Thursday, July 4, 2024

ମୁଖା

                                                                     ମୁଖା 

                                                                 *******

                                  ଫେସ୍ବୁକରେ ପିଲାଦିନର ବାନ୍ଧବୀ ପ୍ରଭାର ଚାଳିଶତମ ବିବାହ ବାର୍ଷିକୀ ଉତ୍ସବର ଫଟ ଗୁଡିକୁ ଅନେକ ସମୟ ଧରି ଖୁବ ତନ୍ମୟ ହୋଇ ସୁଷମା ଦେଖୁଥିଲେ |ବିବାହର ଚାଳିଶ ବର୍ଷ ପରେ ବି ପ୍ରଭାର ସୌନ୍ଦର୍ଯ୍ୟ ସେହିପରି ଅକ୍ଷୁର୍ଣ୍ଣ ଥିଲା,ବରଂ ସେ ପୂର୍ବାପେକ୍ଷା ଆହୁରି ଅଧିକ ସୁନ୍ଦରୀ ଦିଶୁଥିଲା |ଫଟର ଶୀର୍ଷକ ଥିଲା,"ମେଡ଼ ଫର ଇଚ ଅଦର" |ଦୁହେଁ ପରସ୍ପର ଗଳାରେ ବରଣମାଳା ପକାଇ ମୁଦି ପିନ୍ଧାଉ ଥିବାର ଦୃଶ୍ୟ ଅଧିକ ମନୋରମ ଥିଲା |ସୁଷମା ମନେ ମନେ ଭାବୁଥିଲେ,ପ୍ରଭା ସତରେ କେତେ ଭାଗ୍ୟବତୀ |ତାର ଅପରୂପ ସୌନ୍ଦର୍ଯ୍ୟ ,ମନଖୋଲା ହସ ଓ ସ୍ୱାମୀଙ୍କ ସହିତ ପୋଷ୍ଟ କରିଥିବା ଫଟ ଗୁଡିକ ତାର ସୁଖୀ ଜୀବନର ପ୍ରମାଣ ଦେଉଥିଲା |ସୁଷମାଙ୍କର ଛୋଟ ପରିବାର |ଏକମାତ୍ର ପୁଅ ସୁମନ୍ତ ବ୍ୟାଙ୍କରେ ଚାକିରୀ କରେ |ନିକଟରେ ତାର  ସମ୍ବଲପୁରକୁ ବଦଳି ହୋଇଛି  |ତାର ସ୍ତ୍ରୀ ଓ ତାଙ୍କର ବୋହୂ ଉଷା ଏକ ସରକାରୀ କାର୍ଯ୍ୟାଳୟରେ ଚାକିରୀ କରେ | ନାତି ବବ୍ଲୁ ପ୍ରଥମ ଶ୍ରେଣୀରେ ପଢେ | ତାକୁ ସ୍କୁଲକୁ ନେବା ଆଣିବା କରିବା କାମ ସ୍ୱାମୀ ଜିତେନ୍ଦ୍ରଙ୍କର ଥିଲା  |ବାକି କାମଗୁଡିକ ଉଷା ଓ ସୁଷମାଙ୍କର ଦାୟିତ୍ତ୍ଵର ଅନ୍ତର୍ଭୁକ୍ତ ଥିଲା  |ମୋଟ ଉପରେ କହିବାକୁ ଗଲେ,ପରିବାରର ସମସ୍ତ ସଦସ୍ୟ ନିଜ ନିଜର ଦାୟିତ୍ତ୍ୱ ଓ କର୍ତ୍ତବ୍ୟ ଠିକ ଭାବରେ ନିଭାଉ ଥିଲେ   | 

                  ଦୀର୍ଘ ସମୟ ଧରି ମୋବାଇଲରେ ଆଖି ପଶେଇ ଦେଇଥିବା ସୁଷମାଙ୍କୁ ଦେଖି  ସ୍ୱାମୀ ଜିତେନ୍ଦ୍ର କୌତୂହଳୀ ହୋଇ ତାଙ୍କ ପାଖକୁ ଯାଇ,ତାଙ୍କ ସହିତ ମିଶି  ଫଟ ଗୁଡିକୁ ଦେଖିଲେ |ତାପରେ ଜୋରରେ  ହସି ଉଠି  କହିଲେ, ଫଟରେ ଯାହା ଦେଖୁଛ,ସବୁ ସତ ନୁହେଁ ,ଏମାନେ ସମସ୍ତେ ମୁଖାପିନ୍ଧା ମଣିଷ  |ସୁଷମା ଆଶ୍ଚର୍ଯ୍ୟ ହୋଇ କହିଲେ,ଏଇଠି ତ କେହି ମୁଖା ପିନ୍ଧି ନାହାନ୍ତି,ଏମିତି କାହିଁକି କହିଲ ??ଜିତେନ୍ଦ୍ର କହିଲେ,ଆମେ ଘରେ ଯେପରି ଭାବରେ କଥାବାର୍ତ୍ତା କରୁ କିମ୍ବା  ବ୍ୟବହାର କରୁ,ବାହାରକୁ ଗଲେ ଆମର ଆଚାର ,ବିଚାର ସମ୍ପୂର୍ଣ୍ଣ ବିପରୀତ ହୋଇଯାଏ |କାରଣ ଆମେ ବାହାରକୁ ଯିବାବେଳେ ସମ୍ଭ୍ରମତାର ମୁଖା ପିନ୍ଧି ଯାଇଥାଉ |ସେମିତି କୌଣସି ପୂଜା,ପର୍ବ,ବାହାଘର ଇତ୍ୟାଦି କାର୍ଯ୍ୟରେ ବାହାରକୁ ଯିବାବେଳେ ତମେ ତମର ଶ୍ୟାମଳ ବର୍ଣ୍ଣକୁ ଲୁଚାଇବା ପାଇଁ ଯେଉଁ ମେକଅପର ସାହାଯ୍ୟ ନେଇ ଗୋରା ଵନିଯାଅ,ତାହାକୁ ତମର ମୁଖା ବୋଲି ମୁଁ କହିବି  |ସୁଷମା ବିରକ୍ତ ହୋଇ ସେଠାରୁ ଉଠିଯାଉଥିବା ବେଳେ ଜିତେନ୍ଦ୍ର କହିଲେ,ମୋ କଥା ସରିନାହିଁ,ପୂରା ଶୁଣିକରି  ଯାଅ |ସୁଷମା କହିଲେ,ନା ମୁଁ ଶୁଣିବିନି ,ମୋର ବହୁତ କାମ ଅଛି,ବବ୍ଲୁ ଆସିବା ସମୟ ହେଲାଣି  |ଜିତେନ୍ଦ୍ର କହିଲେ,ମୁଁ ପାଞ୍ଚ ମିନିଟ ସମୟ ନେବି,ପ୍ଲିଜ,ମୋ କଥା ଶେଷ କରିବାକୁ ଦିଅ |ଅଗତ୍ୟା ସୁଷମାଙ୍କୁ ବସିବାକୁ ପଡିଲା |

                                ଜିତେନ୍ଦ୍ର କହିଲେ,ସୋସିଆଲ ମିଡ଼ିଆ ହେଉ ବା ଅନ୍ୟ ଯେ କୌଣସି ମାଧ୍ୟମ ହେଉ,ନିଜେ ଯାହା ନୁହେଁ,ତାହା ଦେଖାଇବାକୁ ଆଜିକାଲି ଲୋକଙ୍କ ଭିତରେ ପ୍ରବଳ ପ୍ରତିଦ୍ୱନ୍ଦିତା ଚାଲିଛି |ପିତାମାତାଙ୍କୁ ଅବହେଳିତ ଅବସ୍ଥାରେ ମରିବାକୁ  ଛାଡିଦେଇ,ସେମାନଙ୍କ ଶ୍ରାଦ୍ଧ ଆଦି ଦିବସରେ  ପୁଅ/ଝିଅମାନେ  ଫେସ୍ବୁକରେ ଆମ ବେଷ୍ଟ ମମି/ପାପା ଲେଖି ଫଟ ସେଆର କରୁଛନ୍ତି ଓ ସେମାନଙ୍କୁ ସେମାନେ କେତେ ମିସ କରୁଛନ୍ତି,ତାହା ମଧ୍ୟ ଲେଖୁଛନ୍ତି |ଏହାକୁ ସେମାନଙ୍କର ମୁଖା ନୁହେଁ ତ ଆଉ କଣ କୁହାଯିବ ?ମୁଁ ତମକୁ ଜଣେ ଭଦ୍ରଲୋକ ଓ ତାଙ୍କ ସ୍ତ୍ରୀଙ୍କ କଥା କହିବି,ଯେଉଁମାନେ ତାଙ୍କର ବୋହୂକୁ ଅତି ଭଲ ପାଉଥିଲେ |ପୁଅ ବୋହୂ ଦୁହେଁ ଚାକିରିଆ ଥିବାରୁ,ନାତି ନାତୁଣୀଙ୍କ ସେବା ଯତ୍ନ କରିବାପାଇଁ ସେମାନେ ନିଜର ବାସସ୍ଥାନ ଛାଡି ଦୀର୍ଘ ବର୍ଷ ଧରି ସେମାନଙ୍କ ପାଖରେ ଥିଲେ |ପିତୃଦିବସ ଓ ମାତୃ ଦିବସରେ ନିଜ ସହିତ ଶାଶୁ ଶ୍ଵଶୁରଙ୍କ ଫଟୋ ପୋଷ୍ଟ କରି ସେମାନେ ମୋର ଅସଲି ପିତାମାତା ଓ ଈଶ୍ୱରଙ୍କ ଅସୀମ କୃପାରୁ ଏହି ଭଳି ଦେବତୂଲ୍ୟ ପିତାମାତା ମତେ ପ୍ରାପ୍ତ ହୋଇଛନ୍ତି ବୋଲି ବୋହୂ ସୋସିଆଲ ମିଡିଆରେ ଅନେକ ଫଟୋ ପୋଷ୍ଟ କରି  ପ୍ରଶଂସା ସାଉଁଟି ଥିଲା  |ନାତି ନାତୁଣୀ ଟିକିଏ ବଡ଼ ହେବାପରେ ଆଉ ସେମାନଙ୍କର ଆଵଶ୍ୟକତା ନ ପଡିବାରୁ ଶାଶୁ ଶ୍ୱଶୁର ନିଜ ବାସସ୍ଥାନକୁ ଫେରି ଆସିଲେ | କିଛି ବର୍ଷ ପରେ ଶ୍ଵଶୁରଙ୍କ ଶରୀର ଅସୁସ୍ଥ ହେଲା |ତାଙ୍କୁ ଦେଖିବାକୁ ପୁଅ ଆସିଲା |କିନ୍ତୁ ବୋହୂ ଆସିଲା ନାହିଁ |ପରେ ପରେ ଶ୍ଵଶୁରଙ୍କ ଦେହାନ୍ତ ହୋଇଗଲା |ସବୁଦିନ ପାଇଁ ଶାଶୁଙ୍କ ମଥାରୁ ସିନ୍ଦୂର ଲିଭିଗଲା,ସଦା ସର୍ବଦା ବୋଝେ ବୋଝେ ନାଲି ଚୁଡ଼ି ପିନ୍ଧିଥିବା ହାତ ତାଙ୍କର ପୁଙ୍ଗୁଳା ହୋଇଗଲା,ସେ କାନ୍ଦି କାନ୍ଦି ବେହାଲ ହୋଇଗଲେ |ସେହି ସମୟରେ ତାଙ୍କୁ ସାନ୍ତ୍ୱନା ଦେବା ଦୂରର କଥା,ଛୁଆଙ୍କ ବାହାନା ଦେଖାଇ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେବାକୁ ମଧ୍ୟ ବୋହୂ ଆସିଲା ନାହିଁ |ମୁଁ କହିବି, ଏଇଟା ବୋହୂର ପ୍ରକୃତ ରୂପ ଥିଲା,ପୂର୍ବରୁ ସେ ମୁଖା ପିନ୍ଧି ଅଭିନୟ କରୁଥିଲା !ଏହିପରି ଅଜସ୍ର ଘଟଣା ମୁଁ ମୋ ଆଖି ଆଗରେ ଦେଖିଛି |ତେଣୁ ଲୋକ ଦେଖାଣିଆ ସେଲିବ୍ରେସନକୁ ମୁଁ ଘୃଣା କରେ |ଯିଏ ଯାହାକୁ ଅନ୍ତରର ସହିତ ଭଲପାଏ,ତାହା ତାର କାର୍ଯ୍ୟକଳାପରେ ସ୍ପଷ୍ଟ ଦିଶିଯାଏ ,ସେଥିପାଇଁ  ସୋସିଆଲ ମିଡ଼ିଆର ପ୍ରୟୋଜନ ହୁଏ ନାହିଁ |ସୁଷମା କହିଲେ,ତମର ମୁଖା ପିନ୍ଧା କଥା ମୁଁ ଗ୍ରହଣ କରିବି ନାହିଁ |ଵିଵାହବାର୍ଷିକୀ ଦୂରର କଥା,ଯିଏ ମୋର ଜନ୍ମଦିନ ତାରିଖ ମନେ ରଖିନାହାନ୍ତି ,ତାଙ୍କ ମୁହଁରେ ଏମିତି କଥା ଶୋଭା ପାଏ ନାହିଁ  |

                          ଦିନେ ମାର୍କେଟରେ ଅକସ୍ମାତ ପ୍ରଭା ସହ ଦେଖା ହୋଇଗଲା |ତାଙ୍କୁ ଦେଖୁ ଦେଖୁ ସୁଷମା ସାଙ୍ଗେ ସାଙ୍ଗେ ଚିହ୍ନି ଦେଲେ,ଯଦିଓ ସୁଷମାଙ୍କୁ  ଚିହ୍ନିବାକୁ ପ୍ରଭାଙ୍କୁ କିଛି ମିନିଟ ଲାଗିଗଲା |ପ୍ରଭା କହିଲେ,ଏମିତି କଣ ଚେହେରା କରିଛୁ ?ପାର୍ଲର ଯାଉନୁ କି ?ସୁଷମା କହିଲେ ବୟସ ଥିବାବେଳେ ପାର୍ଲର ଯାଉ ନଥିଲି,ଏବେ ବୁଢ଼ୀ ବୟସରେ କଣ ଯିବି ?ପ୍ରଭା କହିଲେ,ପାର୍ଲର,ଜିମ,ଯୋଗ,ଇତ୍ୟାଦି ଆଜିକାଲିର ସ୍ଟାଟସ |ସଭ୍ୟ ସମାଜରେ ଚଳିବାକୁ ହେଲେ,ଏସବୁ ମେଣ୍ଟେନ କରିବାକୁ ପଡେ  |ଅନ୍ୟ କଥା କହ କହି ସୁଷମା ପ୍ରଭାଙ୍କ କଥାକୁ ଏଡାଇ ଗଲେ | ଅନତି ଦୂରରେ ଥିବା ତିନି ମହଲା କୋଠାଘରକୁ ଇଙ୍ଗିତ କରି ପ୍ରଭା କହିଲେ,ଏଇ ପାଖରେ ଆମର ଘର,ଏତେ ଦିନପରେ ଦେଖା ହେଲା,ତତେ ଆମ ଘରକୁ ଆସିବାକୁ ପଡିବ |ସୁଷମା ଯେତେ ମନା କଲେ ବି ପ୍ରଭା ନଛୋଡବନ୍ଧା ଥିଲେ |ଅନୁମତି ଅପେକ୍ଷାରେ ସୁଷମା ଜିତେନ୍ଦ୍ରଙ୍କୁ ଚାହିଁଲେ |ଜିତେନ୍ଦ୍ର କହିଲେ,ମୋର କାମ ଅଛି,ତମେ ଯାଅ |ଡେରି କରିବନି |ମତେ ଫୋନ କଲେ,ମୁଁ ଆସି ଏଇଠି ଛିଡା ହୋଇଥିବି |ପ୍ରଭା ଜିତେନ୍ଦ୍ରଙ୍କୁ କହିଲେ,ଭାଇନା ଆପଣ ବି ଆସନ୍ତୁ ନା ପ୍ଲିଜ |ଜିତେନ୍ଦ୍ର କହିଲେ,ସରି ,ମାମ ,ମୋର କାମ ଅଛି ,ମୁଁ ଯାଇ ପାରିବିନାହିଁ ,ଏହା କହିବା  ସାଙ୍ଗେ ସାଙ୍ଗେ ସେ ସେଠାରୁ ଚାଲିଗଲେ |ତାଙ୍କ ଯିବା ବାଟକୁ ଚାହିଁ ପ୍ରଭାଙ୍କ ମୁହଁରୁ ବାହାରି ପଡିଲା,କେମିତି ଅଜବ ଲୋକଟାକୁ ବାହା ହୋଇଛି କିଲୋ ?ପୁରା ରୋକ ଠୋକ |ସୁଷମା କହିଲେ,ତୁ ଚାଲିଲୁ ,ଠିକ ପାଞ୍ଚ ମିନିଟ ରହିବି,ବେଶୀ ସମୟ ରହି ପାରିବିନି | 

                         ଘର ନୁହେଁ ତ ତାହା ଥିଲା ଏକ ଇନ୍ଦ୍ର ଭୁବନ |ମଝି ମହଲାରେ ସେମାନେ ରହୁଥିବାବେଳେ ଉପର ଓ ତଳ ମହଲା ଭଡା ଲାଗିଥିଲା  |ଗୋଟିଏ ବଡ଼ ହଲ ଓ ରୋଷେଇ ଘରକୁ ଛାଡି ମଝି ମହଲାରେ ତିନିଟି ବେଡ଼ରୁମ ଥିଲା | ସୁନ୍ଦର ଭାବରେ ସଜ୍ଜିତ ହୋଇଥିବା ବେଡ଼ ରୁମକୁ ଦେଖାଇ ପ୍ରଭା ସେମାନଙ୍କର ଦାମ୍ପତ୍ୟ ଜୀବନର ମଧୁରତା ବର୍ଣ୍ଣନା କରିବାବେଳେ  କହୁ କହୁ କହିଦେଲେ,ଏଇ ରୁମ ଟି ମୋର ଓ ତା ପାଖ ରୁମକୁ ଦେଖାଇ କହିଲେ,ଏଇଟା ଆମ ମିଷ୍ଟରଙ୍କର |ସୁଷମା କିଛି କହିବା ପୂର୍ବରୁ ପ୍ରଭା କହିଲେ,ମୁଁ ଟିକିଏ ଡେରିରେ ଶୁଏ,ସେ ଶୀଘ୍ର ଶୁଅନ୍ତି |ତେଣୁ କେହି କାହାରି ନିଦ୍ରାରେ ବ୍ୟାଘାତ ସୃଷ୍ଟି ନ କରିବା ପାଇଁ ଆମେ ଦୁଇଜଣ ଅଲଗା ରୁମରେ ଶୋଇବାକୁ ନିଷ୍ପତ୍ତି ନେଇଛୁ |ସୁଷମା କହିଲେ,ମୁଁ ତତେ କିଛି ପଚାରିଛି ?ପ୍ରଭା ଟିକିଏ ହସିଦେଇ ସ୍ୱର ନରମ କରି କହିଲେ,ତୁ ମୋର ସାଙ୍ଗ ,ତତେ କଣ ମିଛ କହିବି ?ପ୍ରକୃତ କଥା ହେଲା, ଆମର ବାଥ ରୁମକୁ ସେ ସବୁବେଳେ ଗନ୍ଧିଆ କଲେ |କେତେ ପରିଷ୍କାର କରିବି ?ତେଣୁ ତାଙ୍କୁ  ଅଲଗା ରୁମ ଦେଇଦେଲି ,ତେଣିକି ଯାହା ଇଚ୍ଛା ତାହା କରନ୍ତୁ |ଦୁହେଁ କଥାବାର୍ତ୍ତା କରୁଥିବାବେଳେ ପ୍ରଭାଙ୍କ ସ୍ୱାମୀ ସେଠାକୁ ଆସି କହିଲେ,ଜୀରା ଡବା କେଉଁଠି ରଖିଛ ?ଖୋଜି ଖୋଜି ପାଉନାହିଁ |ତାଙ୍କ କଥା ଶୁଣି ପ୍ରଭା ରାଗ ତମ ତମ ହୋଇ କହିଲେ,ରୋଷେଇ କିଏ କରୁଛି ?ତମେ ରୋଷେଇ କରି ଆଡ଼େ ସାଡେ ଜିନିଷ ରଖୁଛ ,ଜୀରା ଡବା କଥା ମୁଁ କେମିତି ଜାଣିବି  ?ତାଙ୍କ କଥା ଶୁଣି ସୁଷମା ଅବାକ ହୋଇଗଲେ | ଭାବିଲେ,ଏହା ବୋଧହୁଏ ତାଙ୍କ ସଫଳ ଦାମ୍ପତ୍ୟ ଜୀବନର ରହସ୍ୟ !!ଏହି ସମୟରେ ଜିତେନ୍ଦ୍ରଙ୍କ ଫୋନ ଆସିବାରୁ,ମୁଁ ଯାଉଛି,ପରେ ଆସିବି କହି  ସୁଷମା ସେଠାରୁ ଚାଲି ଆସିଲେ |

                      ଫାଲଗୁନ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥି ଜିତେନ୍ଦ୍ରଙ୍କ ପରିବାର ପାଇଁ ଏକ କାଳରାତ୍ରି ଥିଲା |ଅର୍ଦ୍ଧ ରାତ୍ରିରେ ସୁଷମା ପରିସ୍ରା କରିବାକୁ ଯାଇଥିବାବେଳେ ବାଥରୁମରେ ଗୋଡ଼ ଖସିଯିବାରୁ ଶକ୍ତ ଆଘାତ ପାଇ ତାଙ୍କର ବାମ ପାର୍ଶ୍ୱ ସମ୍ପୂର୍ଣ୍ଣ ଅଚଳ ହୋଇଗଲା |ଉଷା ଦୁଇମାସ ଛୁଟିରେ ରହି ତାଙ୍କର ନିରବିଚ୍ଛିନ୍ନ ସେବା କଲା |ତଥାପି ସୁଷମାଙ୍କ ଅବସ୍ଥାରେ କିଛି ଉନ୍ନତି ପରିଲିକ୍ଷିତ ନ ହେବାରୁ  ଜିତେନ୍ଦ୍ର ଉଷାକୁ ଅଫିସରେ ଜଏନ କରିବାକୁ କହି ନିଜେ ସୁଷମାଙ୍କର ସମସ୍ତ ଦାୟିତ୍ତ୍ୱ ବହନ କଲେ  |ଏହିପରି ଭାବରେ ଦୀର୍ଘ ଦୁଇବର୍ଷ ବିତିଗଲା |କ୍ରମେ ସୁଷମାଙ୍କ ଶରୀର ଜୀର୍ଣ୍ଣ ଶୀର୍ଣ୍ଣ ହୋଇଗଲା |ତାଙ୍କୁ ଦେଖିଲେ ଲାଗୁଥିଲା,ଯେପରି ହାଡ଼ ଉପରେ ଏକ ପତଳା ଚମଡା ଘୋଡା ହୋଇଛି !ପୁଅ ପ୍ରତ୍ୟେକ ଶନିବାର ଘରକୁ ଆସୁଥିଲା ଓ ରବିବାର ଚାଲି ଯାଉଥିଲା  |ସେଦିନ ରବିବାର  ଥିଲା |ଘରେ ସମସ୍ତେ ଥିଲେ |ସୁଷମାଙ୍କୁ ଆଉଁସି ଦେଉ ଦେଉ ଜିତେନ୍ଦ୍ର କହି ପକାଇଲେ ,ଭଗବାନ ତମକୁ କେତେ ଆୟୁଷ ଦେଇଛନ୍ତି ?ପିଲାମାନଙ୍କୁ ଆଉ କେତେ ହଇରାଣ କରିବ ?ଉତ୍ତରରେ ସୁଷମାଙ୍କ ନୟନ ପ୍ରାନ୍ତରୁ ଦୁଇଧାର ଅଶ୍ରୁ ଗଡି ପଡିଲା |ଜିତେନ୍ଦ୍ରଙ୍କ ଏପରି କଥା ଶୁଣି ଉଷା ଆଶ୍ଚର୍ଯ୍ୟ ହୋଇଗଲା |ଶାଶୁ ଚାଲି ଯାଆନ୍ତୁ ବୋଲି ସିଏ ବି ମନେ ମନେ ଚାହୁଁଥିଲା |କିନ୍ତୁ ସ୍ୱାମୀ ହୋଇ ତାଙ୍କ ମୁହଁ ଉପରେ ଶ୍ୱଶୁର କିପରି ଏମିତି କହି ପାରିଲେ ?ସମସ୍ତଙ୍କୁ ମୁକ୍ତି ଦେଇ, ସେହିଦିନ ସନ୍ଧ୍ୟାରେ ସୁଷମା ଶେଷ ନିଶ୍ଵାସ ତ୍ୟାଗ କଲେ |ତାଙ୍କ ମୃତ ଶରୀର ଉପରେ ମୁଣ୍ଡ ରଖି ଜିତେନ୍ଦ୍ର କହିଲେ,ଏଥର ମୁଁ ଶାନ୍ତିରେ ମରି ପାରିବି , ତୁମ ଆଗରୁ ମରି ଯାଇଥିଲେ କିଏ ତୁମର ସେବା ଶୁଶ୍ରୁଷା କରିଥାନ୍ତା ??ଏହା କହିବା ସଙ୍ଗେ ସଙ୍ଗେ ତାଙ୍କର ପ୍ରାଣବାୟୁ ଉଡ଼ିଗଲା |

                ଏକା ସାଙ୍ଗରେ ପତି ପତ୍ନୀ ଦୁଇଜଣଙ୍କର ଅନ୍ତିମ ସଂସ୍କାର କରାଗଲା | ଜିତେନ୍ଦ୍ର ସୁଷମାଙ୍କର ଜନ୍ମଦିନ କିମ୍ବା ସେମାନଙ୍କର ବିବାହ ବାର୍ଷିକୀ ତାରିଖ  ସିନା ମନେରଖି ପାରି ନଥିଲେ ତାଙ୍କୁ ସେ କେତେ ଭଲ ପାଆନ୍ତି ଓ ତାଙ୍କ ବିନା ବଞ୍ଚିବା କିପରି ଅସମ୍ଭବ,ତାହା ତାଙ୍କ ମୃତ୍ୟୁରୁ ପ୍ରମାଣିତ ହୋଇଗଲା  |ଏହା ସ୍ୱତଃସ୍ଫୁର୍ତ୍ତ ଥିଲା ଓ ଏଥିପାଇଁ ତାଙ୍କ ଭାଷାରେ ତାଙ୍କୁ ଛଳନାର ମୁଖା ପିନ୍ଧିବା ଆବଶ୍ୟକ  ପଡିନଥିଲା |  (ସମାପ୍ତ)ମମତା ମହାନ୍ତି ସାମନ୍ତରାୟ 

Tuesday, June 25, 2024

ମମତା

                            ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯେଉଁ କଥାକୁ ନେଇ ସବୁବେଳେ ଯୁକ୍ତି ତର୍କ  ହେଉଥିଲା ,ତାହାର ମୁଖ୍ୟ କାରଣ ଥିଲା,ପିତା ରବିର ପୁତ୍ର ନରେଶ ପ୍ରତି ଥିବା ଅହେତୁକ ଭଲ ପାଇବା |ରବିର ବାତ୍ସଲ୍ୟ ମମତା ଏପରି ପ୍ରବଳ ମାତ୍ରାରେ ସୀମା ଲଂଘି ଯାଇଥିଲା ଯେ, ନରେଶ ଯାହା ଅଳି କରୁଥିଲା,ରବି ତାହା ତୁରନ୍ତ  ପୂରଣ କରିବାକୁ ପଛଘୁଞ୍ଚା ଦେଉ ନଥିଲା  |ଏପରିକି ନିଜ ଜୀବନ ବିନିମୟରେ ପୁଅକୁ  ଆକାଶର ଚାନ୍ଦ ଆଣି ଦେବାପାଇଁ ମଧ୍ୟ ରବି ପ୍ରସ୍ତୁତ  ଥିଲା |ସ୍ତ୍ରୀ ଶଶୀ କୁ କିନ୍ତୁ ଏକଥା ଆଦୌ ଭଲ ଲାଗୁ ନଥିଲା |ସେ ରବିକୁ ତାଗିଦ କରି କହୁଥିଲା,ଭଲପାଇବା ତୁମ ମନରେ ରଖ, ,ଉପରେ ଶାସନ କର,ନହେଲେ ତାର ପରିଣାମ ଭଲ ହେବନାହିଁ   |ରବି ବିରକ୍ତ ହୋଇ କହୁଥିଲା ,ତୁ  ମୂର୍ଖ,ସନ୍ତାନ ପ୍ରେମର ମାନେ କଣ ଜାଣିଛୁ ?ଛଅଟା ନୁହେଁ,ନଅଟା ନୁହେଁ, ଗୋଟିଏ ବୋଲି ପୁଅ ମୋର ,ତାକୁ ଭଲ ପାଇବିନି ତ ଆଉ କଣ କାନ୍ଥ ବାଡ଼କୁ ଭଲ ପାଇବି ?ମୋର ଭିତର ବାହାର ସବୁ ସମାନ,ଅନ୍ତର ଭିତରେ ଭଲ ପାଇବା ରଖି ବାହାରେ କଠୋର ହେବା ନୀତି ମତେ ଜଣା ନାହିଁ |ପିଲାଦିନ ମୋର ବହୁତ ଦୁଃଖରେ କଟିଛି ,ସେପରି ଦୁଃଖ କଷ୍ଟରେ ମୋ ପୁଅକୁ କେବେହେଲେ ଘାଣ୍ଟି ହେବାକୁ ଦେବିନି | ମୁଁ ଯାହା ପାଇନି,ସବୁ ମୋ ପୁଅକୁ ଦେବି  |ସେ ଯେତେ ଇଚ୍ଛା ସେତେ ପାଠ ପଢିବ,ଯାହା ଚାହିଁବ,ତାହା କରିବ |ଦରକାର ପଡିଲେ,ମୋ ଜମିବାଡ଼ି ସବୁ ବିକ୍ରି କରିଦେବି |କିନ୍ତୁ ମୋ ପୁଅକୁ ମୋ ପରି ଅଧା ପାଠୁଆ ଓ ମଳିମୁଣ୍ଡିଆ କରିବିନି |ଆଜି ନହେଲେ କାଲି  ଲୋକେ ଦେଖିବେ,ଚାଷୀ ଘର ପୁଅ କେତେ ବଡ଼ ଅଫିସର ହୋଇଛି ଓ ତା ପଛରେ ତା ବାପାର କେତେ ବଡ଼ ଅବଦାନ ରହିଛି  !!

