Sunday, June 26, 2016

ମୁଁ ଏତେ ଖରାପ ନୁହେଁ

            ଅଜିତ କହିଥିଲା  ସେ  ଯେବେ  ବାହା ହେବ  ବୋଉ ର  ପସନ୍ଦ ରେ  ବାହା ହେବ  ଓ ଝିଅ ଦେଖିବାକୁ   ଯିବ ନାହିଁ  |ଶେଷ ପର୍ଯ୍ୟନ୍ତ  ତା  କଥା  କାଏମ୍ ରହିଲା |ଆଭା  ଶହେ ରୁ ଉର୍ଦ୍ଧ୍ୱ ଝିଅ ଦେଖି  ଦେଖି  ଶେଷରେ  ନିଜର ଏକମାତ୍ର  ରୋଜଗାରିଆ  ପୁଅ  ପାଇଁ ସୁନ୍ଦରୀ ,ଶିକ୍ଷିତା  ଝିଅ ଟିଏ  ଖୋଜି  ଆଣିଲେ |ତାଂକ  ପସନ୍ଦରେ  ସେ  ଖୁସି  |ପୁଅ ,ସ୍ୱାମୀ ,
ବନ୍ଧୁବାନ୍ଧବ  ଇତ୍ୟାଦି  ସମସ୍ତେ ଖୁସି |ଆନନ୍ଦ ରେ  ତାଂକ  ଗୋଡ ତଳେ  ଲାଗୁ ନଥାଏ |ବୋହୂ ର  କଥାବାର୍ତ୍ତା, ଚାଲି ଚଳଣ,
ସବୁକିଛି  ତାଂକୁ ଭାରି ଭଲ  ଲାଗୁଥିଲା  |କିଛିମାସ  ବହୁତ  ଭଲରେ  କଟିଗଲା  |ତଥାପି  କାହିଁକି  କେଜାଣି ଆଭାଂକୁ 
ଲାଗୁଥିଲା  କେଉଁଠି  କେମିତି କଣ  ଅଭାବ ରହି ଯାଉଛି |ସେଇଟା କଣ  ଜାଣିବା  ପାଇଁ  ସେ  ଚେଷ୍ଟା  କଲେ |ପରେ
ଜଣାପଡିଲା  ,ବୋହୂ  ଚାହୁଁଚି ତାର  ଅଧିକାର |ଅବଶ୍ୟ  ଆଭାଂକର  ବହୁତ  ଭୁଲ୍  ଥିଲା |ଅଜିତ  ବାହା  ହେବା  ପରେ  ମଧ୍ୟ ସେ ଭାବୁଥିଲେ  ଅଜିତ  ସେହିପରି ଛୋଟ ଛୁଆ ଟିଏ ହୋଇ ରହିଛି |ବୋହୂ  ସୁନିଧି କୁ ସେ ତ ନିଜ ଝିଅ ପରି  ଦେଖୁଥିଲେ | ଅତି  ଆଦରରେ  ତାକୁ  ଡାକୁଥିଲେ ‘ନିଧି’ |ହେଲେ  ‘ନିଧି’ ଡାକ  ସୁନିଧି  କୁ  ପସନ୍ଦ  ନଥିଲା  |ଏ କଥା  ଆଭା  ବହୁତ  ଡେରି ରେ  ଜାଣିଲେ,  ଯେତେବେଳେ  ସୁନିଧି  ଦିନେ  ମୁହଁ  ଖୋଲି  ଆଭାଂ କୁ  କହିଲା ,ବୋଉ ,ଆମ  ଗାଁ ରେ ଜଣେ ନିଧି ମଉସା ଅଛନ୍ତି ,ଭାରି  ଦୁଷ୍ଟ  ,କାହାରି ଭଲ  ପାଂଚନ୍ତି ନାହିଁ  |ଆଉ  ବି ମୁଁ  ପିଲାଦିନେ  ବହି ରେ ପଢିଥିଲି ,ନିଧି ବୁଢା ବାଡିପଟେ  ପଡିଚି  ବିଚାର |ମତେ  ଏଇ  ନିଧି  ଡାକ  ଜମା  ଭଲ  ଲାଗୁନି  | ଆଭାଂକର  ମୁଂହ  ଶୁଖିଗଲା |ସେ  ଶୁଖିଲା  ମୁଂହ ରେ  ହସ ଟାଣି  କହିଲେ  ,ଠିକ ଅଛି  ମା ,ମୁଁ  ତତେ  ଏଥର  ସୁନିଧି  ବୋଲି ଡାକିବି | ସୁନିଧି  ହସି ଦେଇ  କହିଲା ,ଏତେ  ବଡ ନାଁ  ରେ ଡାକନ୍ତୁ  ନାହିଁ  |ଘରେ  ମତେ  ସମସ୍ତେ  ବେବି  ବୋଲି  ଡାକନ୍ତି ..ସେ କିଛି  କହିବା  ପୁର୍ବରୁ  ଆଭା  କହିଲେ  ,ତତେ ବେବି  ନାଁ  ରେ  ଡାକିଲେ  ତୁ ଖୁସି  ହବୁ , ନୁହେଁ ? ହସି ହସି  ମୁଣ୍ଡ  ହଲାଇ  ହଁ  କହିଲା  ସୁନିଧି |ସେଦିନ ର  କଥା  ସେଇଠି ସରିଲା |

