ଆଉ ପାଂଚବର୍ଷ ବାକିଥିବା ବେଳେ ଗୁଡି ର ବାହାଘର ହୋଇଗଲା |ଜ୍ୱାଇଁ ଦିଲ୍ଲୀରେ ଚାକିରୀ କରୁଥିଲେ |ବିବାହ ପରେ ଗୁଡି ଦିଲ୍ଲୀରେ ଥିବା ତାର ଶାଖା ଅଫିସକୁ ଟ୍ରାନ୍ସଫର ହୋଇ ଚାଲିଗଲା |ସୋନୁ କେରଳରେ ଚାକିରୀ ପାଇଲା |ଦୀପିକା ଏଥର ମନେ ମନେ ଶାନ୍ତିର ନିଶ୍ୱାସ ନେଲା |କିନ୍ତୁ ସେ ଶାନ୍ତି କ୍ଷଣସ୍ଥାୟୀ ଥିଲା |ଗୁଡି ଯେତେବେଳେ ଅନ୍ତଃସତ୍ଵା ହେଲା,ସେ ଚାହିଁଲା, ତାର ଯତ୍ନ ନେବାପାଇଁ ମା ଆସି ତା ପାଖରେ ରହୁ |ଦୀପିକା କହିଲା,ବାବା ତୋର ହଇରାଣ ହେବେ,ତୁ ବରଂ ଏଠିକି ଚାଲିଆସ ,ମୁଁ ଓ ବାବା ତୋର ସବୁପ୍ରକାର ଯତ୍ନ ନେବୁ |ପିଲାର ଏକୋଇଶିଆ ମଧ୍ୟ ଏଇଠି କରିବା,ଆମର ସାଂଗସାଥୀ,ବନ୍ଧୁବାନ୍ଧବ ସମସ୍ତେ ଆସିବେ |ଗୁଡି କହିଲା,ଏଇଠି ରହିଲେ,ମତେ ବହୁତ ମେଡିକାଲ ଫାସିଲିଟି ମିଳିବ,ଯେଉଁଟା ସେଇଠି ମିଳିବ ନାହିଁ |ସେ ବହୁତ ନେହୁରା ହୋଇ କହିଲା,ମା ତୁ ଯେମିତି ହେଲେ ମାସେ ଦୁଇମାସ ପାଇଁ ଆସେ |ତା କଥାରେ ତାଳ ଦେଇ ସମୁଦୀ ସମୁଦୁଣୀ କହିଲେ,ଆମର ବୟସ ହେଲାଣି,ଆମେ ସେସବୁ କାମ କରି ପାରିବୁନି,ଆପଣ ଚଳେଇ ନିଅନ୍ତୁ |ବାଧ୍ୟ ହୋଇ ପ୍ରିୟବ୍ରତ ଦୀପିକା କୁ କହିଲା,ମୁଁ କୌଣସି ପ୍ରକାରେ ମାନେଜ କରିନେବି,ତମେ ଯାଅ |ସେଇଆ ହେଲା |ଦୀପିକା ଝିଅ ପାଖରେ ରହୁ ରହୁ ଆଠମାସ ଉପରେ ରହିଗଲା |ନାତୁଣୀ ର ଅନ୍ନପ୍ରାସନ ବେଳକୁ ସମୁଦୀ ସମୁଦୁଣୀ ଆସିଲେ |ସେତେବେଳେ ଯାଇଁ ଦୀପିକା କୁ ଛୁଟି ମିଳିଲା |
ଦୁଇବର୍ଷ ପରେ ସୋନୁ ର ବାହାଘର ହେଲା |ବୋହୂ ସେଇ କେରଳର ଝିଅ |ସେ ବି ସେଇଠାରେ ଚାକିରୀ କରୁଥିଲା |ବୋହୂ ମିନୁ ଯେତେବେଳେ ଗର୍ଭବତୀ ହେଲା ,ଦୀପିକା ମନେ ମନେ ଭାବିଲା,ଭଲହେଲା ,ବୋହୂ ର ବାପଘର ସେଇଠି ,ପୁଅବୋହୂ ଆଉ ହଇରାଣ ହେବେନାହିଁ ,ଦରକାର ବେଳେ ସେମାନଂକ ଠାରୁ ସବୁ ସାହାଯ୍ୟ ପାଇବେ |କିନ୍ତୁ ସମୁଦୁଣୀ କହିଲେ,ମିନୁ ଆପଣଙ୍କ ବୋହୂ ହେବାପରେ ଆମ ଦାୟିତ୍ତ୍ଵ ସରି ଯାଇଛି |ଏଣିକି ଯାହା କରିବାର କଥା ଆପଣ କରିବେ |ପୂର୍ବଥର ପରି ଏଥର ମଧ୍ୟ ଦୀପିକା ଗଲା |ଭଲରେ ଭଲରେ ସବୁ କାମ ହୋଇଗଲା |ସେଠାରେ ରହୁ ରହୁ ବର୍ଷେ ପାଖାପାଖି ରହିଗଲା |ଯେତେବେଳେ ଫେରିବାକୁ ବାହାରିଲା,ସୋନୁ ଓ ମିନୁ ଛାଡିବାକୁ ଆଦୌ ରାଜି ହେଉ ନଥିଲେ |ସୋନୁ କହିଲା,ବାବା ରିଟାୟର୍ଡ କରିବା ପରେ ତମେ ଦୁଇଜଣ ଆସି ଆମ ପାଖରେ ରହିଯିବ |ଆମକୁ ଯେମିତି ତମର ପ୍ରୟୋଜନ,ତମକୁ ମଧ୍ୟ ସେମିତି ଆମର ପ୍ରୟୋଜନ |ଏକଥା ଗୁଡି ପାଖକୁ ଗଲା |ସେ କହିଲା,ସେମିତି ହୋଇ ପାରିବନି | ସୋନୁର ହେଲେ ଶାଶୁ ଶ୍ୱଶୁର ପାଖରେ ଅଛନ୍ତି,ମୋ ପାଖରେ କିଏ ଅଛି ?ଦୀପିକା କହିଲା,ବାବା ଆଗ ରିଟାୟାର୍ଡ ହୋଇ ସାରନ୍ତୁ,ସେକଥା ପରେ ଚିନ୍ତା କରିବା |
ଏତେଦିନ ନିଜ ହାତରେ ରୋଷେଇ କରି ଏବଂ ଅଫିସରେ ଅଧିକ ସମୟ ପର୍ଯ୍ୟନ୍ତ କାମ କରି ପ୍ରିୟବ୍ରତ ର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ବିଗିଡି ଯାଇଥିଲା |ସେଠାରେ ପହଂଚୁ ପହଂଚୁ ସେ ପ୍ରିୟବ୍ରତ ସେବାରେ ଲାଗିଗଲା |ଦୁଇ ମହଲା ଘର ବନେଇ ସେଥିରେ ସମ୍ପୂର୍ଣ୍ଣ ପରିବାର ରହିବାର ସ୍ୱପ୍ନ ଆଉ ତା ମନକୁ ଆସୁ ନଥିଲା |ଦଶହରା ଛୁଟିରେ ପ୍ରିୟବ୍ରତ ସହିତ ସେ ଗାଁକୁ ଗଲା |ଗାଁ ର ଘର ,ବାଡିବଗିଚା ,ଆଦି ଦେଖି ତାର ଶାଶୁ ଶ୍ଵଶୁରଙ୍କ କଥା ବହୁତ ମନେ ପଡିଲା ଓ ପଛ ଦିନର କଥା ତା ମନରେ ଜୀବନ୍ତ ହୋଇ ଭାସିଉଠିଲା |ତା ପରି ସେମାନେ ମଧ୍ୟ ଚାହିଁଥିଲେ ,ପିଲାମାନେ ତାଙ୍କ ସହିତ ଏକାଠି ରୁହନ୍ତୁ |କିନ୍ତୁ କାହାରି ସ୍ୱପ୍ନ ସତ ହେଲାନାହିଁ|ସବୁ ସମୟର କଥା |ସେ ଭାବୁଥିଲା,ଏକ ସମୟରେ ଆଜ୍ଞାକାରିଣୀ ଓ ସେବାକାରିଣୀ ବୋହୂ ସମସ୍ତଙ୍କର କାମ୍ୟ ଥିଲା |ଏବେ ଘରର ସୁଖ ଶାନ୍ତି ପାଇଁ ଲୋଡ଼ା ଆଜ୍ଞାକାରିଣୀ ଓ ସେବାକାରିଣୀ ଶାଶୁ |ସମୟ ସତରେ ବଦଳି ଯାଇଛି |ମମତା ମହାନ୍ତି |