                          ନରେଶ ଭଲ ପଢିବା ସଙ୍ଗେ ସଙ୍ଗେ  ତା ପିତାକୁ ବହୁତ ଭଲ ପାଉଥିଲା |ଦୁହେଁ ଏକା ସାଙ୍ଗରେ ଗୋଟିଏ ଥାଳିରେ ଖାଉଥିଲେ,ଏକାଠି ଗୋଟିଏ ଖଟରେ ଶୋଉଥିଲେ |ପରୀକ୍ଷା ବେଳେ ଯେତେବେଳେ ନରେଶ ଅଧିକ ରାତି ଯାଏଁ ପାଠ ପଢୁଥିଲା,ରବି ଅନିଦ୍ରା ହୋଇ ତାକୁ ଜଗି ବସୁଥିଲା |ମାଟ୍ରିକ ପରୀକ୍ଷାରେ ସେ ଯେତେବେଳେ  ପ୍ରଥମ ଦଶ ଜଣଙ୍କ ଭିତରେ ସ୍ଥାନ ରଖି  ଉତ୍ତୀର୍ଣ୍ଣ ହେଲା,ସେତେବେଳେ ରବି ଖୁସିରେ ପାଗଳ ପ୍ରାୟ ହୋଇ ସେ ଗାଁ ସାରା ଲୋକଙ୍କୁ  ମିଠା ବାଣ୍ଟିଥିଲା  |ତାପରେ ଉଚ୍ଚ ଶିକ୍ଷା ପାଇଁ ଯେବେ ନରେଶ ସହରକୁ ଯିବାକୁ ବାହାରିଲା,ପୁଅକୁ ଛାଡିବା ଦୁଃଖରେ ରବିକୁ ଜ୍ୱର ଆସିଯାଇଥିଲା ଓ ଚାରିଦିନ କାଳ ଜ୍ୱର ଓହ୍ଲାଇବାର ନାମ ନେଇ ନଥିଲା |ଶେଷରେ ଜଣେ ଗୁଣିଆ ଆସି ଝଡା ଫୁଙ୍କା କରିବାରୁ ଜ୍ୱର କମିଥିଲା |ସେ କହୁଥିଲେ,ରବି ମନରେ କାଳେ "ହା"(ଏକ ପ୍ରକାର ମାନସିକ ରୋଗ) ପଶିଯାଇଥିଲା |ପୁଅର ଭବିଷ୍ୟତ ପାଇଁ ରବି ଧୀରେ ଧୀରେ ମନକୁ ବୁଝାଇ ଦୃଢ଼ କଲା |ନରେଶର  ରସାୟନ ବିଜ୍ଞାନ ପ୍ରତି ଆଗ୍ରହ ଥିଲା ଓ ଏହି ବିଷୟରେ  ପି ଏଚ ଡି  କରିବା ପାଇଁ  ସେ  ବିଦେଶକୁ ଯିବାକୁ ଚାହୁଁଥିଲା |ପୁଅକୁ ନିରାଶ ନକରି ରବି ଜମି ବିକି ଏଥିପାଇଁ ଆବଶ୍ୟକୀୟ ଅର୍ଥର ବନ୍ଦୋବସ୍ତ କଲା | 

                   ପାଖ ଗାଆଁର ଅନିନ୍ଦ୍ୟ ସୁନ୍ଦରୀ ମାଳିନୀକୁ ବୋହୂ କରିବାକୁ  ଉଭୟ ସ୍ୱାମୀ ସ୍ତ୍ରୀଙ୍କର ବହୁତ ଇଚ୍ଛା ଥିଲା |ରବି ମଧ୍ୟ  ଏକଥା ନରେଶ କାନରେ ପକାଇ ଥିଲା |ଆଗେ ପଢା ସରୁ,ତାପରେ କହିବି ବୋଲି ନରେଶ କହିଥିଲା |ପଢା ଶେଷ କରି  ନରେଶ ଯେତେବେଳେ ସ୍ଵଦେଶକୁ ଫେରିଲା,ତାକୁ ଦିଲ୍ଲୀର ଏକ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ମିଳିଗଲା |ସେତେବେଳେ ଉଭୟ ପତିପତ୍ନୀଙ୍କର ଆନନ୍ଦ ଦେଖେ କିଏ ?ରବିକୁ ଲାଗୁଥିଲା ସତେ ଯେପରି ଚନ୍ଦ୍ର ତାର ହାତମୁଠାକୁ ଚାଲି ଆସିଛି |କିଛିଦିନ ପରେ  ନରେଶ  ନିଜଆଡୁ ବାହାଘର କଥା ଉଠାଇ ତାର ନାମ ସୁପାରିଶ କରି ବିଦେଶକୁ ପଠାଇଥିବା ଅଫିସରଙ୍କ ଅଲିଅଳି ଝିଅ ଲିସାକୁ ବାହାହେବା ପାଇଁ ମନସ୍ଥ କରିଥିବା କଥା ପିତାମାତାଙ୍କୁ ଜଣାଇଦେଲା |ତା କଥା ଶୁଣି ରବିକୁ ଲାଗିଲା ସତେ ଯେପରି ତାର ପାଦତଳୁ ଭୂମି ଅପସରି ଯାଉଛି !  କିନ୍ତୁ ତା  ପାଇଁ ପୁଅର ଖୁସି ସର୍ବୋପରି ଥିଲା |ସେ ଏକଥା କହି ନିଜକୁ ସାନ୍ତ୍ୱନା ଦେବା ସହିତ ଶଶୀକୁ  ବୁଝାଇ କହିଲା,ପୁଅ ଆମର ଏବେ ବିଦେଶ ଫେରନ୍ତା,ବଡ଼ ଚାକିରୀ କରୁଛି,ସେ ଏମିତି ସେମିତି ଝିଅକୁ ବାହାହେଲେ,ସମାଜରେ ତାର ଇଜ୍ଜତ ରହିବ ନାହିଁ  |ସେ ଯାହା ବି କରୁ ,ଆମର ପୁଅ ବୋଲି  ସମସ୍ତେ କହିବେ,ଯେତେ ଯାହା ହେଲେ ବି ,ହାତୀ ବନସ୍ତରେ ଥିଲେ ବି ରାଜାଙ୍କର |

                  ଲିସା ଓ ନରେଶଙ୍କ ବିବାହ ଗ୍ରାମରେ ନ ହୋଇ ଦିଲ୍ଲୀରେ ହେଲା,ଯେଉଁଠି  ଲିସାର ପିତା ଚାକିରୀ କରୁଥିଲେ |ପିତାମାତାଙ୍କୁ ସାଙ୍ଗରେ ନେଇ ନରେଶ ଦିଲ୍ଲୀ ଯାଇଥିଲା |ସେଠାରେ ଝିଅ ଘରର ବୈଭବ ଦେଖି ରବି  ଚମତ୍କୃତ ହେବା ସଙ୍ଗେ ସଙ୍ଗେ  ସେମାନଙ୍କ ତୁଳନାରେ ନିଜକୁ ଅତି ତୁଚ୍ଛ ମନେକରୁଥିଲା |ତଥାପି ତା ମନର ଟାଣ ପଣ ଭାଙ୍ଗି ନଥିଲା | ବରଂ ପୁଅ ବଡ ଘରେ ବାହା ହୋଇଛି ବୋଲି କହିବାକୁ ତାକୁ ଭଲ ଲାଗୁଥିଲା |

              ବାହାଘର ପରେ ଲିସା ଥରଟିଏ ବି ଶାଶୁଘର ଗାଆଁକୁ ଆସିନଥିଲା | ରବି ଓ ଶଶୀ ଏକାଧିକ ବାର ପୁଅ ବୋହୂଙ୍କ ପାଖକୁ ଯାଇ କିଛିଦିନ ରହି ଫେରି ଆସୁଥିଲେ |ପ୍ରତିଥର ଖୁସି ମନରେ ଯାଆନ୍ତି ଓ ବୋହୂର ବ୍ୟବହାରରେ ଅତିଷ୍ଠ ହୋଇ ଦୁଃଖୀ ମନରେ ଫେରନ୍ତି |କ୍ରମଶଃ ବୋହୂ ଓ ତାର ପିତାମାତାଙ୍କ ବ୍ୟବହାର ଅସହ୍ୟ ହେବାରୁ,ବଞ୍ଚିଥିବା ପର୍ଯ୍ୟନ୍ତ  ଆଉ ପୁଅ ପାଖକୁ ଆସିବି ନାହିଁ ବୋଲି  ନିଷ୍ପତ୍ତି ନେଇ ଶଶୀ ଗାଆଁରେ ରହିଗଲା  |କିନ୍ତୁ ରବି ପୁଅ ପ୍ରତି ଏପରି ନିଷ୍ଠୁର ହୋଇ ପାରିବ ନାହିଁ ବୋଲି ସଫା ସଫା ମନା କରିଦେଇ ମଝିରେ ମଝିରେ ଏକୁଟିଆ ପୁଅ ପାଖକୁ ଯାଇ ଦିନେ ଦୁଇଦିନ ରହି ଫେରି ଆସୁଥିଲା  |ଏହାପରେ ଲିସାର ଦୁଇଟି ଯାଆଁଳା ପୁଅ ଜନ୍ମ ହେଲେ |ଏହି ଖବର ପାଇ ଶଶୀର ଅଭିମାନ ମିଳେଇ ଗଲା  |ଦୁହେଁ ଦୁଇ ନାତିଙ୍କ ପାଇଁ ସୁନା ଚେନ ,ଡ୍ରେସ ଆଦି ନେଇ ସେଠାକୁ ଗଲେ |କିନ୍ତୁ ସେଠାରେ ସେମାନଙ୍କ ପାଇଁ ଏକ ବିଚିତ୍ର ପରିସ୍ଥିତି ଅପେକ୍ଷା କରିଥିଲା |ବୋହୂର ଅଭିଯୋଗ ଥିଲା,ସେ ଅନ୍ତସତ୍ତ୍ଵା ଥିବାବେଳେ ଶାଶୁଙ୍କର ସେବା ଓ ସହଯୋଗ ଆଶା କରୁଥିଲା |ସେତେବେଳେ ନ ଆସି ଏବେ ଆସିଲେ କାହିଁକି  ?ତାର ମାମା  ଶତ ପ୍ରତିଶତ ସବୁ କାମ କରୁଛନ୍ତି,ସେ ଦୁଇଜଣ ସେଠାରେ ଅଯଥା ରହିବା କଣ ଦରକାର ? ବୋହୂ ଠାରୁ ଏକଥା ଶୁଣି ରବି ଓ ଶଶୀଙ୍କ ମନ ଭାଙ୍ଗିଗଲା |ଶଶୀ ସାଙ୍ଗେ ସାଙ୍ଗେ ଫେରିଯିବା ପାଇଁ କହୁଥିଲା କିନ୍ତୁ ଗୁଲୁଗୁଲିଆ ନାତି ଦୁଇଟିଙ୍କ ମୋହ ଏଡାଇ ନପାରି ଏକୋଇଶିଆ ପର୍ଯ୍ୟନ୍ତ ଅଟକିବା ପାଇଁ ରବି ଶଶୀକୁ ଅନୁରୋଧ କଲା | ଏକୋଇଶିଆ ଉତ୍ସବ ପରେ  ରବି ଓ ଶଶୀ ଅନୁଭବ କଲେ,ସେଠାରେ ସେମାନେ  ନିଜର ଅସ୍ତିତ୍ଵ ହରାଇ  ସମ୍ପୂର୍ଣ୍ଣ  ଅଲୋଡ଼ା ହୋଇ ପଡିଛନ୍ତି |ଦୁହେଁ ଗାଆଁକୁ ଫେରିଯିବା ପାଇଁ ନରେଶକୁ କହିଲେ  |ରବି ଭାବିଥିଲା,ନରେଶ ସେମାନଙ୍କୁ ଯିବାକୁ ଦେବନାହିଁ |କିନ୍ତୁ  ସେମାନଙ୍କ ଯିବା କଥା ଶୁଣି ନରେଶ ସାଙ୍ଗେ ସାଙ୍ଗେ ରାଜି ହୋଇଗଲା  |

                କିଛିଦିନ ଗାଆଁରେ ରହିବାପରେ ରବିର ପୁଣି ପୁଅ କଥା ମନେ ପଡିଲା | ଯେତେ ରାଣ ନିୟମ ପକାଇଲେ ବି ଶଶୀ କିନ୍ତୁ  ଆଉ ପୁଅ ପାଖକୁ ଯିବାକୁ ଇଚ୍ଛା କଲାନାହିଁ |ବୋହୂ କଥା ଆଲୋଚନା କରି ରବି ମନରେ ଦୁଃଖ ଦେବାପାଇଁ ଶଶୀ ଚାହୁଁ ନଥିଲା  |ମନ କଥା ମନରେ ରଖି,ମାନସିକ ଦୁଶ୍ଚିନ୍ତାରେ ଘାଣ୍ଟି ହୋଇ ତାର  ଖାଇବା ପିଇବାର ଠିକଣା ରହିଲା ନାହିଁ |  ଧୀରେ ଧୀରେ ତାର ଶରୀର ରୁଗ୍ଣ ହେବାକୁ ଲାଗିଲା ଓ ଶେଷରେ ସେ ସବୁଦିନପାଇଁ ଆଖି ବୁଜିଦେଲା |ମାଆର ଅକାଳ ମୃତ୍ୟୁରେ ନରେଶ ବ୍ୟଥିତ ହେଲା | ପିଲା ଦୁଇଟି ଛୋଟ ଥିବାରୁ ଶେଷକୃତ୍ୟ କରିବା ପାଇଁ ସେ  ଏକୁଟିଆ ଗାଆଁକୁ ଆସିଲା  | ଶାଶୁର ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବାପାଇଁ ବୋହୂ ନ ଆସିବାରୁ ଗାଁ ଲୋକେ ଟୁପୁରୁ ଟାପୁରୁ ହେଲେ |ରବି  ସେମାନଙ୍କ ମୁହଁ ବନ୍ଦ କରିଦେଇ କହିଲା,ଛୋଟ ପିଲା ଦୁଇଟିଙ୍କୁ ନେଇ ସେ କେମିତି ଆସିଥାନ୍ତା ?ଆଖ ପାଖରେ ଡାକ୍ତରଖାନା ନାହିଁ,ଛୁଆଙ୍କ ଦେହ ଖରାପ ହେଲେ,କିଏ ଆମ ପିଠିରେ ପଡିଥାନ୍ତା ??

                ଶୁଦ୍ଧିକ୍ରିୟା ସରିବାପରେ  ନରେଶ ବାପାଙ୍କୁ  ସାଙ୍ଗରେ ନେଇ ଆସିଲା |ବାଟ ସାରା ତାଙ୍କୁ ବୁଝାଇ କହିଲା,ମୋ ସୁନା ବାପା, ଲିସା ଅତି ଗେହ୍ଲାରେ ବଢି ଏକଜିଦ୍ଦିଆ ହୋଇ ଯାଇଛି,ନହେଲେ,ତାର ଆଉସବୁ ଗୁଣ ଭଲ |ଏବେ ଦିନ ରାତି ପିଲାଙ୍କ ଜଞ୍ଜାଳରେ ଘାଣ୍ଟି ହୋଇ  ସେ ଆହୁରି ବେଶୀ ଚିଡିଚିଡ଼ା  ହୋଇ ଯାଇଛି | ରାଗରେ ସେ କେବେ କିଛି କହିଦେଲେ ତମେ ତା କଥା ଧରିବ ନାହିଁ,ତମ ଗୁଣରେ ତାକୁ କ୍ଷମା କରିଦେବ  |ତା କଥା ଶୁଣି ରବି ଆଖିରୁ ଧାର ଧାର ହୋଇ ଲୁହ ଝରି ପଡିଲା |ସେ ମନେ ମନେ ଭାବିଲା,ଯାହା ଉପରେ ରାଗ ସୁଝାଉ ଥିଲି,ସିଏ ତ ଚାଲିଗଲା,ମୁଁ ଆଉ କାହା ଉପରେ ରାଗିବି ?