       ସେଦିନ  ଅଜିତ  ର  ଜନ୍ମ ଦିନ  ଥାଏ  |ପୁର୍ବ  ଦିନ ରୁ  ଆଭା  ମନେ ମନେ  ଯୋଜନା  କରି  ଥାଆନ୍ତି  କଣ  କଣ  ଆଇଟମ୍ ରନ୍ଧା ହେବ  |ସେଥିପାଇଁ  ରାତି  ରୁ  ସେ  ନଡିଆ  କୋରିବା ,ପରିବା  କାଟିବା ,ବୁଟ,ମଟର  ବତୁରାଇବା ଇତ୍ୟାଦି  କାମ ସାରି  ଦେଇଥିଲେ  |ଗୋଟିଏ  ଭୁଲ  କରିଥିଲେ  ,ସେ  ତାଂକ  କାର୍ଯ୍ୟକ୍ରମ  ରେ  ବେବି କୁ  ଅନ୍ତର୍ଭୁକ୍ତ କରି  ନଥିଲେ  |ବଡି ଭୋର ରୁ  ଉଠି ଠାକୁର  ପୂଜା  ଶେଷ  କରି    ରୋଷେଇ  ଘରେ  ପହଂଚିବା ବେଳ କୁ  ଛଅ  ଟା  ବାଜିଲାଣି  |ସେ  ତର ତର  ହୋଇ  ରୋଷେଇ  ଆରମ୍ଭ  କରିବା  ବେଳକୁ  ସୁନିଧି  ଆସି ପହଂଚି  ଗଲା  |କହିଲା , ବୋଉ  ଆଜି  ତାଂକ ର  ଜନ୍ମଦିନ,ମୋ  ପସନ୍ଦ ରେ  ରୋଷେଇ  କରିବି |ଆଭା କହିଲେ  ହେଲେ  ମୁଁ  ଏତେ  କଟା ବଟା କରି  ସାରିଛି ଯେ  !ସୁନିଧି  ସ୍ମିତ  ହସି  କହିଲା ,ମୁଁ  ସେଇଥିରେ  ରୋଷେଇ  କରିବି ,ହେଲେ  ଟିକେ  ଅଲଗା  ପ୍ରକାର  ରେ  କରିବି  |ଆପଣ ଯାଆନ୍ତୁ ,ମତେ  ନ  ଆସିଲେ  ଆପଣଂକୁ  ଡାକିବି  |ଆଭାଂକର  ମନ  ଦୁଃଖ  ହୋଇଗଲା  |ହେଲେ  ସେ  ସୁନିଧି  ର  ଆଗ୍ରହ  ଆଗରେ  ନଇଁ ଗଲେ  |କହିଲେ ,ହଉ  ମୁଁ  ଏଇଠି ସୋଫା ରେ  ବସିଛି  ,କଣ  ଦରକାର ହେଲେ  କହିବୁ  |ସୁନିଧି  ସେଦିନ  ତା  ହିସାବରେ  ଭଲ  ରାନ୍ଧି ଥିଲା  |ଖାଇବା  ବେଳେ  ସେଦିନ  ସମସ୍ତେ  ଖୁସି ରେ  ଖାଇଲେ  |ଆଭା  ମଧ୍ୟ  ଖୁସି  ହେଲେ  କିନ୍ତୁ  ତାଂକ  ଛାତି  ଭିତରେ  କଣ  ଗୋଟିଏ  ଅଟକି  ଯିବା ପରି  ଲାଗୁଥିଲା  | ସେ ନିଜେ  ବି ଜାଣି  ପାରୁ ନଥିଲେ  ସେଇଟା  କଣ |ପରେ  ସେ  ନିଜକୁ  ନିଜେ  ପ୍ରଶ୍ନ  କରି  ଜାଣିଲେ ,ତାହା  ତାଂକ  ଅବଚେତନ  ମନ ର ଅହଙ୍କାର  ,ଏତେ  ଦିନ  ର  ସ୍ନେହ , ଶ୍ରଦ୍ଧା,ବାତ୍ସଲ୍ୟ  ମମତା , ତାଂକ  ଅଧିକାର  ରୁ  ଚାଲି  ଯାଉଥିବା ର ଯନ୍ତ୍ରଣା  |କିନ୍ତୁ  ତାହା   ତ ଆଜି  ନ ହେଲେ  କାଲି ହେବା ର   ଥିଲା ,ସେଥିପାଇଁ  ସେ  ଏତେ  ଦୁଃଖ କରୁଛନ୍ତି  କାହିଁକି ? ହୁଏତ  ମାନସିକ  ପ୍ରସ୍ତୁତି  କରିବାରେ  କିଛିଟା ବିଳମ୍ବ  ହୋଇଗଲା  ,ସେଇଥିପାଇଁ |

