Saturday, December 31, 2016

ସି .ପି .

                                     ସି.ପି.,ପୁରା ନାମ ଚନ୍ଦନ ପରିଡା |  ଚନ୍ଦନ  ଥିଲା ତାର ପିତାମାତାଂକ କନିଷ୍ଠ  ସନ୍ତାନ |ତିନି   ଭଉଣୀ ଓ ଦୁଇ ଭାଇଂକ ପରେ ତାର ଜନ୍ମ |କୁବେରଂକ ବଡଭାଇଂକ ବଡଝିଅ ମାନସୀ  ବିବାହର ଚଉଦ ବର୍ଷ ପର୍ଯ୍ୟନ୍ତ ନିଃସନ୍ତାନ ଥିଲା |ଜ୍ୟୋତିଷଙ୍କ ପରାମର୍ଶ ଅନୁଯାୟୀ, ପିଲା ଟିଏ କୋଳକୁ ନେଲେ ତାର ନିଜର ସନ୍ତାନ ହେବ,ଏଇ ଆଶାରେ ସେ ଚନ୍ଦନ କୁ ପୋଷ୍ୟପୁତ୍ର କରିବା ପାଇଁ ଦାଦା କୁବେରଂକୁ ଅନେକ ଅନୁରୋଧ କରିଥିଲା |ତାର ଅନୁରୋଧକୁ ଏଡାଇ ନ ପାରି ବାଧ୍ୟ ହୋଇ କୁବେର ହଁ ଭରିଥିଲେ ଯଦିଓ ସ୍ତ୍ରୀ ଲତାଂକର ଏଥିରେ ଆଦୌ ସମ୍ମତି ନ ଥିଲା |
                                     ପିଲାଦିନେ ଚନ୍ଦନ ଗୁଲୁଗୁଲିଆ ହୋଇ ତା ମାଆ ପରି ଭାରି ସୁନ୍ଦର ଥିଲା |ତାକୁ ଚାରିମାସ ହେଉ ହେଉ ସେ ହୁଁ ହାଁ କରି ,ମନଲୋଭା ହସ ହସି ସମସ୍ତଂକ ଦୃଷ୍ଟି ଆକର୍ଷଣ କରୁଥିଲା |ମାନସୀ ଭାବିଥିଲା,ସେ ମାଆ କ୍ଷୀର ଛାଡିବା ପରେ ତାକୁ ନେଇଯିବ,କିନ୍ତୁ ଏତେଦିନ ଅପେକ୍ଷା କରିବା ପାଇଁ ତାର ଆଉ ଧୈର୍ଯ୍ୟ ରହିଲା ନାହିଁ |ଶେଷରେ ଦଶହରା ଛୁଟିରେ ଚନ୍ଦନକୁ ନେବା କଥା ଚୂଡାନ୍ତ ହେଲା |ମାନସୀ ଯେଉଁଦିନ ଚନ୍ଦନ କୁ ଆଣିବାକୁ ଗଲା ,ସେଦିନ ଚନ୍ଦନ ଦେହରେ ଖଇଫୁଟା ତାତି |ଜ୍ୱର  ଟିକେ କମିଲେ ତାକୁ ଆଣିବ ବୋଲି ମାନସୀ ସେଦିନ ସେଠାରେ ରହିଗଲା |କିନ୍ତୁ ଜ୍ୱର  କମିବା ପରିବର୍ତ୍ତେ ବଢ଼ିବାକୁ ଲାଗିଲା |ଶେଷରେ ଚନ୍ଦନ କୁ ହସ୍ପିଟାଲ ରେ ଆଡମିସନ କରାଗଲା |ସେଠାରେ କିଛିଦିନ ରହିବା ପରେ ତାର ଦେହ ଭଲ ହେଲା |ସେଥରକ ମାନସୀ ଆଉ ତାକୁ ଆଣି ପାରିଲା ନାହିଁ |ଏମିତି ଯେତେଥର ମାନସୀ ଚନ୍ଦନ କୁ ଆଣିବାକୁ ମନସ୍ଥ କରେ ସେତେଥର  ଅଜଣା ବେମାରି କେଉଁଠି ଥାଏ କେଜାଣି ,ତାକୁ ଆସି ମାଡିବସେ |ଏମିତି ବାରମ୍ବାର