             ଯେତେ ଚେଷ୍ଟା କଲେ ବି, ବୋହୂର ମନ ନେଇ ଚଳିବା ରବି ପାଇଁ କଷ୍ଟକର ନୁହେଁ ବରଂ ଅସମ୍ଭବ ବ୍ୟାପାର ଥିଲା |ନାମକୁ ମାତ୍ର ସିନା ତାର ଦୁଇଟି ନାତି ଥିଲେ, ସେମାନଙ୍କ ଉପରେ ତାର କିଛି ଅଧିକାର ନଥିଲା |ସେମାନଙ୍କ ସହିତ ସେ କେମିତି କଥା ହେବ,ତାଙ୍କୁ କେମିତି ଧରିବ,ଗେଲ କରିବ କି ନାହିଁ,ଗାଉଁଲି ନାନାବାୟା ଗୀତ ଗାଇବ କି ନାହିଁ ଇତ୍ୟାଦି ଟିକି ନିଖି ସବୁ କଥା ତାକୁ ଲିସାକୁ ପଚାରି କରିବାକୁ ପଡୁଥିଲା |ତା ନହେଲେ ଲିସା ଘରେ ପ୍ରଳୟ ସୃଷ୍ଟି କରୁଥିଲା | ରବିର  ଥରକରେ ବେଶୀ ନଖାଇ କିଛି ସମୟ ଅନ୍ତରାଳରେ ଅଳ୍ପ ଅଳ୍ପ କରି ଖାଇବାର ଅଭ୍ୟାସ ଥିଲା  |ଏଠାରେ କିନ୍ତୁ ସେ ଅଭ୍ୟାସକୁ ମାରି ଦେବାକୁ ପଡିଲା  | ଗାଆଁରେ ଚୁଡା,ମୁଢି,ଛତୁଆ ,କ୍ଷୀର,ଦହି ସବୁ ଥିଲା  | ସକାଳେ ଚୁଡା ଦହି ଓ ଖରାବେଳେ  ଭଲରେ ମରା ହୋଇଥିବା ସର ଭର୍ତ୍ତି କ୍ଷୀରରେ ଗରମ ଭାତ ଚକଟି ଖାଇବାକୁ ସେ ଭାରି ଭଲ ପାଉଥିଲା |ତାର ମନଜାଣି ଶଶୀ ଠିକ ସମୟରେ ତାକୁ ସବୁ ଯୋଗାଇ ଦେଉଥିଲା |ଏଠାରେ ସେ ସବୁ ସାତ ସପନ ଥିଲା |ନରେଶ ସକାଳେ ପାଉଁରୁଟି ଓ ଜାମ ଖାଇ କଲେଜ ଯାଉଥିଲା,ରବି ପାଉଁରୁଟି ପାଣିରେ ବୁଡାଇ ଖାଉଥିଲା |ଛୁଟି ଦିନରେ ନରେଶ ବଜାରରୁ ଇଡ଼ିଲି/ଦୋଷା ନେଇ ଆସୁଥିଲା |ହଜମ ନହେଉ ପଛକେ,ସେଦିନ ରବି ଖୁସିରେ ଖାଉଥିଲା |

             ନରେଶ ଯେତେବେଳେ କଲେଜରୁ ଫେରୁଥିଲା,ବାପା  ପାଇଁ କିଛି ନା କିଛି ଖାଇବା ଜିନିଷ ନେଇ ଆସୁଥିଲା | ସେ ଧୁଆଧୋଇ ହୋଇ ସାରିବା ପରେ ବାପାଙ୍କୁ  ପାଖରେ ବସାଇ ,ନିଜ ହାତରେ ଖୁଆଇ , ଦିନଯାକର ହାଲଚାଲ ପଚାରି ବୁଝୁଥିଲା |ବେଳେବେଳେ ରବି କୋଳରେ ମୁଣ୍ଡ ଦେଇ ସେ ନିଦରେ ଶୋଇ ପଡୁଥିଲା |ନରେଶର ଏପରି ଶ୍ରଦ୍ଧା ଦେଖି ରବି ବୋହୂର ନିର୍ଯ୍ୟାତନା କଥା ଭୁଲି ଯାଉଥିଲା |

             ଖାଦ୍ୟାଭାସରେ ପରିବର୍ତ୍ତନ ଯୋଗୁ ରବିର ପାକସ୍ଥଳୀ ଉପରେ ପ୍ରଭାବ ପଡିଲା ଓ ଯାହା କିଛି ଖାଇଲେ ହଜମ ନହୋଇ  ଝାଡା ବାଟେ ବାହାରି ଯାଉଥିଲା | ସ୍ମରଣ ଶକ୍ତି ହ୍ରାସ ହେବା ଯୋଗୁ ଝାଡା ପରିସ୍ରା ଯାଇ ପାଣି ଢାଳିବାକୁ ସେ ବାରମ୍ବାର  ଭୁଲି ଯାଉଥିଲା |ଖାଇବା ଜିନିଷ ଭଲ ନ ଲାଗିଲେ ଅଧା ଖାଇ ଫିଙ୍ଗିଦେବା,ଘର ସଫା ସୁତୁରା ନ ରଖିବା  ଆଦି ଦିନ ସାରା ରବିର  ସବୁ ଭୁଲ କାମ ,ନରେଶ ଘରେ ପାଦ ଦେଉ ଦେଉ ଲିସା ସବୁ ଏକାସାଙ୍ଗରେ ଉଦ୍ଗାରି ପକାଉ  ଥିଲା  |ପ୍ରଥମେ ପ୍ରଥମେ ନରେଶ  ତାକୁ ସହଜରେ ନେଇ ଲିସାକୁ ଶୁଭିବା ପରି ମୃଦୁ ହସି ରବିକୁ କହୁଥିଲା ,ମୋ ସୁନା ବାପା ବୁଢା ହେଲେଣି,କିଛି ମନେ ରହୁନି,ତାଙ୍କୁ ବୁଝାଇ ଦେଲେ ସେ ସବୁ କାମ ଠିକରେ କରିବେ  |ଏହାପରେ ନରେଶର ଟ୍ୟୁସନ ଆରମ୍ଭ ହୋଇଯାଉଥିଲା  |ଏମିତି କରିବନି,ସେମିତି କରିବନି କହି ସେ ବାପାଙ୍କୁ ଶୁଆ ପରି ବୁଝାଉ ଥିଲା  |

              ସହରୀ ଖାଦ୍ୟ,ଜଳବାୟୁ ଓ ଅଶାନ୍ତ ପରିବେଶ ରବିକୁ ଆଦୌ ସୁହାଉ ନଥିଲା  |ଦିନେ ରାତିରେ ଖାଇ ସାରିବା ପରେ  ତାକୁ  ଅତର୍ଚ୍ଛା ଝାଡ଼ା ମାଡିଲା  |ସେ ତର ତର ପାଇଖାନା ଯିବା ବେଳକୁ ଅଧା ବାଟରେ ଝାଡା ହୋଇଗଲା |ସେହି ଝାଡା ଉପରେ ତାର ପାଦ ପଡି ଯିବାରୁ ତାର ଗୋଡ ଖସି ସେ ତଳେ ପଡିଗଲା |ଶବ୍ଦ ଶୁଣି ଲିସା ଆସି ରବିକୁ ଏହି ଅବସ୍ଥାରେ ଦେଖି  ରାଗରେ ଫାଟି ପଡିଲା ଓ ତାକୁ ଜୋରରେ ଗୋଟିଏ ଗୋଇଠା ମାରି ଚିତ୍କାର କରି କହିଲା,ଏ ବୁଢା,ତୁ ମତେ କାହିଁକି ଏତେ ହଇରାଣ କରୁଛୁ, ମରି ଯାଉନୁ କାହିଁକି  ?ଏମିତି ଗାଳି ଦେଉଥିବାବେଳେ ନରେଶ ସେଠାରେ ପହଞ୍ଚି କିଛି ନବୁଝି କହିଲା,ବାପା,  ଏତେ ବୁଝାଇବା ପରେ ବି ତମେ ପୁଣି ସେମିତି ଭୁଲ କଲ ?ମୁଁ ଜାଣିଛି ,ତମେ ଜମା ମରିବନି ,ଆମ ସମସ୍ତଙ୍କୁ ମାରିବା ପରେ ଯାଇ ତମେ ମରିବ |ପୁଅ ମୁହଁରୁ  ଏପରି ନିଷ୍ଠୁର କଥା ଶୁଣି ରବି ଆଖିରୁ ଧାର ଧାର ହୋଇ ଅଶ୍ରୁଧାର ଝରି ପଡିଲା  |ବୋହୂର ନିର୍ଯ୍ୟାତନା  ତାକୁ ଯେତେ ବାଧି  ନଥିଲା,ତାଠାରୁ ସହସ୍ର ଗୁଣ ଅଧିକ ପୁଅର ହୃଦୟ ବିଦାରକ କଥା ତାକୁ ବାଧିଲା |

              ସେଦିନ ରାତିରେ ରବିକୁ ଆଦୌ ନିଦ ହେଲା ନାହିଁ |ସମସ୍ତେ ଶୋଇ ସାରିବା ପରେ ସେ ଆସ୍ତେ କରି କବାଟ ଖୋଲି ବାହାରକୁ ବାହାରି ଆସି ଲକ୍ଷ୍ୟହୀନ ଭାବରେ  ଚାଲିବାକୁ ଲାଗଲା |ତାପାଇଁ ଏକମାତ୍ର ବାଟ ଖୋଲା ଥିଲା,ତାହା ହେଲା  ମୃତ୍ୟୁ ,କାରଣ ଜୀବନ ତାପାଇଁ ଦୁର୍ବିସହ ହୋଇ ପଡିଥିଲା |ଘଣ୍ଟାଏ କାଳ ଅନିର୍ଦ୍ଦିଷ୍ଟ ଭାବରେ ଚାଲୁ ଚାଲୁ ପାଖରେ ତାକୁ ଜଳ ପୂର୍ଣ୍ଣ ଏକ ବିରାଟ କେନାଲ ଦେଖାଗଲା |ଆଗପଛ କିଛି ବିଚାର ନ କରି ସେ  କେନାଲ ଭିତରକୁ ଡେଇଁ ପଡିଲା !!!କିନ୍ତୁ ନା,ସେ ଡେଇଁ ପାରିଲା ନାହିଁ |ପଛପଟୁ ଦୁଇଟି  ସବଳ ହସ୍ତ ତାକୁ ଜୋରରେ ଜାବୁଡି ଧରିଥିଲା |ଯେତେ ଛାଟିପିଟି ହେଲେ ବି ରବି ନିଜକୁ ସେ ଦୃଢ଼ ବାହୁବନ୍ଧନରୁ ମୁକ୍ତ କରି ପାରୁନଥିଲା |

         ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କିଛି ଯୁବକ ସେହିଠାରେ ବସି ଗଳ୍ପ କରୁଥିଲେ |ସେମାନଙ୍କ ମଧ୍ୟରୁ ତାକୁ ଉଦ୍ଧାର କରିଥିବା ଯୁବକଟି ଜଣେ ଥିଲା |ସେମାନେ ରବିକୁ ପାଖରେ ବସାଇ ଆତ୍ମହତ୍ୟାର କାରଣ  ପଚାରିବାରୁ ରବି କାନ୍ଦି କାନ୍ଦି ଆମୂଳଚୂଳ ସବୁ କଥା ବଖାଣି ଚାଲିଲା ଓ ତାକୁ ନେଇ ତୁରନ୍ତ ଗାଆଁରେ ଛାଡି ଆସିବାକୁ କରୁଣ ନିବେଦନ କଲା  |ରବିର ଅଜାଣତରେ ଆଉ ଜଣେ ଯୁବକ ଏହାର ଭିଡିଓ ରେକଡିଂ କରୁଥିଲା |ସେମାନେ ରବିକୁ ସାଙ୍ଗରେ ନେଇ ସ୍ଥାନୀୟ ଥାନାରେ ଏତଲା ଦେଲେ |ସେତେବେଳେ  ସେ କିଛି ଗୁରୁତର ଭୁଲ କରି ପକାଇଛି ବୋଲି ରବି ହୃଦୟଙ୍ଗମ କଲା  |ସେ ସେଠାରୁ ପଳାଇ ଯିବାକୁ ଚାହିଁଲା ,କିନ୍ତୁ ସେତେବେଳକୁ ବହୁତ ଡେରି ହୋଇ ଯାଇଥିଲା |କିଛି ସମୟ ପରେ ନରେଶ ଆସି ଥାନାରେ ପହଞ୍ଚିଲା |ମୁହଁ ତାର ଶୁଖି ଯାଇଥିଲା |ସେ କାତର ଦୃଷ୍ଟିରେ ହାତଯୋଡ଼ି ତାର ବାପାଙ୍କୁ ଚାହିଁଲା |ତାର  ମୁହଁକୁ ଚାହିଁବା କ୍ଷଣି  ନରେଶ ର ସବୁ ଅଭିମାନ ବରଫ  ପରି ତରଳି ଗଲା  |ସେ ଥାନା ଅଧିକାରୀଙ୍କୁ  କହିଲା,ମୋ ପୁଅ ମତେ ବହୁତ ଭଲ ପାଏ,ମୁଁ ବି ତାକୁ ବହୁତ ଭଲପାଏ  |ମୋର ମୁଣ୍ଡ  ଦୋଷ ଥିବାରୁ ମୁଁ ଘରୁ ଚାଲି ଆସିଥିଲି,ଏବେ ଠିକ ଅଛି   |ଏହାପରେ ଥାନା ଅଧିକାରୀ ଯେତେ ଯାହା ପ୍ରଶ୍ନ କଲେ ବି ରବି ସବୁ ଫାଙ୍କି ଦେଲା |ଶେଷରେ ବାପାଙ୍କୁ ଭଲରେ ରଖିବ ବୋଲି ଏକ ଅଣ୍ଡରଟେକିଂ ନରେଶକୁ ଲେଖିବାକୁ ପଡିଲା |  ନରେଶ ରବି ପାଖକୁ ଯାଇ ତା ହାତ ଧରି କହିଲା,ବାପା ଆସ,ଘରକୁ ଯିବା |ରବି ନରେଶର ହସ୍ତ ବନ୍ଧନୀରୁ ନିଜ ହସ୍ତକୁ ମୁକ୍ତ କରି କହିଲା,ବାପାରେ,ବହୁତ ହୋଇଗଲା,ଆଉ ନୁହେଁ | ବାତ୍ସଲ୍ୟମମତାରେ ଅନ୍ଧ ହୋଇ ମୁଁ ବହୁତ କିଛି ହରାଇଛି,ଆଉ ଯାହା ବାକି ରହିଛି,ତାକୁ ହରାଇବାକୁ ଚାହେଁନା  |ଏଥର ମୁଁ ତୋ ପାଇଁ ନୁହେଁ,ମୋ ନିଜ ପାଇଁ ବଞ୍ଚିବି | ତୁ ଦୟାକରି ଆମ ଗାଁକୁ ଯାଉଥିବା ବସରେ ମତେ ବସେଇ ଦେ|ଜୀବନର ଅନ୍ତିମ ପର୍ଯ୍ୟାୟରେ  ମୁଁ ମୋ ଗାଆଁ ମାଟିରେ  ଶାନ୍ତିରେ ମରିବାକୁ ରହିବାକୁ ଚାହେଁ  |(ସମାପ୍ତ |ମମତା ମହାନ୍ତି ସାମନ୍ତରାୟ |)

                   

                               

Tuesday, June 11, 2024

ଘର ବାହୁଡା

                          ସେମାନଙ୍କର ପରିବାର  ବୋଇଲେ ମାଆ ପୁଅ ଦୁଇଜଣ ମାତ୍ର |ବାପା ସଂସାର ଛାଡିବାର ଅନେକ ବର୍ଷ ବିତିଲାଣି  |ବାପା ନଥିବାରୁ ପୁଅ  ପାଇଁ ଝିଅ ଚୟନ କରିବା ଠାରୁ ଆରମ୍ଭ କରି ବାହାଘର କରିବା ଦାୟିତ୍ତ୍ୱ ସବୁ  ମାମୁଁଘର  ଉପରେ ନ୍ୟସ୍ତ ଥିଲା |ଏକମାତ୍ର ପୁଅର ବାହାଘର ପାଇଁ ମାଆ ଉମାଙ୍କର  ଖୁସି କହିଲେ ନସରେ |ପୁଅ କାଳେ କାହା ସାଙ୍ଗରେ ଲଟର ପଟର ହୋଇ ରିଲ କରୁଛି ବୋଲି ଗାଆଁରେ ହୁରି ପଡିଥଲା |ବାହାଘର କରି  ଘରକୁ ବୋହୂ ନେଇ ଆସିଲେ ଲୋକଙ୍କ ମୁହଁ ବନ୍ଦ ହୋଇଯିବ ବୋଲି ଭାବି ନିଜ ଭାଇଙ୍କ ମାଧ୍ୟମରେ ସେ ଝିଅ ଠିକ କରିଥିଲେ |ଝିଅ ସୁନ୍ଦରୀ,ମାଟ୍ରିକ ଯାଏଁ ପାଠ ପଢିଛି,ସିଲେଇ ଓ ରୋଷେଇବାସ ଜାଣିଛି,ଆଉ ଅଧିକ କଣ ଦରକାର ? ସବୁ ଠିକଠାକ ଥିଲା, କିନ୍ତୁ ବାହାଘର ଆଉ ଆଠଦିନ ବାକି ଥିବାବେଳେ ପୁଅ ଏକ କାଣ୍ଡ କରି ବସିଲା  |ଯେଉଁ ଝିଅ ସାଙ୍ଗରେ ରିଲ କରି ସାରା ଗାଁକୁ ଉଠା ପକା କରୁଥିଲା ବୋଲି  ଲୋକେ କହୁଥିଲେ, ସକାଳୁ ସକାଳୁ ତାକୁଇ  ମନ୍ଦିରରେ ବାହାହୋଇ,ବେକରେ ବରଣମାଳା ପକେଇ ଦୁହେଁ  ଆସି ଘରେ ହାଜର | ସେମାନଙ୍କୁ ଦେଖି ଉମାଙ୍କର ହୋସ ଉଡ଼ିଗଲା |କୁଳାଙ୍ଗାର କଣ କଲୁରେ କହି ସେ କାନ୍ଥରେ ମୁଣ୍ଡ ପିଟିଦେଲେ |