                  କିନ୍ତୁ  କଣ  ପାଇଁ  କେଜାଣି  ସୁନିଧି ସବୁବେଳେ  ଉଦାସ  ରହୁଥିଲା  |ତାକୁ  ଖୁସି ରେ  ରଖିବା  ପାଇଁ  ସେ  ତାଂକର  ଆପ୍ରାଣ ଉଦ୍ୟମ  ଜାରି  ରଖିଥିଲେ  |ପ୍ରାୟ  ବେଳେ  ସେ  ସୁନିଧି  କୁ  ରୋଷେଇ  କରିବାକୁ  କହନ୍ତି  |ସେ  ଯାହା  ବି  ରାନ୍ଧିଲେ ସେ  ତାକୁ  ଭୁରି  ଭୁରି  ପ୍ରଶଂସା   କରନ୍ତି ଓ  ତାକୁ  ଆହୁରି  ଭଲ  ରାନ୍ଧିବାକୁ ପ୍ରୋତ୍ସାହନ   ଦିଅନ୍ତି  |ଏହା  ନୁହେଁ  ଯେ  ସେ  ମିଛରେ  ତାର  ରନ୍ଧନ  ର  ପ୍ରଶଂସା  କରନ୍ତି ,ବରଂ  ତାଂକୁ  ସୁନିଧି  ର  ରାନ୍ଧଣା  ଭଲ  ଲାଗେ , ସେଇଥିପାଇଁ  ସେ  ହୃଦୟ  ଖୋଲି  ପ୍ରଶଂସା  କରନ୍ତି |ଆଭା  ନିଜେ  ଜଣେ  ଭଲ  ରାନ୍ଧୁଣିଆ, ଅତି  ସାଧାରଣ  ଜିନିଷ  କୁ  ଅସାଧାରଣ  କରି  ରାନ୍ଧିବାରେ ତାଂକ ର  ଦକ୍ଷତା  ରହିଛି  |ଯିଏ  ତାଂକ  ର  ହାତ ରନ୍ଧା  ଖାଦ୍ୟ  ଖାଇଛି   ସେ  ଏକଥା  ଜାଣିଛି |କିନ୍ତୁ  ସେ  ଯେତେବେଳେ  ରୋଷେଇ  କରନ୍ତି  ସୁନିଧି  ଭଲ  ଲାଗୁନି କହି  ଅଧା  ଖାଇ  ଉଠି ଯାଏ |ଅଜିତ  କୁ  ଏହା  ଭାରି  ବାଧେ |ସେ  ସୁନିଧି  କୁ  ପଚାରେ  ‘ତମେ  ରାନ୍ଧିଲେ  ବୋଉ  ଏତେ  ଖୁସି ରେ  ଖାଉଛନ୍ତି ,ବୋଉ  ରାନ୍ଧିଲେ  ତମର କଣ  ଏତେ  ଅସୁବିଧା  ହେଉଚି ,ବାହାନା  ଦେଖାଇ ଉଠି  ଆସୁଚ  ?’ସୁନିଧି  ରାଗିଯାଇ  କହେ ,ମତେ  ଯେଉଁଟା ଭଲ  ଲାଗୁନି ,ଜବରଦସ୍ତି  ଖାଇବି କେମିତି ?ମୋ  ଦେହ  ଖରାପ  ହେଲେ  କିଏ  ଦାୟୀ ହେବ  ?ଅଜିତ  କହେ ,ଆମେ ଏତେ  ଜଣ ଖାଉଚୁ କାହାରି  ଦେହ  ଖରାପ  ହେଉନି  ଏକୁଟିଆ  ତମରି  ଦେହ  ଖରାପ  ହୋଇ ଯାଉଚି ?ଆଉ  କଣ  କାରଣ  କୁହ ,ଲୋକେ ତମକୁ  ବିଶ୍ଵାସ କରିବେ | ସୁନିଧି  କହେ,  ହଉ  ହେଲା  ,ମୁଁ  ଗୋଟିଏ  ଖରାପ  ଝିଅ ,ଏଥର  ମନ  ଶାନ୍ତି  ହେଲା? ଆଭା  ବିରକ୍ତ  ହୁଅନ୍ତି ,କେଉଁ  କଥା  ଯାଇଁ  କେଉଁଠି  ଉଠିଲାଣି  |ଏତେ  ଛୋଟ କଥା  କୁ  ଏତେ  ବଡ଼  କରିବା  କଣ  ଦରକାର ?ଲୋକେ  ହସିବେ  |

              ସୁନିଧି   ବାଣିଜ୍ୟ ରେ  ସ୍ନାତକ  କରିବା  ପରେ  ବିଜିନେସ୍  ମାନେଜମେଂଟ୍  କରିଥିଲା  ,ଭଲ  ରାଂକ  ବି  ପାଇଥିଲା  |ତାର  ଇଚ୍ଛା  ଥିଲା , ଚାକିରୀ  କରିବ |ଦିନେ  ଏକ  ଭଲ  ଔଷଧ  କମ୍ପାନୀ ରେ    ଚାକିରୀ  କରିବା  ପାଇଁ  ତା  ପାଖକୁ  ଅଫର  ଲେଟର  ଆସିଲା  |ଅଜିତ  ସୁନିଧି  କୁ  ପଚାରିଲା  ,ତମେ  ଚାକିରୀ  କରିବ ?ଚାକିରୀ  ପାଇଁ  ତମେ  କେବେ  ଆପ୍ଳାଏ କଲ  ମୁଁ  ତ ଜାଣିନି  |ଘଟଣା  କଣ  ?