ଅସୁସ୍ଥତା ର ଶୀକାର ହୋଇ ଚନ୍ଦନ ଦୁର୍ବଳ ହୋଇଗଲା ,ତାର ଗୋରା ଦେହ କଳା ପଡିଗଲା ଓ ତାର ଚଳପ୍ରଚଳ ଶକ୍ତି ମନ୍ଥର ହୋଇଗଲା |ବାରମ୍ବାର ଏପରି ଘଟିବାରୁ ଲତାଂକ ମନର ନିଭୃତ କୋଣରେ କେଉଁଠି ନାଁ କେଉଁଠି ବିଶ୍ୱାସ  ଜନ୍ମିଲା ଯେ ପୁଅକୁ ପୋଷ୍ୟପୁତ୍ର କରି ଦେବାରୁ ଏସବୁ ଘଟୁଛି |ସେ ମନେ ମନେ ସ୍ଥିର କଲେ ଏଥର ମାନସୀ ଆସିଲେ ତାକୁ ସଫା ସଫା ମନା କରିଦେବେ |କିନ୍ତୁ ସେପରି କିଛି ଘଟିବା ଆଗରୁ ମାନସୀ ଖୁସି ଖବର ଦେଲା ,ସେ ମାଆ ହେବାକୁ ଯାଉଛି |ଏ ଖବର ଶୁଣି ଲତାଂକ ମନରେ ଥିବା ସନ୍ଦେହ ଆହୁରି ଦୃଢ଼ୀଭୁତ ହୋଇଗଲା |କେହି ମାନୁ ବା ନମାନୁ ତାଂକର ଦୃଢ଼ଧାରଣା ହେଲା ,ମାନସୀ ଚନ୍ଦନ କୁ ପୋଷ୍ୟପୁତ୍ର  କରିବାରୁ   ତାର ସବୁ ଗ୍ରହ ଦୋଷ କଟିଗଲା ଓ ସେ ସେଥିପାଇଁ ଏତେ ବର୍ଷ ପରେ ଗର୍ଭଧାରଣ କଲା |ଏକଥା ବି ତାଙ୍କ ମନକୁ ଆସିଲା ଯେ ମାନସୀର  ସବୁ ଗ୍ରହ ଦୋଷ ଚନ୍ଦନ ଉପରକୁ ଚାଲିଗଲା |                                        ଚନ୍ଦନ ସବୁ ଭାଇଭଉଣୀଂକ ଠାରୁ ସବୁ କ୍ଷେତ୍ରରେ ଭିନ୍ନ ଥିଲା |ଅନ୍ୟ ଭାଇଭଉଣୀ ମାନେ ସୁନ୍ଦର,ସୁସ୍ଥସବଳ ,ପାଠରେ ତେଜ ଥିବାବେଳେ ଚନ୍ଦନ ରୁଗ୍ଣ ,କ୍ଷୀଣକାୟ,ପାଠ ଘରେ ଶୂନ୍ୟ ଥିଲା |କୁବେରଂକ ଅନେକ ଚେଷ୍ଟା ସତ୍ତ୍ୱେ  ସେ ଅଷ୍ଟମ ଶ୍ରେଣୀ ଟପି ଆଗକୁ ଯାଇ ପାରିଲା ନାହିଁ |କିନ୍ତୁ ସେ ବହୁତ ଆଜ୍ଞାକାରୀ ଥିଲା |ହାଟରୁ ପରିବାପତ୍ର  ଆଣିବା ହେଉ ବା  ବଜାର ରୁ ନିତ୍ୟ ଦରକାରୀ ଜିନିଷ ଆଣିବା ହେଉ ,ସମସ୍ତ ଦାୟିତ୍ତ୍ୱ  ତା ଉପରେ ନ୍ୟସ୍ତ ଥିଲା |ପ୍ରଥମେ ପ୍ରଥମେ ଏ ସବୁ କାମ ସେ ଖୁସି ମନରେ କରୁଥିଲା,କ୍ରମେ ଏହା ତା କର୍ତ୍ତବ୍ୟରେ ପରିଣତ ହୋଇଗଲା |ସମସ୍ତେ ଭାବୁଥିଲେ ,ଘରେ ତାର କିଛି କାମ ନାହିଁ,ଖାଲିଟାରେ ବସି ବସି ଖାଉଛି,ସେ ଏ କାମ ନ କରିବ କାହିଁକି ?