                     ପାଟିତୁଣ୍ଡ ଶୁଣି ଗାଆଁ ଲୋକେ ଜମା ହୋଇ ପ୍ରଥମେ ପାଣି ଛିଞ୍ଚି ଉମାଙ୍କୁ ସାଷ୍ଟାମ କରାଇଲେ |କିଛି ସମୟ ପରେ ପାଖ ଗାଆଁରୁ  ଭାଇ ଭାଉଜ ଆସି ପହଞ୍ଚିଗଲେ  | କିଏ କେତେ ପ୍ରକାର କଥା କହୁଥିଲେ |ସବୁ ଶୁଣି  ଭାଇ କହିଲେ,ଯାହା ହେବାର ହେଲାଣି,ବୋହୂ ଘରକୁ ଆସି ସାରିଲାଣି |ଏବେ କିଛି କରି ହେବନାହିଁ,ସେମାନଙ୍କୁ  ଘରକୁ ଆସିବାକୁ ଦିଅ  |ଭାଇଙ୍କ କଥାରେ ଉମା ବିଲକୁଲ ରାଜି ହେଉ ନଥିଲେ |ସେ ବାହୁନି ବାହୁନି କାନ୍ଦୁଥିଲେ ଓ କାଳ ସର୍ପିଣି  ଝିଅ ତାଙ୍କ ପୁଅକୁ ଗୁଣି କରି ଫସେଇ ତାଙ୍କ ମୁହଁରେ କାଳି ବୋଳିଛି କହି ତାର ଚଉଦ ପୁରୁଷଙ୍କୁ ଅନେକ ଅଭିଶାପ ଦେଉଥିଲେ |ଶେଷରେ ଭାଇ ଭାଉଜଙ୍କ ସମେତ ଗାଆଁର ମୁରବୀ ସ୍ଥାନୀୟ ବ୍ୟକ୍ତି ବୁଝାଇବାରୁ ଉମା ନିଜର ଇଚ୍ଛା ବିରୁଦ୍ଧରେ ରାଜି ହେଲେ | ଗୃହ ପ୍ରବେଶ ପରେ ଶାଶୁ ଘରେ ବିଧି ବିଧାନ ଅନୁଯାୟୀ ଯାହା କର୍ମ ହେବା କଥା ସବୁ ଭାଇ ଭାଉଜ ସାଧା ସିଧା ଭାବରେ କଲେ |କେବଳ ସାଇ ଲୋକଙ୍କୁ ଭୋଜି ଦିଆ ହୋଇ ବାହାଘର ପର୍ବ ସମାପ୍ତ କରାଗଲା  |

                    ଦିନ ପରେ ଦିନ ବିତି ଚାଲିଲା |ଇତି ମଧ୍ୟରେ ଉମା ଝିଲିକୁ ନିଜ ବୋହୂ ନୁହେଁ,ବରଂ ପୁଅର ସ୍ତ୍ରୀ ରୂପେ ସ୍ୱୀକାର କରି ନିଜ ମନକୁ ବୁଝାଇ ଦେଇଥିଲେ |ଘରେ ଝିଲି ରୋଷେଇବାସ ,ବାସନ ମଜା,,ଭିତର ଘର ଓଳେଇବା ଇତ୍ୟାଦି କାମ କରୁଥିଲା |ଉମା ବାହାର ବାଡ଼ି ଓଳାଇବା ସହିତ ଠାକୁର ପୂଜା କରୁଥିଲେ |  

            ପାଞ୍ଚ ବର୍ଷରେ ଝିଲିର ତିନି ଝିଅ ହେଲେ |ସେମାନଙ୍କୁ ତେଲ ଲଗାଇ,ଗାଧୋଇ,ଖୁଆଇ,ଶୁଆଇବା କାମ ଉମାଙ୍କର ଥିଲା |ପୁଅ ବୋହୂଙ୍କର ଖିଟମିଟରେ ସେ ଆଦୌ ମୁଣ୍ଡ ପୁରାଉ ନଥିଲେ,ବରଂ ମନେ ମନେ କହୁଥିଲେ,ଯିଏ ଆଣିଛି ସିଏ ବୁଝିବ,ମୋର କଣ ଯାଉଛି |ସେଦିନ ଉମା ସାନ ନାତୁଣୀକୁ ତେଲ ଲଗାଇ ଦେଉଥିବାବେଳେ ପୁଅ ବୋହୂଙ୍କର ପ୍ରବଳ ପାଟିତୁଣ୍ଡ ଶୁଣି ତର ତର ହୋଇ ନାତୁଣୀକୁ କାଖେଇ ସେଠାକୁ ଦୌଡିଲେ |ମନୁ ଓ ଝିଲିଙ୍କ ଭିତରେ ଝଗଡା ଚରମ ସୀମାରେ ପହଞ୍ଚିଥିଲା |ପିଲାମାନେ ଘଟଣା କଣ ଜାଣି ନପାରି ଭେଁ ଭେଁ ହୋଇ ରଡି ଛାଡୁଥିଲେ  |ଝିଲି ତାର ଛୋଟ ବ୍ୟାଗଟି ଧରି କହିଲା,ତମ ପିଲାଙ୍କୁ ତମେ ସମ୍ଭାଳ,ମୁଁ ଆଉ ଏଇଠି ମୁହୂର୍ତ୍ତେ ରହି ପାରିବିନି,ମୋ ବାପଘରକୁ ଯାଉଛି |ଆଉ ତମ ବାଟରେ କଣ୍ଟା ହେବିନି,ତମ ନୂଆ ପ୍ରେମିକାକୁ ବାହା ହୋଇ ସୁଖ ଶାନ୍ତିରେ ରୁହ  |ମନୁ କହିଲା,ଯୁଆଡେ ମରିବାକୁ ଇଚ୍ଛା ,ସିଆଡେ ଯାଆ,କିନ୍ତୁ   ତୋର ତିନିଟା ଯାକ ଝିଅଙ୍କୁ ସାଙ୍ଗରେ ନେଇ ଯାଆ |ମନୁ କଥା ଶୁଣି ଉମାଙ୍କର ମୁଣ୍ଡକୁ ପିତ୍ତ ଚଢ଼ିଗଲା |ସେ ନାତୁଣୀକୁ ତଳେ  ବସାଇ ଝିଲି କିଛି କହିବା ପୂର୍ବରୁ ମନୁ ଗାଲରେ ଗୋଟିଏ ଜୋରଦାର ଚଟକଣି ବସାଇଦେଲେ ଓ କହିଲେ,ଚୁପ ରହ ,ଅଲାଜୁକ କୁଳାଙ୍ଗାର ରସିକ ନାଗର |ଆମ ବଂଶରେ ଯାହା କେହି କରି ନଥିଲେ,ସେଇ କାମ ତୁ କରୁଛୁ |ଝିଲି କୁଆଡେ ଯିବନି |ସେ ମୋର ବୋହୂ ,ତାର ଝିଅ ମୋର ନାତୁଣୀ |ଯିବାର କଥା ଯଦି,ତୁ ଯିବୁ |ବହୁତ ହୋଇଗଲା,ବହୁତ ସହିଲି |ଏଇକ୍ଷିଣା ତୁ ମୋ ଘରୁ ବାହାର |ଏତିକି କହି ସେ ଝିଲିକୁ ଘରକୁ ଟାଣି ଆଣିଲେ ଓ ମନୁକୁ ବାହାରକୁ ପେଲି କବାଟ ଦେଇଦେଲେ |

            ଏହି ଘଟଣାକ୍ରମରେ ଝିଲି ଆଚମ୍ବିତ ହୋଇ ଯାଇଥିଲା ଓ ଅନେକ ଦିନରୁ ତାର ହୃଦୟ ଭିତରେ ଜମାଟ ବାନ୍ଧିଥିବା କୋହ ତରଳି ଯାଇ ଝର ଝର ହୋଇ ଅଶ୍ରୁ ରୂପରେ ଝରିବାକୁ ଲାଗିଥିଲା |ଉମା ତା ଆଖିରୁ ଲୁହ ପୋଛିଦେଇ  କହିଲେ,ଆଉ କାନ୍ଦନା | ତୁ ବୋଧେ ରାତି ସାରା ଶୋଇନୁ ,ଯାଆ  ଶୋଇପଡ,ମୁଁ ଆଜି ରୋଷେଇ କରିଦେବି |

             ଘଣ୍ଟାଏ ପରେ କବାଟରେ ଆବାଜ ଶୁଣି ଉମା କବାଟ ଖୋଲି ଦେଖିଲେ ବାହାରେ ମନୁ ଛିଡା ହୋଇଛି |ପଶ୍ଚାତାପରେ ମୁହଁ ତାର ଶୁଖି କଳାକାଠ ଦିଶୁଥିଲା |ସେ କିଛି କହିବା ପୂର୍ବରୁ ମନୁ ତାଙ୍କର ଦୁଇ ପାଦ ଜାବୁଡି ଧରି କହିଲା,ବୋଉ,ମତେ କ୍ଷମା କରିଦେ |ଆଉ ଏମିତି ଭୁଲ କରିବି ନାହିଁ |ଉମା କହିଲେ,ମତେ ନୁହେଁ,ଆଗେ ଝିଲିକୁ କ୍ଷମା ମାଗ |ମନୁ ଆଉ କିଛି ନକହି ଭିତରକୁ ଚାଲିଗଲା |କିଛି ସମୟ ପରେ ସେ ରୋଷେଇଘରକୁ ଆସି ଉମାଙ୍କ ହାତରୁ ଚଟୁ ନେଇ କହିଲା ,ଭୁଲ ମୁଁ କରିଛି,ପ୍ରାୟଶ୍ଚିତ୍ତ ମୁଁ କରିବି |ତୁ ଯାଆ ,ଆଜି  ସମସ୍ତଙ୍କ ପାଇଁ ମୁଁ ରୋଷେଇ କରିବି |

ସମାପ୍ତ |ମମତା ମହାନ୍ତି ସାମନ୍ତରାୟ |

       

Sunday, May 5, 2024

**ଛୋଟ ଆଶା,ବଡ଼ ସୁଖ **

                        ସହରର ପ୍ରମୁଖ ସ୍ଥଳରେ ଥିବା ଏକ  ହାଟରେ ପୂର୍ଣ୍ଣର ବଡ଼ ପରିବା ଦୋକାନ ଥିଲା |ଆଖପାଖରେ  ଅନେକ ପରିବା ବିକାଳୀ ଥିଲେ ବି ପୂର୍ଣ୍ଣ ଦୋକାନରେ ସବୁବେଳେ ଗ୍ରାହକମାନଙ୍କର ଭିଡ଼ ଜମି ରହୁଥିଲା   |ଏହାର ଦୁଇଟି କାରଣ ଥିଲା |ପ୍ରଥମ କାରଣ ହେଲା,ପୂର୍ଣ୍ଣର ଅମାୟିକ ବ୍ୟବହାର ଓ ଦ୍ୱିତୀୟ କାରଣ ହେଲା,ଗ୍ରାହକଙ୍କର  ତା ପ୍ରତି ଥିବା ଅତୁଟ  ଆସ୍ଥା ଓ ବିଶ୍ୱାସ | ସୁଶାନ୍ତ ସେତେବେଳେ ହାଟ ନିକଟବର୍ତ୍ତୀ ଏକ ସରକାରୀ କାର୍ଯ୍ୟାଳୟରେ ଚାକିରୀ କରୁଥିଲା |ପୂର୍ଣ୍ଣ ବ୍ୟବହାରରେ ଆକର୍ଷିତ ହୋଇ ସେ  କେବଳ ତା ଠାରୁ ହିଁ ପରିବା କିଣୁଥିଲା |ତା ଉପରେ ସୁଶାନ୍ତର  ଏପରି ପ୍ରଗାଢ଼ ବିଶ୍ୱାସ ଥିଲା ଯେ,ଅଫିସ ଯିବାବେଳେ ସେ ତାର ପରିବା ବ୍ୟାଗ ପୂର୍ଣ୍ଣ ପାଖରେ ରଖି ଦେଇ  ଯାଉଥିଲା,ଅଫିସରୁ ଫେରିବାବେଳେ ପୂର୍ଣ୍ଣ ତାର ପସନ୍ଦ  ମୁତାବକ ବ୍ୟାଗରେ ପରିବା ରଖି କେବଳ ତାର ଦାମ କେତେ କହୁଥିଲା ଓ ସୁଶାନ୍ତ ହିସାବ ନକରି ସେ କହିଥିବା ଦାମ ତାକୁ ବଢ଼ାଇ ଦେଇ ତା ସହିତ  କିଛି ଖୁସି ଗପ କରି ସେଠାରୁ ଚାଲି ଆସୁଥିଲା | କେବଳ ସୁଶାନ୍ତ ନୁହେଁ,ତା ପରି ଅନେକ ଗ୍ରାହକଙ୍କର ପୂର୍ଣ୍ଣ ଉପରେ ଅଖଣ୍ଡ ଭରସା ଥିଲା |

                   ସୁଶାନ୍ତର ବଦଳି ହୋଇଯିବା ପରେ ସେ ଆଉ ପୂର୍ଣ୍ଣ ଖବର ରଖି ପାରି ନଥିଲା | ବେଶ କିଛି ବର୍ଷର ବ୍ୟବଧାନ ପରେ ଦିନେ  ଏକ ପୂଜା ସାମଗ୍ରୀ ଓ ତଟକା ଫଳ ବିକ୍ରି ହେଉଥିବା ଦୋକାନରେ ପୂର୍ଣ୍ଣ ସହିତ ଦେଖା ହୋଇଗଲା |ସେଠାରେ ତାକୁ ସାହାଯ୍ୟ କରିବା ପାଇଁ ତାର ସାନ ପୁଅ ଥିଲା | ପୂର୍ଣ୍ଣ ଟିକିଏ ବି ବଦଳି ନଥିଲା ଓ ତାର ବ୍ୟବହାର ସେହିଭଳି ସରଳ ଓ ଅମାୟିକ ଥିଲା | ସେ ସୁଶାନ୍ତକୁ  ଦେଖି ଖୁସିରେ ଗଦ ଗଦ ହୋଇ ତାର ଗପର ପେଡି ଖୋଲି ଦେଲା  |କଥା ପ୍ରସଙ୍ଗରେ ପୂର୍ଣ୍ଣ କହିଲା,ତାର ପିତା ସେହି  ପୂଜା ସାମଗ୍ରୀ ଦୋକାନ ଚଳାଉ ଥିଲେ |ତାଙ୍କ ମୃତ୍ୟୁ ପରେ  ଭାଇମାନଙ୍କ ସହିତ ସମ୍ପତ୍ତି ଭାଗବଣ୍ଟା ହେବାବେଳେ ସେ ବାପାଙ୍କ ସ୍ମୃତିର ସ୍ମାରକୀ ରୂପେ   ସେହି ଦୋକାନଟି ନିଜ ପାଇଁ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲା | ତାର ଦୁଇପୁଅ ଥିଲେ |ବଡ଼ ଇଞ୍ଜିନିୟରିଂ ପାଶ କରି ବାଙ୍ଗାଲୋରରେ ଚାକିରୀ କରୁଥିଲା |ମାଟ୍ରିକ ପାଶ କରିବା ପରେ ସାନ ପୁଅକୁ ଆଉ ଅଧିକ ନ ପଢାଇ ତାକୁ ସାହାଯ୍ୟ କରିବା ପାଇଁ ତାର ଦୋକାନରେ ରଖିଥିଲା |ସୁଶାନ୍ତ ବିରକ୍ତି ପ୍ରକାଶ କରି କହିଲା,ଦୁଇ ପୁଅଙ୍କ ଭିତରେ ଏପରି ପାତର ଅନ୍ତର କାହିଁକି କଲ ?ବଡ଼ପୁଅକୁ ଇଞ୍ଜିନିଅର କଲ ,ସାନକୁ ସେତିକି ନ କଲେ ବି କମସେ କମ ଗ୍ରାଜୁଏଟ ହେବାଯାଏଁ  ପଢାଇ ଥାଆନ୍ତ !ଏତେ ଶୀଘ୍ର ଦୋକାନରେ ବସାଇବା କଣ ଦରକାର ଥିଲା ?ପୂର୍ଣ୍ଣ ହାତ ଯୋଡି କହିଲା,ସାର,ମୋ ବାପା ପାଠ ପଢି ନଥିଲେ,ତଥାପି ଦୋକାନ ଭଲ ଚାଲିଥିଲା |ମୁଁ ସପ୍ତମ ଶ୍ରେଣୀ ଫେଲ,ଆଜି ପର୍ଯ୍ୟନ୍ତ ଦୋକାନ ଠିକରେ ଚାଲିଛି |ପୁଅ ତ ମୋ ଠାରୁ ଅଧିକ ପଢି ମାଟ୍ରିକ ପାଶ କରିଛି,ଆଉ ଅଧିକ କଣ ଦରକାର  ?ଏବେ ପୁଅର ବୟସ କମ ,ତାକୁ ଏତିକି ବେଳୁ ବେପାର ବିଷୟରେ ତାଲିମ ନଦେଲେ,ପଛକୁ ବିଗିଡି ଗଲେ,ଆଉ ଧରି ପାରିବନି |ସୁଶାନ୍ତ ଅଶାନ୍ତି ହୋଇ କହିଲା,ଯାହା ହେଲେ ବି ଶିକ୍ଷାର କିଛି ମହତ୍ତ୍ୱ ରହିଛି,ତମେ ସେକଥା ବୁଝି ପାରିବନି |ଜଣେ ଆକାଶରେ ରହିବା ବେଳେ ଆଉ ଜଣେ ରସା ତଳେ,ଇଏ କି ଭଳି ନ୍ୟାୟ ?? ପୂର୍ଣ୍ଣ ହାତଯୋଡ଼ି ବିନମ୍ରତାର ସହ କହିଲା,ସାର, ଛୋଟ ମୁହଁ,ବଡ଼ କଥା |ବଡପୁଅ ଯେତେ ଟଙ୍କା ରୋଜଗାର କଲେ ବି,ସେ ଚାକର,ମାଲିକ ନୁହେଁ |କିନ୍ତୁ ଆମେ ମାଲିକ |ବଡ ପୁଅ ମାସକୁ ଯେତେ  ଟଙ୍କା ରୋଜଗାର କରୁଛି, ଆମର ସପ୍ତାହକର  ଆୟ ତାହା ଠାରୁ ଦେଢ଼ ଗୁଣ ଅଧିକ |ତା ଉପରେ  ପୁଣି ପୂଜା ପର୍ବ ରହିଛି,ତାର  ଅଲଗା ହିସାବ |ଏଇଠି ଆମ ମର୍ଜିରେ ଦୋକାନ ଚାଲେ,ଆମ କାମ ପାଇଁ ନିତି କାହାକୁ କୈଫିୟତ ଦେବାକୁ ପଡେନାହିଁ | ତା କଥା ଶୁଣି ସୁଶାନ୍ତ ବିସ୍ମିତ  ହୋଇଗଲା |କହିଲା, ହଉ ଭଲରେ ଥାଅ |ଈଶ୍ୱର ତୁମର ମଙ୍ଗଳ କରନ୍ତୁ |ଏଥରକ ବଡ଼ ପୁଅ କଥା କୁହ ,ତା ବାହାଘର କେବେ କରୁଛ ?ବାହାଘର କଥା ଶୁଣି ପୂର୍ଣ୍ଣର ମୁହଁ ଶୁଖିଗଲା |ସୁଶାନ୍ତ ତାର ମନୋଭାବକୁ ଲକ୍ଷ୍ୟ କରି କହିଲା,କଣ ହେଲା ?ଏମିତି ମୁହଁ ଶୁଖେଇ ଦେଲ ଯେ ?ପୂର୍ଣ୍ଣ କିଛି କହିବାକୁ ରାଜି ହେଉ ନଥିଲା |ସୁଶାନ୍ତ ବାଧ୍ୟ କରିବାରୁ ତାର ଦୁଃଖର କାରଣ କହିଲା |ବଡପୁଅ ଏକ ଝିଅର ପ୍ରେମରେ ପଡିଛି ,ସେ ତାରି ଅଫିସରେ ଚାକିରୀ କରେ |ପୂର୍ଣ୍ଣ ଦୁଇଜଣଙ୍କ ବାହାଘର କରିବା ପାଇଁ ରାଜି |କିନ୍ତୁ ତାର ଏକ ସର୍ତ୍ତ ରହିଛି |ବାହାଘର ପରେ ବୋହୂକୁ ଚାକିରୀ ଛାଡିବାକୁ ପଡିବ |ସୁଶାନ୍ତ ବିରକ୍ତ ହୋଇ କହିଲା,ଇଏ କି ଅଵିଵେକୀ କଥା,ଚୁଲି ଫୁଙ୍କିବାକୁ ସେ କଣ ଏତେ ପାଠ ପଢିଥିଲା ?ଭାଗ୍ୟରେ ଥିଲେ,ଚାକିରୀଆ ବୋହୂ ମିଳେ ,ତୁମେ ଅଯଥା ଜିଦ୍ଦି ନକରି ରାଜି ହୋଇଯାଅ |କୁଣ୍ଠିତ ସ୍ୱରରେ ପୂର୍ଣ୍ଣ କହିଲା,ସ୍ତ୍ରୀ କୁ କ୍ୟାନସର,ତାର ସବୁ କାମ ମତେ କରିବାକୁ ପଡୁଛି |ଦୁଇ ପୁଅ ଯିଏ ଯାହା କାମରେ ବ୍ୟସ୍ତ ରହିଲେ ,ଘର ସମ୍ଭାଳିବ କିଏ ??

             ଏହାର କିଛି ମାସ ପରେ ସୁଶାନ୍ତ ଖବର ପାଇଲା, କର୍କଟ ରୋଗରେ ପୀଡିତା ଥିବା ପୂର୍ଣ୍ଣ ସ୍ତ୍ରୀର ଅକାଳ ବିୟୋଗ ହୋଇ ଯାଇଛି |ମୃତ୍ୟୁ ପୂର୍ବରୁ ସେ ବଡ଼ପୁଅର ବିବାହ ଦେଖିବାକୁ ଇଚ୍ଛା ପ୍ରକାଶ କରିବାରୁ ପୂର୍ଣ୍ଣ ଆଉ ତାର ସର୍ତ୍ତ ଉପରେ ଜୋର ନଦେଇ,ବଡପୁଅ ପସନ୍ଦ କରିଥିବା ଝିଅ ସହିତ ବାହାଘର କରିଦେଲା |ସୁଶାନ୍ତ ଏକଥା ଶୁଣି ଖୁସି ହୋଇ କହିଲା,ଯାହାହେଉ ଉଚିତ ନିଷ୍ପତ୍ତି ନେଲ,କିନ୍ତୁ ବୋହୂର ଚାକିରୀ ଛାଡିବା  କଥା କଣ ହେଲା ? |ପୂର୍ଣ୍ଣ କହିଲା,ତାର ଚାକିରୀ କରିବା ନ କରିବା ଉପରେ ମୋର କିଛି ଆପତ୍ତି ନଥିଲା |କିନ୍ତୁ ବାହାଘର ପରେ ବୋହୂ ନିଜ ଇଚ୍ଛାରେ  ଚାକିରୀ ଛାଡିଦେଲା  |ସୁଶାନ୍ତ ଆଶ୍ଚର୍ଯ୍ୟ ହୋଇ କହିଲା,ଏହା କିପରି ସମ୍ଭବ ହେଲା ?ପୂର୍ଣ୍ଣ ଉତ୍ତର ଦେଲା,,ବୋହୂକୁ ଏକଥା ପଚାରିଥିଲି |ସେ କହିଲା,ମୁଁ  ଆତ୍ମନିର୍ଭରଶୀଳ ହେବାପାଇଁ ଚାକିରୀ କରିଥିଲି |ତା ମାନେ ନୁହେଁ ଯେ,ସମସ୍ତଙ୍କୁ ଅସୁବିଧାରେ ପକେଇ ମୁଁ ମୋର ସୌକ ପୂରଣ କରିବି !ଘର ସମ୍ଭାଳିବା ମୋର ପ୍ରଥମ ଦାୟିତ୍ତ୍ୱ,ତାପରେ ଆଉ ଯାହା |ପୁଅ ବି  ତାର  ଭୁବନେଶ୍ୱରର ବ୍ରାଞ୍ଚ ଅଫିସକୁ ଚାଲି ଆସିଛି   |ଏବେ ମୁଁ ସବୁ ଦାୟିତ୍ତ୍ଵରୁ ମୁକ୍ତ |ମୋର ସବୁ  ସମୟ ଈଶ୍ୱରଙ୍କ ନାମ ଜପରେ ବିତି ଯାଉଛି |ଭଲରେ ଖାଉଛି,ଶୋଉଛି |ସ୍ତ୍ରୀ ସିନା ଚାଲିଗଲା,ଭଗବାନ ବାକି  ସବୁ ସୁଖ ଐଶ୍ଵର୍ଯ୍ୟ ମୋ ଝୋଲିରେ ଭରିଦେଲେ |ଆଉ  ଅଧିକ କଣ ପ୍ରୟୋଜନ ??

            ଏକା ଧ୍ୟାନରେ ସୁଶାନ୍ତ ପୂର୍ଣ୍ଣର କଥା ଶୁଣି ଯାଉଥିଲା |ସେ ଭାବୁଥିଲା,ସତେ ତ !ସାରା ଜୀବନ ଦାୟିତ୍ତ୍ଵର ବୋଝକୁ ଏକୁଟିଆ  ମୁଣ୍ଡେଇ ସେ  ଏଇ ଛୋଟ ସତ୍ୟଟିକୁ  ଜାଣି ପାରିଲା ନାହିଁ କେମିତି ?ଜୀବନକୁ ଯେତେ ସରଳ ଭାବରେ ସ୍ୱୀକାର କରିନେବ,ସୁଖର ସ୍ପର୍ଶ ସେତେ ନିବିଡ଼ ଭାବରେ ଅନୁଭବ କରି ପାରିବ ,ଏହା ଆଜି ତାକୁ ପୂର୍ଣ୍ଣ ଶିଖେଇ ଦେଲା |

  ମମତା ମହାନ୍ତି ସାମନ୍ତରାୟ ,ଅନ୍ତେଇ       

                

Saturday, March 2, 2024

******* ନିଆରା ନାରୀ ********

                       କିଛିଦିନ ତଳେ ସମ୍ବାଦପତ୍ରରେ  ପ୍ରକାଶିତ ଏକ ସମ୍ବାଦ ଚାଞ୍ଚଲ୍ୟ  ସୃଷ୍ଟି କରିଥିଲା |ତାହା ହେଲା,ଦୁଇଟି ସନ୍ତାନର ଜନନୀ ଥିବା  ଜଣେ ମହିଳା ତାଙ୍କର ଦୀର୍ଘ ପନ୍ଦର ବର୍ଷର ଦାମ୍ପତ୍ୟ ଜୀବନକୁ ଜଳାଞ୍ଜଳି ଦେଇ  ପ୍ରେମିକ ଓ ମାଆଙ୍କ ସହାୟତାରେ  ରାତିରେ ଗଭୀର ନିଦ୍ରାରେ ଶୋଇଥିବା ସ୍ୱାମୀକୁ ହତ୍ୟା କରି ସେହି କୋଠରୀ ମଧ୍ୟରେ ସମାଧି ଦେଇଛନ୍ତି   |ଚାରିଜଣ ବଢ଼ିଲା ସନ୍ତାନଙ୍କ ମାତା ତାଙ୍କ ସ୍ୱାମୀଙ୍କ ଚିତା ଜଳୁଥିବାବେଳେ   ପ୍ରେମିକଙ୍କ ହାତ ଧରି ଘରୁ ଚାଲି ଆସିବାର ଭିଡିଓ ଏହା ପୂର୍ବରୁ ଖୁବ ଭାଇରାଲ  ହୋଇଥିଲା |ନିଜର ସ୍ୱାମୀ, ପନ୍ଦରବର୍ଷର  ଝିଅ ଓ ପାଞ୍ଚ ବର୍ଷର ପୁତ୍ରକୁ ଛାଡି ଜଣେ ମହିଳା କିପରି ପାକିସ୍ଥାନ ଯାଇ ତାଙ୍କ ପ୍ରେମିକଙ୍କୁ ବିବାହ କଲେ,ତାହା ମଧ୍ୟ ସମସ୍ତଙ୍କୁ ଅଜଣା ନଥିବ |ଗୋଟିଏ ଦୁଇଟି ନୁହେଁ,ଏହିପରି ଅସଂଖ୍ୟ ଘଟଣା  ଆଜିର ସାମାଜିକ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ସେତେବେଳେ କେହି କେହି ସ୍ୱାମୀ ନିଜ ସ୍ତ୍ରୀ ଓ ପିଲାଙ୍କୁ ଅସହାୟ ଅବସ୍ଥାରେ ଛାଡି ପ୍ରେମିକା ସହିତ ଫେରାର ହୋଇ ଯାଉଥିବା ଘଟଣା ଶୁଣିବାକୁ ମିଳୁଥିଲା | ଏବେ କିନ୍ତୁ ପରିସ୍ଥିତି ଓଲଟି ଯାଇଛି |ଏହି ବିଷୟରେ ଆଜିର ଲେଖକ/ଲେଖିକା ମାନେ ମଧ୍ୟ ବେଶ ଉଦାର ହୋଇ ଗଲେଣି |ପରକୀୟା ପ୍ରୀତି ,ଲିଭ ଇନ ସମ୍ପର୍କ ,ପରିଣତ ବୟସରେ ବିଧବା ଓ ବିଧୁର ନିଜର ଅବଶିଷ୍ଟ ଜୀବନ ପାଇଁ ପରସ୍ପରକୁ ବିବାହ କରିବା ବିଷୟରେ ବେଶ ହୃଦୟସ୍ପର୍ଶୀ କାହାଣୀକୁ ପାଠକୀୟ ଆଦୃତି ମିଳି ଗଲାଣି |ମୋଟ ଉପରେ କହିବାକୁ ଗଲେ,ଅପବାଦକୁ ଖାତିର ନକରି ଲୋକେ ଆଜିକାଲି  ନିଜପାଇଁ ଜିଇଁବାକୁ ପସନ୍ଦ କରୁଛନ୍ତି |ଏହି ପରିପ୍ରେକ୍ଷୀରେ ମୁଁ ଆଜି ନ ଦୁଇଟି ସତ୍ୟ ଘଟଣା ବିଷୟରେ ଦୁଇପଦ  ଲେଖୁଛି,ସେମାନେ ଭୁଲ କଲେ କି ଠିକ କଲେ,ସେ ବିଚାର ଆପଣମାନେ କରିବେ |