ସୁନିଧି  କହିଲା  ,ବାହାଘର  ଆଗରୁ  ଆପ୍ଳାଏ  କରିଥିଲି , ଏବେ  ଅଫର  ଲେଟର  ଆସୁଛି  |ଇଚ୍ଛା  ହେଲେ  କରିବି,  ନହେଲେ  ନାହିଁ  |ଅଜିତ  କହିଲା , ତାହାଲେ  ଏବେ  କଣ   ଇଚ୍ଛା  ହେଉଛି ? ସୁନିଧି  ସ୍ମିତ  ହସି  କହିଲା ,ଏବେ  ଚାକିରୀ  କରିବାକୁ  ଇଚ୍ଛା  ହେଉଛି ,ଖାଲି  ତମର  ଅନୁମତି  ଲୋଡା  |’ମୋ  ଅନୁମତି  ମିଳିବନି ‘ କହି  ସେଠାରୁ  ଚାଲିଗଲା  ଅଜିତ  |ଏତିକି  କଥାରେ  ସବୁକିଛି  ଓଲଟ ପାଲଟ  ହୋଇଗଲା  |ସୁନିଧି  କାନ୍ଦି,ଆଖିରୁ  ଅଜସ୍ର  ଧାରା ଲୁହ  ଝରାଇ  ,ଶେଷରେ  ଚେତାଶୂନ୍ୟ  ହୋଇ ଗଲା  |ଆଭା  ଓ  ତାଂକର ସ୍ୱାମୀ   ସମୀର  ହତବାକ୍  ହୋଇ  ଅଜିତ  କୁ  ଅଫିସ  ରୁ  ଫୋନ୍  କରି  ଡାକିଲେ  |ସୁନିଧି  ର  ବାପା, ମାଆଂ  କୁ  ମଧ୍ୟ  ଡକାଇଲେ  |ସୁନିଧି  ର  ବାପା  ଶରତ   ଓ  ମା  ନିଶା  ଖବର  ପାଇବା  କ୍ଷଣି ସାଂଗେ ସାଂଗେ  ଆସି  ପହଂଚି ଗଲେ  |ସେମାନେ  ସାଂଗରେ  କିଛି  ଔଷଧ  ଆଣିଥିଲେ  |ସେମାନଂକ  ର  କହିବା  କଥା  ଥିଲା , ଚାରିବର୍ଷ  ତଳେ  ସୁନିଧି  ମାନସିକ  ଅବସାଦ  ର  ଶୀକାର  ହୋଇଥିଲା  |ସେହିଦିନ  ଠାରୁ  ସେ  ଡାକ୍ତରଂକ  ପରାମର୍ଶ  କ୍ରମେ  ଔଷଧ  ଖାଇ  ଆସୁଛି |ସେମାନେ  ଭାବିଥିଲେ  ବାହାଘର  ପରେ  ଏ  ରୋଗ  ଭଲ  ହୋଇଯିବ  ,ତେଣୁ  ଝିଅ  ସହିତ  ଔଷଧ  ଦେଇ  ନଥିଲେ | ଆଭା  କହିଲେ ,ସମୁଦୀ  ,ଏତେ  ବଡ଼  କଥା  ଟା  ଆପଣ  ଏତେ  ସହଜ  ରେ  କେମିତି  କହି  ପାରିଲେ ?ଆମେ  ଆପଣଙ୍କ ର  ସରଳତା ରେ  ପ୍ରଭାବିତ  ହୋଇ  ସୁନିଧି  କୁ  ବୋହୂ  କରି  ଆଣିଲୁ ,ଅଥଚ  ଆପଣ  ଆମକୁ  ଏତେ  ବଡ  ଧୋକା  ଦେଲେ ? ପୁଅ  ମୋର  ଝିଅ  ଦେଖିବାକୁ  ଯାଇନି ,ଆଖି  ବୁଜି  ମୋ  ପସନ୍ଦରେ  ରାଜି  ହୋଇଗଲା ,ଏବେ  ମୁଁ  ତାକୁ  କି  ଉତ୍ତର  ଦେବି ?ଶରତ  ବାବୁ  ହାତ  ଯୋଡି  କହିଲେ  ,ମତେ  କ୍ଷମା କରନ୍ତୁ   ସମୁଦୁଣୀ,ଭଲ  ଘର  ଭଲ  ବର  ପାଇବା  ଲୋଭରେ  ମୁଁ  ଏକଥା  କହି  ନଥିଲି ,ଏଥିପାଇଁ  ଆପଣ  ଯେଉଁ  ଦଣ୍ଡ  ଦେବେ  ,ସବୁ  ସ୍ୱୀକାର   କରିବାକୁ  ମୁଁ  ରାଜି  ଅଛି  |ଆଭା  କହିଲେ  ,ଦଣ୍ଡ  ର  ଆଉ  ପ୍ରଶ୍ନ  କେଉଁଠି  ଉଠୁଛି ? ଯାହା  ହେବା  କଥା  ହୋଇ  ସାରିଛି |ଏବେ  ଡାକ୍ତରଂକ ପରାମର୍ଶ  ଅନୁସାରେ  ସବୁକିଛି  ହେବ  |ସୁନିଧି  ମୋର  ବୋହୂ  ନୁହେଁ , ଝିଅ  |ମୋର  ଝିଅ  ପାଇଁ  ମୁଁ  ଯାହା  କରିଥାନ୍ତି , ଏବେ  ବେବି  ପାଇଁ  ସେଇଆ  କରିବି  |