ଲତା କିନ୍ତୁ ସବୁବେଳେ ଚନ୍ଦନ କଥା ଭାବି ସନ୍ତାପି ହୁଅନ୍ତି ,ମନେ ମନେ ମାନସୀ କୁ ଅନେକ ଅଭିଶାପ ଦିଅନ୍ତି |ନିଜର ସ୍ୱାର୍ଥ  ପାଇଁ ସେ ମୋ ପୁଅ ଜୀବନକୁ ନଷ୍ଟ କଲା ବୋଲି ଭାବନ୍ତି | ବେଳେବେଳେ ସେ ଚନ୍ଦନକୁ ଏତେ କାମ ନ କରିବାକୁ ପରାମର୍ଶ ଦିଅନ୍ତି |କିନ୍ତୁ ଚନ୍ଦନ କହେ ,ବୋଉ ,ମୁଁ ତ ପାଠ ପଢିଲିନି,ବେକାର ହୋଇ ଘରେ ବସିଲି |ମତେ କିଏ ମାଗଣାରେ ବସେଇ ଖାଇବାକୁ ଦେବ?ସକାଳୁ ସଂଜ ପର୍ଯ୍ୟନ୍ତ ସମସ୍ତଂକ ବୋଲ ମାନି ମାନି ତା ବେଳ ଯାଏ |ସେଥିରେ ପୁଣି ବର୍ଷକ ବାର ମାସରେ ତାର ନାନା ଓଷା ବ୍ରତ |ସେ ହନୁମାନଂକର ଭକ୍ତ ଥିବାରୁ ପ୍ରତି ମଂଗଳବାର ଦିନ ସନ୍ଧ୍ୟା ପର୍ଯ୍ୟନ୍ତ କିଛି ଖାଏନି |ସନ୍ଧ୍ୟା ପରେ ସାମାନ୍ୟ କିଛି ଜଳଖିଆ ଖାଏ |ଲତା ତାକୁ ବୁଝାନ୍ତି,ଅଧିକ ଶାରୀରିକ ପରିଶ୍ରମ କରିବା ଲୋକ ଉପବାସ ରହିବା ଭଲ ନୁହେଁ,କିନ୍ତୁ ସେ ବା କାହିଁକି ତାଂକ କଥା କାନରେ ପୁରାଇବ !ଓଲଟି କହେ ପୁର୍ବଜନ୍ମର ପାପ ଯୋଗୁଁ ଏ ଜନ୍ମରେ ମୂର୍ଖ ହେଲି |ଏ ଜନ୍ମରେ କିଛି ସମୟ ଠାକୁରଂକ ପାଇଁ ଦେବି , ତାଂକ ଆଶୀର୍ବାଦ ମିଳିଲେ କିଛି କିଛି ପାପ କାଳେ କ୍ଷୟ ହୋଇଯିବ !
               ପ୍ରତିବର୍ଷ  ରାକ୍ଷୀପୂର୍ଣ୍ଣିମା  ସେମାନେ ମହାଆଡମ୍ବରରେ ପାଳନ କରନ୍ତି |ତିନି  ଭଉଣୀ ତିନି ଭାଇଂକ ହାତରେ ରାକ୍ଷୀ ବାନ୍ଧି ସେମାନଂକ ଠାରୁ ଉପଢୌକନ ନିଅନ୍ତି |ଚନ୍ଦନ ସମସ୍ତଂକୁ ଗୋଟିଏ ଗୋଟିଏ ଚକଲେଟ ଦେଇ କହେ,ଏତିକି ନେଇ ଖୁସି ହୁଅ,ମତେ ଆଶୀର୍ବାଦ ଦିଅ |ସେଇ ରାକ୍ଷୀ ପିନ୍ଧାରେ ମଧ୍ୟ ପାତରଅନ୍ତର ଥାଏ | ଅନ୍ୟ ଭାଇ ମାନଂକ  ହାତରେ  ବାନ୍ଧି ଥିବା ରାକ୍ଷୀ ର ମାନ ଉନ୍ନତ ଥିବାବେଳେ ଚନ୍ଦନ ହାତ ର ରାକ୍ଷୀ ନିମ୍ନମାନ ର ଥାଏ |ଚନ୍ଦନ ସବୁ ବୁଝେ ,କିନ୍ତୁ ପ୍ରତିବାଦ କରେନାହିଁ |ବରଂ ମାସେ ପର୍ଯ୍ୟନ୍ତ ସେ ରାକ୍ଷୀ ତା ହାତରେ ଥାଏ |ତାପରେ ଠାକୁରଂକ ପିଢାରେ ତାକୁ ଯତ୍ନରେ ରଖିଦିଏ |ମନେ ମନେ ଭାବେ, ସ୍ନେହର ଉପହାର ଭଗବାନଂକ ଆଶୀର୍ବାଦ ଭାବି ସାଇତି ରଖିବା ଉଚିତ |