                   (ଏକ)

        ମୀନା ଓ ଅଭୟ ଏକ ପ୍ରତିଷ୍ଠିତ ଆଇ.ଟି.କମ୍ପାନୀରେ ଚାକିରୀ କରୁଥିଲେ ଓ  ବିବାହ ପରେ ଦୁହେଁ ଖୁବ ଖୁସିରେ ଥିଲେ |କିନ୍ତୁ ସେମାନଙ୍କ ଖୁସିରେ ଯେପରି କାହାର ନଜର ଲାଗି ଯାଇଥିଲା | ଦିନେ ଦୁହେଁ ବାଇକରେ ବୁଲିବାକୁ ଯାଇଥିବା ବେଳେ ଅଚାନକ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା |ଏହି ଦୁର୍ଘଟଣାରେ ସାମାନ୍ୟ ଆଘାତ ପାଇ ମୀନା ବଞ୍ଚିଗଲା |କିନ୍ତୁ ଅଭୟର ଅଣ୍ଟାଠାରୁ ପାଦ ପର୍ଯ୍ୟନ୍ତ ସବୁଦିନ ପାଇଁ ଅଚଳ ହୋଇଗଲା ଓ  ତାକୁ ହୁଇଲ ଚେୟାରର ସହାୟତା ନେବାକୁ ପଡିଲା !ସେତେବେଳେ ତାଙ୍କ ବିବାହକୁ ମାତ୍ର ଛଅ ମାସ ପୁରିଥିଲା  |ତାକୁ ଛାଡି ଅନ୍ୟତ୍ର ବିବାହ କରିନେବାପାଇଁ ଅଭୟ ମୀନାକୁ ବହୁତ  କହିଥିଲା |କିନ୍ତୁ ମୀନା ଚାକିରୀ ଛାଡି  ଅଭୟର ଦୁଃଖ ସୁଖର  ସାଥୀ ହେବାପାଇଁ ନିଷ୍ପତ୍ତି ନେଇଥିଲା | ସେହି ଭୟଙ୍କର ଦୁର୍ଘଟଣା ଘଟିବାର ପାଖାପାଖି  କୋଡିଏ ବର୍ଷ  ବିତି ଗଲାଣି |ଏବେ ଅଭୟ ଘରେ ରହି ଛୋଟ ମୋଟ ଅଫିସ କାମ କରୁଛି ଓ ମୀନା ତାର ପାଖେ ପାଖେ ଛାଇ ପରି ରହି ତାର ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଛି |

              (ଦୁଇ)

       ପ୍ରଭା କଲେଜରେ ପଢୁଥିବାବେଳେ ସୁମିତ ସହ ତାର ପରିଚୟ ହୋଇଥିଲା |ତାପରେ ପ୍ରେମ |ଦୁହିଁଙ୍କର  ଭାଷା ଓ ଜାତି ଭିନ୍ନ ହୋଇଥିବାରୁ ପ୍ରଭାଙ୍କ  ପରିବାର ଏହାକୁ ଘୋର ବିରୋଧ କରିଥିଲେ |ତେଣୁ ସୁମିତ ପ୍ରଭାକୁ ଏକ ମନ୍ଦିରରେ ବିବାହ କରି,  ତା ନିଜ ଘର ଓଡିଶାକୁ ଚାଲି  ଆସିଲା |କିନ୍ତୁ ଏଠାରେ ମଧ୍ୟ ସେହି ସମାନ ପରିସ୍ଥିତି |ତାର ମାତା ପ୍ରଭାକୁ ବୋହୂ ରୂପେ ସ୍ୱୀକାର କରିବାକୁ ରୋକ ଠୋକ ମନା କରିଦେଲେ ଓ ଏହି ବିଷୟ ନେଇ,ସବୁଦିନ ମାଆ ପୁଅଙ୍କ ଭିତରେ କଳି ଲାଗି ରହିଲା |ଦିନେ କୌଣସି କାରଣରୁ ଦୁହିଁଙ୍କ ଭିତରେ  କଳି ଉଗ୍ର ରୂପ ଧାରଣ କଲା ଓ ସୁମିତର ମାଆ ନିକଟରେ ପଡିଥିବା ଏକ ଠେଙ୍ଗାରେ ସୁମିତକୁ ଶକ୍ତ ପାହାର କଲେ |ସୁମିତ ରାଗିଯାଇ ଘର ଛାଡି,ପ୍ରଭାକୁ ଛାଡି କୁଆଡେ ଚାଲିଗଲା,ଆଉ ଫେରିଲା ନାହିଁ | ପ୍ରଭା ସେତେବେଳେ ଚାରିମାସର ଗର୍ଭବତୀ ଥିଲା |ସ୍ୱାମୀକୁ ପ୍ରତୀକ୍ଷା କରି ସେ ସେହି ଶାଶୁଘରେ ରହିଗଲା |ଏବେ ମଧ୍ୟ ପ୍ରଭା ତାର ଶାଶୁଘରେ ଅଛି ଓ ଘରର ସବୁ କାମ କରିବା ସହିତ ଏକ ପାର୍ଲର ଚଳାଉଛି,ଯାହା ତାଙ୍କ ରୋଜଗାରର ମୁଖ୍ୟ ଉତ୍ସ |ଝିଅ ମାମୁନକୁ ଉଣେଇଶ ବର୍ଷ ହେଲାଣି,ସେ ସ୍ଥାନୀୟ କଲେଜରେ ପଢୁଛି |ଏବେ ମଧ୍ୟ ପ୍ରଭାର ବିଶ୍ୱାସ ଅଛି,ଆଜି ନହେଲେ କାଲି,ସୁମିତ ନିଶ୍ଚୟ ଫେରିବ !!

           

Tuesday, February 27, 2024

** ଆଇନା ** ଲେ: ମମତା ମହାନ୍ତି ସାମନ୍ତରାୟ

                         ଅଟୋ ଚାଳକ ଅଜୟଙ୍କୁ ଦଶଟା ବେଳେ ଆସିବା ପାଇଁ କହିଥିଲି,ସେ ଘଣ୍ଟାଏ ବିଳମ୍ବରେ ଆସିଲେ |କାରଣ ପଚାରିବାରୁ ସେ କହିଲେ,ଚାରିବର୍ଷର ପିଲାଟିକୁ ହାଇପର ରୋଗ ହୋଇଛି,ତାକୁ ଫିଜିଓଥେରାପି ଦେବାପାଇଁ ତାର ମାଆ ତାକୁ ସବୁଦିନ ସକାଳ ସାଢେ ସାତଟାରେ ଡାକ୍ତରଙ୍କ ପାଖକୁ ନେଇ ଯାଉଛନ୍ତି,ଏଇ ବିରଳ ରୋଗର ଚିକିତ୍ସା କରିବା ପାଇଁ ସେ କାଳେ ଭୁବନେଶ୍ୱରରେ ଏକମାତ୍ର ଡାକ୍ତର |ପ୍ରତିଦିନର ଦଶ ମିନିଟର ଚିକିତ୍ସା ପାଇଁ ଫିସ ପାଞ୍ଚଶତ ଟଙ୍କା |ଦେଢ଼ ବର୍ଷ ହେଲାଣି ଫିଜିଓଥେରାପି ଚାଲିଛି,ଶିଶୁଟି ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହିଁ |ସେ ପୁଣି କହିଲେ ,ସକାଳେ ଡାକ୍ତରଙ୍କ ପାଖକୁ ଶହେ ପାଖାପାଖି ପିଲା ଆସନ୍ତି |କିନ୍ତୁ ଉପରବେଳା ଦୁଇଶହରୁ ଉର୍ଦ୍ଧ୍ୱ ପିଲା ଚିକିତ୍ସା ପାଇଁ ଆସନ୍ତି |ଇଏ ପୁଣି ଏମିତି ରୋଗ ଯେ,ସବୁଦିନ ଫିଜିଓଥେରାପି କରିବାକୁ ପଡେ,ଦିନଟିଏ ବି ବନ୍ଦ କରାଯାଏ ନାହିଁ |ସେତେବେଳେ ମୁଁ ଏହି ହାଇପର ରୋଗ ବିଷୟରେ ଜାଣିନଥିଲି |କହିଲି, ନୂଆକରି ଏହି ରୋଗ ବିଷୟରେ ତୁମଠାରୁ ଜାଣିଲି |ସେ ସ୍ମିତ ହସି କହିଲେ ,ସେହି ମାଡାମଙ୍କ ଚାକିରୀ କେରଳରେ,ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ,କିନ୍ତୁ ଏକମାତ୍ର ପୁଅ ପାଇଁ ସମୟ ଦେଇ ନପାରି ତା ହାତରେ ମୋବାଇଲ ଧରେଇ ଘରୁ କାମ କରୁଥିଲେ | ପରିଣାମ ଦେଖନ୍ତୁ,ଶେଷରେ ବାଧ୍ୟ ହୋଇ ତାଙ୍କୁ ଚାକିରୀ ଛାଡିବାକୁ ପଡିଲା !! 

                      ଆଜିକାଲି ମହାମାରୀ ପରି ଏହି ହାଇପର (ADHD -Attention_deficit/hyperactivity disorder)ବ୍ୟାଧି କୋମଳମତି ଶିଶୁଙ୍କ ଠାରେ ଅତି ସାଙ୍ଘାତିକ ଭାବେ ବ୍ୟାପି ଚାଲିଛି |ଏଥିରେ ଆକ୍ରାନ୍ତ ଶିଶୁ ହଠାତ ରାଗିଯାଇ ଉଗ୍ର ରୂପ ଧାରଣ କରି  ଅସ୍ୱାଭାବିକ ଆଚରଣ ପ୍ରଦର୍ଶନ  କରେ ,ଜିଦ୍ଦିଖୋର ହୋଇ ଚିତ୍କାର କରି ଜିନିଷ ପତ୍ର ଫୋପଡ଼ା ଫିଙ୍ଗା କରେ ,ରାତିରେ ଗଭୀର ନିଦ୍ରାରେ ଶୋଇ ପାରେ ନାହିଁ  ,ପାଠ ପଢ଼ାରେ ମନୋନିବେଶ କରି ପାରେନାହିଁ ଇତ୍ୟାଦି ଇତ୍ୟାଦି ...  |ସବୁଠାରୁ ଭୟଙ୍କର କଥା ହେଲା,ଏହି ଭଳି ଶିଶୁ ଭଲ ମନ୍ଦ ବିଚାର କରି ପାରନ୍ତି ନାହିଁ ଓ ନିଜ ଶରୀରକୁ କ୍ଷତି ହେବା ପରି କାର୍ଯ୍ୟ କରି ପକାନ୍ତି | 

                     ଆଜିକାଲି ପିଲାଙ୍କୁ ସମୟ ଦେବାପାଇଁ କାହାରି ପାଖରେ ସମୟ ବା ଧୈର୍ଯ୍ୟ ନାହିଁ |ସେମାନେ ଭାବନ୍ତି,ତାଙ୍କ ହାତରେ ମୋବାଇଲ ଧରାଇ ଦେଲେ ସବୁ ଦାୟିତ୍ତ୍ଵରୁ ମୁକ୍ତି ମିଳିଯିବ  |ଛୋଟ ଛୁଆଟି ମୋବାଇଲରେ କଣ ଦେଖୁଛି ,ତାହା ଦେଖିବା ପାଇଁ ମଧ୍ୟ ଗୁରୁଜନମାନଙ୍କ ପାଖରେ  ସମୟ ନାହିଁ |ଅନେକ ଭାବୁଥିବେ,କେବଳ ଚାକିରିଆ ମାଆ ମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖା ଦେଉଛି,କିନ୍ତୁ ଏହା ସତ୍ୟ ନୁହେଁ |ଗାଆଁରେ ପ୍ରତି ପିଲା ମୋବାଇଲ ଧରି ଖେଳିବାର ମୁଁ ନିଜ ଆଖିରେ ଦେଖି ଆସିଲି |ଏପରି କରିବାକୁ ମନା କଲେ ସେମାନେ କହିବେ,ସେ ଖାଲି ପିଲାଙ୍କ ନାନା ବାୟା ଗୀତ ଶୁଣୁଛି |କିନ୍ତୁ ପିଲାଟି ଗୋଟିଏ ଗୀତ ବାରମ୍ବାର ଶୁଣି ବିରକ୍ତ ହୋଇ ଗଲେ,ଟିପ ମାରି ଯାହା ଇଚ୍ଛା ତାହା ଦେଖେ |ଥରେ ଗୋଟିଏ ଦେଢ଼ ବର୍ଷର ଶିଶୁ,  ଯୁବକ ଯୁବତୀଙ୍କ ଅଶ୍ଳୀଳ ନୃତ୍ୟ ଦେଖୁଥିବାର ଦେଖି ମୁଁ ତାର ମାଆକୁ କହିଲି |ସେ ତାକୁ ଆକଟ କରିବ କଣ,ଓଲଟି ତା ପିଲାର ପାରିଲା ପଣିଆ ଦେଖି ହସି ହସି ଗଡ଼ିଗଲା |ଦିନକର କଥା,ସେହି ଶିଶୁ କୌଣସି କାରଣ ପାଇଁ ଅଝଟ ହୋଇ,  କାନ୍ଦି କାନ୍ଦି ହଠାତ ଦୁଲ କରି ପଛକୁ ଗଡ଼ି ପଡି ଦୁଇ ଗୋଡ଼ ହାତ ଛାଟିବାକୁ ଲାଗିଲା   | ସେତେବେଳେ ତା ପଛରେ ପନିକି ଖୋଲା ହୋଇ ଥୁଆ ହୋଇଥିଲା |ଟିକିଏ ଅବାଗରେ ପଡ଼ିଥିଲେ,ଦୁଇଖଣ୍ଡ ହୋଇ ଯାଇଥାନ୍ତା  !!

         ଖାଲି ପିତାମାତାଙ୍କୁ ଦୋଷ ଦେଲେ ହେବ ନାହିଁ,ଅଜା ଆଈ ଓ ଜେଜେ ଜେଜେମା ମଧ୍ୟ ଏହି କ୍ଷେତ୍ରରେ ପଛରେ ପଡି ନାହାନ୍ତି |ବୁଢା ବୁଢ଼ୀ ହୋଇଗଲେ ତାଙ୍କ ପାଖରେ ବିଶେଷ କିଛି କାମ ନଥାଏ ,ଖାଲି ଛୁଆ ଖେଳାଇ ସମୟ ବିତାଇବା କଥା |କିନ୍ତୁ ମାଳୀକୁ ଅଡୁଆ ଛେଳି ପରି ବୁଢା ବୁଢୀଙ୍କୁ ଛୁଆ ଅଡୁଆ | ନାତି ନାତୁଣୀ ଅଝଟ ହେଲେ ,ତାଙ୍କ ହାତରେ ମୋବାଇଲ ଧରେଇ  ଦେଲେ,ସବୁ ସମସ୍ୟା ଶେଷ,ଆଉ ତାଙ୍କ ପଛରେ ଅଯଥା ଦୌଡ଼ା ଦୌଡ଼ି କରିବାକୁ ପଡେ ନାହିଁ  |ନିଜେ ଭଲ ମନ୍ଦ ଯାହା ମୋବାଇଲରେ  ଦେଖନ୍ତି,ସେସବୁ ନାତି ନାତୁଣୀ ମାନେ ମଧ୍ୟ  ଦେଖନ୍ତି |କୌଣସି ପ୍ରକାରେ ବର୍ତ୍ତମାନ ସମୟ ବିତିଯାଉ,ଭବିଷ୍ୟତ କଥା ପଚାରେ କିଏ ??