            କାରଣ  ଯାହା  ହେଉନା  କାହିଁକି  ସୁନିଧି ସିଜୋଫେର୍ନିଆ ର  ଶୀକାର  ହୋଇଥିଲା  |ସେଥିପାଇଁ  ନିୟମିତ  ଔଷଧ  ସେବନ  ବ୍ୟତୀତ  ସୁଷମ  ଆହାର  ,ସୁସ୍ଥ  ବାତାବରଣ  ,ଯୋଗ ,ପ୍ରାଣାୟମ  ଇତ୍ୟାଦି  ର ଆବଶ୍ୟକତା  ଥିଲା  |ଡାକ୍ତର  କହିଥିଲେ  ତା  ଇଚ୍ଛା ବିରୁଦ୍ଧରେ  କୌଣସି କାମ  ନ  କରିବା  ପାଇଁ  |ସେଥିପାଇଁ  ସୁନିଧି  କୁ   ଚାକିରୀ କରିବାକୁ  ସେମାନେ  ଅନୁମତି  ଦେଲେ  |କିନ୍ତୁ  ଘର ଠାରୁ  ଅଫିସ୍  ର  ଦୂରତା  କିଛି  ଅଧିକ  ଥିଲା  |ଯିବା  ଆସିବା  କରିବା  ପାଇଁ  ସୁନିଧି  କୁ  ଭାରି  କଷ୍ଟ  ହେଉଥିଲା  |ସୁନିଧି  ଚାହୁଁ ଥିଲା  ଅଫିସ  ପାଖାପାଖି  ଘର  ଭଡା  ନେଇ  ରହି ଯିବା  ପାଇଁ  |କିନ୍ତୁ  ସାମାଜିକ  ଚଳଣି  ତଥା  ସୁନିଧି  ର  ସ୍ୱାସ୍ଥ୍ୟ  ଦୃଷ୍ଟି  ରୁ  ଏହା  ଅସମ୍ଭବ  ଥିଲା  | ଅଫିସ  ପାଖରେ  ସୁନିଧି  ର  ବାପଘର  ଥିଲା  |ତେଣୁ  ଆଭା  ତାକୁ  ଏକଥା  କହି  ରାଜି  କରାଇଲେ ଯେ  ବେଶୀ  କଷ୍ଟ  ହେଲେ  ସେ  ମଝିରେ  ମଝିରେ  ବାପଘରେ  ରହିଯିବ  |

           ସବୁକିଛି  ଭଲରେ  ଚାଲିଲା  |ସୁନିଧି  ର  ମାନସିକ  ତଥା  ଶାରୀରିକ  ସ୍ଵାସ୍ଥ୍ୟାବସ୍ଥା  ରେ  ଉନ୍ନତି  ପରିଲକ୍ଷିତ  ହେଲା  |ସେଦିନ  ଘରେ  ଜନ୍ମାଷ୍ଟମୀ   ପୂଜା  ପାଇଁ  ଆୟୋଜନ  ଚାଲିଥାଏ  |କ୍ଷିରୀ ରେ  ଲୁଣ  ପଡିବା  ନ  ପଡିବା  କୁ  ନେଇ  ହଠାତ  କ୍ରୋଧରେ  ଅଗ୍ନିଶର୍ମା ହୋଇ  ପାଗଳ  ପ୍ରାୟ  ହୋଇଗଲା  ସୁନିଧି  |କହିଲା  ,ମତେ  ଏଇଠି  କେହି  ଭଲ  ପାଆନ୍ତି ନାହିଁ  |ମତେ  ଅତି  ଶୀଘ୍ର  ନେଇ  ବାପାଙ୍କ  ଘରେ  ଛାଡି  ଦିଅ  |ଆଭା  କିଛି  କହିବାକୁ  ଯାଉଥିଲେ  ,ଅଜିତ  ଈଶାରା ରେ  ଚୁପ୍  ରହିବା  ପାଇଁ  କହିଲା  |ସେ  ସୁନିଧି  କୁ  କହିଲା  ,ଠିକ  ଅଛି ,ଆସ  ,ମୁଁ  ତମକୁ  ଛାଡିଦେବି  |ସୁନିଧି  ଖୁସି  ହୋଇ ଗଲା  କିନ୍ତୁ  କଣ  ଭାବି  କହିଲା ,ଆଜି  ନୁହେଁ ,କାଲି  ଯିବି |ତାପରେ  ପୂଜା  କାମ  ସୁରୁଖୁରୁରେ  ଚାଲିଲା  | ସୁନିଧି  ତାର  ପସନ୍ଦ  ଅନୁସାରେ  କ୍ଷିରୀ  ତିଆରି  କଲା  | ତା  ପରଦିନ  ସୁନିଧି  ସବୁଦିନ  ପରି  ଅଫିସ  ଯିବାପାଇଁ  ବାହାରିଲା  |ଅଜିତ  ସହିତ  ଯିବା  ପୂର୍ବରୁ  ଆଭା  ଓ  ସମୀର  ଦୁଇଜଣଂକୁ  ପ୍ରଣାମ  କଲା  ଓ  କହିଲା  ,ମୁଁ  ଗୋଟିଏ  ଦିନ  ରହି  ଆସିବି | ଖୁସିରେ  ସମ୍ମତି  ଜଣାଇଲେ  ସେମାନେ  |ସେଦିନ  ଅଫିସ  ରୁ  ଫେରିବା  ବାଟରେ  ସୁନିଧି  କୁ  ତାର  ବାପଘରେ  ଛାଡିଦେଇ  ଆସିଲା  ଅଜିତ  |ପରଦିନ  