                          ସମୟ ଗଡି ଚାଲିଲା |ଚନ୍ଦନର ସବୁ ଭାଇ ଭଉଣୀ ଉଚ୍ଚଶିକ୍ଷା ଲାଭ କରି ଚାକିରୀ କଲେ ଓ ବାହା ହେଲେ |କୁବେର ଚାକିରୀରୁ ଅବସର ଗ୍ରହଣ କଲେ |କିନ୍ତୁ ଚନ୍ଦନର ଡ୍ୟୁଟି ବନ୍ଦ ହେଲାନାହିଁ ,ସେ ସେମିତି ସମସ୍ତଂକ ବୋଲକରା ହୋଇ ରହିଗଲା |କୁବେରଂକ ପ୍ରଥମ,ବଡ଼ ପୁଅ ରାଜ୍ୟ ବାହାରେ ଚାକିରୀ କରି ନିଜ ପରିବାର ସହ ରହୁଥିବାବେଳେ ସେମାନେ ସମସ୍ତେ ଦ୍ୱିତୀୟ ପୁଅ  ଓ ତାର ପିଲାମାନଂକ ସହ ତାର ନିଜ ଘର ଭୁବନେଶ୍ୱରରେ  ରହୁଥିଲେ |ପିଲାମାନଂକ ପାଇଁ କୁବେର ଅନେକ ଧାର ଉଧାରରେ ବୁଡି ଯାଇଥିଲେ |ତେଣୁ ନିଜପାଇଁ ସେ ଘରଟିଏ କରିପାରି ନଥିଲେ |ଦ୍ୱିତୀୟ ପୁଅ  ଘର କିଣି ନଥିଲେ ସେମାନେ ସାରାଜୀବନ ଭଡାଘରେ ରହିଥାନ୍ତେ |ଗାଁରେ ଅଳ୍ପ ଜମିବାଡି ଅଛି,କିନ୍ତୁ ସାନଭାଇ ତାର ପିଲାମାନଂକ ସହ ଦୁଃଖେ କଷ୍ଟେ ସେଠାରେ ରହୁଛି |ନିଜର ଭାଗ ଦାବି କରି ତା ମୁହଁରୁ ଦାନାପାଣି ଛଡାଇ ଆଣିବାର ପାପ ସେ ମୁଣ୍ଡେଇ  ପାରିବେ ନାହିଁ |ହେଲେ ନିଜେ ଘର କରିପାରି ନ ଥିବାରୁ ତାଂକ ମନରେ ସବୁଦିନ ପାଇଁ ଅବଶୋଷ ରହିଗଲା |ଲତା କହନ୍ତି,ନିଜଘରେ ରହିଥାନ୍ତୁ ଏବେ ଆମ ପୁଅ ଘରେ ଅଛୁ,ଫରକ କଣ ?କୁବେର କହନ୍ତି,ଫରକ ଆମପାଇଁ ନୁହେଁ ,ଚନ୍ଦନ ପାଇଁ |ସେକଥା ପରେ ତମେ ବୁଝିବ |
                    ଦ୍ୱିତୀୟ ପୁଅ  ଅନୁଜ ଓ ଗୀତାଂକ ଗୋଟିଏ ପୁଅ ,ମୁନା |ଦିନେ ସେ ଲତାଂକ ପାଖକୁ ଆସି କହିଲା,ଜେଜେମା ,ସି.ପି.କୁଆଡେ ଗଲେ ?ମମି ଖୋଜୁଛନ୍ତି |ଲତା ପଚାରିଲେ ସି.ପି.କିଏ ?ମୁନା ତା ସ୍ୱରକୁ  ନିମ୍ନ କରି କହିଲା,ସି.ପି.ମାନେ ଚାକର ପିଲା  |ନାଁ ନାଁ ଭୁଲ କହିଲି |ସି.ପି.ମାନେ ଚନ୍ଦନ ପରିଡା |ସେ ସଂଗେ ସଂଗେ ନିଜ ଭ୍ରମ ସଂଶୋଧନ କରି କହିଲା |ଲତାଂକ ମୁଣ୍ଡ ଘୁରିଗଲା |ସେ ତାକୁ ମାରିବା ପାଇଁ ହାତ ଉଠାଇ ପରମୁହୂର୍ତ୍ତରେ ନିଜକୁ ସମ୍ଭାଳି ନେଲେ |ଭାବିଲେ ଏଥିରେ ମୁନାର ବା ଦୋଷ କଣ !