                ଆଜିକାଲି ଆବାଳବୃଦ୍ଧବନିତା ସମସ୍ତେ ମୋବାଇଲ ପ୍ରେମରେ ବାଇ |ସେଥିରେ କାହାର କିଛି କହିବାର ନାହିଁ |କିନ୍ତୁ  କୋମଳମତି ଶିଶୁ,ଯେଉଁମାନଙ୍କର ସଂସାର ବିଷୟରେ ଧାରଣା ନାହିଁ ,ଯେଉଁମାନଙ୍କର  ଭଲମନ୍ଦ କିଛି ଜାଣିବାର ଶକ୍ତି ନାହିଁ ଏବଂ ଯେଉଁମାନେ ଆମର ତଥା ଦେଶର ଭବିଷ୍ୟତ, ଅନ୍ତତଃ ସେମାନଙ୍କୁ ଏଥିରୁ ମୁକ୍ତ କରାଯିବା ନିହାତି ଆବଶ୍ୟକ  |ପିଲାଟିଏ ଜନ୍ମ କରିଦେବା ବଡ଼ କଥା  ନୁହେଁ,ସେମାନଙ୍କୁ ସୁସ୍ଥ ଓ ନିରୋଗ ରଖି ଉପଯୁକ୍ତ ସଂସ୍କାର ଦେଇ ମଣିଷ କରିବା ସବୁଠାରୁ ବଡ଼ କଥା | ତା ନହେଲେ ଆମେ ଆମର ଭବିଷ୍ୟତ ବଂଶଧର ମାନଙ୍କୁ ମୂର୍ଖ,ପାଗଳ  ଓ ଅସାମାଜିକ ପ୍ରାଣୀ ଭାବରେ ଦେଖିବାକୁ ପାଇବା,ଏଥିରେ ସନ୍ଦେହର ଅବକାଶ ନାହିଁ | 

Wednesday, November 15, 2023

ପଡୋଶୀର ଦୁଃଖ

              ଦୁଃଖର କାରଣ ଅଗଣିତ  |କିନ୍ତୁ ସାଧାରଣତଃ  ଦୁଇଟି କାରଣ ପାଇଁ ମଣିଷ ବେଶୀ ଦୁଃଖ ପାଇଥାଏ  |ପ୍ରଥମଟି ହେଲା ସେ ଯେତେବେଳେ ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରେ ଓ ଦ୍ୱିତୀୟଟି ହେଲା, ଯେତେବେଳେ ତାର ପଡୋଶୀ ସୁଖରେ ଥାଏ !!

       ଜୟା ଥିଲେ ଲକ୍ଷ୍ମୀ ନଗର କଲୋନୀର ମଉଡମଣି  |ଜଣେ ସୁଗୃହୁଣୀଙ୍କ ସମସ୍ତ ଗୁଣ ତାଙ୍କଠାରେ ମହଜୁଦ ଥିଲା | ରୋଷେଇବାସ ଓ ଘରକରଣା ଆଦି ସମସ୍ତ କାର୍ଯ୍ୟରେ ସେ ନିପୁଣା ଥିବା ସହିତ ସବୁ ପ୍ରକାର ଓଷାର ପୂଜାବିଧି ତଥା  ବିବାହ ବ୍ରତର ନୀତି ନିୟମ ତାଙ୍କର ମୁହେଁ ମୁହେଁ ଥିଲା |ତେଣୁ ଏସବୁ କାର୍ଯ୍ୟରେ ପରାମର୍ଶ ତଥା ସହଯୋଗ ପାଇବା  ପାଇଁ କଲୋନୀର ସମସ୍ତ ବାସିନ୍ଦା  ତାଙ୍କ  ଉପସ୍ଥିତି ଲୋଡୁଥିଲେ  |ଏତେ ସବୁ ଭଲ ଗୁଣ ସତ୍ତ୍ୱେ ଜୟା ଅତି ମାତ୍ରାରେ ସ୍ପଷ୍ଟବାଦୀ ଥିଲେ ଓ ଅପ୍ରିୟ ସତ୍ୟ  ମୁହେଁ ମୁହେଁ କହିବାକୁ କୁଣ୍ଠା ବୋଧ କରୁନଥିଲେ |ଏକଦା ପଡୋଶୀ ବିପିନ ବାବୁଙ୍କ ସହଧର୍ମିଣୀ ପ୍ରଭାଙ୍କ ସହିତ ତାଙ୍କର ନିବିଡ଼ ସମ୍ପର୍କ ଥିଲା |ଦୁହେଁ ଦୁହିଁଙ୍କୁ କ୍ଷଣେ ନଦେଖିଲେ ବଣା ହୋଇଯାଉଥିଲେ | ଦୁହିଁଙ୍କ ଭିତରେ  ନିୟମିତ ଭାବରେ ପିଠାପଣା ଓ ତରକାରୀ ଦିଆନିଆ ଚାଲିଥିଲା |କିନ୍ତୁ ତାଙ୍କ ହାତରନ୍ଧା ଖାଦ୍ୟ ଖାଇ  ବିପିନ ବାବୁ ଏପରି ଖୁସି ହୋଇଗଲେ ଯେ, ତାଙ୍କୁ ଆଉ ପ୍ରଭାଙ୍କ ହାତରନ୍ଧା ଭଲ ଲାଗିଲା ନାହିଁ ବୋଲି ପ୍ରଭା ମନେକଲେ || ବିପିନବାବୁଙ୍କ ଏପରି ଆଚରଣ ପ୍ରଭାଙ୍କ ପାଇଁ କ୍ରମେ ଅସହ୍ୟ ହୋଇ ଉଠିଲା | ଶେଷରେ ଦିନେ ସେ ମୁହଁ ଖୋଲି ଜୟାଙ୍କୁ କହିଦେଲେ,ନାନୀ ,ଦୟାକରି ଆଜିଠାରୁ ତମ ଘରେ ରନ୍ଧା ହୋଇଥିବା କୌଣସି ଜିନିଷ ଆମକୁ ଦେବନାହିଁ |ସେହିଦିନଠାରୁ  ଦୁହିଁଙ୍କର ଅଭେଦ୍ୟ ପ୍ରୀତି ସମାପ୍ତ ହୋଇଗଲା ବୋଲି ଲୋକେ କହନ୍ତି  |

            କେବଳ ଏତିକି ନୁହେଁ,ଯେତେବେଳେ ପ୍ରଭାଙ୍କର ଏକମାତ୍ର ପୁତ୍ର ପ୍ରକାଶର ବାହାଘର ଧୁମଧାମରେ ହୋଇ ତାଙ୍କ ଘରକୁ ସୁନ୍ଦରୀ ବୋହୂ ଆସିଲା, ସାଇ ମାଇପେ ପ୍ରଭାଙ୍କ ଘରକୁ ବୋହୂ ଦେଖିବାକୁ ଗଲେ |ସେମାନଙ୍କ ସହିତ ଜୟା ମଧ୍ୟ ଯାଇଥିଲେ |ଜୟାଙ୍କୁ ସାଙ୍ଗରେ ନେବାର କାରଣ ହେଲା,ସେ କାଳେ ବୋହୂ ଦେଖି  ସେ ଭଲ କି ମନ୍ଦ କହି ପାରୁଥିଲେ |ପୁଣି ତାର କେଉଁଠି କଣ ଖୁଣ ଅଛି,ତାହା ତାଙ୍କ ନଜରରୁ ବାଦ ଯାଉ ନଥିଲା |ପ୍ରଭାଙ୍କ ବୋହୂ ଶିକ୍ଷିତା ,ସୁନ୍ଦରୀ ଓ କର୍ମଜୀବି ଥିଲା |ତାକୁ ଦେଖିବା ମାତ୍ରେ  ଜୟା ମନ୍ତବ୍ୟ ଦେଲେ,ପୁଳାଏ ମେକଅପ ହୋଇଛି ବୋଲି  ସୁନ୍ଦର ଦିଶୁଛି ,ନହେଲେ ବାସ୍ତବରେ ଏତେ ସୁନ୍ଦରୀ ନୁହେଁ , ପ୍ରକୃତି ବି ଏତେ ଭଲ ପରି ଜଣା ପଡୁନି ,ଗର୍ବୀ ପରି ମନେ ହେଉଛି |ଜୟାଙ୍କର ମନ୍ତବ୍ୟ ପ୍ରଭାଙ୍କ କାନରେ ପଡ଼ିବାକୁ ବେଶୀ ଡେରି ଲାଗିଲା ନାହିଁ |ଯେଉଁ ଭଦ୍ର ମହିଳା ପ୍ରଭାଙ୍କୁ ଏକଥା କହିଲେ,ସେ ରାଣ ନିୟମ ପକାଇ ଜୟାଙ୍କୁ ଏକଥା ନକହିବାକୁ ବାରଣ କରିଥିଲେ |ତେଣୁ ଅନ୍ତର ଭିତରେ ଜଳି,ସୁଯୋଗର ଅପେକ୍ଷାରେ ରହିବା  ଛଡା ତାଙ୍କର ଆଉ କିଛି  ଉପାୟ  ନଥିଲା | ପ୍ରଭାଙ୍କ ବୋହୂ କର୍ମଜୀବି ହୋଇଥିବାରୁ ମାସକ ପରେ ପ୍ରକାଶ ସହିତ ତାର କର୍ମକ୍ଷେତ୍ରକୁ ଚାଲିଗଲା |ତେଣୁ ସେ ଭଲ କି ମନ୍ଦ ଜାଣିବାପାଇଁ କଲୋନୀ ମହିଳାଙ୍କୁ ସୁଯୋଗ ମିଳିଲା ନାହିଁ |

          ଜୟାଙ୍କର ଝିଅ ବଡ଼,ପୁଅ ସାନ |ଝିଅ ବାହାଘର କେବେଠାରୁ ସରି ଥିଲା ,ବାକି ଥିଲା ପୁଅ ବାହାଘର |ଯୋଗକୁ ପୁଅ ରୋହିତ  ପାଇଁ ତାଙ୍କ ମନଲାଖି  ଝିଅ ମିଳିଗଲା ଓ ତା ସହିତ ତାଙ୍କ ଆଶା ଠାରୁ ଯଥେଷ୍ଟ ଅଧିକ ଯୌତୁକ ବିନା ଡିମାଣ୍ଡରେ ମିଳିଗଲା |ଗୋଟିଏ ବଡ଼ ହୋଟେଲରେ ସେମାନେ  ରିସେପ୍ସନ ପାର୍ଟି ଦେଇଥିଲେ |ସମସ୍ତଙ୍କ ମୁହଁରୁ ବୋହୂ ଓ ବାହାଘର ଆୟୋଜନର ଭୁରି ଭୁରି ପ୍ରଶଂସା ଶୁଣି ଦୁଃଖରେ ପ୍ରଭାଙ୍କ ଛାତି ଫାଟି ଯାଉଥିଲା  |

       ଦୁଇମାସ ପରେ ଦିନେ ଖରାବେଳେ ଜୟାଙ୍କ ଘରୁ ଜୋରରେ ପାଟିତୁଣ୍ଡ ସହିତ ବାସନ ଫୋପଡ଼ା ଫିଙ୍ଗାର ଶବ୍ଦ ଶୁଭିଲା |ଘଟଣା କଣ ଜାଣିବା ପାଇଁ ପ୍ରଭା କାନ ଡେରିଲେ |ଜୟା ସମ୍ପୂର୍ଣ୍ଣ ନିରାମିଶାଷୀ ଥିଲେ |କିନ୍ତୁ ବାବାଙ୍କ ଆଶ୍ରମରୁ ଆସିଥିବା ଆମିଷ ପ୍ରସାଦ ବଡ଼ ତୃପ୍ତିରେ ଖାଉଥିଲେ ଯାହାକୁ ବୋହୂ ଭଲ ଦୃଷ୍ଟିରେ ଦେଖୁ  ନଥିଲା |ଏହାରି ଉପରେ ଯୁକ୍ତି ତର୍କ ହୋଇ ଝଗଡା ଆରମ୍ଭ ହୋଇଥିଲା |ଅସଲ କଥା ହେଲା,ଜୟା ବୋହୂକୁ ଅତି ମାତ୍ରାରେ ଶାସନ କରୁଥିଲେ ଓ ତାର ସବୁ କାର୍ଯ୍ୟରେ ଖୁଣ କାଢୁଥିଲେ |ତାଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ବୋହୂ ତାଙ୍କର ଆମିଷ ପ୍ରସାଦ ପ୍ରତି ଥିବା ଦୁର୍ବଳତା କଥା କହିଦେଇଥିଲା |କିନ୍ତୁ ଏହା କରି  ସେ ମହୁଫେଣାରେ ହାତ ପୁରାଇ ଦେଇଥିଲା |ବୋହୂ ଅବଶ୍ୟ ସାଙ୍ଗେ ସାଙ୍ଗେ ତାଙ୍କ ଗୋଡ଼ ତଳେ ପଡି କ୍ଷମା ମାଗିଥିଲା |କିନ୍ତୁ ଜୟା ବୁଝି ନଥିଲେ |କଥା ବଢି ବଢି ଏପରି ବିରାଟ ଆକାର ଧାରଣ କଲା ଯେ,ଜୟା ତାଙ୍କ ମହିଳା ବାନ୍ଧବୀଙ୍କ ଆଗରେ  ବୋହୂ କିପରି ଜଣେ ଦାରୁଣ କର୍ମକୋଢ଼ୀ ଓ ତାକୁ କିଛି ଶଣ୍ଠଣା ଜଣା ନାହିଁ ଇତ୍ୟାଦି ତାର ଯେତେକ ଦୁର୍ଗୁଣ  ନିତି ନିତି ନୂଆ ଢଙ୍ଗରେ ବନେଇ ଚୁନେଇ କହିଲେ |ପ୍ରଭାଙ୍କୁ ଏକଥା ଶୁଣି ବହୁତ ଖୁସି ଲାଗୁଥିଲା |ଦିନେ ଜୟା ମହିଳା ମହଲରେ ବୋହୂ ବିରୁଦ୍ଧରେ ଗପୁଥିବାବେଳେ ସେଠାରେ ଉପସ୍ଥିତ ଥିବା ପ୍ରଭା କହିଦେଲେ,ଯିଏ  ଦିନେ ମୋ ଘରେ ନିଆଁ ଲଗାଉଥିଲା ,ଆଜି ତା ଘରେ ନିଆଁ ଲାଗିଛି|ସବୁ କର୍ମର ଫଳ |ଭୋଗିବନି ତ ଯିବ କୁଆଡେ !! ଏକଥା ଶୁଣି ବୋହୂ ବିରୁଦ୍ଧରେ ଅନବରତ ଗପୁଥିବା ଜୟା ହଠାତ ଚୁପ ହୋଇଗଲେ ଓ  କ୍ଷିପ୍ର ଗତିରେ ଘରକୁ ଚାଲିଗଲେ |ଏତେଦିନ ପରେ ସେ ହୃଦୟଙ୍ଗମ କରୁଥିଲେ,ବୋହୂର ବଦନାମ କରିବାକୁ ଯାଇ ସେ ନିଜ ପରିବାରର ଇଜ୍ଜତକୁ ଦାଣ୍ଡରେ ନିଲାମ କରି ଦେଇଛନ୍ତି !!

      ଏହି ଘଟଣା ପରଠାରୁ ଜୟାଙ୍କର ବିରାଟ ପରିବର୍ତ୍ତନ ଆସିଲା |ସେ ବୋହୂର ଖୁଣ ନଦେଖି ତାର ଭଲ ଗୁଣକୁ ଆଦର କରିବା ଶିଖିଗଲେ |ଏବେ ଶାଶୁ ବୋହୂ ଭଲରେ ଚଳୁଛନ୍ତି,ଆଉ କଳିଗୋଳ ନାହିଁ |ଜୟାଙ୍କ ଘରେ ସୁଖ ଶାନ୍ତି ଦେଖି ପ୍ରଭା ଅସହିଷ୍ଣୁ ହୋଇ କହନ୍ତି,ଘରର ଗୁମର ପଦାରେ ପଡିଗଲା,ଏବେ ଯେତେ ଭଲେଇ ହେଲେ କଣ ହେବ !!!!