ସକାଳେ  ସେମାନେ ଖବର  ପାଇଲେ  ସୁନିଧି  ଆତ୍ମହତ୍ୟା  କରିଛି  |ଦୁଃଖ  ରେ  ଭାଂଗିପଡି  ସମସ୍ତେ  ସମୁଦୀଂକ  ଘରକୁ  ଛୁଟିଗଲେ  |ଦେଖିଲେ  ସୁନିଧି  ପରମ  ଶାନ୍ତିରେ  ଶୋଇ  ପଡିଛି  |ସୁନ୍ଦର  ମୁହଁ  ଟି  ତାର  ଏକ  ଅପୂର୍ବ  ଜ୍ୟୋତି  ରେ  ଝଲସି  ଉଠୁଛି  |ଆଭା  ମୁଣ୍ଡ  ପିଟି କାନ୍ଦିଲେ |କାନ୍ଦି  କାନ୍ଦି  ସ୍ୱର୍ଗ  ମର୍ତ୍ତ୍ୟ , ପାତାଳ  ଏକାକାର  କରିଦେଲେ  ,କିନ୍ତୁ  ସୁନିଧି  ସବୁଦିନ  ପାଇଁ  ସେମାନଂକ  ଜୀବନ  ରୁ  ଦୂରେଇ  ଯାଇଥିଲା  |ପୋଲିସ୍  ଆସିଲା,ପୁଙ୍ଖାନୁପୁଙ୍ଖ ତଦନ୍ତ  ଚାଲିଲା  |କିନ୍ତୁ  କୌଣସି  ଠାରୁ  କାଗଜ  ଖଣ୍ଡିଏ  ମିଳିଲାନି  |ପୋଷ୍ଟମର୍ଟମ୍  ରିପୋର୍ଟ୍  ରୁ  ଜଣା  ପଡିଲା , ଭୁଲ  ଔଷଧ  ସେବନ  ଯୋଗୁଁ  ତାର  ମୃତ୍ୟୁ  ଘଟିଛି  |ସେ  ନିୟମିତ  ଖାଉଥିବା  ଔଷଧ  ସବୁବେଳେ  ତା  ବ୍ୟାଗ  ରେ  ଥାଏ  |କିନ୍ତୁ  ତା  ବ୍ୟାଗ  ଖୋଲିବାରୁ  ଜଣା  ପଡିଲା  ,ସେ  ଖାଉଥିବା  ଔଷଧ  ବଦଳରେ  ଅନ୍ୟ  ଔଷଧ  ତା  ବ୍ୟାଗ  ରେ  ଅଛି  ,ଯାହା  ତା  ପାଇଁ  ଘାତକ  ହୋଇଛି  |କିନ୍ତୁ  ଏ  କାମ  କିଏ  କରିଲା  ?ପୋଲିସ  ଦୃଢ  ନିଶ୍ଚିତ  ଥିଲା  ,ଇଏ  ଆତ୍ମହତ୍ୟା  ନୁହେଁ  ,ହତ୍ୟା  |ସନ୍ଦେହ  ଘେରରେ  ସର୍ବପ୍ରଥମେ  ସମୀରଂକ  ପରିବାର  ଆସୁଥିଲେ  |ସେମାନଂକୁ  ବାରମ୍ବାର  ଥାନା  କୁ  ଡାକି  ବିଭିନ୍ନ  ପ୍ରକାର  ପ୍ରଶ୍ନ  ବାଣରେ  ବ୍ୟତିବ୍ୟସ୍ତ  କରି  ପକାଇଲା  ପୋଲିସ  | ଏହି  ବିଷୟରେ  ପ୍ରାୟ  ପ୍ରତ୍ୟେକ  ଦିନ  ବିଭିନ୍ନ  ଖବରକାଗଜ  ଓ  ବୈଦ୍ୟୁତିକ  ଗଣମାଧ୍ୟମରେ  ନାନା  ପ୍ରକାର  କପୋଳକଳ୍ପିତ  କାହାଣୀ  ପ୍ରକାଶ  ପାଉଥିଲା  |ସୁନିଧି  କୁ  ହରାଇବାର  ଦୁଃଖ  ,ତା  ଉପରେ  ପୁଣି  ଏ  ମିଥ୍ୟା  ଅପବାଦ  ,ସବୁ  ଏକାକାର  ହୋଇ  ସମଗ୍ର  ପରିବାର କୁ  ଶୋକାଛନ୍ନ  କରି  ରଖିଦେଲା   |


              ଏହି  ଦୁର୍ଘଟଣା  ର  ଚାରିଦିନ  ପରେ ନିଶାର୍ଦ୍ଧରେ   ଆଭାଂକର   ନିଦ  ଭାଂଗିଗଲା  |ତାଂକର  ମନେହେଲା  କେହି  ଯେମିତି  ତାଂକୁ  ଡାକୁଛି  |ସେ  ବିଛଣାରେ  ଉଠି  ବସିଲେ  |ଭାବିଲେ  ଏ  ତାଂକର  ମନର  ଭ୍ରମ  |ତାପରେ  ସେ  ଯେତେ  ଶୋଇବାକୁ  ଚେଷ୍ଟା  କଲେ  ,ଆଉ  ତାଂକ  ଆଖିକୁ  ନିଦ  ଆସିଲାନି  |ସେ  ଉଠି  ଡ୍ରଇଂ  ରୁମ୍  କୁ  ଯାଇ  ସୋଫା ରେ  ବସିଲେ|ତାଙ୍କ  ସାମନାରେ  ଲକ୍ଷ୍ମୀଂକର   ଏକ  କାଲେଣ୍ଡର