କିନ୍ତୁ ନିଜ ପୁଅ ବୋହୂଂକ ଦୃଷ୍ଟିରେ ଚନ୍ଦନର ପରିଚୟ କଣ ସେକଥା ସେ ସେଦିନ ଜାଣିଲେ |ଦୁଃଖ ଅନୁଶୋଚନାରେ ତାଂକ ଅନ୍ତର ଜଳିଗଲା |ସେହିଦିନ ସେ କୁବେରଂକୁ କହିଲେ,ଚନ୍ଦନର କିଛି ରୋଜଗାର ପନ୍ଥା ନାହିଁ ,ଆମ ଅନ୍ତେ ତା ଅବସ୍ଥା କଣ ହେବ କେବେ ଚିନ୍ତା କରିଛ ?କୁବେର କହିଲେ ତମେ କଣ ଭାବୁଚ ମୁଁ ଭାବୁନି ବୋଲି ?ଲତା କହିଲେ,ତାହାଲେ ମତେ କୁହ ତମ ଭାବନା କେବେ ଶେଷ ହେବ ?ଏବେ ତ ତାକୁ ଚାକର ପିଲା କହିଲେଣି |ଆଉ କିଛିଦିନ ପରେ ଗୋଇଠା ମାରିବେ |କୁବେର କହିଲେ,ଓଃ ହୋ |ଛୋଟ ପିଲା କଥା ଶୁଣି  ତମେ ଆଉ ଏମିତି ହୁଅନା |ମୁଁ ସେ ବିଷୟରେ ଚିନ୍ତା କରିଛି ,ମତେ ଆଉ ସପ୍ତାହେ ସମୟ ଦିଅ |ଅନୁଜ ର ଘର କଡରେ ଦୋକାନଘର ପାଇଁ ଛୋଟିଆ ଜାଗା ଥିଲା |ସେଠାରେ ଚନ୍ଦନ ପାଇଁ ଡାଲି ଚାଉଳ ଦୋକାନ ଖୋଲିବା ପାଇଁ ସେ ମନେ ମନେ ଭାବିଥିଲେ |ଅନୁଜକୁ ଏକଥା ପଚାରିବାରୁ ସେ ଖୁସିରେ ରାଜି ହୋଇଗଲା |ମାସେ ଭିତରେ ସବୁ ଆୟୋଜନ ହୋଇଗଲା |ଶୁଭ ମୁହୂର୍ତ୍ତ ରେ ନନା ଆସି ପୂଜାପାଠ କଲେ |ଏଥିରେ ପରିବାରର ସମସ୍ତ ସଦସ୍ୟ ଖୁସି ଥିଲେ,ସବୁଠାରୁ ବେଶି ଖୁସି ଥିଲା ଚନ୍ଦନ |ଦୋକାନ ଖୁବ୍ ଭଲ ଚାଲିଲା |ସବୁବେଳେ ଦୋକାନରେ ଗହଳି ଲାଗି ରହିଲା |ଚନ୍ଦନ କେବେହେଲେ କୌଣସି ଗରାଖଂକୁ ଜିନିଷ ନାହିଁ କହି ଫେରାଇ ଦେଉ ନଥିଲା |ବରଂ କହୁଥିଲା ଜିନିଷ ସରି ଯାଇଛି,ଏତିକିବେଳେ ଆସନ୍ତୁ ,ନେଇଯିବେ |ଯିଏ ଯାହା କହୁଥିଲେ ,ତାର ଗୋଟିଏ ଲିଷ୍ଟ ବନାଇ ସେ  ଦୋକାନ ବନ୍ଦ କରିବାପରେ ସର୍ବପ୍ରଥମେ ତାହାକୁ ଆଣି ତାପରେ ଅନ୍ୟ କିଛି କାମ କରୁଥିଲା |ଏଥିରେ ଗ୍ରାହକମାନେ ତା ଉପରେ ବହୁତ ଖୁସି ଥିଲେ |ଚନ୍ଦନ ସ୍ୱାଧୀନ  ଭାବରେ ସଫଳତାର ସହ  କିଛି କରୁଥିବାରୁ ଲତା ଓ କୁବେର ଆନନ୍ଦିତ ଥିଲେ |କିନ୍ତୁ ସେମାନଂକ ଏହି ଆନନ୍ଦ ବେଶିଦିନ ରହିଲା ନାହିଁ |ଚନ୍ଦନ ଘରର ସବୁକାମ କରୁଥିଲା |ସେ ଦୋକାନରେ ଅଧିକାଂଶ ସମୟ ରହିବାରୁ ତା କାମ କିଏ କରିବ ସେଥିପାଇଁ ଯୁକ୍ତିତର୍କ ଆରମ୍ଭ ହେଲା |ଚନ୍ଦନ ଏପରି ଗୋଟିଏ ଜିଅନ୍ତା ମେସିନ ପାଲଟି ଯାଇଥିଲା ଯେ ମୁହଁରୁ କଥା ବାହାରିବା କ୍ଷଣି ସେ କାମ ସଂଗେ ସଂଗେ ହୋଇ ଯାଉଥିଲା |ଦୋକାନକୁ ପ୍ରଥମେ ସ୍ୱାଗତ  କରିଥିବା ଗୀତା ପ୍ରଥମେ ଏହା ବିରୁଦ୍ଧରେ  ସ୍ବର ଉଠାଇଲା |ତାର ଅଭିଯୋଗ ଥିଲା ,ମୁନାକୁ କିଏ ସ୍କୁଲରୁ ନେବା ଆଣିବା କରିବ,ଲଣ୍ଡ୍ରି ରେ ଲୁଗା କିଏ ଦେବ ,କପଡା ଆଇରନ୍ କରିବାକୁ କିଏ ନେବ,ଘରେ ପ୍ରତିଦିନ ଦରକାର ହେଉଥିବା ଜିନିଷ କିଏ  ଦୋକାନରୁ ଆଣିବ ?ଏମିତି ଅନେକ ଜିନିଷର ଲମ୍ବା ତାଲିକା ସେ ବନେଇ ଦେଲା |କୁବେର ଏଥର ମୁହଁ ଖୋଲିଲେ |କହିଲେ ଏଥର ନିଜ କାମ ନିଜେ କରିବାକୁ ଚେଷ୍ଟା କର |ତମମାନଂକ କାମ ସବୁଦିନ କରିବାପାଇଁ ସେ ଆଗ୍ରିମେଣ୍ଟ କରିନି |କିନ୍ତୁ ଦୀର୍ଘଦିନ ଧରି ଚନ୍ଦନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇ ଆସିଥିବାର ଅଭ୍ୟାସ ହଠାତ ଛାଡିବା ସମସ୍ତଂକ ପାଇଁ କଷ୍ଟକର ହୋଇପଡିଲା |ଏଣେ ଦୋକାନର ସବୁ ଜିନିଷ ଆସି ଘରେ ଖର୍ଚ୍ଚ ହେଲା  |ଝିଅମାନେ ବାପଘରକୁ ବୁଲି ଆସିଲେ ,ତାଂକର ଦୋକାନରୁ ଯାହା କିଣିବାର ଥାଏ ,ସବୁ ଚନ୍ଦନ ଦୋକାନରୁ ନେଇ ଯାଆନ୍ତି |ଭଉଣୀମାନଂକ ଠାରୁ ଚନ୍ଦନ ଜିନିଷର ଦାମ ନିଏନା |ଏମିତି ହେବାରୁ ଲାଭ ହେବା ଦୂରର କଥା,ମୂଳଧନ ବୁଡିଗଲା |କୁବେର ହାର ମାନିବା ଲୋକ ନଥିଲେ |ଚନ୍ଦନର ଉତ୍ସାହ ଦେଖି ଓ ତାର ଭବିଷ୍ୟତକୁ ଦୃଷ୍ଟିରେ ରଖି ସେ ମଝିରେ ମଝିରେ ନିଜ ହାତରୁ ଟଂକା ଖର୍ଚ୍ଚ କରି ଗ୍ରାହକଂକ ଚାହିଦା ମୁତାବକ ଦୋକାନରେ ସବୁ ଜିନିଷ ଭରି ଦେଉଥିଲେ |ଚନ୍ଦନ ବୁଝେ , ସେ ଦୋକାନରେ ବସିବାରୁ ଭାଉଜ  ହଇରାଣ ହେଉଛନ୍ତି |ତେଣୁ ସେ ସମୟ ବାହାର କରି ଭାଉଜ ଦେଇଥିବା ଲିଷ୍ଟ ମୁତାବକ କାମ କରେ |