ଥିଲା  |ଆଭାଂକୁ  ସେହି  କାଲେଣ୍ଡର  ଟି  ଭାରି  ଭଲଲାଗେ  |କାରଣ  ସେଥିରେ  ଥିବା  ଲକ୍ଷ୍ମୀଂକର  ମୁହଁ  ଟି  ତାଂକୁ  ଅବିକଳ  ସୁନିଧି  ମୁହଁ  ପରି  ଲାଗେ  |ସେଥିପାଇଁ   ପୁରୁଣା  ହେଲେ  ବି  ସେ  ତାକୁ  ବଦଳାଇ  ନାହାନ୍ତି  |ଏମିତି  ଦେଖୁ  ଦେଖୁ  ସେ  ସେହି  କାଲେଣ୍ଡର  ଭିତରେ  ମଜ୍ଜି  ଗଲେ  |କିଛି  ସମୟ  ପରେ  ତାଂକୁ  ଲାଗିଲା  ଯେମିତି  ସୁନିଧି  ଛିଡା  ହୋଇଛି   |ପିନ୍ଧିଛି  ସେଇ  ଲାଲ  ରଂଗ ରେ  ହଳଦିଆ  ବର୍ଡର  ଶାଢୀ  ,ଯେଉଁଟା  ସେ  ଶେଷଥର  ପାଇଁ  ପିନ୍ଧି  ତାଂକ  ଘରୁ  ଯାଇଥିଲା  |ସେ  ଧୀର  ସ୍ୱର  ରେ  ଡାକିଲା ,ବୋଉ  |ଆଭା  ମନ୍ତ୍ର ମୁଗ୍ଧ  ପରି  ତାକୁ  ଚାହିଁଥାନ୍ତି | ତାଂକ  ପାଟି ରୁ  ବାହାରି ପଡିଲା  ,’ବେବି ‘ |ସୁନିଧି  ହସି  ପକାଇ  କହିଲା ,ନାଁ  ବୋଉ, ବେବି  ନୁହେଁ  ,ମୁଁ  ଆପଣଂକର  ‘ନିଧି’,|ମୁଁ  ସିନା ସେଦିନ  ରାଗିକରି  ‘ନିଧି’ ଡାକିବାକୁ  ମନା  କଲି ,ହେଲେ  ଆପଣଂକ  ଠାରୁ  ‘ ନିଧି’  ଡାକ ଶୁଣିବାକୁ  ମୁଁ  ସବୁବେଳେ  କାନ  ଡେରି  ବସିଥାଏ  |ଏମିତି  ନାଁ  ରେ  ମତେ  ଆପଣଙ୍କ ଛଡା ଆଉ  କେହି  ଡାକି  ନଥିଲେ  |ମତେ  ଆଉଥରେ  ‘ନିଧି’ ବୋଲି  ଡାକନ୍ତୁ ,ପ୍ଲିଜ୍  |ଆଭାଂକ  ଆଖିରୁ  ଧାର  ଧାର  ଲୁହ  ଝରୁଥାଏ  |ସେ  ଥରେ  ନୁହେଁ  ,କେତେଥର  ଡାକିଲେ ,ନିଧି,ନିଧି,ନିଧି,ନିଧି,ନିଧି,ନିଧି .......|ସୁନିଧି  କହିଲା  ,ବୋଉ, ଆପଣ  ଭାବୁଥିବେ  ମୁଁ  ବହୁତ  ଖରାପ  ଝିଅ  ,ହେଲେ  ମୁଁ  ଏତେ  ଖରାପ  ନୁହେଁ  |ମୁଁ  ଆତ୍ମହତ୍ୟା   କରିନି  |ମତେ ଆମ  ଅଫିସ  ର   ସରିତା  ଆଉ  ତୁଷାର  ଦୁହେଁ  ମିଶି  ଷଡଯନ୍ତ୍ର  କରି  ମାରିଛନ୍ତି  |ପ୍ରକୃତରେ  ସରିତା  ମୋ  ଜାଗାରେ  ପ୍ରମୋଶନ  ପାଇବାର  ଥିଲା  |ମତେ  ନିଯୁକ୍ତି  ଦିଆଯିବା  ପରେ  ତାର  ପ୍ରମୋଶନ  ର  ବାଟ  ବନ୍ଦ  ହୋଇଗଲା  |ତେଣୁ  ତାର  ମୋ  ଉପରେ  ରାଗ  ଥିଲା  |ତୁଷାର  ସେଇଠି  ଷ୍ଟୋରକିପର  ଅଛି  |ଆମ  ଡାଇରେକ୍ଟରଂକର   ଅଜଣାତରେ  ସେ  ବହୁତ  ହେରଫେର  କରିଛି  |ମୁଁ  ଏକଥା  ଜାଣିପାରିଲି  ,ତାକୁ  ଥରେ  ଦୁଇଥର   ତାଗିଦ  କଲି ,ହେଲେ  ସେ  ମୋକଥା  ମାନିଲାନି |ଓଲଟି  କହିଲା  ,ଚୁପ୍  ରହିଲେ  ପରସେନଟେଜ୍  ମିଳିବ ,ନହେଲେ  ସଫା  କରିଦେବି  |ବୋଉ , ଆପଣ  ତ  ଜାଣିଛନ୍ତି  ,ମୁଁ  କାହାକୁ  ଡରେନା  |ମୁଁ  ଡାଇରେକ୍ଟରଂକୁ   ଏକଥା  କହିଲି  |ସେ  ଆଶ୍ଚର୍ଯ୍ୟ  ହେଲେ  ,କହିଲେ  ,ହଉ  ଦେଖିବା , |ସେଦିନ  ସରିତା  ମତେ  କଫି  ପିଇବାକୁ  ଡାକିଲା  |ମୁଁ  କଫି  ପିଇ  ଆସିବା  ପୁର୍ବରୁ  ତୁଷାର   ମୋ  ବ୍ୟାଗରେ  ଥିବା  ଔଷଧ  ବଦଳାଇ  ସାରିଥିଲା  |ଦୁହେଁ  ଭଲକରି  ଜାଣିଥିଲେ  ମୋର  ଦେହ  ଖରାପ  ଅଛି ,ଆଉ  ମୁଁ  ରେଗୁଲାର  ମେଡିସିନ୍  ଖାଏ  |କିନ୍ତୁ  ବୋଉ ,ମୋର  ସୁନାର  ସଂସାର  ଭାଂଗିଥିଵା  ଲୋକଙ୍କୁ  ମୁଁ  କ୍ଷମା  କରି  ପାରିଲିନି ,ମୁଁ  ପ୍ରତିଶୋଧ  ନେଇଛି  ,ଏବେ  ମୁଁ  ବହୁତ  ଖୁସି  |କାଲି  ସକାଳେ  ଖବରକାଗଜ ଦେଖିବେ   |ହଠାତ୍  କୁଆଡେ  ଉଭେଇଗଲା   ସୁନିଧି  |ଘର   ଭିତର  ସେ  ନିୟମିତ   ବ୍ୟବହାର  କରୁଥିବା  ସୁବାସିତ   ଅତର  ରେ  ମହ  ମହ  ବାସୁଥିଲା  |କାନ୍ଥ ଘଣ୍ଟା  ଟଂ କରି  ବାଜି  ଉଠିଲା  |ଆଭାଙ୍କର ଆଖିପତା ଖୋଲିଗଲା |ସେ   ପ୍ରକୃତିସ୍ଥ  ହୋଇ  ଘଣ୍ଟା  କୁ  ଚାହିଁଲେ  ,ରାତି  ଗୋଟାଏ  ବାଜୁଥିଲା  |ସ୍ୱପ୍ନ ତାଙ୍କୁ ସତ୍ୟ ପରି ଲାଗୁଥିଲା |   ସେଇଠି  ସେମିତି ସେ  ବସି  ରହିଲେ ଓ ସେମିତି  ବସି  ବସି  ରାତି  ପାହିଗଲା  |ଭୋରରୁ   ସମୀର  ଉଠିଲେ  ,ଆଭାଂକୁ  ଲକ୍ଷ୍ୟ  କଲେ  ,କଣ  କହି  ଆସୁଥିଲେ  ,କିନ୍ତୁ  କିଛି  ନକହି  ସେ  ଚାବି  ଗୁନ୍ଥା  ନେଇ  ଗଲେ  ଗେଟ୍  ତାଲା  ଖୋଲିବା  ପାଇଁ  |ଅଧ  ଘଣ୍ଟା  ପରେ  ସେ  ହାତରେ  ସେଦିନ  ର  ଖବରକାଗଜ   ଧରି  ଧଇଁ ସଇଁ  ହୋଇ  ଆସି  କହିଲେ  ,ଆଭା  ,ପେପର୍  ରେ  କଣ  ବାହାରିଛି  ପଢ଼  |ସେ  ଆଭାଂକୁ   ଅପେକ୍ଷା  ନକରି  ସମ୍ବାଦ ପଢ଼ିଗଲେ  |ପୂର୍ବଦିନ  ସନ୍ଧ୍ୟାରେ  ମେଡିକେୟାର୍  ପ୍ରାଇଭେଟ  ଲିମିଟେଡ  କମ୍ପାନୀ  ର  ସରିତା  ଓ  ତୁଷାର  ନାମକ  ଦୁଇଜଣ  କର୍ମଚାରୀ ବାଇକ୍ ରେ  ଅଫିସ୍  ରୁ  ଫେରୁଥିବା  ବେଳେ  ଦୁର୍ଘଟଣା ଗ୍ରସ୍ଥ  ହୋଇ  ମୃତ୍ୟୁ ବରଣ  କରିଛନ୍ତି  |ମୃତ୍ୟୁ କାଳୀନ  ଜମାନବନ୍ଦୀ  ରେ  ସେମାନେ  ଅଫିସ୍  ର  ପୁର୍ବତନ  ମାନେଜର  ସୁନିଧି  ଗନ୍ତାୟତଂକ  ବ୍ୟାଗ୍  ରେ  ଔଷଧ  ବଦଳାଇବା  କଥା  ସ୍ୱୀକାର  କରିଛନ୍ତି  |ଆଭା  ସାମନାରେ   ଥିବା  କାଲେଣ୍ଡର  କୁ  ପୁଣି  ଥରେ  ଚାହିଁଲେ  |ତାଂକୁ  ଲାଗୁଥିଲା  ସୁନିଧି  ଯେମିତି  ହସୁଛି ,ଆଉ  କହୁଛି  ,ବୋଉ  ,ମତେ  କ୍ଷମା  କରିଦେବେ  |........

ମମତା  ମହାନ୍ତି
mamatamohanty1206@gmail.com