                      ରାକ୍ଷୀପୂର୍ଣ୍ଣିମା ଆଉ ଦିନେ ଥାଏ |ସେଦିନ ଦୋକାନରେ ବହୁତ ରାକ୍ଷୀ ବିକ୍ରୀ ହେଲା |ଦୋକାନ ବନ୍ଦ କରି ଘରକୁ ଆସିବା ବେଳକୁ ରାତି ଦଶଟା |ଅନୁଜ ଘରକୁ ଆସିଥାଏ |ସେଦିନ ସମସ୍ତେ ବେଳାବେଳି ଖାଇଦେଇ ଥିଲେ |ଏକୁଟିଆ ଲତା ଚନ୍ଦନ ସାଂଗେ ଖାଇବେ ବୋଲି ଅପେକ୍ଷା କରିଥିଲେ |ଖାଇବା ବାଢିବା ପାଇଁ ରୋଷେଇଘରକୁ ଯାଇ ଦେଖିଲେ ଦୁଇପଟ ରୁଟି ଓ ଅଳ୍ପ ତରକାରି ଅଛି |ଏମିତି କେବେ ହୁଏନା |ଚନ୍ଦନ ଜାଣିଲେ ଖାଇବାକୁ ମନା କରିବ |ତେଣୁ ସେ ତରତର ହୋଇ ଆଉ ଦୁଇଟି ରୁଟି ବନେଇ ଦେଲେ |ଦୁହେଁ ଏକାଠି କ୍ଷୀର ,ରୁଟି ଓ ତରକାରି ଖାଇଲେ |ଖାଇବାବେଳେ ଚନ୍ଦନ କହିଲା,ମୋ ପାଇଁ ଭାଉଜ ରୁଟି ତରକାରି ରଖିବାକୁ ଭୁଲି ଯାଇଥିଲେ ନାଁ ?ଲତା କହିଲେ,ନାଁ ତ,ତୁ ସେମିତି କାହିଁକି ଭାବୁଛୁ ?ଚନ୍ଦନ କହିଲା,ମୁଁ ସବୁ ଜାଣେ ବୋଉ |ଏମାନେ ମତେ କେହି ଭଲପାଆନ୍ତି ନାହିଁ |ମୁଁ ସମସ୍ତଂକ ଉପରେ ଗୋଟେ ବୋଝ |ତୁ ଦେଖୁନୁ  ମୋ ଚେହେରା,ପାଠ କାହାରି ସାଂଗେ ମିଶୁନି |ଖାଲି ବୋଲହାକ କରୁଛି ବୋଲି ମତେ ପାଖରେ ରଖିଛନ୍ତି,ନହେଲେ କେବେଠୁ ଘରୁ ବାହାର କରି ସାରନ୍ତେଣି |ଚନ୍ଦନ ଏମିତି ଓଜନିଆ କଥା କେବେ କହେନା |ଲତା ଆଶ୍ଚର୍ଯ୍ୟ ହୋଇ ତା କଥା ଶୁଣୁଥିଲେ |କହିଲେ ,ବାପା,ଏମିତି କାହିଁକି କହୁଛୁ ?ତୋ ଦେହ ଭଲନାହିଁ ?ଚନ୍ଦନ କହିଲା,ଆଜିକୁ ସପ୍ତାହେ ହେଲାଣି ଜ୍ୱର  ଆସୁଛି,ଯାଉଛି |ତୁ ଅଛୁ ବୋଲି ଖାଇବାକୁ ଗଣ୍ଡେ ମିଳୁଛି,ତୋ ଅନ୍ତେ ସେତିକି ବି ମିଳିବନି |ସେଦିନ ଲତା ଗୁମୁରି ଗୁମୁରି ଅନେକ କାନ୍ଦିଲେ  |ସକାଳ ହେଲେ ପୁଅକୁ ଭଲ ଡାକ୍ତରଂକ ପାଖକୁ ନେବେ,ଏହା ଭାବି ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କଲେ |
                      ସକାଳେ ଉଠିବା ବେଳକୁ ଦେଖିଲେ ତାଂକ ପୂର୍ବରୁ ଚନ୍ଦନ ଉଠି ,ଗାଧୋଇ,ଠାକୁର ପୂଜା ଶେଷକରି କୁଆଡେ ଯିବାକୁ ବାହାରିଛି |ଲତା କହିଲେ,ତୋ ଦେହ ଭଲନାହିଁ,ତୁ ଏତେ ସକାଳୁ ଗାଧୋଇ କୁଆଡେ ବାହାରିଛୁ ?ଚନ୍ଦନ କହିଲା,ସୋନିଅପା ଆଜି ରାକ୍ଷୀ ବାନ୍ଧିବାକୁ ଆସି ପାରିବନି,ମତେ କହିଛି ତା ଘରୁ ରାକ୍ଷୀ ନେଇଯିବା ପାଇଁ |ଆଜି ମଂଗଳବାର |ମୁଁ ମନ୍ଦିରକୁ ଯାଇ ତାପରେ ଅପା ଘରକୁ ଯିବି |ସଂଗେ ସଂଗେ ସାଇକେଲ ନେଇ ସେ ଚାଲିଗଲା |ସୋନି ତାପାଇଁ ଅପେକ୍ଷା କରିଥିଲା |ସେ ପହଂଚିବାକ୍ଷଣି ତା ହାତକୁ ରାକ୍ଷୀ ଓ ମିଠା ପ୍ୟାକେଟ ବଢାଇଦେଇ କହିଲା,ମୁଁ ଏବେ ବ୍ୟସ୍ତ ଅଛି,ଆସିଲେ ପରେ କଥା ହେବା  |ଅପା ତା ହାତରେ ରାକ୍ଷୀ ବାନ୍ଧିବାକୁ ଆସିବ ଭାବି ଚନ୍ଦନ ସୋଫାରେ ବସି ଅପେକ୍ଷା କଲା |କେତେ ସମୟ ପରେ ସୋନି ଆସି ଦେଖିଲା,ଚନ୍ଦନ ଯାଇନି |ସେ ପଚାରିଲା,ଆରେ ତୁ ଏ ପର୍ଯ୍ୟନ୍ତ ଯାଇନୁ ?ଚନ୍ଦନ ପଚାରିଲା,ମୋ ରାକ୍ଷୀ  ମତେ ବାନ୍ଧି ଦେ |ତା କଥା ଶୁଣି ସୋନି ଜିଭ କାମୁଡି କହିଲା,ତୋ ରାକ୍ଷୀ କଥା ମୁଁ ଭୁଲି ଯାଇଛି,ଟିକିଏ ଅପେକ୍ଷା କର,ମୁଁ ସାଙ୍ଗେ ସାଙ୍ଗେ ଆଣୁଛି  |ଅପା କଥା ଶୁଣି ଚନ୍ଦନର ମନ ଦୁଃଖ ଓ ଅଭିମାନରେ ଭରିଗଲା ଓ ସେ ସୋନି ଆସିବା ପୂର୍ବରୁ ସେ ସ୍ଥାନ ପରିତ୍ୟାଗ କରି ଚାଲିଗଲା  | ଘରକୁ ଫେରି  ଅନୁଜକୁ ରାକ୍ଷୀ ଓ ମିଠା ପ୍ୟାକେଟ ଦେଇ ଚୁପଚାପ ଆସି ବିଛଣାରେ ଶୋଇ ପଡିଲା |ଅବେଳରେ ଶୋଇ ଥିବାର ଦେଖି ଲତା ତା ଦେହରେ ହାତ ମାରି ଦେଖିଲେ,ତାକୁ ଭୀଷଣ ଜ୍ୱର  |ଲତା ବ୍ୟସ୍ତ ହୋଇ କୁବେରଂକୁ କହିଲେ,ଚନ୍ଦନକୁ ଭୀଷଣ ଜ୍ୱର  |ତମେ ଅଟୋ ଡାକ |ସାଂଗେ ସାଂଗେ ଡାକ୍ତରଖାନା ନେବା |କୁବେର କଣ କହି ଆସୁଥିଲେ,କିନ୍ତୁ ଲତାଂକ ମୁଁହ ଦେଖି ନୀରବ ହୋଇଗଲେ |ଦୁହେଁ ଚନ୍ଦନକୁ ଡାକ୍ତରଖାନା ନେଇଗଲେ |ଡାକ୍ତର ପରୀକ୍ଷା କରି କହିଲେ,ବ୍ରେନ୍ ମ୍ୟାଲେରିଆ,ବଂଚିବାର ଆଶା କ୍ଷୀଣ |ସେହିଦିନ ରାତି ଗୋଟାଏ ରେ ଚନ୍ଦନର ଶରୀର ସବୁଦିନ ପାଇଁ ବିଶ୍ରାମ ନେଇଗଲା |ଚନ୍ଦନ ଭାଷାରେ ,ଏକ ଅଭଶପ୍ତ ଜୀବନର ଅନ୍ତ ହୋଇଗଲା !!!ମମତା ମହାନ୍ତି |